ଯମୁନା ଦାସ ନାମକ ଏକ ଧନୀ ବ୍ୟକ୍ତି ଥା’ନ୍ତି । ସେ ହଠାତ୍ କୌଣସି ରୋଗରେ ପଡି ଶଯ୍ୟାଶାୟୀ ହେଲେ । ତାଙ୍କର ସ୍ତ୍ରୀ ପିଲା ତ କେହି ନଥା’ନ୍ତି । ଜଣେ ଯୁବକ ମଙ୍ଗଳ ପାଖରେ ଥାଇ ତାଙ୍କର ଦେଖାଶୁଣା କରୁଥାଏ ।
ବୈଦ୍ୟ ନଟବର ତାଙ୍କର ଚିକିତ୍ସା କରୁଥା’ନ୍ତି । ଦିନେ ସେ ରୋଗୀ ଦେଖିବା ପରେ ମଙ୍ଗଳକୁ ପାଖ କୋଠରୀକୁ ଡାକି ନେଇ କହିଲେ, “ଏବେ ତୁମ ମାମୁଁଙ୍କ ଅବସ୍ଥା ବଡ ସଂକଟାପନ୍ନ । ସେ ଏବେ ବେହୋସ୍ ହୋଇ ପଡିଛନ୍ତି । ଟିକେ ପରେ ତାଙ୍କର ଚେତା ଫେରିଲେ କୌଣସିମତେ ତୁମେ ଏଇ ଲାଲ୍ ବଟିକା ଦୁଇଟି ତାଙ୍କୁ ଖୁଆଇ ଦେବ ।”
ବୈଦ୍ୟ ଯିବା ପରେହିଁ ଯମୁନା ଦାସ ଆଖି ଖୋଲିଲେ ଓ ମଙ୍ଗଳକୁ ପାଖକୁ ଡାକି କହିଲେ, “ବାବୁ! ଜମିଜମା କରିବା ତ କଠିନ, ତାକୁ ରକ୍ଷା କରିବା ଆହୁରି ବେଶି କଠିନ ।”
ମଙ୍ଗଳ କହିଲା, “ଆଜ୍ଞା, ଏସବୁ କଥା କାହିଁକି କହୁଛନ୍ତି? ଆପଣଙ୍କର ଯଦି କିଛି ଅନ୍ତିମ ଇଚ୍ଛା ଥାଏ ତ କୁହନ୍ତୁ ।”
ଯମୁନା ଦାସ କିଛି ସମୟ ନୀରବ ରହି କହିଲେ, “ବୈଦ୍ୟ କିଛି ଔଷଧ ଦେଇଯାଇଛନ୍ତି ନା? ମୋର ଏଇ ଅବସ୍ଥାରେ ତୋ ପାଖରୁ ତା’ଠାରୁ ଅଧିକ ଆଶା ମୁଁ ଆଉ କ’ଣ ବା କରିପାରେ? ତାଙ୍କ କହିବା ଅନୁସାରେ ବଟିକା ଦୁଇଟି ମୋ ମୁହଁରେ ଦେଇ ତାହାର ପ୍ରତିକ୍ରିୟାକୁ ଅପେକ୍ଷା କର ।” ଯମୁନାଦାସଙ୍କ ମୁହଁରୁ ଏକଥା ଶୁଣି ମଙ୍ଗଳର ମୁହଁ ଆଶ୍ଚର୍ଯ୍ୟ ଓ ଲଜ୍ଜାରେ ପୁରାପୁରି ଫିକା ପଡିଗଲା ।