ସବୁକଥା ଶୁଣି ଆନନ୍ଦ ହସି କହିଲା, “ସୁଶୀଳା, ସେ କୌଣସି ଚୋର ନୁହେଁ, ସେ ମୋର ଚାକର । ତମକୁ ପରୀକ୍ଷା କରିବା ପାଇଁ ମୁଁ ତାକୁ ପଠାଇଥିଲି । ତମେ ତାକୁ ଆଶ୍ରୟ ଦେଇ ନିଜ ଉଦାରତାର ପରିଚୟ ଦେଲ; ପୁଣି ତାକୁ ନ ଡରି ସାହସର ପରିଚୟ ଦେଲ । ତାକୁ ବନ୍ଦୀ କରି ବୁଦ୍ଧିମତାର ପରିଚୟ ଦେଲ । ଅର୍ଥାତ୍ ମୋ ସ୍ତ୍ରୀ ହେବା ଭଳି ସବୁ ଯୋଗ୍ୟତା କେବଳ ତୁମର ରହିଛି । ସାବାସ୍ । ମୁଁ ଖାଲି ଭାବୁଥିଲି, ଆମ ପରିବାର ଭଳି ଆଧୁନିକ ଓ ଧନୀ ପରିବାରରେ ତୁମେ ଚଳିପାରିବ କି ନାହିଁ । ମାତ୍ର ବର୍ତ୍ତମାନ ମୋର ଆଉ ସେ ଆଶଙ୍କା ନାହିଁ । ହାଃ ହାଃ ।”
ସୁଶୀଳା ସବୁକଥା ଶୁଣି କିଛି ନ କହି ସେଠାରେ ସେମିତି ଖୁଂଟଟି ପରି ଠିଆ ହୋଇ ରହିବାରୁ ଯୁବକ ପଚାରିଲା, “କ’ଣ ଖୁସିଟି? ବାସ୍ତବିକ୍ ତମେ ମୋର ଉପଯୁକ୍ତ ।”
ସୁଶୀଳା ଗମ୍ଭୀର ହୋଇ କହିଲା, “ମହାଶୟ! ମୁଁ ମୋ ସଦ୍ଗୁଣର ପରିଚୟ ଆହୁରି ଥରେ ଦେଉଛି । ଆପଣଙ୍କ ଭଳି ଅବିବେକୀ ବ୍ୟକ୍ତିକୁ ଯେ ମୁଁ ଜଗୁଆଳି ହାତରେ ଧରାଇ ନ ଦେଇଛି, ଏହା ମୋର ଉଦାରତା; ଆପଣଙ୍କ ଭଳି ଧନୀ ଯୁବକକୁ ଯେ ଏଭଳି କଥା ମୁଁ କହି ପାରୁଛି, ତାହା ମୋର ସାହସ; ଆପଣଙ୍କ ପ୍ରସ୍ତାବକୁ ଯେ ମୁଁ ପ୍ରତ୍ୟାଖ୍ୟାନ କରୁଛି, ଏହା ମୋର ବୁଦ୍ଧିମତା ।”
ଏଥିରେ ଆନନ୍ଦ ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇ ରହିଲା ।
ସୁଶୀଳା କହିଲା “ଆପଣ ଏବେ ଏଠାରୁ ଯାଇ ପାରନ୍ତି । ଭବିଷ୍ୟତରେ ଆଉ କାହା ସହ ଏପରି ବ୍ୟବହାର ଆଦୌ କରିବେ ନାହିଁ । କାହାକୁ ପରୀକ୍ଷା କରିବା ନିମନ୍ତେ ଆପଣଙ୍କୁ ଏ ଅଧିକାର କିଏ ଦେଲା? ମୁଁ ଯଦି ଭୟରେ ମୂର୍ଚ୍ଛା ଯାଇଥାନ୍ତି, ତେବେ କିଏ ମୋର ହାନିଲାଭ ସବୁ ବୁଝିଥାନ୍ତା? ମୋ ଚିତ୍କାର ଶୁଣି ଯଦି ଗାଁ ଲୋକେ ଏଠାକୁ ଆସି ଆପଣଙ୍କ ଚାକରକୁ ବାଡେଇଥାନ୍ତେ, ତେବେ ପଛକୁ କିଏ ତା’ ପିଠିରେ ପଡିଥାନ୍ତା? ଭବିଷ୍ୟତରେ ଆପଣ ଏସବୁ ବିଷୟରେ ବିଚାର କରିବେ? ତା’ଛଡା ଆପଣଙ୍କ ମନକୁ ଝିଅଟିଏ ପାଇଗଲେ ତ ଖାଲି ଚଳିବ ନାହିଁ । ସେ ଝିଅଟିର ମନକୁ ବି ଆପଣ ପାଇବା ଦରକାର । ଏଥର ଆପଣ ଏଠାରୁ ଯାଆନ୍ତୁ ।” ଏତିକି କହି ତା’ପରେ ସେ ବୁଢାକୁ ସେ ଛାଡିଦେଲା ।
ଏହାର କିଛି ସମୟ ପରେ ଜଗବନ୍ଧୁ ଆସି ସେଠାରେ ପହଁଚିଲେ । ସେ ଖୁବ୍ ଉତଫୁଲ୍ଲ ଦିଶୁଥିଲେ । ସୁଶୀଳା ତା’ ବାପାଙ୍କ ଆଗରେ ଘଟିଯାଇଥିବା ସମସ୍ତ ଘଟଣା ଗପିଗଲା । ସବୁ ଘଟଣା ଶୁଣିଲା ପରେ ସେ ଜଗବନ୍ଧୁ ଯେତିକି ଆଶ୍ଚର୍ଯ୍ୟ ହେଲେ, ସେତିକି ଆମୋଦିତ ମଧ୍ୟ ହେଲେ ।
ତା’ପରେ ଜଗବନ୍ଧୁ ଗାଧୋଇ ଆସି କହିଲେ, “ଝିଅ ଆମ ପ୍ରଭାକର ଜାହାଜରେ ବିଦେଶ ଯାଇଥିବା କଥା ତ ତୁ ଜାଣୁ । ସେ ଏବେ ଫେରି ଆସିଛି । ଏଥର ବାହାଘର ତାରିଖ ଠିକ୍ କରି ପକାଏଁ, ନା କ’ଣ କହୁଛୁ?”
ବାପାଙ୍କ କଥା ଶୁଣି ସୁଶୀଳା ବୁଲିପଡି ସେଠାରୁ ଚାଲିଗଲା ବେଳେ ଖାଲି ଏତିକି କହିଲା, “ମୋତେ କ’ଣ ପଚାରୁଛ!”