ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଧର୍ମ ବିତ୍ତ

ଆଜି ପୁଷ ୧୫ ଦିନ; ବରଯାତ୍ରା ପାଇଁ ଠିକ୍ ହୋଇଛି । ତେଣୁ ସେ ନଈକୂଳରେ ଅଧକୋଶଯାଏଁ ନାଆ କାଠୁଆ ଧାଡିକି ଧାଡି ଖଟା । ନାଉରିଆମାନେ ଆହୁଲା, କାତ, ନା-ଟଣା ଦଉଡି, ହରିଣୀଖୋଳା କାଠ, ହତା ଯନ୍ତ୍ର ଧରି ହାଜର । କୋଡିଏ ଖଣ୍ଡ ସରିକି ଗାଁରୁ ପିଲାପିଲି ଧରି ମାଇକିନିଆ ମରଦ ନଈ ଦୁଇ କୂଳରେ କାତାର ଦେଇ ଛିଡା ହୋଇଛନ୍ତି । କିଛି ଦୂର ନଈବାଲିରେ ଢୋ ଢୋ କରି ଗଛବାଣ ଫୁଟିଲା । ସଙ୍ଗେ ସଙ୍ଗେ ଶଙ୍ଖ-ହୁଳହୁଳି ଉଚ୍ଛୁଳି ପଡିଲା । ସମସ୍ତେ ତ ସେ ବିଦ୍ୟାଧରକୁ ସୁଖ ପାଆନ୍ତି; ତେଣୁ ମନ ମଧ୍ୟରେ ସମସ୍ତେ ତାହାର ଖୁବ୍ ମଙ୍ଗଳକାମନା କଲେ । ବରଯାତ୍ରା ଆଗରୁ ଘର ଅଗଣା ଭିତରେ ପିଣ୍ଡି ଉପରେ ନାନ୍ଦିମୁଖୀ ଶ୍ରାଦ୍ଧ ବଢିଲା । ବିଦ୍ୟାଧର ବେଦୀରୁ ଉଠି ମା ପାଖରୁ ମେଲାଣି ଘେନିବାକୁ ଯାଇ ତାଙ୍କ ଗୋଡତଳେ ପଡିଲା; ମା’ ପାଦରୁ ଧୂଳି ନେଇ ସେ ତାଙ୍କ ମୁଣ୍ଡରେ ଲଗାଇଲେ । ମା’ ତୁଳସୀମୂଳରୁ ମାଟି ନେଇ ବିଦ୍ୟାଧର ମୁଣ୍ଡରେ ଚିତା କରିଦେଲେ । ସେତିକିବେଳେ ବିଦ୍ୟାଧର ତା ମା’ ମୁହଁକୁ ଅନାଇ ଦେଖିଲା, ମୁହଁଟି ସିଠୁଆ କଳା ପଡିଯାଇଛି । ଆଖି ଡୋଳା ଯୋଡାକ ଭିତରକୁ ପଶିଯାଇଛି । ବିଦ୍ୟାଧର ଚମକି ପଡି କହିଲା, “ଏ କଣ ମା, ତୁ ଇମିତିକା ଦିଶୁଛୁ କିଆଁ? ତୋତେ କଣ ଜର ହେଲାଣି କି? ମୁଁ ଶୁଣିଛି, ଚାରିଦିନ ହେଲା ତୁ ଖୁଁ ଖୁଁ ହୋଇ କାଶୁଛୁ । ନା ନା, ତୋତେ ଛାଡିଯିବାକୁ ମୋର ମନ ମୋଟେ ବଳୁ ନାହିଁ ।”

ମା – ଏ କଣରେ ବାପ! ଏ କି କଥା! ଏତେବେଳେ କଣ ଏପରି କଥା କହନ୍ତି! ବାଟରେ ତୋତେ ଗ୍ରାମଦେବତା ରକ୍ଷା କରିବେ, ଜଗନ୍ନାଥ ମହାପ୍ରଭୁ କଲ୍ୟାଣ କରିବେ । ମୋର ତ କିଛି ବି ହୋଇନାହିଁ । ଏଇ କେତେଦିନ ଭାରି ଭିଡ ପାଇଟିରେ ଲାଗିଥିଲି, ତେଣୁ ମୋର ଖିଆପିଆ ଠିକ୍ ନ ଥିଲା । ଗ୍ରାମଦେବତୀଙ୍କୁ ଦଣ୍ଡବତ କରି ଦହିମାଛ କରି ଯା ।

“ମଙ୍ଗଳଂ ଭଗବାନ୍ ବିଷ୍ଣୁଃ” –

                ମନ୍ତ୍ର ପଢି ପୁରୋହିତ ବର ଅନୁକୂଳ କରାଇଦେଲେ ।

                ହରିହରପୁରରେ ପହଁଚିବାକୁ ହାତଗଣତା ଠିକ୍ ପଚିଶ ଦିନ ଲାଗିଲା । ସଙ୍ଗରେ ଦଫେ ଗୋଟିପୋ ଗାଆଣିଆ ଥିଲେ । ଭଲ ଜାଗା ପାଇଲେ ଦିନେ ଦିନେ ସଞ୍ଜବେଳେ ନାଟଗାଉଣା ହୁଏ । ନଦୀକୂଳପାଖିଆ କୋଶକ ବାଟରୁ ଲୋକେ ଧାଇଁଆସି ଗାଉଣା ଶୁଣନ୍ତି ।

                ଯୁଧିଷ୍ଠିର ସାହୁଙ୍କ ଘର କୋଶକ ଦୂରରୁ ସଞ୍ଜବେଳୁ ରୋଶନାଇ ଲାଗିଲା । କଟକୀ ଭୂଇଁଚମ୍ପା, ଚନ୍ଦ୍ରଉଦିଆ, ଗଛବାଣ ତ ସଙ୍ଗରେ ଯାଇଥିଲା । ଯୁଧିଷ୍ଠିର ସାହୁ ବି ଢେର୍ ବାଜା, ବାଣ ଠିକ୍ କରିଥିଲେ । ଦଶକୋଶ ବାଟରୁ ଲୋକେ ଚୁଡା, ଚାଉଳ ବାନ୍ଧି ରୋଶନାଇ ଦେଖିବାକୁ ଆସିଥିଲେ । ବାହୁଡିବାବେଳେ ବୋଲାବୋଲି ହୋଇ ଗଲେ, ଗୋଟାଏ ରଜାପୁଅ ବାହାଘରରେ ବି ଏତେ ଆଟୋପ ହେବ ନାହିଁ ।

                ବିଭା ବଢିଲା, ଅଷ୍ଟମଙ୍ଗଳା ବି ହୋଇଗଲା । ଏବେ ବର-କନ୍ୟା ବିଦାକଥା । ହଁ ଆଜି, ହଁ କାଲି, ହଁ ଆସନ୍ତା ଶୁକ୍ରବାର, ରବିବାର, ଏହିପରି କରୁଁ କରୁଁ ମାସେ କାଳ ବିତିଗଲାଣି । ଶେଷରେ ଦିନେ ଯୁଧିଷ୍ଠିର ସାହୁ କୁବେର ସାହୁଙ୍କୁ କହିଲେ, “ସମୁଧିଏ! ନଈରେ ନାହିଁ ଜଳ – ଢେର୍ ଜାଗା ହରିଣୀ ଖୋଳିବାକୁ ହେବ, ତେଣୁ ଢେର୍ ବିଳମ୍ବ ହେବ । ଏଣେ ଖରା ପଡି ଆସିଲାଣି । ତୁମ ଆମ କଥା ଯାହା ହେଉ, ପିଲା ଯୋଡାକ ଯାଉଛନ୍ତି; ପୋଇଲୀ ପରିବାରୀ ବି ଦଶଜଣ ସଙ୍ଗରେ ଥିବେ; ସେମାନଙ୍କର ବଡ କଷ୍ଟ ହେବ । ତେଣୁ ମୁଁ କହୁଛି, ଗହଣଲୋକଙ୍କୁ ବିଦା କରି ଦିଅନ୍ତୁ, ପିଲାଟି ଆଉ ଆପଣ ଦୁଇଜଣ ରହନ୍ତୁ । ପହିଲୁ ଆଷାଢ, ଯିମିତି ନଈରେ ପିତାପାଣି ପଡିବ, ନାଆ ମେଲି ଦେବେ, ଆପଣ କ’ଣ ଏବେ କୋଉ ପରଲୋକ ଯେ ମୁଁ ଜଗିଜାଗି କଥା କହିବି? ଏହି ଦେଖନ୍ତୁ, ଚଂଚଳ ସବୁ ଆୟୋଜନ କରିବାକୁ ପଡିଲା, ପିଲାମାନଙ୍କୁ ତ ଦି’ଖଣ୍ଡ ଗହଣାଗାଣ୍ଠି ଦେବାକୁ ହେବ । ଦେଖୁଛନ୍ତି ତ ପୁଞ୍ଜାଏ ବଣିଆ ଦିନରାତି ପାଇଟିରେ ଲାଗିଛନ୍ତି । ଏ ତ ଆଉ ଚଂଚଳର କାମ ନୁହେଁ – ଟିକିଏ ମଠ ନ ହେଲେ ସବୁ କିଛି କଦାପି ଠିକ୍ ହୋଇପାରିବ ନାହିଁ । ଆଉ ଆଉ ପାଂଚ ଚିଜ ତ ପୁଣି ଦେବାକୁ ହେବ । ଆଠଖଣ୍ଡ ନାଆ ଗହଣରେ ଦେବି, ତିଆରି ସରି ନାହିଁ । ନଈକୂଳକୁ ଯାଇ ଦେଖନ୍ତୁ, ଅଧାଅଧି ବି ହୋଇ ନାହିଁ ।” ଏଣେ ଏ କୁବେର ସାହୁ ମନ ମଧ୍ୟରେ ଭାଳିଲା, “ଏହି ତ ଷୋଳଗୋଡିଆ ସାତଖଣ୍ଡ ନାଆ ତିଆରି ଲାଗିଛି, ଗହଣାଗାଣ୍ଠି ବି ତିଆରି ଲାଗିଛି, ପିଲାଟା ଘରକୁ ଚଂଚଳ ଯାଇ କ’ଣ କରିବ? ପଇସାର ଫନ୍ଦିଫିକରରେ ମନ ନାହିଁ, ମା’ ପୁଏ ଯୋଡାକଯାକ ୟାଙ୍କୁ ଦିଅ, ତାଙ୍କୁ ଦିଅ, ଘରୁ ଚିଜବସ୍ତୁ ବାଂଟରେ ଲାଗିଥିବେ । ଉଛୁଣିକା ଏତିକି ଲାଭ, ବୁଢା ଆଖି ବୁଜିଲେ ସବୁ ମୋର । ନା ନା, ବୁଢାର ମନ ଭାଙ୍ଗିବା ଆଦୌ ଭଲ ନୁହେଁ ।” ଘର ପାଖରେ ସେ କୁବେର ସାହୁ ମୁହଁରୁ ତ କେବେ କେହି ଠାକୁର ନାମ ଶୁଣି ନାହିଁ, ସବୁବେଳେ ଖାଲି କଳନ୍ତର ଲାଭ ହିସାବ । ହରିହରପୁରକୁ ଆସିବା ଦିନୁ ସବୁବେଳେ ମୁହଁରେ ‘ଜଗନ୍ନାଥେ – ଜଗନ୍ନାଥେ – ନୀଳାଚଳନାଥ’ ଲାଗି ରହିଛି । କୁବେର ସାହୁ ଆଖି ବୁଜି କହିଲା, “ହଉ ହଉ, ସମୁଧିଏ! ଆପଣ ଯାହା ଆଜ୍ଞା କରିବେ, ତାକୁ ପୁଣି କିଏ ଅନାସ୍ଥା କରିବ? ଆପଣ ତ ସବୁ ଜାଗାରେ ମାଲିକ ।” ଗହଣର ସବୁ ଲୋକଙ୍କୁ ବିଦାକରି ଦିଆଗଲା, କେବଳ ବାପେ-ପୁଏ ଆଉ କେତେଟା ଚାକର ରହିଲେ ।

                କୁବେର ସୋନପୁର, ବୌଦ ସବୁ କୋଠିର କରଣ କାରବାରିଆଙ୍କୁ ଲେଖିଦେଲା, “ମଫସଲରେ କିଛି ଟଙ୍କା ପାଉଣା ରଖିବ ନାହିଁ । ସବୁ ନାଆରେ ସରକ ବୋଝାଇ କରି ପହିଲୁ ଆଷାଢରେ ଯିମିତି ନଈରେ ପିତାପାଣି ପଡିବ, ହରିହରପୁର ଘାଟରେ ନାଆ ଧରି ହାଜର ହୋଇଯିବ ।” ଏଣେ ତାଙ୍କ ଘରଠାରେ ସାହୁଆଣୀ ବିଛଣା ଧରିଲେଣି । କବିରାଜ କହିଲା, “ଏଇଟା ରାଜଯକ୍ଷ୍ମା – ଶିବଙ୍କ ଅସାଧ୍ୟ ।” କରଣମାନଙ୍କୁ ଡାକି ସାହୁଆଣୀ ସାବଧାନ କରାଇଦେଲେ, “ଖବରଦାର! ହରିହରପୁରକୁ ମୋ ବେମାରି କଥା ଲେଖିବ ନାହିଁ, ପୁଅ ଶୁଣିଲେ ଘାବରିଯିବ ।”

                ଏଣେ ବିଦ୍ୟାଧର ତା’ଶ୍ୱଶୁର ଘରେ ରାଜଭୋଗରେ ଅଛି । କନ୍ୟାଟି ଯେମନ୍ତ ସୁନ୍ଦରୀ, ଗୁଣବତୀ, ସେହିପରି ପତିବ୍ରତା । ତେବେ ବି ଆଠଦିନକୁ ଆଠଦିନ ଘରପାଖରୁ ମା’ର ସମ୍ବାଦ ନ ପାଇଲେ ଅତ୍ୟନ୍ତ ଆକୁଳ ହୋଇପଡେ ସେ ବିଦ୍ୟାଧର । ଶେଷ ଚିଠିରୁ ଶୁଣିଲା, ମା’ଙ୍କ ବେମାରି ଭଲ ହୋଇଗଲାଣି, ଏବେ ସେ ନିଶ୍ଚିନ୍ତ । ତେବେ ମା’ ବୋହୂକୁ ଦେଖୁ, ଏହି କଥା ମନରେ କରି ବେଳେ ବେଳେ ସେ ଚଂଚଳ ହୋଇପଡେ ।

                ସୁଖର ଦିନ ଘୋଡା ଛୁଟିଲା ପରି ଧାଇଁଛି । ଯୁଧିଷ୍ଠିର ସାହୁ ଘରେ ଆନନ୍ଦ ଉତ୍ସବରେ ଚାହୁଁ ଚାହୁଁ ଚାରିମାସ ଚାଲିଗଲା । କନ୍ୟା ବିଦା ପାଇଁ ଯାହା ଯାହା ଲୋଡା, ସେସବୁ ତ ଠିକ୍ଠାକ୍ ହୋଇଗଲାଣି । ଦଶଖଣ୍ଡ ନୂଆ ତିଆରି ନାଆ ତୁଠରେ ଧାଡି କରି ଖଟା ହୋଇଛି । ସବୁ ନାଆ ଚିତ୍ରବିଚିତ୍ର ମଣ୍ଡନ, ତା’ର ଦୁଇ ମଙ୍ଗରେ ଫରଫର ହୋଇ ପତାକା ଉଡୁଛି । ଏଗୁଡିକ ଯୌତୁକ ନାଆ । ସେଥିମଧ୍ୟରେ ଯୋଡାଏ ନାଆ ସୁନ୍ଦର ମଣ୍ଡନୀ । ଖଣ୍ଡକରେ ଝିଅ, ଆଉ ଖଣ୍ଡକରେ ଜୁଆଁଇ ବସି ଯିବେ । ଆଷାଢ ମାସ ଯେମିତି ପଶିଛି, ସେ ନାଆସବୁ ବୋଝେଇ ଲାଗିଲା । ବାସନ, ପେଡି ଆଡଖୁର, ଲୁଗାପେଡି, ଶିଳ, ଶିଳପୁଆ, ଛାଂଚୁଣୀମୁଠାଯାଏଁ ଘରକରଣା ଜିନିଷ, ଦୁଇବରଷ ଚଳିବା ମାଫିକ୍ ଦାନ୍ତକାଠି ଖଣ୍ଡକ ସୁଦ୍ଧା ଛ’ଖଣ୍ଡ ନାଆରେ ବୋଝେଇ ହେଉଛି । ଯୁଧିଷ୍ଠିର ସାହୁର ତାଗିଦ୍ – ଖବରଦାର ବୁଝିସୁଝି ଦିଅ । ଝିଅ ଦୁଇବରଷ ଯାଏଁ ଯେମିତି ତା’ ଶ୍ୱଶୁରଘରେ ପାଣି ମନ୍ଦାକ ଛାଡି ଆଉ କିଛି ବି ଛୁଇଁବ ନାହିଁ । ଲୋକେ ପରା କୁହନ୍ତି, ଯୌତୁକ ଜିନିଷର ଦାମ୍ ପଚାଶ ହଜାର ଟଙ୍କାରୁ ଊଣା ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ