“ଠିକ୍ ଅଛି । ମୁଁ ପ୍ରସ୍ତୁତ । ମୋ କଥା ଭୁଲ୍ ପ୍ରମାଣିତ ହେଲେ ମୁଁ ରାଜଦଣ୍ଡ ଗ୍ରହଣ କରିବାକୁ ରାଜି ଅଛି । ନୃତ୍ୟ ସଙ୍ଗୀତରେ ବ୍ୟସ୍ତଥିବା ଚାରିଟି ଦଳ ମଧ୍ୟରେ ଯେଉଁ ଦଳଟି ପୂର୍ବରେ ଅଛନ୍ତି ସେମାନଙ୍କ ମଧ୍ୟରେ ଜଣେ ଏମିତି ତବଲା ବାଦକ ଅଛନ୍ତି, ଯାହାଙ୍କର ଦୁଇଟି ଆଙ୍ଗୁଳି ଦୋଷଯୁକ୍ତ । ଫଳରେ ଭୁଲ୍ ତାଳ ବାହାରୁଛି । ଉତ୍ତରରେ ଥିବା ଦଳରେ ଜଣେ ଏମିତି ଗାୟକ ଅଛନ୍ତି, ଯାହାଙ୍କର ଗଳା କର୍କଶ । ଏଣୁ ସଙ୍ଗୀତର ସ୍ୱରଭଗ୍ନ ହେଉଅଛି ।”
ଆଗନ୍ତୁକର କଥା ଶୁଣି ଅନୁଚର ଆଶ୍ଚର୍ଯ୍ୟ ହେଲା ଯେ ମହଲ ଭିତରର ଦୃଶ୍ୟତ ବାହାରକୁ ଦେଖା ଯାଉ ନାହିଁ, ଅଥଚ ଇଏ କେମିତି ଏତେସବୁ କଥା ଜାଣିଲେ । ନିଶ୍ଚୟ ୟାଙ୍କ ଭିତରେ କିଛି ଅଛି । ଏଣୁ ସେ କହିଲା, “ଦେଖ, ତମ କଥା ଯଦି ଭୁଲ୍ ପ୍ରମାଣିତ ହୁଏ ତେବେ ଦଣ୍ଡମିଳିବ ନିଶ୍ଚିତ ମୁଁ ତମକୁ ଏଇ ସର୍ତରେ ଭିତରକୁ ନେଇଯିବି ।”
ଆଗନ୍ତୁକ ରାଜି ହେବାରୁ ଅନୁଚର ତାଙ୍କୁ ନେଇ ମହଲ ଭିତରକୁ ଗଲା ଏବଂ ରାଜାଙ୍କୁ ସବୁକଥା କହିଲା । ମହାରାଜ ଆସର ବନ୍ଦ୍ କରାଇ ମାଧବଙ୍କୁ ପଚାରିଲେ, “ତମେ କିପରି ଏକଥା ଜାଣିଲ?”
ମୁଁ ମୋର ଜ୍ଞାନ ଏବଂ ଦିବ୍ୟଦୃଷ୍ଟି ବଳରେ ଏକଥା ଜାଣି ପାରିଛି । ଆପଣ ପରୀକ୍ଷା କରି ଦେଖି ପାରନ୍ତି । ପୂର୍ବ ଦିଗରେ ବସିଥିବା ବାଦ୍ୟକାରଙ୍କ ମଧ୍ୟରେ ଏମିତି ଜଣେ ତବଲା ବାଦକ ଅଛନ୍ତି, ଯାହାଙ୍କର ଡାହାଣ ହାତର ଦୁଇଟି ଆଙ୍ଗୁଳି ଦୋଷଯୁକ୍ତ ଯାହା ଫଳରେ ତାଳ ଭୁଲ୍ ହେଉଛି । ଉତ୍ତର ଦିଗରେ ଥିବା ସଙ୍ଗୀତ ଶିଳ୍ପୀଙ୍କ ମଧ୍ୟରେ ଜଣଙ୍କର ସ୍ୱର କର୍କଶ ହେତୁ ସ୍ୱରଭଙ୍ଗ ଦୋଷ ରହୁଛି ।
“ଯଦି ତୁମ କଥା ଭୁଲ୍ ହୁଏ?”
“ତେବେ ଆପଣ ମୋର ମୁଣ୍ଡକାଟ୍ ପାଇଁ ଆଦେଶ ଦେଇ ପାରନ୍ତି । ମୁଁ ଆଦୌ ଆପତ୍ତି କରିବି ନାହିଁ ।” ମାଧବ କହିଲେ ।
ମହାରାଜ ପରୀକ୍ଷା କରିବା ପାଇଁ ଦୁଇ ଦଳଙ୍କୁ ପାଖକୁ ଡାକିଲେ । ସତକୁ ସତ ତବଲା ବାଦକ ଦଳରେ ଜଣେ ଏମିତି ବ୍ୟକ୍ତି ଥିଲେ, ଯାହାଙ୍କର ଡାହାଣ ହାତର ମଧ୍ୟମା ଆଙ୍ଗୁଳି ନଥିଲା । ଅନାମିକାଟି ଅଧାରୁ କଟା ଯାଇଥିଲା । ମହାରାଜ ବୁଝି ପାରିଲେ, କୋଉଥି ପାଇଁ ତବଲାବାଦନରେ ଥିବା ତ୍ରୁଟିକୁ ମାଧବ ଧରି ପାରିଥିଲେ ।
ତବଲା ଦଳର ଓସ୍ତାଦ୍ କହିଲେ, “ହଜୁର ମଣିମା! ଆମ ଦଳରେ ଜଣେ ତବଲା ବାଦକର ହଠାତ୍ ଦେହ ଅସୁସ୍ଥ ହେବାରୁ ଆମେ ଅନ୍ୟ ଜଣକୁ ଆଣିଥିଲୁ ।”
ଗାୟକ ଦଳ ମଧ୍ୟ ଅନୁରୂପ ସ୍ୱୀକାରୋକ୍ତି ପ୍ରଦାନ କଲେ । ମହାରାଜ ମାଧବଙ୍କର କଳାଜ୍ଞାନ, ଗାନ୍ଧର୍ବବିଦ୍ୟାରେ ଦକ୍ଷତା ଥିବା ଜାଣି ପ୍ରୀତ ହେଲେ । ତାଙ୍କୁ ଅନେକ ପୁରସ୍କାର ଦେଲେ ଏବଂ ନିଜ ରାଜମହଲରେ ନିଯୁକ୍ତ ଦେଲେ । ମାଧବ ବିଭିନ୍ନ ସମୟରେ ମହାରାଜଙ୍କୁ ବିଭିନ୍ନ କଳାରେ ସନ୍ତୁଷ୍ଟକରି ନାନା ପୁରସ୍କାର ହାସଲ କରି ଚାଲିଥାନ୍ତି । ତାଙ୍କ ପ୍ରତି ମହାରାଜାଙ୍କର ଅନୁକମ୍ପା ଅଧିକ ଜାଣି ଅନ୍ୟମାନେ ଈର୍ଷାରେ ଜଳୁଥିଲେ ।
ଦିନେ ମହଲରେ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମାଧବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଜଣେ ନୂଆ ନର୍ତକୀ ଆସିଥିଲେ ଯିଏ କି ଖୁବ୍ ସୁନ୍ଦରୀ ଥିଲେ । ସେ ନୃତ୍ୟ କରୁଥିବା ସମୟରେ ହଠାତ୍ କୋଉଠି ଗୋଟିଏ ଭଅଁର ଆସି ତାଙ୍କ ବକ୍ଷର ମଧ୍ୟସ୍ଥଳରେ ବସି ପଡିଲା । ନର୍ତକୀ ନିଜର ନୃତ୍ୟମୁଦ୍ରାକୁ ଠିକ୍ ରଖି ଖୁବ୍ ଚତୁରତାର ସହିତ ଭଅଁରକୁ ଘଉଡାଇ ଦେଲା । ଏକଥା ସେଠାରେ ଉପସ୍ଥିତ ଥିବା କେହି ଲକ୍ଷ୍ୟ କରି ପାରି ନଥିଲେ । ଏଇଭଳି ସ୍ୱୟଂ ମହାରାଜ ମଧ୍ୟ । କିନ୍ତୁ ମାଧବ ଏ ଘଟଣାକୁ ଦେଖି ପାରିଥିଲେ । ଏଣୁ ସେ ନର୍ତକୀର ଚାତୁରୀ ଏବଂ ଦକ୍ଷତାରେ ମୁଗ୍ଧ ହୋଇ ତାକୁ ଏକ ମୋତିମାଳ ପିନ୍ଧାଇ ଦେଲେ ।