ସେ ପିଲାଟିକୁ ଆସି ପାଂଚବର୍ଷ ପୂରିଗଲାଣି । ଦିନେ ସେଇ ପିଲାଟି ତା’ ବାପାଙ୍କର ଜୋତା ତିଆରି କର୍ମଶାଳାରେ ଖେଳୁଥାଏ । ଦୁର୍ଭାଗ୍ୟବଶତଃ ଏହି ସମୟରେ ଏକ ଅଘଟଣ ଘଟିଲା । ପିଲାଟି ଚମଡା ଖଣ୍ଡିଏ ଟାଣି ଆଣିଲା ବେଳକୁ ତା’ ଭିତରେ ଥିବା ଏକ ଧାରୁଆ ଛୁରୀ ଛିଟିକିପଡି ତା’ର ଦୁଇ ଆଖିରେ ବାଜିଲା । ଫଳରେ ତା’ର ଆଖିରୁ ପ୍ରଚୁର ରକ୍ତସ୍ରାବ ହେଲା । ଶେଷରେ ତା’ର ଆଖି ଦୁଇଟି ବି ନଷ୍ଟ ହୋଇଗଲା । ଏବେ ସେ ସମ୍ପୂର୍ଣ୍ଣ ଅନ୍ଧ ହୋଇଗଲା ।
ପିଲାଟିର ପାଠପଢା ବୟସ ହେବା କ୍ଷଣି ତା’ର ବାପମାଆ ଖୁବ୍ ଚିନ୍ତିତ ହୋଇପଡିଲେ । ପୁଅଟି ପାଠ ପଢିବ କେମିତି? ସୁତରାଂ ତା’ର ବାପା କଳାପଟାରେ ଅକ୍ଷରସବୁ ଖୋଦାଇ କରି ଶିକ୍ଷାର ସୁବିଧା ତାକୁ ଦେଲେ । ମାତ୍ର ଆଶ୍ଚର୍ଯ୍ୟର କଥା, ସମସ୍ତଙ୍କୁ ଚକିତ କରି ସେ ପିଲାଟି ପାଠକୁ ଖୁବ୍ ଶୀଘ୍ର ଧରିନେଲା । ଏପରିକି ତା’ର ଅସାଧାରଣ ବୁଦ୍ଧି ବଳରେ ସେହି ଶିଶୁଟି ବିଜ୍ଞାନ ଓ ଭାଷା ସମ୍ବନ୍ଧୀୟ ଜ୍ଞାନ ଅର୍ଜନରେ ନିଜର ପାରଦର୍ଶିତା ଲାଭ କରି ଦିନେ ବିଶ୍ୱବିଖ୍ୟାତ ହୋଇପାରିଥିଲା । କଥାଟି ବିଶ୍ୱାସଯୋଗ୍ୟ ନ ହେଲା ପରି ଜଣାପଡୁଥିଲେ ମଧ୍ୟ ଦିନେ ଏହା ସତ୍ୟରେ ପରିଣତ ହୋଇଥିଲା ।
ସମୟ ତ ଗଡିଚାଲିଥାଏ । ୧୮୨୧ ମସିହାରେ ଜଣେ ଅବସରପ୍ରାପ୍ତ ସେନାଧ୍ୟକ୍ଷ ଚାର୍ଲସ୍ ବାରବିୟରଙ୍କ ସୈନ୍ୟବାହିନୀର ଗୁପ୍ତବାର୍ତ୍ତା ପ୍ରେରଣ ନିମନ୍ତେ ବାରଟି ବିନ୍ଦୁର ସହାୟକ ଜ୍ଞାନ କୌଶଳରୁ ସେହି ଅନ୍ଧଯୁବକଜଣକ ଅଭିନବ ଉପାୟ ବାହାର କରି ଦୃଷ୍ଟିହୀନ ଛାତ୍ରଙ୍କୁ ଶିକ୍ଷାଦେବା ଆରମ୍ଭ କରିଦେଲେ । ସବୁଠାରୁ ବଡ କଥା ହେଲା, ସେ ନିଜେ ଅନ୍ଧ ହୋଇ ଅନ୍ଧପିଲାଙ୍କର ଉନ୍ନତି ବିଧାନଲାଗି ସବୁବେଳେ ଚିନ୍ତା କରୁଥିଲେ । ଛଅଟି ଖୋଦିତ ବିନ୍ଦୁ ବିନ୍ୟାସ ସଂଯୋଜକ ଦ୍ୱାରା ସେ ତେଷଠି ପ୍ରକାରର ଆକୃତି ତିଆରି କରିପାରିଥିଲେ । ଏହା ସାହାଯ୍ୟରେ ଅନ୍ଧମାନେ ଆଜି ଚିଠି ଲେଖିବା, ଟାଇପ୍ ଓ ସଟ୍ହ୍ୟାଣ୍ଡ କରିବା, କାବ୍ୟ, ଉପନ୍ୟାସ ଆଦି ସ୍ୱାଧୀନ ଭାବରେ ରଚନା କରିପାରିବା ଭଳି କାର୍ଯ୍ୟ ମଧ୍ୟ ସଂପାଦନ କରିପାରୁଛନ୍ତି ।
ପିଲାଏ, ଏବେ ତୁମେମାନେ ନିଶ୍ଚୟ ଜାଣିବାକୁ ଚାହୁଁଥିବ ଯେ, ସେଇ ଅନ୍ଧବାଳକଟି କିଏ? ସେ ହେଲେ – “ଲୁଇବ୍ରେଲ୍”; ଯିଏ କି ବ୍ରେଲ୍ଲି ଲିପି ବାହାର କରିଥିଲେ । କେବଳ ଏହି ଲିପି ସାହାଯ୍ୟରେ ଆଜି ଦୃଷ୍ଟିହୀନମାନେ ଅତି ସହଜରେ ପଢିଲେଖି ପାରୁଛନ୍ତି । ମାତ୍ର ଦୁଃଖର ବିଷୟ ଏହି ଯେ, ଲୁଇବ୍ରେଲ୍ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପାଇବା ପୂର୍ବରୁ, ମାତ୍ର ତେୟାଳିଶ ବର୍ଷ ବୟସରେ ଅର୍ଥାତ୍ ୧୮୫୨ ମସିହା ଜାନୁୟାରୀ ଛ’ତାରିଖ ଦିନ ଇହଲୀଳା ସମ୍ବରଣ କରିଥିଲେ । ଆଜି ଲୁଇବ୍ରେଲ୍ ସ୍ୱଦେହରେ ନ ଥିଲେ ବି ବିଶ୍ୱର କୋଟି କୋଟି ଅସହାୟ ଦୃଷ୍ଟିହୀନଙ୍କର ସେ ଦେବତା ପାଲଟି ଯାଇଛନ୍ତି ।