ଅନେକ ଦିନ ତଳର କଥା । ଉଗ୍ରସେନ ନାମକ ଜଣେ ରାଜା ପ୍ରତାପଗଡରେ ଶାସନ କରୁଥିଲେ । ତାଙ୍କର ଏକ ବିଶାଳ ସେନା ଥିଲା । ଏହି ଶକ୍ତିଶାଳୀ ସେନା ବଳରେ ରାଜା ଉଗ୍ରସେନ ଅନେକ ରାଜ୍ୟ ଜୟ କରିଥିଲେ । ତଥାପି ରାଜାଙ୍କର ଯୁଦ୍ଧଖୋର ପ୍ରକୃତି ଯୋଗୁଁ ସେ ଅଧିକରୁ ଅଧିକ ରାଜ୍ୟ ଜୟ କରିବାକୁ ଚାହିଁଲେ । ସେ ରାଜାଙ୍କ ଶକ୍ତିଶାଳୀ ସେନାରେ ବିଚିତ୍ର ମୋହନ ନାମକ ଏକ ସୈନ୍ୟ ଥିଲା । ଏହି ସୈନିକ ଜଣକ ସବୁ ଯୁଦ୍ଧରେ ରାଜାଙ୍କ ସହିତ ରହି ଶତ୍ରୁପକ୍ଷ ବିପକ୍ଷରେ ଯୁଦ୍ଧ କରୁଥିଲା । ତେଣୁ ରାଜାଙ୍କର ସେ ଅତି ପ୍ରିୟ ସୈନିକ ଥିଲା । ସେହି ସମୟରେ ତୁର୍କସ୍ଥାନରେ ରାଜୁତି କରୁଥିଲେ ସୁଲତାନ ମୋଗସୁ । ସେ ସୁଲତାନ ଜଣକ ବିଷାକ୍ତ ବାରୁଦ ଯୁଦ୍ଧ ଦ୍ୱାରା ଶତ୍ରୁପକ୍ଷ ଉପରେ ବିଜୟ ଲାଭ କରୁଥିଲେ । ତାପରେ ସେହି ସୁଲତାନ ମୋଗସୁ ଓ ଉଗ୍ରସେନଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା ।
ଏହି ଯୁଦ୍ଧ ଦୁଇପାହାଡ ମଧ୍ୟରେ ଥିବା ଏକ ଶୁଖିଲା ନଦୀ ମଧ୍ୟରେ ହେଲା । ସେ ସୁଲତାନ ମୋଗସୁଙ୍କ ସୈନ୍ୟ ତ ବିଷାକ୍ତ ବାରୁଦ ଯୁଦ୍ଧରେ ପାରଙ୍ଗମ ଥିଲେ । ତେଣୁ ସେମାନଙ୍କର ସୈନ୍ୟମାନେ ନିଜ ନିଜ ଖଣ୍ଡା ତରବାରୀରେ ବିଷାକ୍ତ ବିଷାକ୍ତ ବାରୁଦ ଲଗାଇ ଯୁଦ୍ଧ କରୁଥାଆନ୍ତି । ବହୁତ ଦିନ ଧରି ଏ ଯୁଦ୍ଧ ଚାଲିଲା । ଦିନକୁ ଦିନ ରାଜା ଉଗ୍ରସେନଙ୍କ ସୈନ୍ୟସାମନ୍ତ ସବୁ କମିବାକୁ ଲାଗିଲେ । କାହିଁକିନା ସୁଲତାନ ମୋଗସୁଙ୍କ ଯୁଦ୍ଧ କଳା ତ ଆଉ ଏ ଉଗ୍ରସେନଙ୍କୁ ଜଣା ନଥିଲା । ଫଳରେ ପ୍ରତାପଗଡର ସୈନିକମାନେ କ୍ଷତାକ୍ତ ହୋଇ ଭୟଙ୍କର ରୋଗରେ ଜର୍ଜରିତ ହୋଇ ମରିବାକୁ ଲାଗିଲେ । ଏହି ବିଷାକ୍ତ ବାରୁଦ ଯୁଦ୍ଧ ଯୋଗୁଁ ରାଜା ଉଗ୍ରସେନ ମଧ୍ୟ ଯୁଦ୍ଧକ୍ଷେତ୍ରରେ ହାରିବାକୁ ଲାଗିଲେ । ଆଉ ପୁଣି ସେ ଉଗ୍ରସେନଙ୍କ ପ୍ରିୟ ସୈନିକ ବିଚିତ୍ରମୋହନ ମଧ୍ୟ ସେ ଯୁଦ୍ଧରେ କ୍ଷତାକ୍ତ ହୋଇଗଲା ।