ବୁଢା ମୁଣ୍ଡ ହଲାଇ ନାହିଁ କଲା । ସୁଶଳା ତା’ ଘରେ ଯାହା କିଛି ବି ଭାତ ତରକାରୀ ଥିଲା, ସେସବୁ ଆଣି ବୁଢାକୁ ସେ ପରଶି ଦେଲା । ବୁଢା ଏଥର ଖାଇ ବସିଲା ।
ସୁଶୀଳା ବାହାର ଘର ଭିତରେ ବୁଢା ପାଇଁ ଶେଯ ପାରୁଛି, ହଠାତ୍ ତା’ ବେକ ପଛରେ କିଛି ଗୋଟାଏ ଥଣ୍ଡା ଜିନିଷ ଲାଗିବାର ସେ ଅନୁଭବ କଲା । ସେ ବୁଲିପଡି ଦେଖିବା ବେଳକୁ ସେ ବୁଢା ହାତରେ ଖଣ୍ଡିଏ ଛୁରୀ ଚକ୍ ଚକ୍ କରୁଛି!
ବୁଢା କଠୋର କଣ୍ଠରେ କହିଲା “ଶୁଣ ଟୋକୀ! ଏ ଘରେ ଯାହା କିଛି ବି ପଇସାପତ୍ର, ସୁନା ରୁପା ଅଛି, ସେସବୁ ତୁ ମତେ ଦେଇ ପକା । ନହେଲେ ଅକାଳରେ ତୋର ପ୍ରାଣ ଯିବ ।”
ସୁଶୀଳା ଧୀର ଭାବରେ କହିଲା “ତମର କ’ଣ ଧର୍ମଜ୍ଞାନ ବୋଲି ଆଦୌ କିଛି ନାହିଁ । ତମେ ବୁଢା ଲୋକ । ତମକୁ ମୁଁ ବାପା ବୋଲି ସମ୍ବୋଧନ କରିଥିଲି । କିନ୍ତୁ ତାହା ବଦଳରେ ଶେଷରେ ତମେ ମୋତେ ଛୁରୀ ଦେଖାଇ ଆମ ଘର ଲୁଣ୍ଠନ କରିବାକୁ ସ୍ଥିର କଲ? ତମର ଏଭଳି କାମର ପରିଣତି କ’ଣ ହୋଇପାରେ, ସେକଥା ତମେ କେବେ ଚିନ୍ତା କରି ଦେଖିଛ?”
ତା’କଥା ଶୁଣି ସେ ବୁଢା ରୁକ୍ଷ ଭାବରେ କହିଲା “ମୋତେ ପୁଣି ତୁ ଜ୍ଞାନ ଶିଖାଉଛୁ! ଯାହା କହୁଛି, ତାହା କର । ନହେଲେ ପରେ ଅନୁତାପ କରି କିଛି ଲାଭ ହେବ ନାହିଁ ।”
ସୁଶୀଳା ମୁହୂର୍ତ୍ତକ ପାଇଁ କାବା ହୋଇ ରହିଲା । ତା’ପରେ ସେ କହିଲା, “ତମେ ପରା ଏଠି ଆଶ୍ରୟ ପାଇଥିଲ? ତାପରେ ବି ତମେ ଏପରି କୃତଘ୍ନ କିପରି ହେଉଛ?”
ବୁଢା ଧମକ ଦେଲା “ଚୋପ୍! ମୁଁ କ’ଣ ଏଠି ଆଶ୍ରୟ ପାଇଁ ଆସିଥିଲି? ମୁଁ ଯେଉଁ କାମ ପାଇଁ ଆସିଛି, ତାହା କରୁଛି । ଆଣ । ଯାହା ଯେଉଁଠି ଅଛି ସେସବୁ ସଙ୍ଗେସଙ୍ଗେ ବାହାର କରି ଆଣ ।”
ସୁଶୀଳା ଦୃଢ କଣ୍ଠରେ କହିଲା “ଶୁଣ । ମୁଁ ତୁମକୁ ଏଇ ହାତରେ ଖାଦ୍ୟ ପରଶିଛି । ଏଇ ହାତରେ ପୁଣି ଟଙ୍କା ପଇସା ବଢାଇ ଦେବି ନାହିଁ । ତମେ ହେଇଟି ସେ ଘରେ ସିନ୍ଦୁକରେ ଆମର ସାମାନ୍ୟ ଯାହା ଅଛି, ନିଜେ ବାହାର କରି ନେଇ ପାର!”
ବୁଢା ସୁଶୀଳା ଦେଖାଇଥିବା କୋଠରୀ ଭିତରେ ଯେମିତି ପଶିଛି, ସୁଶୀଳା ସେମିତି ସେ କୋଠରୀର ଦ୍ୱାର ବନ୍ଦ କରି ଦେଲା । ବୁଢା କବାଟରେ ଧକ୍କା ଦେଲାରୁ ସୁଶୀଳା କହିଲା, “ଚୁପ୍ କରି ରୁହ । ନହେଲେ ଗାଁ ଲୋକଙ୍କୁ ଡାକିବି । ତା’ପରେ ସେମାନେ ତୁମକୁ ବହୁତ ବାଡେଇବେ । ସକାଳେ ବାପା ଆସିଲେ ହୁଏତ ସେ ତମକୁ ଏଠାରୁ ଛାଡି ଦେବେ । ସେ ଦୟାଳୁ ଲୋକ ।” ଏହା ଶୁଣି ସେ ବୁଢା ଆଉ କିଛି ବି ଗୋଳମାଳ କଲା ନାହିଁ ।
ସୁଶୀଳା ଆଉ ଶୋଇବ କ’ଣ? ଦୀପ ଆଲୁଅରେ ବହି ପଢୁଥାଏ, ନହେଲେ ସେ ବସି ନାନା କଥା ଚିନ୍ତା କରୁଥାଏ । ବର୍ଷା କ୍ରମେ କମିଗଲା ଓ ରାତି ପ୍ରାୟ ଶେଷ ହେବା ବେଳକୁ ବର୍ଷା ପୁରାପୁରି ଛାଡିଗଲା । ବନ୍ଦୀ ଚୋରକୁ ନେଇ କ’ଣ କରାଯିବ, ସୁଶୀଳା ସେହିକଥା ଚିନ୍ତା କରୁଥାଏ । ଗାଁ ଲୋକଙ୍କୁ ଡାକିବ ନା ବାପା ଆସିଲା ଯାଏଁ ତାଙ୍କୁ ସେ ଅପେକ୍ଷା କରିବ?
ଭୋର ବେଳକୁ ସୁଶୀଳା ଘର କବାଟ ଖୋଲି ଦେଖିଲା ଜଣେ ଯୁବକ ଆସୁଛନ୍ତି । ସେ ସୁଶୀଳାକୁ ଦେଖି ହସି ପଚାରିଲା, “ମୋତେ ଚିହ୍ନିପାରୁଛ?” ଏହା ଶୁଣି ସୁଶୀଳା ଟିକିଏ ଲକ୍ଷ୍ୟ କରି କହିଲା, “ହଁ, ଆପଣ ତ ଆନନ୍ଦବାବୁ । ଲଳିତା ବାହାଘରରେ ଆପଣଙ୍କୁ ତ ମୁଁ ଦେଖିଥିଲି । ଆପଣ ପରା ବରଯାତ୍ରୀ ହୋଇ ଆସିଥିଲେ ।”
“ଠିକ୍ । ମୁଁ ଜମିଦାର ବଲ୍ଲଭ ରାୟଙ୍କ ଏକମାତ୍ର ପୁଅ । ସେଦିନ ତୁମକୁ ଦେଖି ମୋର ପସନ୍ଦ ହୋଇଗଲା । ଆଚ୍ଛା, ଝରକା ଦେଇ ମୁହଁ ଦେଖାଉଥିବା ସେ ବୁଢା ଲୋକଟି କିଏ ତାହା କହି ପାରିବ?”
“ସିଏ ଗୋଟିଏ ଚୋର ।” ଏତିକି କହି ସୁଶୀଳା ଗତରାତିରେ ଘଟିଯାଇଥିବା ସବୁ ଘଟଣା ବିଷୟରେ କହିଲା ।