ଜଗବନ୍ଧୁଙ୍କ ଘର ରାମପୁର ଗାଁରେ । ତାଙ୍କର ଗୋଟିଏ ବୋଲି ସନ୍ତାନ । ତା’ର ନାମ ସୁଶୀଳା । ସୁଶୀଳା ଯେତେବେଳେ ଅତ୍ୟନ୍ତ ଛୋଟ ଥିଲା, ଠିକ୍ ସେତେବେଳେ ତା’ ବୋଉଙ୍କ ଦେହାନ୍ତ ହୋଇଗଲା । ଜଗବନ୍ଧୁ ଅତି ଆଦରରେ ସୁଶୀଳାକୁ ବଢାଇଥାନ୍ତି । ସୁଶୀଳା ଯେପରି ସୁନ୍ଦରୀ, ଠିକ୍ ସେହିପରି ବୁଦ୍ଧିମତୀ ମଧ୍ୟ ।
ଜଗବନ୍ଧୁଙ୍କର ଜଣେ ବାଲ୍ୟବନ୍ଧୁ ଥା’ନ୍ତି । ତାଙ୍କ ଘର ସେଠାରୁ ଚାରି କୋଶ ଦୂର କେଶବପୁର ଗାଁରେ । ତାଙ୍କ ନାମ ଦିବାକର । ଦିବାକରଙ୍କ ପୁଅ ପ୍ରଭାକର ବଡ ଭଲ ସ୍ୱଭାବର ଯୁବକ । ପ୍ରଭାକରକୁ ଜୁଆଁଇ ରୂପେ ପାଇବା ପାଇଁ ଜଗବନ୍ଧୁଙ୍କର ଯେପରି ଭାରି ଆଗ୍ରହ ଥାଏ, ଠିକ୍ ସେହିପରି ସୁଶୀଳାକୁ ବୋହୁ ରୂପେ ପାଇବା ନିମନ୍ତେ ଦିବାକରଙ୍କର ବି ପ୍ରବଳ ଆଗ୍ରହ ଥାଏ । ସୁଶୀଳା ପ୍ରଭାକରକୁ ଭଲ ଭାବରେ ଜାଣିଥାଏ । ପ୍ରଭାକର କଥା ପଡିଲେ ସେ ଲାଜ କରୁଥାଏ ନହେଲେ ହସି ଦେଇ ସେଠାରୁ ଚାଲି ଯାଉଥାଏ । ସେଥିରୁ ଜଗବନ୍ଧୁ ଏହା ବୁଝୁଥାନ୍ତି ଯେ ପ୍ରଭାକରକୁ ବିଭା ହେବା ନିମନ୍ତେ ସୁଶୀଳାର କୌଣସି ଆପତ୍ତି ନାହିଁ ।
କିନ୍ତୁ କେତେଦିନ ହେବ ଜଗବନ୍ଧୁଙ୍କ ମନରେ ଆଦୌ ସୁଖ ନଥାଏ । ଯେଉଁ ବ୍ୟବସାୟ ପ୍ରତିଷ୍ଠାନରେ ସେ ଚାକିରୀ କରୁଥାଏ, ସେ ପ୍ରତିଷ୍ଠାନର ମାଲିକ ତାକୁ ଜାହାଜରେ ରେଙ୍ଗୁନ୍ ପଠାଇଥାନ୍ତି । ଜାହାଜ ଠିକ୍ ସମୟରେ ରେଙ୍ଗୁନ୍ରେ ପହଁଚି ନଥାଏ । କୁଆଡେ ଗଲା, ସେ ସମ୍ବାଦ ବି ମିଳୁ ନଥାଏ । ପ୍ରଭାକରର ଖାଉନ୍ଦ ଯେପରି ଉଦ୍ବିଗ୍ନ ହୋଇ ଉଠିଥାନ୍ତି, ପ୍ରଭାକରର ବାପା ଦିବାକର ଓ ଜଗବନ୍ଧୁ ବି ଠିକ୍ ସେହିପରି ଉତ୍କଣ୍ଠା ଅନୁଭବ କରୁଥାନ୍ତି । ଜଗବନ୍ଧୁ ସୁଶୀଳାକୁ କିଛି କହି ନଥାନ୍ତି । କିନ୍ତୁ ବାପା ଯେ କୌଣସି କାରଣରୁ ଚିନ୍ତିତ, ସେକଥା ସୁଶୀଳା ଠିକ୍ ବୁଝି ପାରୁଥାଏ ।
ଦିନେ ଉପର ଓଳି ଜଗବନ୍ଧୁ କହିଲେ, “ଝିଅ ମୁଁ ଟିକିଏ ଦିବାକର ଘର ଆଡେ ଯାଏଁ । କେତେଦିନ ହେଲା ଆମର ଯମାରୁ ଭେଟ ହୋଇନାହିଁ । ଆଜି ରାତିରେ ଲେଉଟି ଆସି ପାରିବି ନାହିଁ । କାଲି ସକାଳେ ପଛେ ଯାଇ ଆସିବି । ମାତ୍ର ତୁ ରାତିରେ ଭଲ କରି କବାଟ ବନ୍ଦ କରି ଶୋଇବୁ ।”
ସୁଶୀଳା କହିଲା “ଠିକ୍ ଅଛି, ବାପା । ତମେ ସେଥିଲାଗି ଆଉ ଚିନ୍ତା କର ନାହିଁ ।”
ଠିକ୍ ସଞ୍ଜ ବେଳକୁ ବର୍ଷା ହେଲା । ସୁଶୀଳା ସହଳ ସହଳ ଖିଆପିଆ ଶେଷ କରି ଶେଯ ପାଖରେ ବତୀ ଆଲୁଅରେ ଖଣ୍ଡିଏ ପୋଥି ପଢୁଥାଏ । ସେତେବେଳକୁ ରାତି ଆସି ଅଧ ହେଲାଣି । ହଠାତ୍ କିଏ ଜଣେ ଆସି ତାଙ୍କ କବାଟ ବାଡେଇଲା । ସୁଶୀଳା ଝରକା ଦେଇ ଅନାଇ ଦେଖିଲା, ସେ ଜଣେ ବୁଢା । ଠିକ୍ ବାଟୋଇ ଭଳି ସେ ଦିଶୁଛି ।
ସେ ବୁଢା କହିଲା “ମା, ମୁଁ ଦୂର ଅଂଚଳର ଲୋକ । ଏଣେ ବର୍ଷା, ତେଣେ ମୋତେ ବହୁତ ବାଟ କଷ୍ଟ ହେଲାଣି । ରାତିକ ଆଶ୍ରା ପାଇବି?”
ଏଭଳି କଥା ଶୁଣି ସୁଶୀଳା ଆଉ ବିଳମ୍ବ ନକରି କବାଟ ତୁରନ୍ତ ଖୋଲିଦେଲା । ବୁଢା ଏଥର ଘର ଭିତରକୁ ଆସି ଚାରିଆଡକୁ ଅନାଇଲା । ସୁଶୀଳା ପଚାରିଲା, “ବାବା! ଆପଣ ସଙ୍କୋଚ ନକରି କୁହନ୍ତୁ । ଖିଆପିଆ କରିଛନ୍ତି ତ?”