ଏପରି ଚିନ୍ତା କରି ସେ ରାଜା ଯେମିତି ନିଜ ତରବାରୀ କାଢିଛନ୍ତି ଠିକ୍ ସେତିକିବେଳେ ତାଙ୍କ ପ୍ରିୟ ସୈନିକ ବିଚିତ୍ରମୋହନ ଆସି ସେଠାରେ ପହଁଚିଗଲା । ରାଜା ନିଜ ପ୍ରିୟ ସୈନିକର ସକୁଶଳ ଚେହେରା ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । କହିଲେ – ‘ଏ ବାରୁଦ ଯୁଦ୍ଧରେ ତୁମେ ତ ବହୁ କ୍ଷତାକ୍ତ ହୋଇଥିଲ; ମାତ୍ର ତୁମର କିଛି ବି କ୍ଷତି ହେଲାନି କାହିଁକି? ଓଲଟି ତୁମର ଶରୀର ପୂର୍ବଠାରୁ ବି ଆହୁରି ଅଧିକ ସୁନ୍ଦର ଓ ସତେଜ ଦେଖାଯାଉଛି କିପରି?’ ତହୁଁ ସେ ବିଚିତ୍ରମୋହନ କହିଲା – ହେ ରାଜନ୍, ଆପଣ ମୋ ସହିତ ଆସନ୍ତୁ । ଏହି ଜଙ୍ଗଲ ଆରମ୍ଭରେ ଏକ ଘର ଅଛି । ସେଠାରେ ଏକ ଅନ୍ଧବୁଢୀ ରହେ । ସେହି ବୁଢୀ ହିଁ ଏହି ରୋଗର ସଠିକ୍ ରୂପେ ଚିକିତ୍ସା ଜାଣିଛି । ରାଜା ଏକଥା ଶୁଣି କେବଳ ଅତ୍ୟନ୍ତ ଦୁଃଖରେ ହସିବାକୁ ଲାଗିଲେ ।
ରାଜା କହିଲେ – ମୋର ତ ମୃତ୍ୟୁ ସମୟ ଆସିଗଲା । ଏକଥା ଶୁଣି ବିଚିତ୍ରମୋହନ ପୁଣି କହିଲା – “ନା, ରାଜନ୍, ମୁଁ ଆଦୌ ଥଟ୍ଟା କରୁନି । ସେ ଅନ୍ଧବୁଢୀ ମୋ ମା’ । ତା’ର ଚିକିତ୍ସା ବଳରେ ହିଁ ମୁଁ ଭଲ ହୋଇଯାଇଛି । ଆପଣ ମୋ କଥାକୁ ଟିକେ ବିଶ୍ୱାସ କରନ୍ତୁ ।”
ଆଉ କିଛି ଉପାୟ ନପାଇ ଶେଷରେ ସେ ରାଜା ବିଚିତ୍ରମୋହନ ସହିତ ତା’ ଘରକୁ ଗଲେ । ତାପରେ ସେ ଅନ୍ଧବୁଢୀଟି ରାଜା ଉଗ୍ରସେନଙ୍କ ସବୁକଥା ଶୁଣିଲା । ତହୁଁ ସେଅନ୍ଧବୁଢୀ କହିଲା – ଏ ଚିକିତ୍ସା ନ ସରିବା ପର୍ଯ୍ୟନ୍ତ ରାଜା ଆଉ କୁଆଡେ ବି ଯିବେ ନାହିଁ । ଏମିତିକି କାହା ସହିତ କଥା ହେବେ ନାହିଁ କି ଖାଇବେ ବି ନାହିଁ । ଏପରି କଥା ଶୁଣି ରାଜା ଜାଣିପାରିଲେ ଯେ ଏଭଳି ମରିବା ଅପେକ୍ଷା ନଖାଇ ନପିଇ ମରିଗଲେ ବି ଆହୁରି ଭଲ ।
ତା’ ପରଦିନ ସକାଳୁ ଶୀଘ୍ର ଉଠି ଅନ୍ଧବୁଢୀ ତା’ର ଚିକିତ୍ସା ଆରମ୍ଭ କଲା । କହିଲା – ‘ହେ ରାଜା! ତୁମେ ଜାଣିଛ କି ଏ ସଂସାରରେ ସବୁଠୁ ବଡ ଔଷଧଗୁଡିକ କ’ଣ?’ ରାଜା ନିଜ ମୁଣ୍ଡ ହଲାଇ ମନା କଲେ । ତାପରେ ସେ ଅନ୍ଧବୁଢୀ କହିଲା – ମାଟି, ପାଣି ପବନ, ନିଆଁ ଓ ବୃକ୍ଷ – ଏସବୁ ଶ୍ରେଷ୍ଠ ଔଷଧ । କୌଣସି ରାଜବୈଦ୍ୟଙ୍କ ପାଖରେ ଏଭଳି ବିଷାକ୍ତ ବାରୁଦ ଦ୍ୱାରା ହଉଥିବା ରୋଗର ଚିକିତ୍ସା ଆଦୌ ନାହିଁ; ଯାହା କି କେବଳ ମୋ ପାଖରେ ହିଁ ଅଛି ।