ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅନ୍ଧ ରାଇଜ

ଶୃଗାଳ ନନ୍ଦ -ଯାହା ମହାରାଜଙ୍କ ଇଚ୍ଛା ।

ରାଜା-ମୋର ଇଚ୍ଛା ନୁହଁ ଶୃଗାଳ ନନ୍ଦ । ଆପଣ ମୋ ରାଜ୍ୟର ଶାସନ ସମ୍ପର୍କରେ ଅବଗତ ହେଲେ ମୁଁ ବହୁତ ଖୁସି ହେବି । ଏଠି ବଡ ସାନର ପ୍ରଭେଦ ନାହିଁ । ସମାନତା ହଉଚି ମୋ ଶାସନର ମୁଳ ଲକ୍ଷ୍ୟ । ମୋର ପାରିଷଦମାନେ ! ଏଇଠି ଜରୁରୀକାଳୀନ ବୈଠକର ସମାପ୍ତି ହେଲା ।

ତା’ପରେ ଶୃଗାଳ ନନ୍ଦ ରାଜଧାନୀର ସବୁଠୁ ଭଲ ଅତିଥିଶାଳାରେ ବିଶ୍ରାମ ନବାକୁ ଉଦ୍ୟତ ହେଲେ । ଶୃଗାଳ ନନ୍ଦ ସେଠି ପହଁଚିଲା ବେଳକୁ ଯାହା ଦେଖିଲେ ସେଥିରେ ସେ ଶୃଗାଳ ନନ୍ଦ ପୁରାପୁରି ଆଶ୍ଚର୍ଯ୍ୟ ହୋଇଗଲେ ।

ଭୋଜନ କକ୍ଷ । ଭଳିକି ଭଳି ମାଂସଭଜା, ସୋମରସ । ଚାରି ଛ’ଜଣ ଅଳ୍ପ ବୟସ୍କା ତରୁଣୀ ଅଧା ଲଙ୍ଗଳା ପୋଷାକ ପିନ୍ଧି ତାଙ୍କୁ ସ୍ୱାଗତ କଲେ ।

ବିଶ୍ରାମ କକ୍ଷ ବୈଠକଖାନା । ସବୁଠି ଦାମୀ ପରଦା, କାନ୍ଥଗୁଡା ବୋଧହୁଏ ଅତରରେ ଭିଜାଇ ଦିଆଯାଇଥାଏ । ଏଣେ ବାଦ୍ୟକାରମାନେ ପ୍ରସ୍ତୁତ । ନର୍ତକୀ ଦୁଇଜଣ ମୁଦ୍ରାରେ ଅପେକ୍ଷାରତ ।  ଆଦେଶ ପାଇବା ମାତ୍ରକେ ଯେପରି ନୃତ୍ୟ ଆରମ୍ଭ କରିବେ ।

ସେ ଶୃଗାଳ ନନ୍ଦଙ୍କୁ କିନ୍ତୁ ଏସବୁ ବହୁତ ଖରାପ ଲାଗିଲା । ତେଣୁ ସେ ପ୍ରଥମେ ନୃତ୍ୟଶାଳାକୁ ଯାଇ ହାତଯୋଡି କହିଲେ- ମତେ କ୍ଷମା କରିବେ । ମୁଁ ନୃତ୍ୟ ଗୀତକୁ ଏତେଟା ପସନ୍ଦ କରେନା । ନୃତ୍ୟ ଗୀତକୁ ଉପଭୋଗ କରିବା ପାଇଁ ସ୍ୱତନ୍ତ୍ର ସମୟ ଥାଏ । ଆବଶ୍ୟକ ହେଲେ ମୁଁ ସ୍ମରଣ କରିବି । ଏଥର ଆପଣମାନେ ସ୍ୱଗୃହକୁ ଫେରି ଯାଇପାରନ୍ତି ।

ଶୃଗାଳ ନନ୍ଦ ତା’ପରେ ଭୋଜନଶାଳାକୁ ଗଲେ । ସେହି ଚାରିଜଣ ଅଧା ଲଙ୍ଗଳା ତରୁଣୀଙ୍କ ଉଦ୍ଧେଶ୍ୟରେ କହିଲେ-ଭଉଣୀମାନେ! ମୁଁ ସାକାହାରୀ, ଭଳିକିଭଳି ମାଂସ, ସୋମରସକୁ ମୁଁ ଘୃଣା କରେ । ଦୟାକରି ମତେ କିଛି ଗୋରସ ଦେଇ ପାରିବେ? ବେଶ୍, ମୋର ରାତ୍ରୀ ଭୋଜନ ହେଇଯିବ ।

ଏପରି କଥା ଶୁଣି ସେ ଚାରିଜଣଙ୍କ ମଧ୍ୟରୁ ଯିଏ ସବୁଠୁ ସୁନ୍ଦରୀ, ସବୁଠୁ ଲଙ୍ଗୁଳୀ, ଅଂଟା ହଲେଇ, ଆଖି ନଚେଇ କହିଲା- ଶୃଗାଳ ନନ୍ଦ! ଆପଣ ତ ଯୁବକ ଲୋକ, ଆଉ ଏସବୁ ଖାଦ୍ୟ ତ ଯୁବକର ।

ଶୃଗାଳ ନନ୍ଦ -ଏସବୁ ଖାଦ୍ୟ ଯୁବକର କି ବୃଦ୍ଧର ନୁହଁ ଏସବୁ ଖାଦ୍ୟ ରାକ୍ଷସର ।

ତରୁଣୀ-ଆପଣ ବିବାହିତ ନ ଅବିବାହିତ?

ଶୃଗାଳ ନନ୍ଦ -ଅବିବାହିତ…

ତରୁଣୀ-ଆମେ ଚାରିଜଣ କ’ଣ ଆପଣଙ୍କର ପସନ୍ଦ ନୁହଁ?

ଶୃଗାଳ ନନ୍ଦ -ବିବାହ କରିବାର ଗୋଟାଏ ନିର୍ଦ୍ଦିଷ୍ଟ ବୟସ ଥାଏ । ତା’ ବ୍ୟତୀତ ମୁଁ ଆସିଚି କିଛି ଗବେଷଣା କରିବାକୁ, ବିବାହ କରିବାକୁ ନୁହଁ । ଏଥର ଆପଣମାନେ ଯାଇପାରନ୍ତି । ଶୁଭରାତ୍ରୀ… ।

ତରୁଣୀ-ହଁ… ।

ଏତିକି କଥା ଶୁଣି ସେଠାରୁ ମୁହଁମୋଡି ଚାଲିଗଲେ ଚାରିଜଣ ଯୁବତୀ । ଆଉ ଗାଉଁଗାଉଁ କରି ଖାଇଗଲେ ମାଂସ ଭଜାକୁ । ଢକ୍ ଢକ୍ କରି ପିଇଗଲେ ସୋମରସ ।

ରାଜଦରବାର । ମହାରାଜ ଚିତାକଟା ସିଂହ ବଡ ଠାଣିରେ ବସିଥିଲେ ସିଂହାସନ ଉପରେ । ମନ୍ତ୍ରୀ ଚିକଣିଆ ତଥା ଅନ୍ୟାନ୍ୟ ପରିଷଦମାନେ ନିଜ ନିଜ ଆସନରେ ବସିଥିଲେ । ଶୃଗାଳ ନନ୍ଦଙ୍କୁ ବି ଏକ ସ୍ୱତନ୍ତ୍ର ଆସନ ଦିଆଯାଇଥିଲା ।

ଏହିପରି ସମୟରେ ମହାରାଜ ଚିତାକଟା ସିଂହ ନିଜ ନିଶରେ ହାତମାରି କହିଲେ-ମହାମନ୍ତ୍ରୀ… ।

ମହାମନ୍ତ୍ରୀ-ଆଦେଶ କରନ୍ତୁ ମଣିମା!

                ମହାରାଜ-ଆଜି କୌଣସି ମୋକଦ୍ଦମା ଅଛି କି?

ମହାମନ୍ତ୍ରୀ-ହଁ ମଣିମା… ।

ମହାରାଜ-ତେବେ ଦୋଷୀକୁ ମୋ ସମ୍ମୁଖରେ ହାଜର କରାଅ ।

ମହାମନ୍ତ୍ରୀ-କଟୁଆଳ…! ଚଟାପଟ୍ ହୁଁ…

କଟୁଆଳ-ମଣିମା ! ଆମ ରାଜ୍ୟର ନିୟମାନୁସାରେ ଜୀବହତ୍ୟା ମହାପାପ; କିନ୍ତୁ ଏ ଦୁଷ୍ଟାତ୍ମା ନିଜର ପାଳିତ କୁକୁରକୁ ହତ୍ୟା କରିଚି ।


ଗପ ସାରଣୀ

ତାଲିକାଭୁକ୍ତ ଗପ