ଆଦିବାସୀ କନ୍ଧ ପିଲାଟିଏ । ଦାରିଦ୍ର୍ୟ ହେତୁ ସେ ମାଲିକର ଗାଈ ଚରାଇବା କାମରେ ନିୟୋଜିତ ହୋଇଥାଏ । ସୁତରାଂ ନିତି ବଣକୁ ଯାଇ ସେ ଗାଈ ଚରାଇ ଠିକ୍ ସଂଧ୍ୟାବେଳକୁ ଘରକୁ ଫେରିଆସେ । ଦିନସାରା ବଣରେ ବୁଲିବୁଲି ତା’କୁ ଭୋକ ଲାଗିଲେ ଝରଣାପାଣି ପେଟେ ପିଇଦେଇ ସେ ତା’ ଭୋକ ମାରେ ।
ସଂଜବେଳେ ମାଲିକଙ୍କ ଘରେ ନୀତିବାଣୀ ଚର୍ଚ୍ଚା ହୁଏ । ପିଲାଟି ତାକୁ ମନ ଦେଇ ଶୁଣେ । ଫଳରେ ତା’ ମନରେ ବି କରୁଣା ଜାଗ୍ରତ ହୁଏ ।
ଦିନକର କଥା । ସେ ପିଲାଟି ତ ଜନ୍ମରୁ ଅନ୍ଧ, ସେ ବଣରେ ବୁଲୁବୁଲୁ ଗୋଟିଏ କୂଅରେ ପଡିଗଲା । ମାତ୍ର ସେଥିରେ ଅଳ୍ପ ପାଣି ଥିବାରୁ ସେ ପାଣି ଭିତରେ ଠିଆ ହୋଇ ରହିଲା । ସେଇ ବାଟ ଦେଇ ଯାଉଥିବା ଲୋକେ ଯିଏ ବି ତାକୁ ଉଦ୍ଧାର କରିବାକୁ ଗଲେ ତାଙ୍କୁ ସେ ଉଦ୍ଧାର କରିବା ପାଇଁ ମନାକଲା । ସମସ୍ତଙ୍କୁ ସେ ଖାଲି କହୁଥାଏ, “ଯିଏ ମୋତେ କୂଅରେ ପକାଇଛି, କେବଳ ସିଏ ହିଁ ମୋତେ ଉଦ୍ଧାର କରୁ ।”କିଛି ସମୟ ପରେ ଜଣେ ସାଧୁବାବା ସେଠାକୁ ଆସିଲେ । ପିଲାଟିକୁ ବୁଝାଇ ଉଦ୍ଧାର କରିବା ସହିତ କହିଗଲେ ଯେ ସେ ହେଉଛନ୍ତି ଜଣେ ସାଧୁବାବା । ସେଦିନ ସେ ପିଲାଟି ମୁହଁରୁ କେତେପଦ ନୀତିବାଣୀ ଶୁଣି ସେ ଭାରି ଖୁସି ହେଲେ । ସାଧୁବାବା ମଧ୍ୟ ସେ ପିଲାଟିକୁ କେତେ ଧର୍ମବାଣୀ ଶୁଣାଇଲେ । ଅନେକ ଆଶୀର୍ବାଦ ବି ଦେଇଗଲେ । ସେହି ଦିନଠାରୁ ସେ ପିଲାଟି ସାଧୁବାବାଙ୍କର ଶିଷ୍ୟ ପାଲଟିଗଲା ।