ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଧର୍ମ ବିତ୍ତ

                ଯୁବକ ବଡ କଷ୍ଟରେ ସେ ଯୁବତୀଟିକୁ ନାଆ ମଙ୍ଗ ଉପରକୁ ଟେକି ନେଇ ନାଉରିମାନଙ୍କୁ ଉଠାଇଲା । ନାଆ ଚାଳ ଟେକି ଦେଇ ଯୁବକ ଅତି କଷ୍ଟରେ ଉକ୍ତ ଯୁବତୀଟିକୁ ନାଆ ଭିତରେ ଶୁଆଇଲା । ସେ ଯୁବକ ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବିଦ୍ୟାଧର । ବିଦ୍ୟାଧର ଦେଖିଲା, ସେ ଯୁବତୀର ଚେତା ଆଦୌ ନାହିଁ, ମୁଣ୍ଡ ଲମ୍ବ ବାଳରୁ ଝରଝର କରି ପାଣି ବହିପଡୁଛି, ଦେହ ଗୋଟାକ ଯାକ ତା’ର କାଦୁଅ ଲଟପଟ, ଯେମିତିକି ଲୁଗା ଚୁପୁଡି ଦେଲେ ପାଣି ବୋହି ପଡିବ । ଭଲ କରି ଚିହ୍ନିଲାଣି ସତ, ତେବେ ବି ସେ ବିଦ୍ୟାଧରକୁ ଟିକେ ଡର ମାଡୁଛି । ପାଖରେ ପୁଣି ତା’ର କେହିବି ନାହିଁ, ଏବେ ଏ ଯୁବତୀଟି କିପରି ତା’ ଲୁଗା ପାଲଟିବ? ଏହିପରି ଭାବୁ ଭାବୁ ବିଦ୍ୟାଧରର ହଠାତ୍ ସେ ଯୁବତୀର ହାତରେ ନଜର ପଡିଗଲା, ଆଙ୍ଗୁଳିରେ ତା’ର ମୁଦି । ଆପଣା ମୁଦି ବୋଲି ବିଦ୍ୟାଧର ବି ଠିକ୍ ଚିହ୍ନିଲା, ତା’ପରେ ଆଉ କିଛି ବି ସନ୍ଦେହ ନାହିଁ । ଲୁଗା କାହିଁ? ଆପେ ତ ଦି’ଛୁଟିଆ – ଆପଣା ପାଛୁଡା ଖଣ୍ଡ ସେ ଯୁବତୀକୁ ପିନ୍ଧାଇ ଦେଇ ଯୁବକଟି ତା’ ଦେହରୁ କାଦୁଅ ପାଣି ସବୁ ପୋଛି ପକାଇଲା ।

                ଶ୍ୟାମସାହୁ ବିଦେଇର ନିଘନ ମଳାଶୁର । ଘର ଜୋରମେ ଇଲାକା ଖାଲପାଳ । ସାହୁ ଜଣେ କାରବାରିଆ ମଧ୍ୟଭଳି ଲୋକ । ବିଭା ସମୟରେ ବିଦ୍ୟାଧର ତ ତାକୁ ଠିକ୍ ଚିହ୍ନିଥିଲା, ଆଉ ତା’ର ଘର ଠିକଣା ବି ଜାଣିଥିଲା । ଏଣେ ଏ ଯୁବତୀର ତ ଚେତା ମୋଟେ ଆସୁ ନାହିଁ । ନାଆରେ ତ ସବୁବେଳେ ଉହ୍ମେଇରେ ନିଆଁ ଥାଏ । ଲୁଗା ପେଣ୍ଡୁଳା କରି ବିଦ୍ୟାଧର ସେ ଯୁବତୀକୁ ଖାଲି ସେକୁଥାଏ । ରାତି ଆଉ ପିଛିଲା ସରିକି ପହରେ ଅଛି, ବିଦ୍ୟାଧର ସେ ନାଉରିମାନଙ୍କୁ ଡାକି କହିଲା, “ତୁମ୍ଭେମାନେ ଯେବେ ଦିନ ପହରକ ଭିତରେ ନାଆ ନେଇ ଖାଲପାଳ ତୁଠରେ ଭିଡାଇ ପାରିବ, ତେବେ ମୁଁ ତୁମମାନଙ୍କୁ ଖଜଣା ପାଂଚ ପାଂଚ ଟଙ୍କା କରି ବକ୍ସିସ୍ ଦେବି ।” ଏକଥା ଶୁଣି ସେ ନାଉରିମାନେ ବିଚାର କଲେ ଖାଲପାଳ ଏଠାରୁ ପ୍ରାୟ ଚାରିକୋଶ ବାଟ – ଏତେବେଳୁ ନାଆ ମେଲିଦେଲେ କସ୍ତାକସ୍ତିରେ ନାଆ ଯାଇ ଠିକ୍ ଯାଗାରେ ପହଁଚିଯିବ । ଆକାଶରେ ତ ଆଉ ମେଘ ନାହିଁ, ଟିକିଏ କାଳିଜହ୍ନିଆ ପଡିଗଲା । ନାଆଟା ଦକ୍ଷିଣ କୂଳ ଧରି ଯାଉଥିଲା । ଖାଲପାଳ ହେଉଛି ଉତ୍ତର କୂଳରେ । ଯିମିତି ରାତି ପାହିଛି, ନାଉରିଏ ନାଆ କ୍ଷେପିଦେଲେ ।

                ଯୁବତୀ ଗୋଟିଏ କୋମଳ ବିଛଣାରେ ପଡିଛି, ତା’ର ତ ଚେତା ନାହିଁ । ନାକରେ ତୁଳା ଦେଇ ଦେଖାଗଲା, ଅଳ୍ପ ଅଳ୍ପ ପବନ ଚାଲିଛି । ସେ ଗ୍ରାମର ପୁରୁଣା ବୈଦ୍ୟ ବଳେଇ ବାହିନୀପତିଏ ଭଲ ରୂପେ ସେ ଯୁବତୀଟିର ନାଡି ଚିପି କହିଲେ, “କେବଳ ଇନ୍ଦ୍ରିୟଦୌର୍ବଲ୍ୟ- ମାତ୍ର ବିପଦର କୌଣସି ଆଶଙ୍କା ନାହିଁ ।” ଲାଗ ଲାଗ ତିନି ପାନ କସ୍ତୁରୀଭୂଷଣରସ, ଅଦାରସ, ମହୁ ଅନୁପାନରେ ଯୁବତୀଟିକୁ ପିଆଇ ଦେଇ ସେ କହିଲେ, “ଏହି ଔଷଧର କ୍ରିୟା ଆରମ୍ଭ ହେଲେ ଯାଇ ଏହାର ଚେତନା ନିଶ୍ଚୟ ଆସିବ ।” ଘଟଣାର ତୃତୀୟ ଦିନ ଉପରଓଳି ସେ ଯୁବତୀ ଟିକିଏ ଆଖି ମେଲି ଚାହିଁଲା । ଚାଳବାଡ ସବୁଆଡକୁ ଆଖି ବୁଲାଇ ସେ ଅନାଇଲା – ଦେଖିଲା ଗୋଟିଏ ପ୍ରୌଢା ସ୍ତ୍ରୀ ତା’ପାଖରେ ବସି ଧୀରେ ଧୀରେ ତା ଦେହରେ ହାତ ବୁଲାଉଛି । ଯୁବତୀର ଚେତା ଆସିଲାଣି । ଅତି କ୍ଷୀଣ ସ୍ୱରରେ ଯୁବତୀଟି ତାକୁ ତଥା ସେ ପ୍ରୌଢା ସ୍ତ୍ରୀକୁ ପଚାରିଲା, ‘ମୁଁ ଏବେ କେଉଁଠି ଅଛି?’ ତହୁଁ ସେ ପ୍ରୌଢା ଅତି ଧିରେ, ଅତି କୋମଳରେ କହିଲା, “ମା ପଦ୍ମାବତୀ! ମୁଁ ପରା ତୋର ମାଉସୀରେ – ମୋତେ କଣ ତୁ ଚିହ୍ନିପାରୁ ନାହୁଁ?” ପଦ୍ମା ଏଥର ଉଠି ବସିଲାଣି । କାନ୍ଥବାଡ ଧରି ସକାଳ ସଞ୍ଜ ଟିକିଏ ଟିକିଏ ସେ ଚାଲବୁଲ ହୁଏ । ବୈଦ୍ୟରାଜ ବ୍ୟବସ୍ଥା, ଟିକିଏ ଟିକିଏ ଦୁଧ ଦିଆଯାଉଛି, ମାତ୍ର ଅନ୍ୟ ପଥ୍ୟ ଦିଆଯାଇ ନାହିଁ ।

ଝିଅ ଜୁଆଁଇ ପହଂଚିବାକ୍ଷଣି ସାହୁ ଚାରିଜଣ ଭେଣ୍ଡିଆ ପାଇକ ହାତରେ ଯୁଧିଷ୍ଠିର ସାହୁ ପାଖକୁ ଭାଷା ଚାଳି ଦେଇଥିଲେ । ଆଜି ଦଶମ ଦିନ ତିରିଶ ବଣୁଆ ଆପଟ ଚାରିଖଣ୍ଡ ପାଲିକି ଧରି ହରିହରପୁରରୁ ଆସି ଉପସ୍ଥିତ । ଯୁଧିଷ୍ଠିର ସାହୁ ଲେଖିଛନ୍ତି, “ବାଟରେ ଆଠଜାଗା ଟପା ଆପଟ ବସିଲା । ତଡେଦମ ଝିଅ-ଜୁଆଁଇଙ୍କୁ ଧରି ମଉସା ମାଉସୀ ଆସିବ । ତାହେଲେ ଯାଇ ଚାରିଦିନ ବାଟ ଦୁଇ ଦିନରେ ଆସିବ । ମୋଟେ ବି ମଠ କରିବ ନାହିଁ ।”

ତା’ପରେ ମହା ଆନନ୍ଦରେ, ଉତ୍ସବରେ ଯୁଧିଷ୍ଠିର ସାହୁ ତାଙ୍କ ଝିଅ-ଜୁଆଁଇଙ୍କୁ ଘରକୁ ନେଲେ । ତେଣୁ କେତେ ଦିନ ପର୍ଯ୍ୟନ୍ତ ମନ୍ଦିରରେ ହରିଲୁଟ, କୀର୍ତନ, ବୈଷ୍ଣବଖନ୍ଦା, ପ୍ରସାଦସେବା ଆଦି ଚାଲିଲା ।

                ଘୋର ଦୁର୍ଯୋଗ, ଘୋର ଦୁର୍ଦ୍ଦିନ ଉତାରେ ତରୁଣାରୁଣ ଆଲୋକ ବଡ ପ୍ରୀତିକର, ବଡ ଆନନ୍ଦଦାୟକ ଜଣାଯାଏ । ବିଦ୍ୟାଧର, ପଦ୍ମାବତୀ ଦୁଇଜଣ ଦିନରାତି ଚକୁଆଚକୋଇ ପରି ଉଆସ ଭିତର ପଦ୍ମାବତୀ ଖଞ୍ଜାରେ ବସି ଆନନ୍ଦ ଉତ୍ସବରେ ଦିନ କାଟୁଥାନ୍ତି । ନାଆ ଭଙ୍ଗାଠାରୁ ବରଷେ କାଳ କିଏ କିପରି ଥିଲା, ସେହି ଦୁଃଖ କାହାଣୀ କେହି ବି କାହାକୁ ପଚାରି ନାହିଁ । ଆଜି କଥା କଥାକେ ସେହି କଥା ପଡିଗଲା । ବିଦ୍ୟାଧର କହିଲା, ‘ନାଆ ଯେମିତି ଭାଙ୍ଗିଗଲା ମୁଁ ଖଣ୍ଡେ ପଟା ଉପରେ ପେଟେଇ ପଡି ଭାସୁଥାଏ । ତମେ କୁଆଡେ ଗଲ, ଅନାଇଲି । ତୁମେ ବି ଖଣ୍ଡେ ପଟା ଉପରେ ପଡି ଭାସୁଥିଲ, ଥରେ କେବଳ ଦେଖିଥିଲି । ପଛନ୍ତେ ଶୁଣିଲି, ତହିଁ ଆରଦିନ ସକାଳେ ନଦୀ ମଧ୍ୟରେ ଭାସି ଭାସି ଯାଉଥିଲି, ଖଣ୍ଡେ ନାଆର ନାଉରିମାନେ ମୋତେ ଦେଖି ସେଠାରୁ ଉଠାଇନେଲେ । ଚାରିଦିନ ବାଦେ ମୋର ଚେତା ଆସିଲା, ଅନାଇ ଦେଖିଲି, ଗୋଟାଏ ବଡ ଘରେ ମୁଁ ଶୋଇଛି । ପଛନ୍ତେ ଶୁଣିଲି, ସେଇଟା ଗୋବିନ୍ଦପୁର ଗାଁର ଗୋପାଳଜୀ ମଠ । କଟକଠାରୁ ଦୁଇକୋଶ ତଳକୁ । ବୁଢା ମହନ୍ତ ଲଳିତା ଦାସ ବାବାଜି ମୋତେ ବଂଚାଇବା ପାଇଁ ଖୁବ୍ ଯତ୍ନ କରୁଥାନ୍ତି । ମାସକ ବାଦେ ଯାଇ ମୁଁ ଚାଲିବୁଲି ପାରିଲି । ତୁମ ବାପା ଯେଉଁ ସୁନା ଗବତାରଟା ମୋତେ ଦେଇଥିଲେ ତାହା ତ ମୋ ଅଂଟାରେ ଥିଲା; ମହନ୍ତଙ୍କୁ ଦେଲି । ବିକି ମୋ ପିଛେ ଖରଚ କରିବାକୁ ମୁଁ କହିଲି । ମହନ୍ତ ନାହିଁ ନାହିଁ କରି ଶେଷରେ ନେଲେ । ମୋର ସେତେବେଳେ ତ ଟିକିଏ ବଳ ଆସିଥାଏ, ତୁମ କଥା, ବାପାଙ୍କ କଥା ମନରେ ପଡିଲେ ପୁଣି ଦଶ ପନ୍ଦର ଦିନ ପଡିଯାଏ । ଏହିପରି ଆଠ ଦଶ ମାସ କାଳ ବିତିଗଲା । କଟକ ଜିଲ୍ଲାରେ ବାପାଙ୍କର ତ ବହୁତ ନାମଡାକ । ଲଳିତା ଦାସେ ବାପାଙ୍କ ନାମ ଶୁଣି ମୋତେ ଆହୁରି ଅଧିକ ଯତ୍ନ କଲେ, ଆମଘରଠାକୁ ଖବର ପଠାଇଲେ । ଲୋକେ ବାହୁଡି ମୋ ମାତାଙ୍କ ବିୟୋଗ କଥା କହିଲେ । ମୁଁ ଆହୁରି ଦି’ ମାସଯାଏଁ ବିଛଣାରେ ପଡି ରହିଲି । ତହିଁ ଉତାରେ ସ୍ଥିର କଲି, ଘରକୁ ଆଉ ଜିବି ନାହିଁ, ସନ୍ନ୍ୟାସୀ ହୋଇ ତୀର୍ଥରେ ବୁଲିବି । ମାତ୍ର ମୋ ଦେହରେ ଟିକେ ବଳ ହେବାରୁ ମୁଁ ଚାଲି ଚାଲି ଘରକୁ ଗଲି । ଘରକୁ ଯାଇ ଯାହା ସବୁ ଦେଖିଲି, ସେଠାରେ ଦଣ୍ଡେ ରହିବାକୁ ମଧ୍ୟ ମୋର ଇଚ୍ଛା ବଳିଲା ନାହିଁ । ପୁରୋହିତ ଦିବାକର ଦ୍ୱିବେଦୀ ଶାସନର ଆଉ ଆଉ ଯେଉଁମାନଙ୍କର ଜମି ବାପା ନିଲାମରେ ଧରି ନେଇଥିଲେ, ସେ ସମସ୍ତଙ୍କୁ ଡକାଇ ମୁଁ ତାଙ୍କ ଜମି ଫେରାଇ ଦେଲି । ରେଜେଷ୍ଟରୀ, ଅରେଜେଷ୍ଟରୀ ଗୁଜା ଯେତେ ଦଲିଲ ଥିଲା, ଆଉ ଧାନ କରଜା ପାଞ୍ଜି ସବୁ ପୋଡି ପକାଇ ଖାତକମାନଙ୍କୁ ଖବର ଦେଲି, ଆଉ ସେମାନଙ୍କୁ ଟଙ୍କା ଦେବାକୁ ହେବ ନାହିଁ । ଧାନ, ଗୋରୁ, ବାସନକୁସନ ଯାହା କିଛି ବି ଥିଲା, ସେସବୁ ଦେଶ ଲୋକଙ୍କୁ ବାଂଟିଦେଇ ଦିନେ ରାତିରେ କାହାକୁ କିଛି ବି ନ କହି ମୁଁ ସେ ଘରୁ ବାହାରି ଆସିଲି । ମନରେ କଲି, ଆଉ ତ କେହି ଗୁରୁଜନ ନାହିଁ, ତେଣୁ ଶ୍ୱଶୁରଙ୍କୁ ଶେଷ ଦର୍ଶନ କରି ତାଙ୍କ ପାଦଧୂଳି ମୁଣ୍ଡରେ ଦେଇ ବାହାରି ଯିବି ।

                କଟକଯାଏଁ ଆସିଲି । ଝାଡ ମୁଲକରେ ବାପାଙ୍କୁ ତ ସମସ୍ତେ ଜାଣନ୍ତି । ମହାନଦୀକୂଳ ଗଡଗଡିଆ ପାଖ ଘାଟରେ ଖଣ୍ଡେ ସୋନପୁରୀ ନାଆରେ ଉଠିବସିଲି । ଆସୁ ଆସୁ ଲଙ୍ଗଳକଂଟାଠାରେ…. ପଦ୍ମାବତୀ ପଣତକାନିରେ ବିଦ୍ୟାଧର ମୁହଁ ବୁଜିଧରି କହିଲା, “ଆଉ କିଛି କହନା ।” ବିଦ୍ୟାଧର ଆତ୍ମକାହାଣୀ ବର୍ଣ୍ଣନା ସମୟରେ ପଦ୍ମା ଆଖିରୁ ଦୁଇଧାର ଲୋତକ ବହୁଥାଏ ।

                ବିଦ୍ୟାଧର କହିଲା, “ଏବେ ତୁମ କଥା କହ ।” ପଦ୍ମା ମୁହଁ ପୋଛି ଆତ୍ମକାହାଣୀ କହିବାକୁ ଲାଗିଲା । “ମୁଁ ଲଙ୍ଗଳକଂଟା ଦନେଇ ଦଳେଇ ଘରେ ଥିଲି । ଦଳେଇ ସେ ଗାଁ ମଧ୍ୟରେ ଥିଲାବାଲା ଲୋକ । ଗ୍ରାମର ସମସ୍ତ ଲୋକ ତାକୁ ଭାରି ମାନନ୍ତି । ତା’ ଘର ଆଗରେ ସେ ଗୋଟିଏ ଠାକୁର ମନ୍ଦିର କରିଛି, ସଦାବର୍ତ ଦିଏ । ଶୁଣିଲି, ମୁଁ ତୁଠରେ ଅଚେତ ହୋଇ ପଡିଥିଲି । ଦଳେଇଘର ମାଇପେ ମୋତେ ଗୋଟାଇ ଘେନି ଯାଇଥିଲେ । ଦଳେଇ ଆଉ ତା ଭାର୍ଯ୍ୟା ମୋତେ ବଡ ଆଦରରେ ରଖିଥିଲେ । ଝିଅଠାରୁ ବଳି ସ୍ନେହ କରନ୍ତି ମତେ ସେମାନେ । ମୋ ପାଇଁ ମନ୍ଦିରରୁ ପ୍ରସାଦ ଆସେ । ମୁଁ କାନ୍ଦିଲେ ଦଳେଇ ଭାର୍ଯ୍ୟା ମୋତେ ସାନ୍ତ୍ୱନା ଦିଏ, ମୋତେ ବାପା ପାଖକୁ ପଠାଇ ଦେବାକୁ କହେ । ଦଳେଇ ଯିମିତି ଧାର୍ମିକ, ତା ପୁଅଟା ବି ଠିକ୍ ସେହିପରି କୁଳାଙ୍ଗାର, ପାଷାଣ୍ଡ । ମଦ, ଆପୁ, ଗଞ୍ଜେଇ କିଛି ବି ନିଶା ତାକୁ ଅଂଟେ ନାହିଁ । ଘରେ ଯୁବତୀବୋହୂ, ତାକୁ ସେ ମୋଟେ ଅନାଏ ନାହିଁ । ଗାଁ ବୋହୂ-ଝିଅ ତା’ଡରରେ ଘରୁ ଯମା ବାହାରନ୍ତି ନାହିଁ । ମୋ ଉପରେ ସେ ଖୁବ୍ ଅତ୍ୟାଚାର କରେ, ନାନା କୁକଥା କହେ । ଦଳେଇ ଭାର୍ଯ୍ୟା ସେଥିଲାଗି ମୋତେ କାନି ଗଣ୍ଠିଲି କରି ରଖିଥାଏ । ମୁଁ ବି ତା ଶରଣ ପଶିଥାଏ । ତଥାପି ଟିକିଏ ବେଳ ପାଇଲେ ମୋତେ ସେ ନାନା କୁକଥା କହେ । ଶେଷରେଆଉ ସହିପାରିଲି ନାହିଁ । ସେଦିନ ରାତିରେ ବୁଡି ମରିବା ପାଇଁ ଆସିଥିଲି । ଦୁଷ୍ଟଟା ବାଟରେ ଧରିଥିଲା, ତୁମେ ରକ୍ଷାକଲ । ସେତେବେଳେ ତ ମୁଁ ଆଉ ତୁମକୁ ଚିହ୍ନି ନ ଥିଲି । ମନରେ କଲି, ପ୍ରଭୁ ସ୍ୱର୍ଗରୁ ଓହ୍ଲାଇ ଆସି ମୋତେ କୋଳ କରିନେଲେ ।”

                ଯୁଧିଷ୍ଠିର ସାହୁ ଆଉ ବିଷୟ ଆଶୟ କିଛି ବି ବୁଝେ ନାହିଁ । ଝିଅ-ଜୁଆଁଇଙ୍କୁ ସବୁ ସମ୍ପିଦେଇ ଦିନରାତି ବସି ହରିନାମ ଜପୁଥାଏ ।

       ଗାଳ୍ପିକ – ଫକୀରମୋହନ ସେନାପତି


ଗପ ସାରଣୀ

ତାଲିକାଭୁକ୍ତ ଗପ