ପ୍ରଥମେ ସେ ଅନ୍ଧବୁଢୀ କିଛି ପାଣି ଆଣିଲା । ସେହି ପାଣିରେ କିଛି ମାଟି ମିଶାଇ ଦେଲା । ମାଟି ସହିତ ପାଣି ମିଶିବାରୁ ତାହା କାଦୁଅ ହୋଇଗଲା । ସେହି କାଦୁଅ ମାଟିରେ କିଛି ଔଷଧ ବୃକ୍ଷର ପତ୍ର ଓ ରସ ମିଶାଇଲା ସେ ଅନ୍ଧବୁଢୀ । ଏବେ ସେହି ଔଷଧ କାଦୁଅ ମାଟିକୁ ଅନ୍ଧବୁଢୀଟି ସେ ରାଜାଙ୍କ ଦେହରେ ବୋଳି ଚାଲିଲା । ଏହିପରି ସେ ଅନ୍ଧବୁଢୀଟି ତିନିଦିନ ପର୍ଯ୍ୟନ୍ତ ରାଜାଙ୍କ ସମସ୍ତ ଶରୀରରେ ମାଟି ପାଣି ଔଷଧ ମିଶା କାଦୁଅ ବୋଳି ଚାଲିଲା । ପ୍ରାୟ ତିନିଦିନ ପରେ ରାଜାଙ୍କ ଶରୀରକୁ ପବନ ଓ ଖରାରେ ଶୁଖାଗଲା ।
ସେ ରାଜାଙ୍କ ଶରୀରରେ କାଦୁଅ ମିଶା ଔଷଧ ସମ୍ପୂର୍ଣ୍ଣ ରୂପେ ଶୁଖି ଯିବାପରେ ଅନ୍ଧବୁଢୀ ରାଜାଙ୍କୁ ଏକ ବନ୍ଦ କୋଠରୀ ମଧ୍ୟକୁ ନେଇଗଲା । ସେହି କୋଠରୀର ମାଟି ଉପରେ ସେ ଅନ୍ଧବୁଢୀ ଏକ ନିଆାଁର ଶେଯ ତିଆରି କଲା । ବିଭିନ୍ନ ପଶୁପକ୍ଷୀଙ୍କର ଚମଡା ଓ ହାଡ ପକାଇ ସେ ନିଆଁର ଶେଯ ତିଆରି କଲା ସେ ବୁଢୀ ।
ଏସବୁ ଦେଖି ରାଜା ଉଗ୍ରସେନ ଭାବିଲେ – ଏ ଅନ୍ଧବୁଢୀ ବୋଧେ ତାଙ୍କୁ ନିଶ୍ଚୟ ମାରିବ ବୋଲି ଏକ ଯୋଜନା କରିଛି । ମାତ୍ର କଷ୍ଟ ଯନ୍ତ୍ରଣା ପାଇ ମରିବା ଅପେକ୍ଷା ଏମିତି ପୋଡିହୋଇ ମରିଯିବା ବରଂ ଶହେଗୁଣ ଭଲ ।
ଏହାପରେ ସେ ଅନ୍ଧବୁଢୀ ରାଜାଙ୍କୁ ସେହି ନିଆଁ ଶେଯ ଉପରେ ଗଡାଇବାରେ ଲାଗିଲା । ନିଆଁରେ ସେ ରାଜାଙ୍କ ଶରୀର ଖାଲି ପୋଡିବାକୁ ଆରମ୍ଭ କଲା । ମାତ୍ର ଏ କ’ଣ! କିଛିକ୍ଷଣ ପରେ ରାଜା ଅନୁଭବ କଲେ ଯେ, ସେ ନିଆଁ ଶେଯ ଯେତେ ଅଧିକରୁ ଅଧିକ ଉତ୍ତପ୍ତ ହେଉଛି ତାଙ୍କୁ ବି ସେତେ ଅଧିକ ଥଣ୍ଡା ଲାଗୁଛି । ଏଭଳି ଦୁଇ ତିନି ଘଂଟା ବିତିଗଲା । ରାଜାଙ୍କ ଶରୀରର ସମସ୍ତ କାଦୁଅ ମିଶା ମାଟି ଜଳିଗଲା ଓ ଏବେ ସେ ରାଜାଙ୍କୁ ନିଆଁ ଶେଯରୁ ଉଠିଆସିବା ପାଇଁ ଅନ୍ଧବୁଢୀ କହିଲା ।