ଦେବଗୁପ୍ତ ଯାଇ କଳିଙ୍ଗର ରାଜଧାନୀରେ ପହଁଚିଲା । ସେଠି ଜଣେ ଚିହ୍ନା ବେପାରୀ ତା’ର ଏଭଳି ଅବସ୍ଥା ଦେଖି ତା’ପ୍ରତି ଦୟା କଲେ ଓ ତାକୁ କିଛି ପୁଞ୍ଜି ଦେଇ ସାହାଯ୍ୟ କଲେ । ଦୁଇ ବର୍ଷ ଭିତରେ ଦେବଗୁପ୍ତ ପୂର୍ବାପେକ୍ଷା ବହୁତ ଲାଭ କଲା ଓ ସହରରେ ପ୍ରତିଷ୍ଠା ଲାଭ କଲା ।
ହଠାତ୍ ଦିନେ ଜଣେ ଭିଖାରୀ ତାକୁ ସାକ୍ଷାତ୍ କରି ଖଣ୍ଡିଆ ମଇଳା କନା ଭିତରୁ ବାହାର କରି ମୁକୁଟଟିଏ ଦେଖାଇଲା ।
ଦେବଗୁପ୍ତ ଚମକି ପଡିଲା । କାରଣ ତାହା ସେହି ଅଦ୍ଭୁତ ମୁକୁଟ । ସେ ପଚାରିଲା “ତମେ ଏହାକୁ କେଉଁଠାରୁ ପାଇଲ?”
ଭିଖାରୀ କୋହ ରୋକି କହିଲା, “ମୋତେ ଚିହ୍ନିପାରୁ ନାହଁ?” ଦେବଗୁପ୍ତ ଲକ୍ଷ୍ୟ କରି ତାକୁ ଚିହ୍ନିଲା । ସେ ବିଜୟ ସିଂହ । ହଠାତ୍ ଗୋଟାଏ ପରେ ଗୋଟାଏ ଦୁର୍ବିପାକରେ ସେ ତା’ର ସର୍ବସ୍ୱ ହରାଇଥିଲା ।
ବିଜୟ ସିଂହ କାକୁତି ମିନତି କରି କହିଲା “ବାବୁ! ତମେ ଏଥର ତମ ମୁକୁଟ ନିଅ । ମୋତେ ଯାହା ଖୁସି ଟଙ୍କା ଦେଇ ସାହାଯ୍ୟ କର ।”
“ବିଜୟ ସିଂହ! ମୁଁ ଅବଶ୍ୟ ତମକୁ ଚାକର ଦେଇ ବାହାର କରିଦେବି ନାହିଁ । କିନ୍ତୁ ମୁକୁଟ ମୋର ଲୋଡା ନାହିଁ । ତମେ ଏଠାରୁ ଯାଅ ।” ଏହା କହି ଦେବଗୁପ୍ତ ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଲା ।
ବେତାଳ ଟିକିଏ ଚୁପ୍ ରହି ତା’ପରେ ନିଜ କଣ୍ଠସ୍ୱର ତୀବ୍ର କରି ପ୍ରଶ୍ନ କଲା, “ରାଜା! ଦେବଗୁପ୍ତର ଏଭଳି ମତିଭ୍ରମ କାହିଁକି ହେଲା? ବର୍ତ୍ତମାନ ସେ ରାଜକୀୟ ପୋଷାକ, ଘୋଡା, ସବୁ କିଣିବା ଭଳି ଅବସ୍ଥାରେ ଥିଲା । ଅଳ୍ପ ଟଙ୍କାରେ ମୁକୁଟ ବି ପାଇ ଯାଇଥାନ୍ତା । ଯେଉଁ ଆଶା ନେଇ ସେ ଏତେ କଷ୍ଟ କଲା, ଯାତନା ସହିଲା, ସେ ଆଶା ପୂରଣ ହେବାଭଳି ପରିସ୍ଥିତି ସୃଷ୍ଟି ହେବା ବେଳକୁ ସେ କାହିଁକି ସୁଯୋଗକୁ ଦୂରେଇ ଦେଲା? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ, ଆଉ ଉତ୍ତର ଦେବାର ଶକ୍ତିଥିବା ସତ୍ତ୍ୱେ ମଧ୍ୟ ତମେ ଯଦି ନିରୁତ୍ତର ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି କହିଲେ, “ଦେବଗୁପ୍ତ ବୁଝିପାରିଥିଲା ଯେ ସେ ମୁକୁଟ ଏକ ଅଭିଶପ୍ତ ସମ୍ପଦ । ତାକୁ ରଖି ତା’ ବାପା ଜୀବନ ସାରା ଦାରିଦ୍ର୍ୟ ଭିତରେ ରହିଲେ । ସେ ନିଜେ ବି ମଧ୍ୟେ ମଧ୍ୟେ ବେପାରରେ ଯେତେ ଆୟ କଲେ ବି ପରେ ପରେ ଯେଉଁଭଳି ସେ ଧକ୍କା ପାଉଥାଏ, ତାହା କେବଳ ସେହି ମୁକୁଟ ସହ ଥିବା ଅଭିଶାପ ଯୋଗୁଁ । ତେବେ ଆହୁରି ଗୋଟିଏ ଗୁପ୍ତ ରହସ୍ୟ ହେଲା, ଖାଲି ସେ ମୁକୁଟ ଯିଏ ରଖିବ, ସେ ଯେ ଦୁଃଖ ପାଇବ, ସେକଥା ନୁହେଁ । ଜହୁରୀ କିଛି ଦୁଃଖ ପାଇ ନଥିଲା । ଯିଏ ସେ ମୁକୁଟର ଗୁଣ ଜାଣି ତାକୁ ରଖିବ, ସେହିଁ କଷ୍ଟ ଓ ଯନ୍ତ୍ରଣାର ଶିକାର ହେବ । ବିଜୟ ସିଂହ ଯେ ପର୍ଯ୍ୟନ୍ତ ସେହି ମୁକୁଟର ଗୁଣ ଜାଣି ନଥିଲା, ସେ ପର୍ଯ୍ୟନ୍ତ ତା’ର କିଛି ହେଲେବି କ୍ଷତି ହେଉ ନଥିଲା, କିନ୍ତୁ ସେକଥା ଜାଣିବା ପରେ ସେ ଭିଖାରୀ ହୋଇଗଲା । ଅସଲ କଥା ହେଲା, ଦେବଗୁପ୍ତ ବିଜୟ ସିଂହ ଉପରେ ପ୍ରତିଶୋଧ ନେବା ନିମନ୍ତେହିଁ ତାକୁ ଦିନେ ମୁକୁଟର ଗୁଣକଥା କହିଦେଇ ଆସିଥିଲା । ବିଜୟ ସିଂହ ଯେ ଦେବଗୁପ୍ତକୁ ମୁକୁଟ ଫେରାଇବାକୁ ଆସିଥିଲା, ତାହା ମଧ୍ୟ ସେହି ଏକା କାରଣରୁ । ବିଜୟ ସିଂହ ତାହା ଅଭିଶପ୍ତ ଚିଜ ବୋଲି ଜାଣି ସାରିଥିଲା । କିନ୍ତୁ ଦେବଗୁପ୍ତ ଆଉ ସେଥିରେ ଧରା ଦେଲାନାହିଁ ।”
ରାଜା ବିକ୍ରମଙ୍କ ଉତ୍ତରଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।