ହୋଲାପୁରୀ ଜଙ୍ଗଲରେ ଶିକାରୀମାନଙ୍କ ସଂଖ୍ୟା କ୍ରମେ ବଢି ଚାଲିଲା ଓ ପଶୁଙ୍କ ସଂଖ୍ୟା କ୍ରମେ କମିଗଲା । ତେଣୁ ରାଜା ବିଦ୍ୟାଧର ଏହା ଘୋଷଣା କଲେ ଯେ ତାଙ୍କ ଅନୁମତି ପତ୍ର ବିନା କେହି ଯେପରି ଶିକାର କରିବାକୁ ଯିବେ ନାହିଁ, ଆଉ ଗଲେ କଠିନ ଦଣ୍ଡ ପାଇବେ ।
ଥରେ ଦୁଇଜଣ ଶିକାରୀ ଜଙ୍ଗଲରେ ଶିକାର କରୁଥା’ନ୍ତି । ରାଜାଙ୍କ ଲୋକ ସେଠାରେ ପହଁଚି ସେମାନଙ୍କୁ ରାଜାଙ୍କ ମୋହର ଥିବା ଅନୁମତି ପତ୍ର ମାଗିଲେ । ଏକଥା ଶୁଣି ଜଣେ ଶିକାରୀ ଦୌଡିବାକୁ ଆରମ୍ଭ କଲା । ମାତ୍ର ଅନ୍ୟଟି ସେଇଠି ଠିଆ ହୋଇଥାଏ । ରାଜାଙ୍କ ଲୋକମାନେ ତାକୁ ଗୋଡାଇଲେ । ଏଣେ ପଛରୁ ସେ ଅନ୍ୟଟି କୁଆଡେ ଖସିଗଲା । କାରଣ ତା’ର କୌଣସି ଭୟ ବା ପଳାଇବାର ଚେଷ୍ଟା ନ ଦେଖି ରାଜାଙ୍କ ଲୋକମାନେ ସେ ପଳାତକ ଶିକାରୀ ପ୍ରତି ଅଧିକ ଧ୍ୟାନ ଦେଲେ ।
ବହୁଦୂର ଦୌଡି ଦୌଡି ଗୋଟାଏ ଗଛ ପାଖେ ସେ ଠିଆ ହୋଇ ପଡିଲା । ରାଜାଙ୍କ ଲୋକମାନେ ମଧ୍ୟ ଦୌଡିଦୌଡି ଯାଇ ତାକୁ ଧରିଲେ । ସେ ତତ୍କ୍ଷଣାତ୍ ଅନୁମତି ପତ୍ର କାଢି ଦେଖାଇଲା ।
ରାଜାଙ୍କ ଲୋକ ପଚାରିଲେ, “ଅନୁମତି ପତ୍ରଟି ଥିବା ସତ୍ତ୍ୱେ ତୁମେ କାହିଁକି ଦୌଡିଲ ଓ ଆମକୁ ମଧ୍ୟ ଦୌଡାଇଲ?”
ଶିକାରୀ କହିଲା “ମୋର ସିନା ଅନୁମତି ପତ୍ର ଅଛି, ହେଲେ ମୋର ବନ୍ଧୁ ଶୀକାରୀର ତ ଆଉ ନଥିଲା । ଇତି ମଧ୍ୟରେ ସେ ସେଠାରୁ ଖସି ଅନେକ ଦୂର ପଳାଇ ଯିବଣି । ଯାହା ହେଉ ଭଗବାନଙ୍କ ଦୟାରୁ ସେ ବିଚରାଟା ଆଜି ରକ୍ଷା ପାଇଗଲା ।”