ଏହା ଶୁଣି ଦ୍ୱିବେଦୀଏ କହିଲେ, “ନାହିଁ ବାପା! ମୋ ଅଙ୍ଗିତା ଯୋଡାଏ ପଇସା ବି ନୁହେଁ । ବାପା ତାଙ୍କ ମଝିଆଁ ଝିଅ ତାରାନାନୀ ମଙ୍ଗଳକୃତ୍ୟକୁ ସାହୁ ପାଖରୁ ଶହେ ଟଙ୍କା ଖଣ୍ଡେ ତାଳପତ୍ରଗୁଜା ଲେଖିଦେଇ ଆଣିଥିଲେ । ତହିଁଆର ବରଷ ପଚାଶଟି ଟଙ୍କା ଘେନି ସାହୁ ପାଖକୁ ଗଲେ । ମନରେ କରିଥିଲେ, କଳନ୍ତର ଛଡାଇ ନେଇ ମୂଳକୁ ବାକୀ ପଏଠ କରିଦେବେ । ମାତ୍ର ସେ ମହାଜନ ଟଙ୍କା ଦେଖି ଜିଭ କାମୁଡି ପକେଇ କହିଲା, ‘ଏ – ଏ କଣ ଗଦେଇ କକେଇ? ଶୁଣିଲି, ତୁମେ ପରା ଧାନ ବିକି ଏ ଟଙ୍କା ରଖିଛ! ଋାମ – ରାମ –ରାମ! ଏଟା କି କଥା? କୁଟୁମ୍ବଦାରିଆ ଘର, ଧାନ ହେଉଛି ଜୀବନ, ଧାନ ହେଉଛି ଲକ୍ଷ୍ମୀ, ତାକୁ କଣ କେହି କେବେ ବିକନ୍ତି? କେତେ ବା ଧାନ ପାଇଛ – ଉଠାଅ, ଉଠାଅ; ଏ ଟଙ୍କା ଉଠାଅ । ତୁମେ ତ ମୋ କୁଳ-ପୁରୋହିତ, ସହଜରେ ପୁଣି ଧର୍ମର କକେଇ, ଟଙ୍କାଟା ତୁମ ପାଖରେ ଥିଲେ ଯାହା, ମୋ ପାଖରେ ଥିଲେ ବି ତାହା । ଯାଅ ଯାଅ, ଏହି ଟଙ୍କାରେ ଧାନ କିଣି ପକାଅ । ନାହିଁ ନାହିଁ, ଗାଁରେ ଦଶ ଯଜମାନ ଘରେ ବାହାନହଣା ପଡିଗଲା ତ ଏକା ଦିନରେ ଟଙ୍କା ପୈଠ ।’ ବାପା ତ ଥିଲେ ଭାରି ମରହଟିଆ ସାଦାସିଧା ଲୋକ, ତେଣୁ ସାହୁର ଏଭଳି ମିଠା କଥାରେ ସେ ଏକାବେଳକେ ତରଳିଗଲେ । ବାପା କିଆଁ, ତୁମେ ସେଠାକୁ ଯାଅନା, ଶୁଣିବ, କେଡେ ମିଠା କଥା କେତେ ନିର୍ମାୟା କଥା – ଯେପରିକି ମନରେ କରିବ, ଏହାପରି ସରଳ, ପରୋପକାରୀ, ଧାର୍ମିକ ଲୋକ ଜଗତରେ ଆଉ କେହି ବି ନାହିଁ । ଏଇ ଯେ ତୁମ ଆଗରେ ବସିଛନ୍ତି ରାମ ମହାପାତ୍ରେ, ସଦାଶିବ ମିଶ୍ରେ, ବିଶ୍ୱନାଥ ଶତପଥୀଏ, ଭୀମ ପାଢୀଏ, ଏ ସମସ୍ତଙ୍କର ମଧ୍ୟ ଠିକ୍ ଏହିପରି ହାଲ୍ । ଝିଅ ପୁଅ ବିଭାକୁ ଟଙ୍କା ଆଣିଥିଲେ, ସମସ୍ତଙ୍କର ତିରିଶ ତିରିଶ ମାଣ ଶାସନ ଭାଗ ଜମି । ଆମ ଜମି ସହିତ ଏକା ତାରିଖରେ କଟକ ଜଜ୍କୋର୍ଟରେ ନିଲାମ୍ ହୋଇଯାଇଛି, ଏବେ ଗୋରୁ ଖୋଜରେ ଖୋଜେ ବି ଜମି କାହାରି ନାହିଁ । ଆହୁରି ବି ଛଅଜଣ ମହାଜନଠାରୁ କରଜା ଖାଇଥିଲେ, ମୂଳକଳନ୍ତରରେ ବୁଡି ରହିଲେଣି । ସେମାନଙ୍କର ବି ଆଉ ବର୍ଷେ ଛ’ ମାସ ବାଦେ ଜମିବାଡି ସବୁ ଗଲା ପରି । ତୁଚ୍ଛା ଏହି ଶାସନରେ? ଏ ଅଂଚଳର ଦଶଖଣ୍ଡ ଗାଁରେ ସେ ସାହୁ ମହାଜନ ଯାହାର ଭଲ ଜମି ଖଣ୍ଡେ ଦେଖିଲା ତ ଶୁଙ୍ଘି ଶୁଙ୍ଘି ବୁଲୁଥିବ । କାହାରି ଦରକାର ପଡିଲେ ରାତି ଅଧରେ ବି ସେ ଟଙ୍କା ଗଣିଦେବ । ଥରେ ଯଦି ଟଙ୍କା ତା ଘରୁ ଉଠାଇଲ ତ, ତିନି ପୁରୁଷରେ କଣ ତାହା ଶୁଝୁଛି? କଳନ୍ତର, କଳନ୍ତରର କଳନ୍ତର, ତହିଁର କଳନ୍ତର ଲଟ ଲାଗି ରହିଛି । କରଣଗୁଡାକ ବି ଠିକ୍ ସେହିପରି ତାକୁ ମିଳି ଯାଇଛନ୍ତି । କିଏ ପାଂଚଟଙ୍କା ପୈଠ କଲା ତ ପାଞ୍ଜିରେ ବସିଲା ଦେଢ ଟଙ୍କା । ହଁ, କଣ କହୁଥିଲି, ବାପା ତ ତା’କଥାରେ ଭୁଲି ଟଙ୍କା ବାହୁଡାଇ ଆଣି ପୁଣି ଧାନ କିଣି ଥୋଇଲେ । ତହିଁଆର ବରଷ କତିରୁ ପାଣି ହେଲା ଛିନ୍ଛୋଟ, ତେଣୁ ଧାନ ଭଲ ଫଳିଲା ନାହିଁ । ସେହି ସମୟରେ ପୁଣି ତୁମ ସରମାଉସୀର ବିଭା ସମୟ ଉପସ୍ଥିତ । ନଅ ବର୍ଷ ପୂରିଯାଉଛି, ‘ଦଶବର୍ଷ ତୁ କନ୍ୟକା’ । ବିଭା ନ ଦେଲେ କନ୍ୟାଦାନର ଫଳ ମିଳେ ନାହିଁ । ବାପା ପୁଣି ଯାଇ ସେ ସାହୁ ଦୁଆରେ ହାଜର । ସାହୁ ତ ଘାଲେଇ ପଡି ବେଳ ଉଣ୍ଡୁଥିଲା, ଦାଉ ପଡିଗଲା । ସାହୁ କଅଁଳେଇ କଅଁଳେଇ ମୁରୁକି ମୁରୁକି ହସି କହିଲା, “ହେଉ ହେଉ, କକେଇ, ଘେନିଯାଅ – ଏ ଘର ଟଙ୍କା ସେ ଘରକୁ ଯିବ । କଥା କଣ? ଆହେ ଛାମୁଁକରଣେ, ଅଇଲ, କକେଇ କିଛି ଟଙ୍କା ଧାର ନେବେ । ଆଗ ଟଙ୍କାଟାର ମୂଳ କଳନ୍ତର ହିସାବ କଲ ।’ ଛାମୁକରଣ ବିଦେଇ ମହାନ୍ତିଏ ହିସାବ କରି କହିଲେ, “ଆଗ ଟଙ୍କା ମୂଳକଳନ୍ତର ମିଶି ହେଲା ଅଢେଇଶ, ହାଲକୁ ଶହେ ନେଲେ ହେବ ସାଢେ ତିନିଶ ଟଙ୍କା ।’ ଏତେ ଟଙ୍କା ଶୁଣି ବାପା ହଠାତ୍ ଚମକି ପଡିଲେ । ହେଲେ ସାହୁ ବାପାଙ୍କ ମନକଥା ବୁଝିପାରି କହିଲା, ‘ହେଉ-ହେଉ କକେଇ, ସେଥିଲାଗି ଚିନ୍ତା କ’ଣ? ଦେବା ନେବା ବେଳ ତ ଆଗକୁ ଅଛି । ଆପଣ ତ ମୋ କୁଳପୁରୋହିତ, ଦେବାବେଳେ ଦି’ଶ ଶହେ ଛାଡ ନେଇଗଲେ ମୋର କଣ ସରିଯିବ?’ ବିଭାଲଗ୍ନ ଆଉ ମାତ୍ର ଆଠଦିନ, ଟଙ୍କା ନ ହେଲେ ନଚଳେ । ବାପା ସାହୁ କଥାରେ ହଁ ଭରିଲେ; କହିଲେ, ‘ହେଉ, ତେବେ ଗୁଜା ଲେଖାଯାଉ ।’ ସାହୁ ଦଣ୍ଡେଯାଏଁ ଗୁମ୍ ମାରି ବସି କହିଲା, ‘ବୁଝିଲେ କକେଇ, ଏଇଟା ହେଲା କଳିକାଳ । ଏ ଗୁମାସ୍ତା କରଣଗୁଡାଙ୍କୁ ପରତେ ନାହିଁ । ଗୁଜା କେତେବେଳେ କ’ଣ କରି ପକାଇବେ, ମୋତେ ପଛନ୍ତେ ଆପଣ ଦୋଷ ଦେଉଥିବେ । ଟଙ୍କାଟା ଗୋଟାଏ ଟିପ କରି ରେଜିଷ୍ଟରୀ କରି ପକାଇଲେ ଖୁବ୍ ଭଲ ହେବ । ତାହେଲେ ଯାଇ କାହାରି ଆଉ ଉଁ କି ଚୁଁ କରିବାର କୌଣସି ବାଟ ନଥିବ । ଏଥିରେ କେତେ ବା ଖରଚ? ଖରଚଟା କଣ ଆପଣ ଉଛୁଣିକା ଘରୁ ଆଣି ଦେଉଛନ୍ତି?’ ଟିପ, ଲେଖାପଢା, ରେଜିଷ୍ଟରୀ ହୋଇଗଲା । ଯାହା ହେବାର ତ ଥିଲା ହେଲା, ଟଙ୍କା ଦିଅ । ଗଣି ଦେବାରୁ କଣ ନା ଟ୮୭ । ଏହା ଦେଖି ବାପା ପଚାରିଲେ, ‘କିହେ ଟଙ୍କା ଊଣା କିଆଁ?’ ତହୁଁ ସେ ଗୁମାସ୍ତା ବୁଝାଇଦେଲା ସିନ୍ଦୁକପୂଜା ଶତକଡା ଯୋଡାଏ ଟଙ୍କା । ଗୁମାସ୍ତା ଖର୍ଚ୍ଚ ଦୁଇ ଟଙ୍କା, ଲକ୍ଷ୍ମୀନାରାୟଣ ବାଳଭୋଗ ଦୁଇ ଟଙ୍କା; ରେଜିଷ୍ଟରୀ ଖର୍ଚ୍ଚ, ଗୁମାସ୍ତା କଟକ ଖୋରାକି ସବୁ ସବୁ ରକମ ମିଶାଇ ସାଢେ ଛ’ ଟଙ୍କା । ଗାଏ ସବୁ ପଦକୁ ବାରଟଙ୍କା ଆଠଅଣା । ସାହୁ କହିଲେ, ପୁରୋହିତ ଆପଣ ତ ଜଣେ ପଣ୍ଡିତ, ଏତିକି କଣ ବୁଝିପାରୁନାହାଁନ୍ତି । ଆପଣ ତ ରୋଜିନା କେତେ କାରବାର ଦେଖୁଛନ୍ତି, ଆପଣଙ୍କ ପାଖରୁ କଣ ଟଙ୍କାଏ ମଷାଏ ହୁଡିକରି ନେଲେ ସାଆନ୍ତଙ୍କ ଗନ୍ତାଘର ପୂରିଯିବ? ତମସୁକ ରେଜେଷ୍ଟରୀ ପାଖରୁ ଚାରିବର୍ଷ କାଳ ସେଥିରେ କିଛି ମଧ୍ୟ ନାମ ଚର୍ଚ୍ଚା ନାହିଁ । ବାପା ତା ଦୁଆରକୁ ଗଲେ ଭକ୍ତି କଣ ଦେଖିବ! ‘କକେଇ! ଆପଣ ଅଇଲେ, ଓଳଗି – ଓଳଗି, ଆରେ ପିଢା ଦେ ରେ, ଆରେ ପାଦଧୁଆ ଜଳ ଦେ ରେ’ ବୋଲି ଡାକ ପଡିଯିବ । ଗଲା ତେରିସ୍ତା ବାପାଙ୍କର ଯେମିତି ବିୟୋଗ ହୋଇଯାଇଛି ମହାଜନକୁ ତ ପଡିଗଲା ପୋ’ବାର! ମୂଳ କଳନ୍ତର ଭିଡି ଦେଇ ବାରଶ କେତେ ଟଙ୍କା କେତେ ଅଣାରେ କଟକ ଅଦାଲତରେ ନାଲିସ ଦାଏର ସେ କରିଦେଲା । ମୁଁ ଯାଇ ସେ ମହାଜନ ପାଖରେ ପଡିଲି । ତହୁଁ ସେ କହିଲା, “ଆରେ ଭାଇ ଦିବୁ, ଗୁମାସ୍ତାମାନେ ମୋ ଅଜାଣତରେ ନାଲିସ କରି ଦେଇଛନ୍ତି । ଯା ଯା, ତୁ ହାକିମ ପାଖରେ ଟଙ୍କାଟା ମାନିଆ, ପଛନ୍ତେ ଯାହାକିଛି ବୁଝାସୁଝା ହେବ ।” ଏକଥା ଶୁଣି ମୋ ମନଟା ତ ଖାଲି ଛିକଉଥାଏ । କଟକ ଯିବାକୁ ମନ ବଳୁ ନ ଥିଲା, ତଥାପି ବି ଡରରେ ଯାଇ ମୁଁ ତା ଓକିଲ କହିବା ପ୍ରମାଣେ ହାକିମ ପାଖରେ ଜବାବ ଦେଇ ଆସିଲି । ଏଇଟା ହେଲା ଗଲା ବରଷ କଥା । ତା’ପରେ ମୁଁ ଆଉ କିଛି ବି ଜାଣେ ନାହିଁ । କେତେବେଳେ ଡିଗ୍ରୀ ହେଲା, କେତେ ଟଙ୍କା ଡିଗ୍ରୀ ହେଲା, ଆଉ କଣ ହେଲା, ମୋତେ ସେସବୁ କିଛି ବି ଜଣା ନାହିଁ । ଶୁଣିଲି, ଗଲା ମକର ମାସ ସାତ ଦିନରେ ମୋର ଚାରି-ପାଂଚ ହଜାର ଟଙ୍କାର ସମ୍ପତ୍ତି ସାତ ଶହ ଟଙ୍କାରେ ନିଲାମ ହୋଇଗଲା । ପୁଣି ମହାଜନ ଆପେ ସେସବୁର ନିଲାମ ଧରିଛି । ତା ଗୁମାସ୍ତା କହେ, ମୋ ଉପରେ ଆଉ ଛ’ ଶହ ଟଙ୍କା ପାଉଣା, ଆମର ଶାସନ ପାଣିଗ୍ରାହୀ ଭାଗ ପଚାଶ ମାଣ ବି ତା ମଧ୍ୟରେ; ଏହି ଯେ ଦକ୍ଷିଣ ଦିଗରେ କିଆବଣଟା ଦେଖୁଛ, ସେହିଟା ଏକଚକିଆ ପନ୍ଦରମାଣ ମାଳ ଜମି – ଭାରି କଳିନ୍ଦ । ମୁଁ ବୁଝୁଛି, ଏ ଜମିଟା ଉପରେ ତାର ଦଶପନ୍ଦର ବରଷ ହେଲା ନଜର ପଡିଲାଣି । ଯେବେ ଏ ଗାଁକୁ ମୁଁ ଆସେ, ସେ ଜମିଟା ପାଖକୁ ଯାଇ ତା’ଚାରିପାଖ ବୁଲି ବୁଲି ଦେଖେ – “କେତେ ଧାନ ଫଳେ, କି ଧାନ ଦିଅ” – ଦଶଥର କରି ପଚାରିବ । ମୋ ମନ ହେଲେ ଛିକଉଥାଏ । ବିଚାର କରେ କହ, ଭଲାରେ ଭଲା କହ, ଏ ଜମିଟା କଥା ତୁହାଇ ତୁହାଇ ପଚାରୁଛ କିଆଁ? ଆଉ ପାଂଚଜଣ ମହାଜନଙ୍କର ବି ଠିକ୍ ଆମ ମାମଲା ପରି ଡିଗ୍ରୀ କରି ଜମିବାଡି ସବୁକୁ ସେ ସାହୁ ନିଲାମ ନେଇଛି ।
ସବୁ ଶୁଣି ଲକ୍ଷ୍ମଣ ମିଶ୍ରେ କହିଲେ, “ମୁଁ ଦେଖୁଛି, ଏଇଟା ସାଇଲକ୍ ।” ଭାଗବତ ପତିଏ କହିଲେ, “ନା ନା, ସେଇଟା ଏ ସାଇ ଲୋକ ନୁହେଁ, ତା ଘର ତ ମକ୍ରାମପୁର – ଯାହାକି ଏ ଗାଁଠାରୁ ପ୍ରାୟ ଦେଢକୋଶ ଦୂର ନଈକୂଳରେ ।” ଲକ୍ଷ୍ମଣ ମିଶ୍ରେ କହିଲେ, “ନାହିଁ ନାହିଁ, ମୁଁ ସେକଥା କହୁ ନାହିଁ, ବିଲାତରେ ଗୋଟାଏ ଏହି ରକମ କଳନ୍ତରଖିଆ ଲୋକ ଥିଲା; ତା ନାମ ସାଇଲକ୍ ।” ତିରେଇ ତିହାଡୀଏ କହିଲେ, “ସେ ଯାହାବିହେଉ, ଏବେ ଉପାୟ କଣ?” ଲକ୍ଷ୍ମଣ ମିଶ୍ରେ ମହାଜନମାନଙ୍କୁ ଅନାଇ ହାତଯୋଡି ଭୂଇଁରେ ମୁଣ୍ଡ ଲଗାଇ କହିଲେ, “ଗୋସାଇଁ ମହାପ୍ରଭୁମାନେ! ମୁଁ ତ ପିଲାଟା; ମୋ ଅପରାଧ ଘେନିବେ ନାହିଁ, ହେଲେ ଗୋଟାଏ କଥା କହିବି, ଏଥିରେ ସାହୁର କିଛି ବି ଦୋଷ ନାହିଁ; ଆପଣମାନଙ୍କର ମୂର୍ଖପଣ ।” ଆପଣମାନଙ୍କ ପାପରୁ ଆପଣମାନେ ସବୁ ସାରି ଦରିଦ୍ର ହୋଇ ବସୁଛନ୍ତି ।” ଏହା ଶୁଣି ବୁଢା ଅନନ୍ତ ପାଢୀଏ ଟିକିଏ ଉଷ୍ଣ ଭାବରେ କହିଲେ, “ହୋଇ ହେ ଲକ୍ଷ୍ମଣ! ଆମ୍ଭମାନଙ୍କର ପାପ ପୁଣି କଅଣ? ମୂର୍ଖପଣ ଏମିତି କଅଣ ଦେଖିଲ କି?”