ସହରରେ ଥିଲେ ଜଣେ ନୀତିବାନ୍ ଶିକ୍ଷକ । ସେ ତାଙ୍କ ଛାତ୍ରମାନଙ୍କୁ ନୀତିନିଷ୍ଠ କରି ଗଢି ତୋଳିବା ଥିଲା ତାଙ୍କ ଲକ୍ଷ୍ୟ । ଦିନେ ତାଙ୍କର ପ୍ରିୟତମ ଛାତ୍ର ମିଛ କହି କିଛି ବନ୍ଧୁଙ୍କ ସହିତ ବଣଭୋଜି କରିବାକୁ ଚାଲିଗଲା । କିନ୍ତୁ ପରେ ଛାତ୍ରଟି ଅନୁତାପ ଜର୍ଜରିତ ହୋଇ ଶିକ୍ଷକଙ୍କ ଆଗରେ ସବୁ କଥା କହିଦେଲା । ଶିକ୍ଷକ ଜଣକ ଏହା ଶୁଣି ଦୁଃଖିତ ଓ କ୍ରୋଧାନ୍ୱିତ ହେଲେ ଏବଂ ଛାତ୍ରକୁ ଆଉ ତାଙ୍କ ପାଖକୁ ନଆସିବାକୁ ଚରମ ବାଣୀ ଶୁଣାଇ ଦେଲେ । ଛାତ୍ରଟି କିନ୍ତୁ ଭୁଲ୍ ମାଗିଲା, ମାତ୍ର ଶିକ୍ଷକ କ୍ଷମା କରିବାକୁ ପ୍ରସ୍ତୁତ ନଥିଲେ । ଏହାର କିଛି ଦିନ ପରେ ଶିକ୍ଷକଙ୍କ ବାପା ତାଙ୍କ ଘରକୁ ବୁଲି ଆସିଲେ । ବାପାଙ୍କ ସହିତ ଗପୁ ଗପୁ ଶିକ୍ଷକ ଉପରୋକ୍ତ ଛାତ୍ରଟିର କଥା ଉଠାଇ କହିଲେ ଯେ ନୀତିନିଷ୍ଠ ଜୀବନକୁ ଗୁରୁତ୍ୱ ଦେଇ ସେ ଭାରି କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ସେଇ ଛାତ୍ରଟିର ଉଦାହରଣ ଦେଇ ସେ କହିଲେ, ସେ ଥିଲା ମୋର ସବୁଠାରୁ ପ୍ରିୟ । କିନ୍ତୁ, ସେ ଯାହା କଲା ସେଥିରେ କ୍ଷମା ଲାଭ କରିବାର ଯୋଗ୍ୟତା ହରାଇଲା ।
ଏ କଥା ଶୁଣି ବାପା କିଛି ସମୟ ଚୁପ୍ ରହିଲେ । ତା’ପରେ ସେ କହିଲେ, ତୁମେ କିନ୍ତୁ ଏ ପ୍ରକାର ନିଷ୍ପତି ନେଇ ଭୁଲ୍ କରିଛ । ଶିକ୍ଷକ ଏହା ଶୁଣି ଚକିତ ହୋଇଗଲେ । ସେ କହିଲେ, ବାପା, ନୈତିକ ଜୀବନ ଯାପନ କରିବାର ଶିକ୍ଷା ଯଦି ମୁଁ କାହାଠାରୁ ପାଇ ଥାଏ ସେ ହେଉଛନ୍ତି ଆପଣ । ଅଥଚ ଆପଣ ମୋ କାମରେ ତ୍ରୁଟି ଦେଖୁଛନ୍ତି? ଏ କଥା ଶୁଣି ବାପା କହିଲେ, ବାବୁ, ତୁମେ ଅସଲ କଥାଟି ଧରି ପାରିନାହଁ । ତୁମେ ବି ପିଲା ଦିନେ ଜଣେ ସାଧାରଣ ବାଳକ ଥିଲ । ତୁମେ ବି ଭୁଲ୍ କରୁଥିଲ ଏବଂ ସେଥିପାଇଁ ଅନୁତାପ କରି ନିଜକୁ ସଜାଡୁଥିଲ । କ୍ରମେ ତୁମେ ଆଉ ଭୁଲ୍ କଲ ନାହିଁ ଏବଂ ଜଣେ ନୀତିନିଷ୍ଠ ମଣିଷରେ ପରିଣତ ହେଲ । କିନ୍ତୁ ତୁମେ ନିଜ ଛାତ୍ରମାନଙ୍କଠାରୁ ଏହା ଥରକେ ଚରମ ନୈତିକତା ଆଶା କରୁଛ । ତୁମେ ସେମାନଙ୍କୁ ଭୁଲ୍ କରିବାକୁ ସୁଯୋଗ ଦେଉ ନାହଁ । ଏପରି ସ୍ଥଳେ ଅନୁତାପର ପ୍ରଶ୍ନ ଉଠୁ ନାହିଁ । ଅନୁତାପ ନିଆଁରେ ଆଉଟି ନ ହେଲେ ଶୁଦ୍ଧତା ଆସିବ ନାହିଁ ।
ଏଥର ଶିକ୍ଷକଙ୍କ ଆଖି ଖୋଲିଗଲା ।