ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅନ୍ଧପିଲାକୁ ସାହାହେଲେ ସାଧୁବାଦୀ

ପିଲାଟି ବଡ ହେଲା ପରେ ଖୁବ୍ ନାଁ କଲା । ସେ ଥିଲେ ଆମ ଓଡିଶାର ଜଣେ ବୁଦ୍ଧିଜୀବୀ । ନାଁ ତାଙ୍କର ଭୀମଭୋଇ । ତାଙ୍କର ବାପାଙ୍କ ନାଁ ଥିଲା – ଦନାରା ଭୋଇ ଓ ମାଆଙ୍କ ନାମ – ଗୁରୁବାରୀ ଭୋଇ । ସେ ତାଙ୍କର ଜନ୍ମିତ ସନ୍ତାନ ନ ଥିଲେ । ରେଢାଖୋଲର ଏକ ଗାଁ ମୁଣ୍ଡ ତାଳବଣିଆରୁ ତାଙ୍କୁ ସେମାନେ ପାଇଥିଲେ । ହେଲେ ଦୁଃଖର ବିଷୟ ବାଲ୍ୟକାଳରୁ ବାପା ମରିଯିବାରୁ ସେ ସାହା ଭରସା ହରାଇଲେ । ତା’ପରେ ତାଙ୍କୁ ପର ଆଶ୍ରାରେ ହିଁ ବଂଚିବାକୁ ପଡିଲା ।

ଭୀମଭୋଇ ପିଲାଟି ଦିନରୁ ଅନ୍ଧ ଥିବାରୁ ଅନେକ ଦୁଃଖ କଷ୍ଟ ସେ ସହିଥିଲେ । ମାତ୍ର ସାଧୁବାବା ତାଙ୍କୁ ଦିବ୍ୟଚକ୍ଷୁ ଦେବାରୁ ସେ ତାଙ୍କ ଜୀବନରେ ବହୁତ ଉନ୍ନତି ସାଧନ କରିପାରିଥିଲେ । ସାଧୁବାବା ମହିମା ଗୋସାଇଁ ଥିଲେ ବୁଦ୍ଧିଜୀବୀ । ସେ ମହିମାଧର୍ମ ନାମରେ ଏକ ନୂଆଧର୍ମ ପ୍ରଚାର କରିଥିଲେ । ସେହି ଧର୍ମର ଅସଲ ଉଦ୍ଧେଶ୍ୟ ହେଲା – ସମାଜରୁ ଅନ୍ୟାୟ ଅତ୍ୟାଚାର ଦୂର ହେଉ । ଜାତିଭେଦ ନ ରହୁ ।

ଭୀମଭୋଇଙ୍କ ଯୋଗୁଁ ଏହି ମହିମାଧର୍ମ ଚାରିଆଡେ ପ୍ରସାର ଲାଭ କଲା । ଭୀମଭୋଇ ଥିଲେ ଜଣେ ପରୋପକାରୀ ମଣିଷ । ସବୁବେଳେ ସେ ନିଜେ କଷ୍ଟ ସହି ଅନ୍ୟର କଲ୍ୟାଣ ଚିନ୍ତାରେ ହିଁ ଥାଆନ୍ତି । କେବଳ ସେଇଥିପାଇଁ ସେ ତାଙ୍କର କବିତା ମାଧ୍ୟମରେ ଲେଖିଥିଲେ –

“ମୋ’ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ ।”

ସେହି ସମୟରେ ତ ରାଜା ଓ ବ୍ରାହ୍ମଣଙ୍କର ଆମ ସମାଜରେ ବେଶି ପ୍ରଭାବ ଥିଲା । ଜଣେ କନ୍ଧ ଜାତିର ଅନ୍ଧଲୋକର ସୁନାମ ସେମାନେ ଆଦୌ ସହିପାରିଲେ ନାହିଁ । ତେଣୁ ସେମାନେ ଭୀମଭୋଇଙ୍କ ଉପରେ ବହୁ ଅତ୍ୟାଚାର ଚଳାଇଲେ । ହେଲେ ଭୀମଭୋଇ ସେସବୁକୁ ଦୃଢମନା ହୋଇ ସହିଗଲେ । ଆମ ସମାଜରୁ କୁସଂସ୍କାର ଦୂର କରିବା ଲାଗି ସେ ରାଶି ରାଶି କବିତା ଲେଖିଚାଲିଲେ । ଅନେକ କାବ୍ୟକବିତା ରଚନା କରି ‘ସନ୍ଥକବି’ ଉପାଧି ବି ସେ ପାଇଗଲେ । ତାଙ୍କ ରଚିତ ପୁସ୍ତକ ମଧ୍ୟରେ ସ୍ତୁତି ଚିନ୍ତାମଣି, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଭଜନମାଳା, ଅଷ୍ଟକ ବିହାରୀ ଗୀତା, ଚଉତିଶା ମଧୁଚକ୍ର, ନିବେଦ ସାଧନା ଆଦି ପ୍ରଧାନ ।

ଈଶ୍ୱରଭକ୍ତି, ଦୃଢ ମନୋବଳ, ଅସୀମ ଧୈର୍ଯ୍ୟ, ମାନବ ସେବା, ସମାଜସଂସ୍କାର ଓ ସହିବା ଗୁଣରେ ଧନୀ ହୋଇ ଭୀମଭୋଇ କାଳକାଳକୁ ଅମର ହୋଇଯାଇଛନ୍ତି । ତାଙ୍କୁ ଆମ ଓଡିଆ ଜାତି କେବେବି ମଧ୍ୟ ଭୁଲିପାରିବ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ