ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅନ୍ଧ ରାଇଜ

ମହାରାଜ-ହତ୍ୟା କରିଚି! ମହାପାପ… । ମହାମନ୍ତ୍ରୀ ଏ ଅପରାଧୀକୁ ମୁଁ ଫାଶୀ ଦଣ୍ଡରେ ଦଣ୍ଡିତ କଲି । ନିର୍ଦ୍ଧେଶନାମାରେ ମୋର ମୋହର ବସିବା ପୂର୍ବରୁ ତାକୁ ତଥା ସେ ଅପରାଧୀକୁ ଥରେ ପଚାର, ତା’ର କ’ଣ କିଛି କହିବାର ଅଛି?

ଅପରାଧୀ-ହଁ ମହାରାଜ! ଅନ୍ନଦାତା ମୁଁ ନିର୍ଦୋଷ ।

ମହାରାଜ-କିପରି? ପ୍ରମାଣ କର ।

ଅପରାଧୀ-ମହାରାଜ! ଏ ରାଇଜର ଆଇନ୍ ଅନୁସାରେ ଚୋରକୁ ନ ମାରି ବରଂ ଚୋରର ମା’କୁ ମାରି ଦିଆଯାଏ । କାରଣ ସେ ଚୋରକୁ ଜନ୍ମ ଦେଲା କାହିଁକି?

ମହାରାଜ-ମୁଁ ଜାଣେ ଜାଣେ । ଆଇନ୍ ମୁଁ ତିଆରି କରିଚି । ମତେ କିଛି ଶିଖେଇବା ଦରକାର ନାହିଁ । ଆଉ କିଛି କହିବାର ଅଛି?

ଅପରାଧୀ-ମହାରାଜ! ଆଠଦିନ ପୂର୍ବରୁ ପ୍ରତ୍ୟେକ ରାତିରେ ହେଟା ବାଘମାନେ ଜୋର୍ରେ କାନ୍ଦୁଥିଲେ । ଆଉ ସେ ହେଟାବାଘଙ୍କ କାନ୍ଦ ଶୁଣି ମୋ କୁକୁର ଖାଲି ଭୁକେ । ମଣିମା, ଭୁକିଭୁକି ଶେଷକୁ ତା’ର ମୁଣ୍ଡ ଘୂରେଇ ଦେଲା । ଶେଷକୁ ଜିଭ କାମୁଡି ଶୋଇଗଲା ତ ଆଉ ଉଠିଲାନି । ମହାରାଜ, ଅସଲ ଅପରାଧୀ ମୁଁ ନୁହେଁ, ବରଂ ସେଇ ହେଟାବାଘଗୁଡା ।

ବି.ଦ୍ର. – ହେଟାବାଘମାନେ ଦିନରେ ବାହାରକୁ ବାହାରନ୍ତି ନାହିଁ କେବଳ ରାତିରେ ହିଁ ବାହାରନ୍ତି । ମଣିଷମାନଙ୍କୁ ଦେଖିଲେ ଏମାନେ ଏମାନେ ଲୁଚନ୍ତି । ଏଠାରେ ହେଟାବାଘମାନେ କୌଣସି ଏକ ସଂପ୍ରଦାୟର ଲୋକ । ଏମାନଙ୍କର ସତ୍ସାହସ ନଥାଏ । ଏମାନେ ରାତିରେ ବୁଲନ୍ତି, ଦିନରେ ଶୁଅନ୍ତି । ତେଣୁ ମହାରାଜ ଏମାନଙ୍କୁ ହେଟାବାଘ ବୋଲି କହିଥାନ୍ତି ।

ମହାରାଜ-ଠିକ୍… । ହେଟାବାଘମାନେ ରାତିରେ କାନ୍ଦୁଛନ୍ତି । ମୋ ରାଜ୍ୟରେ ହେଟାବାଘମାନେ କାନ୍ଦୁଛନ୍ତି! ମହାମନ୍ତ୍ରୀ! ଅନୁସନ୍ଧାନ କରନ୍ତୁ- ସେମାନେ ରାତିରେ କାହିଁକି କାନ୍ଦୁଛନ୍ତି? କାରଣ କ’ଣ ତୁରନ୍ତ ପେଶ୍ କରନ୍ତୁ । ଆଜି ଏତିକିରେ ସଭାକାର୍ଯ୍ୟକୁ ଭଙ୍ଗ କରାଗଲା ।

ଏକଥା ଶୁଣି ସେ ମହାମନ୍ତ୍ରୀ ବଡ ଅଡୁଆରେ ପଡିଗଲେ । କାହିଁକିନା ହେଟାବାଘମାନଙ୍କୁ ଯାହା ପଚାରିଲେ ବି କୌଣସି ଉତ୍ତର ମିଳିବନି । ତେଣୁ ସେ ମହାମନ୍ତ୍ରୀ  ଏ ଦାୟିତ୍ୱ କଟୁଆଳଙ୍କୁ ଦେଇଦବାକୁ ସ୍ଥିରକଲେ ।

କଟୁଆଳ-ମତେ ସ୍ମରଣକଲ ମହାମନ୍ତ୍ରୀ?

ମହାମନ୍ତ୍ରୀ-ହେଟାବାଘମାନେ ରାତିରେ କାହିଁକି କାନ୍ଦୁଛନ୍ତି? ଏହାର କାରଣ କ’ଣ? ଦୁଇଦିନ ମଧ୍ୟରେ ଏହାର ସନ୍ତୋଷଜନକ କୈଫତ୍ ମୁଁ ଚାହେଁ ।

ଏତକ ଶୁଣି ହଠାତ୍ ଚମକି ଉଠିଲେ କଟୁଆଳ ଭଡଭଡିଆ ବଇରୀଗଞ୍ଜନ । ହେଟାବାଘଗୁଡା କାହିଁକି କାନ୍ଦୁଛନ୍ତି? ଏକଥା କିଏ ବା କହିବ?

ହେ ପ୍ରଭୁ! ଏ ବିପଦରୁ ମତେ ଉଦ୍ଧାରକର ପ୍ରଭୁ । ମା’ଲୋ ବୀରଖମ୍ବା ମା’ ମୋତେ ପାରଉତାର କରିଦେ’ ଲୋ ମା’… । ତୋ ପାଖରେ ଗୋଟାଏ କଳାଗଞ୍ଜା ବଳୀଦେବି ଲୋ ମା’… । ଦୟାକରି ଟିକେ… ।

ଏ ମହାମନ୍ତ୍ରୀଟା ଗୋଟିଏ ଚୋଠା । ହଇ ହୋ ମହାରାଜ ତୁମକୁ ଆଦେଶ ଦେଲେ, ତୁମେ ତ ଥରକପାଇଁ ଚିନ୍ତା କରିବ । ଚିକେଣେଇ କରି ଅଠାଟା ମୋ ମୁଣ୍ଡ ଉପରକୁ ଖସେଇ ଦେଲ ଖୁବ୍ ସୁନ୍ଦରଭାବେ, ଚମତ୍କାର ଠାଣିରେ । ନା, ଯେମିତି ହଉ ଏହାକୁ ମତେ ଅନ୍ୟ ମୁଣ୍ଡକୁ ଖସେଇବାକୁ ହିଁ ପଡିବ ।

ଆଗରେ ଅତିଥିଶାଳା । ସେତେବେଳେ ଶୃଗାଳ ନନ୍ଦ ଅଳସ ଭାଙ୍ଗୁଥିଲେ । ସେ ଅଚାନକ ଭାବେ କଟୁଆଳଙ୍କୁ ଦେଖି କହିଲେ-ଆସନ୍ତୁ କଟୁଆଳ ଆଜ୍ଞା! କିଛି ସମୟ ବସି ମିଠାଗପ କରିବା, ଦୁଃଖସୁଖ ବି ହବା ।

କଟୁଆଳ-ହୁଁ… । ଶୃଗାଳ ନନ୍ଦଙ୍କ ମୁଣ୍ଡକୁ ଅଠା ଖସେଇଲେ ଖୁବ୍ ଭଲହେବ । ଆଚ୍ଛା ଶୃଗାଳ ନନ୍ଦଜୀ ଆପଣ କହନ୍ତୁ, ଆପଣ କାହାର ଆଦେଶରେ ଆମ ରାଜ୍ୟରେ ପ୍ରବେଶ କରିଛନ୍ତି?

ଶୃଗାଳ ନନ୍ଦ -ମହାରାଜାଙ୍କ ଆଦେଶରେ ।

କଟୁଆଳ-କିନ୍ତୁ ଆପଣ ପ୍ରଥମେ ମୋ’ଠାରୁ ଆଦେଶ ନେବା କଥା, ଆପଣ ନେଲେନି କାହିଁକି?

ଶୃଗାଳ ନନ୍ଦ -ଯେଉଁଠି ସ୍ୱୟଂ ମହାରାଜାଙ୍କ ନିମନ୍ତ୍ରଣ କ୍ରମେ ମତେ ଆସିବାକୁ ହେଲା, ସେଠି ଏ କଟୁଆଳଙ୍କଠାରୁ ଆଦେଶ ନେବାର ତ କୌଣସି ପ୍ରଶ୍ନ ହିଁ ଉଠୁନି । ଏଥିରେ ଆପଣଙ୍କର ଆପତ୍ତି କରିବା ବି ଆଦୌ ଉଚିତ୍ ନୁହେଁ ।

କଟୁଆଳ-ଚୁପ୍ କରନ୍ତୁ ଶୃଗାଳ ନନ୍ଦ… । ମୋ’ଠୁ ଆଦେଶ ନ ପାଇ ଆପଣ ରାଜ୍ୟରେ ପ୍ରବେଶ କରିଛନ୍ତି, ଏହା ଏ ରାଜ୍ୟର ନିୟମ ଆଇନ୍ ବାହାରେ । ଏହି ବେନିୟମ ପାଇଁ ଆମ ରାଜ୍ୟରେ ରାତିରେ ହେଟାବାଘମାନେ କାନ୍ଦୁଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ