ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅନନୁଶୋଚିୟ ଜାତକ

       ଏହିପରି ବରକନ୍ୟା ଉଭୟଙ୍କର ଅନିଚ୍ଛାସତ୍ୱେ କେବଳ ପିତାମାତାଙ୍କର ସନ୍ତୋଷ ବିଧାନ ନିମନ୍ତେ ବୋଧିସତ୍ୱ ଓ ସମ୍ମିଲ୍ଲଭାଷିଣୀ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହେଲେ; କିନ୍ତୁ ସେ ଦୁହେଁ ଏକ ଗୃହରେ, ଏକ ଶଯ୍ୟାରେ ରହୁଥିଲେ ସୁଦ୍ଧା କେବେହେଲେ କାମନାର ତୃପ୍ତି ଲାଗି ଲାଳାୟିତ ନଥିଲେ; ସନ୍ନ୍ୟାସୀ ଓ ସନ୍ନ୍ୟାସିନୀ ପରି ସେମାନେ ଧର୍ମଶାସ୍ତ୍ର ପାଠ ଓ ପାରଲୌକିକ ଚିନ୍ତାରେ ସମୟ ଅତିବାହିତ କରୁଥିଲେ ।

         କାଳକ୍ରମେ ବୋଧିସତ୍ୱଙ୍କର ପିତା ଓ ପରେ ମାତା ସ୍ୱର୍ଗାରୋହଣ କଲେ । ବୋଧିସତ୍ୱ ସେମାନଙ୍କର ଔଦ୍ଧ୍ୱର୍ଦୈହିକ କ୍ରିୟା ଯଥାବିଧି ସମ୍ପାଦନ କଲେ । ତତ୍ପରେ ସେ ପତ୍ନୀଙ୍କୁ ଡାକି କହିଲେ, “ପ୍ରିୟେ, ମୋର ଆଠକୋଟି ମୁଦ୍ରା ପୈତୃକ ସମ୍ପତ୍ତି ରୂପେ ଗଚ୍ଛିତ ଅଛି । ତୁମେ ତୁମର ପିତାଙ୍କଠାରୁ ଆଠକୋଟି ମୁଦ୍ରା ଯୌତୁକରୂପେ ଆଣିଆଛ । ଏହି ଧନରେ ତୁମେ ସ୍ୱଚ୍ଛନ୍ଦରେ ଜୀବନଯାତ୍ରା ନିର୍ବାହ କର । ଦାସଦାସୀମାନଙ୍କଦ୍ୱାରା ତୁମର ସମସ୍ତ ଅସୁବିଧା ଦୂର ହୋଇପାରିବ । ମୁଁ ଏବେ ସନ୍ନ୍ୟାସ ଅବଲମ୍ବନପୂର୍ବକ ଗୃହ ତ୍ୟାଗକରି ଯାଉଅଛି ।”

         ଏହା ଶୁଣି ପତ୍ନୀ ଉତ୍ତର କଲେ, “ପତି ପତ୍ନୀର ଦେବତା । ତୁମେ ସନ୍ନ୍ୟାସୀ ହୋଇ ଗୃହତ୍ୟାଗ କରିଗଲେ ମୁଁ କାହିଁକି କେଉଁ ସୁଖ ଆଶାରେ ଗୃହରେ ରହିବି । ମୁଁ ମଧ୍ୟ ସନ୍ନ୍ୟାସିନୀ ହୋଇଯିବି । ମୁଁ ତୁମକୁ ତ୍ୟାଗକରି ରହିନପାରେ । ମୋତେ ସଙ୍ଗରେ ନିଅ । ମୁଁ ତୁମର ଧର୍ମ ପଥରେ ପ୍ରତିବନ୍ଧକ ନହୋଇ ବରଂ ସହାୟ ହେବି । ମୋର ଏହି ପ୍ରାର୍ଥନା ପୂରଣ କର ।”

         ବୋଧିସତ୍ୱ ଏଥିପୂର୍ବରୁ ପତ୍ନୀଙ୍କର ଆଧ୍ୟାତ୍ମିକ ମନୋଭାବର ପରିଚୟ ପାଇଥିଲେ । ତେଣୁ ସେ ତାଙ୍କୁ ସଙ୍ଗରେ ନେବାପାଇଁ ସ୍ୱୀକୃତ ହେଲେ । ସେମାନଙ୍କର ଯେତେ ଧନ ଥିଲା, ସେସବୁ ଦୀନ ଦରିଦ୍ରମାନଙ୍କ ମଧ୍ୟରେ ବିତରଣ କରାଗଲା । ତଦନ୍ତର ସେ ଦୁହେଁ ଏକବସ୍ତ୍ର ହୋଇ ଶୂନ୍ୟହସ୍ତରେ ଭ୍ରମଣ କରିବାକୁ ଲାଗିଲେ । ଭିକ୍ଷାଲବ୍ଧ ଅନ୍ନହିଁ ସେମାନଙ୍କ ଜୀବନରକ୍ଷାର ଅବଲମ୍ବନ ହେଲା । ଶାସ୍ତ୍ର ଅଧ୍ୟୟନ, ତୀର୍ଥଭ୍ରମଣ ଓ ଈଶ୍ୱରଚିନ୍ତା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ହେଲା । ବନପ୍ରଦେଶରେ ଭ୍ରମଣବେଳେ ବୃକ୍ଷର ଫଳମୂଳ ବ୍ୟତୀତ ସେମାନେ ଅନ୍ୟକିଛି ଭୋଜନ କରୁନଥିଲେ; ନିର୍ଝରିଣୀର ଜଳ ସେମାନଙ୍କର ତୃଷା ଦୂର କରୁଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ