କୁଲୁ କହିଲା, “ଭାଇ ମୋତେ ପାଣିକୁ ଭାରି ଡର ମୁଁ ଯିବି ନାହିଁ।” ହେଲେ କୁଲୁର ବାରମ୍ବାର ଅନୁରୋଧକୁ ବୁଲୁ ଭାଙ୍ଗି ପାରିଲା ନାହିଁ । ସୁତରାଂ ଦୁହେଁ ଚାଲିଲେ ଗାଁ ପୋଖରୀକୁ । କୁଲୁର ଏପ୍ରକାର ଷଡଯନ୍ତ୍ରପୂର୍ଣ୍ଣ କଥାକୁ ବୁଲୁ ଅତି ସରଳ ଭାବରେ ଗ୍ରହଣ କରିନେଲା ।
ଦୁହେଁ ପୋଖରୀରେ ପଶିଗଲେ, ଗାଧୋଇଲେ, ପହଁରା ଶିଖିବା ଆରମ୍ଭ କଲେ । ହେଲେ କୁଲୁ ଆଗରୁ ଭଲ ପହଁରୁଥାଏ । ଏବେ କୁଲୁର ଦୁଷ୍ଟବୁଦ୍ଧି ତା’ମନରେ ଉଙ୍କିମାରିଲା । ସେ ବୁଲୁକୁ ପାଣି ଭିତରକୁ ଠେଲି ଦେଇ କୂଳକୁ ଚାଲିଆସିଲା । ବୁଲୁ ପାଣି ଭିତରେ ଉବୁଟୁବୁ ହେଉଥାଏ ସିନା କୂଳକୁ ଆସିପାରୁ ନଥାଏ ।
ଠିକ୍ ଏତିକିବେଳକୁ ତା’ ଭାଗ୍ୟକୁ ଜଣେ ଲୋକ ଆସି ବୁଲୁ ପାଣିରେ ବୁଡିଯାଉଥିବା ଦେଖି ତାକୁ ଉଦ୍ଧାର କଲା । ସେତେବେଳକୁ କୁଲୁ ସେଠାରୁ ଦୌଡି ଚାଲିଯାଇଥିଲା । ଶେଷରେ କୁଲୁର ତାକୁ ମାରିଦେବା ପାଇଁ ଚକ୍ରାନ୍ତ ବୁଲୁ ଜାଣି ପାରିଲା । ସେ ଏ ଘଟଣାରେ ଦୁଃଖିତ ହେଲା ପଛେ କିଛି କହିଲା ନାହିଁ । ସେଦିନଠାରୁ ଆଉ ତା’ ସହିତ ସାଥୀ ହେଲାନାହିଁ ।
ବେଶ୍ ଏହିଭଳି କିଛି ଦିନ ବିତିଗଲାଣି । ଦିନେ ଦୀପାବଳୀ ପର୍ବ ଆସିଲା । ପିଲାମାନେ ବାଣ ଫୁଟାଇବାରେ ଲାଗିଗଲେ । ଦୁଷ୍ଟ କୁଲୁ ବାଣ ଫୁଟାଉ ଫୁଟାଉ ଅସାବଧାନତାବଶତଃ ତା’ର ଜାମାରେ ନିଆଁ ଲାଗିଗଲା । ସମସ୍ତେ ପାଟିକଲେ ସିନା ନିଆଁ ଲିଭାଇବା ଉପାୟ କାହାକୁ ଜଣା ନଥିଲା । ଦୀପାବଳୀ ପୂର୍ବଦିନ ବିଦ୍ୟାଳୟରେ ଗୁରୁଜୀ କହିଥିଲେ କାହାର ଦେହରେ ନିଆଁ ଲାଗିଗଲେ କିପରି ନିଆଁ ଲିଭାଇବାକୁ ହେବ । ଏକଥା ଦେଖିଲା ପରେ ବୁଲୁ ତାଙ୍କ ଘରୁ କମ୍ବଳଟିଏ ନେଇ ଦୌଡିଲା କୁଲୁ ପାଖକୁ । ହଠାତ୍ ତାକୁ କମ୍ବଳରେ ଘୋଡେଇ ଦେଲା । ଚାହୁଁ ଚାହୁଁ ନିଆଁ ଲିଭିଗଲା । କୁଲୁର ଜୀବନ ରକ୍ଷା ହୋଇଗଲା । ଏହା ଦେଖି ସମସ୍ତେ ବୁଲୁକୁ ଧନ୍ୟ ଧନ୍ୟ କହିଲେ ।
ଏହା ଦେଖି କୁଲୁ ଆଖିରେ ଲୁହ ଆସିଗଲା । ସେ ବୁଲୁର ହାତ ଧରି କ୍ଷମା ମାଗିଲା । ଆଉ ସେଇଦିନଠାରୁ ତା’ର ଦୁଷ୍ଟ ବୁଦ୍ଧି ମଧ୍ୟ ଛାଡିଦେଲା ।