ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଦ୍ଭୁତ ମୁକୁଟ

ରାଜକୀୟ ପୋଷାକ ନିମନ୍ତେ ଯେତିକି ଅର୍ଥ ଲୋଡା, ରାଜାଙ୍କ ପାଖକୁ ଯିବା ସକାଶେ ଘୋଡାଟିଏ କିଣିବା ନିମନ୍ତେ ମଧ୍ୟ ତା’ର ଅଧାଅଧି ଅର୍ଥ ଲୋଡା । ଦେବଗୁପ୍ତ ସ୍ଥିର କଲା, ପ୍ରଥମେ ସେ ମୁକୁଟଟି ବନ୍ଧକ ରଖି ଟଙ୍କା ଆଣି ସେଥିରେ ବେପାର କରିବ । ଯଥେଷ୍ଟ ଲାଭ ହେବା ପରେ ମୁକୁଟ ମୁକୁଳାଇ ଆଣିବ ।

ଏହା ସ୍ଥିର କରି ସେ ପାଖ ସହରରେ ଥିବା ଜଣେ ଜହୁରୀ ପାଖରେ ଯାଇ ପହଁଚିଲା । ଦଶହଜାର ଟଙ୍କାରେ ମୁକୁଟ ବନ୍ଧକ ରଖିଲା । ଏହାପରେ ସେ ଗୋଟିଏ ଜାହାଜରେ ଜବଦ୍ୱୀପ ଯାଇ ସେଠାରେ ବେପାର କରି ଚାରିବର୍ଷ ଭିତରେ କୋଡିଏ ହଜାର ଟଙ୍କା ଉପାର୍ଜନ କଲା । ତା’ପରେ ସେ ଜହୁରୀ ପାଖକୁ ଗଲା ।

ଜହୁରୀ କହିଲା “ଆରେ ଭାଇ, ତମ ମୁକୁଟଟି ତ ସେମିତି ଥୁଆ ହୋଇଛି । କିନ୍ତୁ ସୁଧ ସହ ମୋର ପ୍ରାପ୍ୟ ଚବିଶ ହଜାର ଟଙ୍କା ଦିଅ ଓ ଏହାକୁ ନିଅ ।”

ସେତେବେଳେ ତ ଆଉ ଦେବଗୁପ୍ତ ପାଖରେ ଚବିଶ ହଜାର ଟଙ୍କା ନଥିଲା । ତେଣୁ ସେ ଜହୁରୀକୁ କୋଡିଏ ହଜାରରେ ସନ୍ତୁଷ୍ଟ ରହିବା ପାଇଁ ଯେତେ ଅନୁରୋଧ କଲେ ବି ସେ ଜହୁରୀ ମୋଟେ କିଛି ଶୁଣିଲା ନାହିଁ । ସୁତରାଂ ସେ ସେଠାରୁ ଫେରି ଆସିଲା ।

ସେ ଜାହାଜରେ ଜବଦ୍ୱୀପ ସହ ବେପାର କରିବାରୁ ବିଜୟ ସିଂହ ନାମକ ଜଣେ ସ୍ଥାନୀୟ ବେପାରୀ, ଯିଏକି ଆଗେ ସେଇ ବ୍ୟବସାୟ କରୁଥିଲା, ସେ ବଡ କ୍ଷତିରେ ପଡିଥିଲା ଓ ନୂଆ କରି ରତ୍ନ ବ୍ୟବସାୟ ଆରମ୍ଭ କରିଥିଲା । ବର୍ତ୍ତମାନ ଦେବଗୁପ୍ତ ଖୁବ୍ ଅଳ୍ପଦିନ ଭିତରେ ବେଶି ଲାଭ କରିବା ନିମନ୍ତେ ରତ୍ନ ବ୍ୟବସାୟ ଆରମ୍ଭ କଲା । ସେଥିରେ ବିଜୟ ସିଂହ ଅତି ମାତ୍ରାରେ ରାଗିଗଲା ।

ଏକବର୍ଷ ପରେ ଦେବଗୁପ୍ତ ତିରିଶ ହଜାର ଟଙ୍କାର ମାଲିକ ହେଲା । ସେ ଯାଇ ଜହୁରୀକୁ ଭେଟି ମୁକୁଟ ମୁକୁଳାଇବାକୁ ପ୍ରସ୍ତାବ ଦେବାରୁ ଜହୁରୀ କହିଲା, “ଆରେ ଭାଇ, ମୁଁ ଭାବିଲି ତମେ ଆଉ ସେ ମୁକୁଟ ନେବାରେ ଏତେ ଆଗ୍ରହୀ ନୁହଁ । ତେଣୁ ମୁଁ ଦୁଇଦିନ ତଳେ ତାକୁ ବିଜୟ ସିଂହକୁ ତିରିଶ ହଜାର ଟଙ୍କାରେ ବିକିଦେଲି ।”

ଦେବଗୁପ୍ତ ହତାଶ ହୋଇ ବିଜୟ ସିଂହ ପାଖରେ ପହଁଚି କହିଲା, “ମୁଁ ତିରିଶ ହଜାର ଟଙ୍କା ଦେଉଛି । ମୋତେ ମୋ ମୁକୁଟଟି ଦେଇଦିଅ ।”

ବିଜୟ ସିଂହ ହସି ହସି କହିଲା, “ତମେ ନିଜେ ରତ୍ନ ବେପାର କରୁଛ । ରତ୍ନ ବେପାରରେ ବେପାରୀ ମାତ୍ରେ ଦୁଇଗୁଣ ଲାଭ କରିବାକୁ ଚାହେଁ, ତୁମେ ତ ଏକଥା ନିଶ୍ଚୟ ଜାଣ । ତେଣୁ ଷାଠିଏ ହଜାର ଟଙ୍କା ଦିଅ, ମୁକୁଟ ନିଅ ।”

ଦେବଗୁପ୍ତ କ୍ରୋଧ ଓ ହତାଶାରେ ପୁଣିଥରେ ଫେରିଗଲା । ଅନ୍ୟ ଗୋଟିଏ ସହରକୁ ଯାଇ ବେପାର କରି ସେ ଦୁଇବର୍ଷ ପରେ ଆସି ବିଜୟ ସିଂହକୁ କହିଲା, “ଲକ୍ଷେ ଟଙ୍କା ନିଅ । ଏବେ ତ ମୋତେ ମୋ ମୁକୁଟ ଦିଅ ।”

ବିଜୟ ସିଂହ ହସିଲା ଓ କହିଲା, “ଦେବଗୁପ୍ତ! ତମେ ତ ଜାଣ, ମୁଁ ବି ଜାଣେ, ସେ ମୁକୁଟର ଖାଂଟି ମୂଲ୍ୟ ଏତେ ବେଶି ନୁହେଁ । ତଥାପି ମଧ୍ୟ ତମେ ଲକ୍ଷେ ଟଙ୍କା ଦେବାକୁ ପ୍ରସ୍ତୁତ । କାହିଁକି? ନିଶ୍ଚୟ ସେ ମୁକୁଟର କିଛି ବିଶେଷ ଗୁଣ ଅଛି । ମୋତେ ସେ ରହସ୍ୟ ଖୋଲି କୁହ । ନହେଲେ ମୁଁ ମୁକୁଟ ଦେବି ନାହିଁ ।”

ଦେବଗୁପ୍ତ ପାଗଳ ପ୍ରାୟ ଚିତ୍କାର କରି କହିଲା, “ସେ ରହସ୍ୟ ମୁଁ ଆଦୌ କହିବି ନାହିଁ । ତମେ ମୋର ସବୁ ସମ୍ପତ୍ତି, ଘରଦ୍ୱାର ନିଅ, କିନ୍ତୁ ସେ ମୁକୁଟଟି ଦିଅ ।”

ବିଜୟ ସିଂହ ଆଶ୍ଚର୍ଯ୍ୟ ହେଲା, କିନ୍ତୁ ସେଥିରେ ସେ ସମ୍ମତ ହେଲା । ଦେବଗୁପ୍ତ ତାକୁ ସବୁ ଦେଇ ଦେଲା ।

କିନ୍ତୁ ତା’ପରେ? ପିତା ମଲାବେଳେ ତା’ ଅବସ୍ଥା ଯାହା ଥିଲା, ବର୍ତ୍ତମାନ ତାହାଠୁଁ ଅତ୍ୟଧିକ ଶୋଚନୀୟ ଅବସ୍ଥାରେ ସେ ପଡିଲା । ଏବେ ରାଜକୀୟ ପୋଷାକ ଓ ଘୋଡା ତାକୁ କାହୁଁ ମିଳିବ?

ଶେଷକୁ ମୁଠିଏ ଖାଦ୍ୟ ଖାଇବା ବି ତା’ ପକ୍ଷରେ ଆଉ ସମ୍ଭବ ହେଲା ନାହିଁ । ଏଣୁ ସେ ବିଜୟ ସିଂହଙ୍କ ନିକଟକୁ ଯାଇ ତାଙ୍କୁ ଭେଟି କହିଲା, “ବାବୁ, ଏଥର ମୁଁ ତମକୁ ସେ ମୁକୁଟ ରହସ୍ୟ କହି ଦେଉଛି । ତମେ ତାକୁ ମୁଣ୍ଡରେ ଲଗାଇ, ଉପଯୁକ୍ତ ପୋଷାକ ପିନ୍ଧି ରାଜାଙ୍କ ଆଗରେ ଯାଇ ଠିଆ ହେଲେ ରାଜା ନିଶ୍ଚୟ ତମକୁ ତାଙ୍କର ଜାମାତା କରିବେ । ମୁଁ ତମକୁ ଏ ରହସ୍ୟ କହିବାର ମୂଲ୍ୟ ହିସାବରେ ମୋତେ ତୁମେ ଏବେ କିଛି ଅର୍ଥ ଦିଅ ।”

ବିଜୟ ସିଂହ କହିଲା “ତମକୁ ମୁଁ ସାହାଯ୍ୟ କଲେ ତମେ ପୁଣି ବେପାରରେ ମୋର ପ୍ରତିଦ୍ୱନ୍ଦୀ ହେବ । ଏଠୁ ତୁରନ୍ତ ଯାଅ । ନହେଲେ ମୋ ଚାକର ଆସି ତମକୁ ଏଠାରୁ ବାହାରକରିଦେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ