ଲକ୍ଷ୍ମଣ ମିଶ୍ରେ ପୁଣି ଦଣ୍ଡବତଟାଏ କରି କହିଲେ, “ଅଜାସାଆନ୍ତେ! ମୋ ଉପରେ ଖପା ହେଲେ ପରା! ଦେଖନ୍ତୁ, କେଉଁ ମହାତ୍ମା ଶାସନ ବସାଇ ଏତେ ନିଷ୍କର ଜମି ଖଞ୍ଜିଦେଇ କହିଥିଲେ, “ଆପଣମାନେ ଶାସ୍ତ୍ର ଅଧ୍ୟୟନ – ଅଧ୍ୟାପନା କରିବେ, ଦାତାକୁ ତ୍ରିକାଳ ସଂନ୍ଧ୍ୟାରେ ଆଶୀର୍ବାଦ କରିବେ । ତାହା କରୁଛନ୍ତି କି? ଏହା ବୋଲନ୍ତୁ ଭଲା! ଏଡେ ବଡ ଶାସନଟାରେ ଗୋଟାଏ ବୋଲି ଚୌପାଢି ନାହିଁ । ତୁଚ୍ଛା ନାସ ଶୁଙ୍ଘି, ଭାଙ୍ଗ ପିଇ ଚୌପଟ ଖେଳି ଦିନ କାଟିବେ । ଦାତାଙ୍କୁ ତ୍ରିକାଳ ସଂନ୍ଧ୍ୟାରେ ଆଶୀର୍ବାଦ ଥାଉ, ପବିତ୍ର ବ୍ରାହ୍ମଣ କୁଳରେ ଜାତ ହୋଇ କେତେ ଜଣ ତ୍ରିକାଳ ସଂନ୍ଧ୍ୟାରେ ଗାୟତ୍ରୀ ଜପ ସଂନ୍ଧ୍ୟାବନ୍ଦନାଦି ନିତ୍ୟକର୍ମ କରନ୍ତି? ଏଇଟା କଣ ପାପ ନୁହେଁ? ତାଛଡା ବି ଆଉ ଗୋଟାଏ କଥା, କୁଆଡୁ ଶୁଝିବେ ଭାବନା ନାହିଁ ଧାଇଁଯାଇ ମହାଜନ ଦୁଆରେ ଗୁଜା ଲେଖି ବସିବେ, ପୁଅଝିଅ ବିଭାଘରକୁ ଆପଣା ବଡପଣ ଦେଖାଇବା ଲାଗି ଅକାରଣ ଟଙ୍କାଗୁଡାଏ ସାରିବେ । ଆପଣା ଅବସ୍ଥାକୁ ଚାହିଁ ଯେ ନ ଚଳେ ସେ ମୂର୍ଖ ନୁହେଁ ତ ଆଉ କଣ? ଏହି ଦେଖନ୍ତୁ, ଅତି ପବିତ୍ର ଶାସନଭାଗ ଭୂମିରେ ବାର ଜାତି ତେର ଗୋଲା ଅଧିକାରୀ ହୋଇ ବସିଲେଣି । ଏହା କଣ ଆପଣମାନଙ୍କର ପାପ ଆଉ ମୂର୍ଖତାର ଫଳ ନୁହେଁ କି? ଆପଣମାନେ ତ ଦୁଃଖଦୁର୍ଦ୍ଦଶାକୁ ଲୋଡି ଆଣିଛନ୍ତି, ଏଥିପାଇଁ ଲଗା ହେବ କିଏ?”
ମାଧ ପାଣିଏ କହିଲେ, “ଲକ୍ଷ୍ମଣ ଯାହା କହିଲେ ତାହା ହିଁ ସତ, ଅର୍ଥାତ୍ ଷୋଳପଣି ସତ । ହଉ ଏଣିକି ଯାହା ବି କରାଯିବ ବୁଝିସୁଝି କରାଯିବ, ହେଲେ ବର୍ତ୍ତମାନ ଏ ସଙ୍କଟରୁ ଉଦ୍ଧାର ପାଇବାର ବାଟ କ’ଣ?”
ଲକ୍ଷ୍ମଣ ମିଶ୍ରେ – ଆପଣମାନେ କ’ଣ ଉପାୟ ସ୍ଥିର କରିଛନ୍ତି?
ଆନନ୍ଦ ମିଶ୍ରେ – ଆମ୍ଭେମାନେ କିଏ, ଆଉ ଏ ମାଲିମାମଲା କିଏ? କର୍ମକର୍ମାଣି କଥା ବୋଲ, ଦଶ ଜଣ ବାହାରି ପଡିବୁଁ ।
ଲକ୍ଷ୍ମଣ ମିଶ୍ରେ – ମାମୁ! ଜମି ନିଲାମ ବାଦେ ସାହୁ ପାଖକୁ ପରା ଯାଇଥିଲେ, ସେ କଣ କହିଲା?
ଦିବାକର ଦ୍ୱିବେଦୀ – ହଁ ଯାଇଥିଲି । ଦଶଥର ବି ଗଲିଣି, ହେଲେ ସାହୁଙ୍କ ଭେଟ ମିଳେ ନାହିଁ । ବାଧିକା ପଡିଛି, କଥା ବୋଲି ପାରିବ ନାହିଁ ଏଭଳି ବାହାନା କରି ସେ ଶୋଇପଡେ – ନୋହିଲେ ବାଡି ପଛ ବାଟେ ଆଉ ଗାଁକୁ ସେ ବାହାରିଯାଏ । ମୋ କନ୍ଦାକଟା ଦେଖି ସାହୁଆଣୀ କମଳା ଆଉ ତାଙ୍କ ପୁଅ ବିଦ୍ୟାଧର ଦୁହେଁଯାକ କାନ୍ଦିପକାନ୍ତି । ମୋତେ ବହୁତ ବହୁତ ଆଶ୍ୱାସନା ଦେଇ ସେ କହିଛନ୍ତି, ମୋ ଜମି ମୋତେ ଦେଇଦେବେ । କେଜାଣି ଏ କପାଳରେ କଣ ଅଛି? ମା ପୁଅ ଦୁହେଁଯାକ ଏକା ଯେପରି ଦୟାଳୁ ଠିକ୍ ସେହିପରି ଧାର୍ମିକ ମଧ୍ୟ, ସେମାନେ କାହାରି ବି ଦୁଃଖ ଦେଖି ପାରିବେ ନାହିଁ । କୁବେର ସାହୁଟା ଯେପରି ନିଷ୍ଠୁର, ଠିକ୍ ସେହିପରି କୃପଣ ମଧ୍ୟ – ହାତରୁ ତା’ର ପାଣି ସୁଦ୍ଧା ବି ଗଳିବ ନାହିଁ । ହେଲେ ଏ ମା’ ପୁଅଙ୍କ ଆଗରେ କେହି କେବେବି ଉପାସ ରହିବେ ନାହିଁ । ସାହୁଟା କରଜା ଟଙ୍କା ଲାଗି କାହାରି ଘରଦ୍ୱାର ନିଲାମ କରି ନେଲେ ଏମାନେ ଲୁଚାଇ ତାକୁ ଟଙ୍କା ଧାନ ଦେଇ ତା’ କୁଟୁମ୍ବ ପୋଷନ୍ତି ।
ସବୁ କଥା ଶୁଣି ସେ ଲକ୍ଷ୍ମଣ ମିଶ୍ରେ – ଗୋଟାଏ ଆଶା ଅଛି ସତ, ହେଲେ ସେଥିକି ନିର୍ଭର କରି ରହ ନାହିଁ । ଆପଣାର ବି ଗୋଟାଏ ବାଟ କାଟି ଚାଲିବା ଉଚିତ୍ । ଉଛୁଣିକା ତାକୁ କେହି ଜମି ଦଖଲ ଦିଅ ନାହିଁ । ମାମୁ! ତୁମେ କହୁଛ, ପାଂଚ ହଜାର ଟଙ୍କାର ମାଲ ସାତଶ ଟଙ୍କାରେ ସେ ନିଲାମ କରିନେଇଛି । ଏହି କଥାକୁ ଓଜର କରି ସାନି ନିଲାମ ପାଇଁ ହାକିମଙ୍କ ପାଖରେ ଦରଖାସ୍ତ କର । କିଛି ଖରଚପତ୍ର କଲେ ଢେର୍ ଦିନଯାଏଁ ମାମଲା ତାରିଖ ଗଡିଯିବ । ଏଣେ ତୁମେ ମା, ପୁଅ ଦୁହିଁଙ୍କୁ ଧରି ପଡିଥାଅ । ଆଜିକା କଥା କାଲିକି ଅନ୍ତର, ଏଥି ମଧ୍ୟରେ ଆଉ ଗୋଟିଏ କିଛି ବାଟ ଫିଟିଯାଇପାରେ ।
ମିଶ୍ରଙ୍କ କଥା ଶୁଣି ସମସ୍ତ ମହାଜନ ଭାରି ଆନନ୍ଦରେ ଏକାବେଳକେ ପାଟିକରି କହିଲେ, ‘ଦୀର୍ଘଜୀବୀ ହୁଅ, ରାଜରାଜେଶ୍ୱରୋ ଭବ! ନୋହିଲେ କଣ ଆଞ୍ଜୁଳାକୁ ଆଞ୍ଜୁଳା ଟଙ୍କା ଗଣି ହାକିମ ଘର ପାଠ ପଢିଛ? ଦେଖ ତ, ଆମେ ଏତେଗୁଡାଏ ଲୋକ ଅନ୍ଧାରରେ ଅଣ୍ଡାଳି ହେଉଥିଲେ, ତଥାପି କିଛି ବାଟ ଦିଶୁ ନ ଥିଲା, ପିଲାଟି କେମିତିକା ଗୋଟାଏ ବାଟ କାଢିପକାଇଲା?
ବୁଢା ଦନେଇ ମହାପାତ୍ର ଟାଣରେ ଦୁଇ ଟିପା ନାସ ଶୁଙ୍ଘିଦେଇ ଖନେଇ ଖନେଇ କହିଲେ, ବୁଝିବାଁ ହେଁଲେଁ ମହାଁଜନଁ ଗୋସେଇଁମାନେଁ,
ଅଧମଁ ବିତଁ ବଢେଁ ବହୁତଁ ।
ଯିଁବାବେଳେଁ ଯାଏ ମୂଳଁ ସହିତଁ ।
ସମସ୍ତେ ତ ଜାଣୁଛ, ତାହାର ସବୁ ଧନଗୁଡାକ ତଂଟିଚିପା ମଣିଷ ରକ୍ତ । ମାହାଳିଆଟାରେ ଲକ୍ଷାବଧି ଟଙ୍କାର ମାଲିକ ହୋଇ ସେ ବସିଲା । ଯିମିତି ଭୀମା ଟଙ୍କାରେ ମାଲିକ ହୋଇଛି, ସେହିଦିନୁ ତ ତା’ର ବଢିଯାଇଛି, ଆଉ କଣ । ଏହି ସେ କୁବ୍ରାଘର ଦେଖୁଛ, ସେଇଟା ତା ନିଜ ଘର ନୁହେଁ । ଭୀମାସାହୁ ବୋଲି ଜଣକର ଘର । ଭୀମାଟା ବି ଥିଲା କୁବ୍ରାକୁ ବଳି ତଂଟିଚିପା, ମକ୍ଷି ବୋଲି ସରିଛି । ପୁଅ ଝିଅ ଘରେ ତା’ର କିଛି ବି ନ ଥିଲା, ଗୋଟାଏ ପୋଷାପୁଅ ସେ କରିଥିଲା ଯେ ସେଟା ମଦ ଖାଇ ଗଞ୍ଜେଇ ଖାଇ ମଲା । କୁବ୍ରା ତା ଜାତି ପୁଅ, ମାତ୍ର ଲଗ୍ନିକ କେହି ନୁହେଁ, ତା’ଘରେ ସେ କୁବ୍ରା କାରବାରିଆ ଥିଲା । ଭୀମାକୁ ଖୁବ୍ ପଟେଇ ରଖିଥାଏ ସେ । ଭୀମା ଯେମିତି ଆଖି ବୁଜିଛି, କୁବ୍ରା ଚାକର ବାକର ସମସ୍ତଙ୍କୁ ହାତକରି ଓକିଲ ମୁକ୍ତାର ଧରି ପୋଷ୍ୟପୁତ୍ର ବୋଲି ସରକାରରୁ ବାହାଲ ହୋଇ ଆସିଲା । ପାପୀଟାର ଧନ ପାଣି ପରି ବଢିଯାଉଛି, ଏବେ ଜାଣ ଠିକ୍ କରି ସେ ଛିଡିପଡିବ । ଦେଶଯାକ ସମସ୍ତଙ୍କୁ ସେ ସନ୍ତେଇ ମାରିଲାଣି, ତାଲାଗି ହଜାର ହଜାର ଲୋକଙ୍କର ଆତ୍ମା କାନ୍ଦୁଛି, ଯାହାର ସେ କିଛି କରି ନାହିଁ, ସେ ବି ତାକୁ ଗାଳି ଦେଉଛି । ଏହି ମୋ କଥା ବୁଝନା – ପୁଅ ବିଭାକୁ ପଚାଶ ଟଙ୍କା କରଜ ଆଣିଥିଲି, ପନ୍ଦର ବରଷରେ ତୁଚ୍ଛା କଳନ୍ତର ଅଢେଇଶହ ଟଙ୍କା ଶୁଝିଛି, ପାଂଚଥର ଟିପ ବଦଳାବଦଳି କରି ଶେଷରେ ନାଲିସରେ ପାଂଚଶ ଟଙ୍କା ଡିଗ୍ରୀ କରି ମୋର ତିରିଶ ତିରିଶ ମାଣ ଜମି ସେ ନିଲାମ କରିନେଲା । ସେତିକି ଥିଲା କୁଟୁମ୍ବଙ୍କ ଭରସା । ତାଙ୍କ ମୁହଁରେ ପାଣି ଟୋପାଏ ଦେବାକୁ ଆଉ ମୋର ଭରସା ନାହିଁ – ଦିନରାତି ଆତ୍ମାପୁରୁଷ କାଉଳି ହେଉଛି – ଆଖିରୁ ପାଣି ମୋଟେ ଶୁଖୁ ନାହିଁ । ଏହି ପଂଚ ପରମେଶ୍ୱର ଶୁଣନ୍ତୁ, ମୁଁ ମୋ ପଇତା ଛୁଇଁ କହୁଛି, ଆଝୁଁ ତିନିପକ୍ଷ, ତିନିମାସ, ତିନିବରଷ ମଧ୍ୟରେ ତାହାର ସର୍ବନାଶ ହେବ । ଏହା ଯଦି ନ ହୁଏ, ତେବେ ମୁଁ ଅବ୍ରାହ୍ମଣ; ଏ ବ୍ରହ୍ମଗଣ୍ଠି ଛିଣ୍ଡାଇ ପକାଇବି । ସେ ତ ଢେର୍ ଦିନ ଆଗରୁ ଯାଇଥାନ୍ତା, କେବଳ ଏ ମା’ ପୁଅଙ୍କ ଧର୍ମରୁ ହିଁ ସେ ବର୍ତି ରହିଛି ।”
ଲକ୍ଷ୍ମଣ ମିଶ୍ରେ – ମାମୁ! ସାହୁଆଣୀ ଆଉ ବିଦ୍ୟାଧର ପାଖକୁ ଯିବାଆସିବା କରୁଛନ୍ତି ତ? ସେମାନଙ୍କୁ ଧରି ପଡିଥାନ୍ତୁ ।
ମାମୁ – ହଁ ବାପା, ମୋର ଆଉ ଉପାୟ ବା କଣ? ଦିନେ ଦି’ଦିନ ବାଦେ ମୁଁ ସେମାନଙ୍କ ପାଖକୁ ଯାଏଁ । ମୋର ତ ଗୋରୁ ବାଛୁରୀ ଘର, ତଳ ଜମି ସୁଦ୍ଧା ନିଲାମି ହୋଇଯାଇଛି, ତେଣୁ ଆଉ ଉପାୟ କିଛି ବି ନାହିଁ । ସାହୁଆଣୀ ମୋ ଦୁଃଖ ଶୁଣି କାନ୍ଦିପକାଏ । ସେହି ତ କୋଡିଏ ନଉତି ଧାନ ଆଉ ପାଂଚଟା ଟଙ୍କା ଦେବାରୁ ଆଜିଯାଏଁ ମୁଁ ଚଳୁଛି । କାଲି ରାତିରେ ବି ବିଦ୍ୟାଧର ପାଖକୁ ଯାଇଥିଲି । ସେ ତ ମୋତେ ଟାଣ ଜବାବ ଦେଇ କହିଲା, “ନନା! କାନ୍ଦନା, ଯେପରି ହେଉ, ତୁମ ଜମି ତୁମକୁ ଦେବି । ମୁଁ ବାହାଘରରୁ ବାହୁଡି ଆସିବାଯାଏଁ ସତାର କର । ତୁମେ ତ ଆମ କୁଳପୁରୋହିତ, ସଙ୍ଗରେ ତ ଅବଶ୍ୟ ଯିବ । ଶୁଣିଛି, ମୋ ଶ୍ୱଶୁରର ଦଶ ଲକ୍ଷ ଟଙ୍କାର ବିଷୟ, ସେ ତୁମକୁ ଅବଶ୍ୟ ଭଲରୂପେ ମେଲାଣି କରିବେ ।”
କୁବେର ସାହୁ କହେ, ‘ମୋର କରଜା କଳନ୍ତରକୁ ଲୋଡେ କିଏ? ମୋର ଗଡଜାତ ଥାଉ ।’ ଗଡଜାତ ସୋନପୁରଠାରୁ ଦଶପଲ୍ଲାଯାଏଁ ତାହାର ଦଶ ପନ୍ଦରଟା ଗୋଦାମ୍ । ତା’ର ପ୍ରତି ଗୋଦାମରେ ଜଣେ କରଣ, ଜଣେ ଜଣେ କାରବାରିଆ, ତାର ନିଜର କୋଡିଏ ସରିକି ବାର ଗୋଡିଆ, ପନ୍ଦର ଗୋଡିଆ କୁଶଳୀ; ଚକ୍ଚକି ନାଆ ଅଛି । ବର୍ଷାଦିନେ ସେଥିରେ ସରକ ନେ-ଆଣ କରେ । ନାଆ ଛାଡି ଖରାଦିନରେ ସରକ ନେ ଆଣ କରିବା ସକାଶେ ପାଂଚ ପାଂଚ ବୋଡିଆ ଯୋଡାଏ ଥୋଡି ବଳଦ ଖାଉଡ ବି ଅଛି ।