ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଦ୍ଭୁତ ମୁକୁଟ

ନିଶା ଗରଜୁଥାଏ । ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ମଧ୍ୟ ହେଉଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ସେଠାରୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜା! ତୁମେ କି ପ୍ରକାର ବିଶେଷ ଚିଜର ଆକର୍ଷଣରେ ଏ ଦୁର୍ଯ୍ୟୋଗପୂର୍ଣ୍ଣ ରାତିରେ ପରିଶ୍ରମ କରୁଛ? ଜାଣିରଖ, ଅନେକ ସମୟରେ ମଣିଷ ସେଭଳି ଅଦ୍ଭୁତ ବସ୍ତୁ ହାତରେ ପାଇଗଲେ ଯେ ସେଥିରୁ କିଛି ଲାଭ କରିବ, ସେଭଳି ପ୍ରତିଶୃତି କେହି ମଧ୍ୟ ଦେଇପାରିବେ ନାହିଁ । ଗୋଟାଏ ଘଟଣା କହୁଛି, ମନଦେଇ ତାହା ଶୁଣ । ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

                ଏହାକହି ସେ ବେତାଳ ଗପିଲା: ଅନେକ ଦିନ ତଳର କଥା । କଳିଙ୍ଗ ରାଜ୍ୟର ଏକ ଗ୍ରାମରେ ନନ୍ଦଗୁପ୍ତ ବୋଲି ଜଣେ ସାଧାରଣ ଗୃହସ୍ଥ ଥିଲେ । ତାଙ୍କର ଏକମାତ୍ର ସନ୍ତାନ ଦେବଗୁପ୍ତ ଯେପରି ବୁଦ୍ଧିମାନ୍ ଠିକ୍ ସେହିପରି ସେ ଉଚ୍ଚାକାଂକ୍ଷୀ ମଧ୍ୟ ଥିଲା । କିନ୍ତୁ ଗୋଟିଏ କଥା, କୌଣସି ବେପାର ବଣିଜ କଲାଭଳି ପୁଞ୍ଜି ସେମାନଙ୍କ ପାଖରେ ନଥିଲା ।

ନନ୍ଦଗୁପ୍ତ ତାଙ୍କ ବୃଦ୍ଧାବସ୍ଥାରେ ଦିନେ ହଠାତ୍ ଅସୁସ୍ଥ ହୋଇ ଶଯ୍ୟା ଗ୍ରହଣ କଲେ । ଦିନେ ଦୁଇଦିନ ପରେ ଥରେ ସେ ଉଠି ବସି ତାଙ୍କ ପୁଅକୁ ଡାକିଲେ ଓ କହିଲେ, “ଦେବ! ମୋର ତ ମୃତ୍ୟୁ ସମୟ ଆସିଗଲା । ବର୍ତ୍ତମାନ ମୁଁ ତୋତେ ଗୋଟିଏ ଅପୂର୍ବ ସମ୍ପତ୍ତିର ସନ୍ଧାନ ଦେଇଯିବି । ସେ ସମ୍ପତ୍ତି ବେଶି ଦୂରରେ ନାହିଁ, ଏହି ଘର ଭିତରେ, ସେ ସିନ୍ଦୁକ ଭିତରେହିଁ ଅଛି ।”

ଦେବଗୁପ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲା “କ’ଣ ସେ ସମ୍ପତ୍ତି?”

“ଗୋଟିଏ ମୁକୁଟ । ସେଥିରେ ବହୁ ମୂଲ୍ୟବାନ ରତ୍ନମାନ ଖଚିତ ହୋଇଛି ।”

ଦେବଗୁପ୍ତ ଆହୁରି ବିସ୍ମିତ ହୋଇ ପଚାରିଲା, “ବାପା! ଯଦି ଆମ ଘରେ ଏଭଳି ଅମୂଲ୍ୟ ସମ୍ପତ୍ତି ରହିଛି, ତେବେ ଆମେ କାହିଁକି ଏତେ ଦୁଃଖରେ ଚଳୁଛୁ? ସେ ମୁକୁଟ ବିକ୍ରି କରି ତ ଆମେ କିଛିଗୋଟେ ଉପଯୁକ୍ତ ବେପାରପତ୍ର କରି ପାରିଥାନ୍ତୁ!”

ନନ୍ଦଗୁପ୍ତ ଦୁଃଖମିଶା ହସ ହସି କହିଲେ, “ପୁଅ, ସେ ମୁକୁଟ ବିକ୍ରି କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ତା’ର ଗୋଟିଏ ବିଶେଷ ଗୁଣ ଅଛି । ଯିଏ ତାକୁ ମାନିଲା ଭଳି ସାଜ ପୋଷାକ ପିନ୍ଧି, ମୁଣ୍ଡରେ ତାକୁ ଲଗାଇ ରାଜାଙ୍କ ଆଗରେ ଯାଇ ଠିଆ ହେବ, ରାଜା ତାକୁ ନିଜର ଜାମାତା କରିବେ । ମୁଁ ମୋ ସାରା ଜୀବନ ପରିଶ୍ରମ କରି ମଧ୍ୟ ରାଜକୀୟ ପୋଷାକ କିଣିବା ଭଳି ପଇସା ଯୋଗାଡ କରିପାରିଲି ନାହିଁ । ମୋ ସମୟର ରାଜା ତ ମଲେଣି । ବର୍ତ୍ତମାନ ନୂଆ ରାଜା ଯୁବକ । ତାଙ୍କର କନ୍ୟାଟିଏ ଅଛି । ତୁ ଯଦି ଦିନେ ଉପଯୁକ୍ତ ପୋଷାକ ପିନ୍ଧି, ଏ ମୁକୁଟ ଲଗାଇ ରାଜାଙ୍କ ଆଗରେ ଯାଇ ପହଁଚି ପାରିବୁ, ତେବେ ଯାଇ ତୁ ରାଜ-ଜାମାତା ହେବୁ । ମୋର ଏତିକି ଆଶା ।”

ଦେବଗୁପ୍ତ ଉତ୍ଫୁଲ୍ଲ ହେଲା । ନନ୍ଦଗୁପ୍ତ ଏହାର ଦୁଇ ତିନିଦିନ ପରେ ପ୍ରାଣତ୍ୟାଗ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ