ଶୃଗାଳ ନନ୍ଦ -ହେଟାବାଘମାନେ କାହିଁକି କାନ୍ଦୁଛନ୍ତି? ସେମାନଙ୍କୁ ପଚାରିବା କଥା । ମୋ ପାଇଁ ସେମାନେ କାହିଁକି କାନ୍ଦିବେ?
କଟୁଆଳ-ସିପାହୀ, ଏ ଶୃଗାଳ ନନ୍ଦଙ୍କୁ ଯଥାଶୀଘ୍ର ବନ୍ଦୀକର । ହୁଁ…ଆଗରୁ ତ କାହିଁ କେବେ, ମାନେ ମୋ କାନ ଉଠିବା ଦିନରୁ ମୁଁ ଶୁଣି ନ ଥିଲି ହେଟାବାଘମାନେ ରାତିରେ କାନ୍ଦିବାର! ଏ ଶୃଗାଳ ନନ୍ଦ ଯୋଉଦିନୁ ଆମ ରାଜ୍ୟରେ ପାଦ ଦେଲେ, ଠିକ୍ ସେଇଦିନ ରାତିରେ ହେଟାବାଘମାନେ ଖୁବ୍ କାନ୍ଦିଛନ୍ତି ।
ରାତିସାରା ଶୃଗାଳ ନନ୍ଦଜୀ କଏଦୀଖାନାରେ ରହି ମଶା ମାରିଲେ ଯାଇ ଠିକ୍ ହେବ ।
ଶୃଗାଳ ନନ୍ଦ -ହେ ପ୍ରଭୁ! ଏ କି ରାଜ୍ୟ! ଏଠି ବେଶିଦିନ ରହିଲେ ମଣିଷ ନିଶ୍ଚୟ ସମ୍ପୂର୍ଣ୍ଣ ରୂପେ ପାଗଳ ହେଇଯିବ । ନା, ମତେ ଗଭୀରଭାବେ ଚିନ୍ତା କରିବାକୁ ହବ ଏବଂ ଏ ମୁର୍ଖ ରାଜାଙ୍କୁ ଉଚିତ୍ ଶାସ୍ତୀ ଦବାକୁ ପଡିବ ।
ତା’ପରଦିନ ରାଜସଭାରେ ଶୃଗାଳ ନନ୍ଦଙ୍କୁ ହାଜିର୍ କରାଗଲା । ରାଜା ସେ ଶୃଗାଳ ନନ୍ଦଙ୍କୁ ଖାଲି କଟମଟକରି ଚାହିଁଲେ । ସେତେବେଳେ ଶୃଗାଳ ନନ୍ଦଙ୍କ ହାତରେ ହାତକଡା, ଆଉ ତାଙ୍କ ମୁହଁ ଶୁଖି କଳାକାଠ ପଡି ଯାଇଥାଏ ।
ମହାରାଜ-କ’ଣ ହେଇଚି ମହାମନ୍ତ୍ରୀ? ଶୃଗାଳ ନନ୍ଦଙ୍କ ହାତରେ କ’ଣ ହାତକଡି?
ଏକଥା ଶୁଣି ମହାମନ୍ତ୍ରୀ କଟୁଆଳଙ୍କ ଆଡକୁ ଚାହିଁଲେ । କଟୁଆଳ ତେଲିଆ ଢଙ୍ଗରେ କହିଲେ-ମହାରାଜ! ଆଦେଶ ଅନୁସାରେ ମୁଁ ସଂଧାନ କରୁଥିଲି, ହେଟାବାଘମାନେ ସବୁ ସମୟରେ କାନ୍ଦନ୍ତିନି ମଣିମା । ରାଜ୍ୟରେ କିଛି ଅମଙ୍ଗଳର ସୂଚନା ପାଇଲେ ହିଁ ଏମାନେ ରାତିରେ କାନ୍ଦନ୍ତି ।
ମହାରାଜ-ଅମଙ୍ଗଳ ! କି ଅମଙ୍ଗଳ? କାହା ପାଇଁ ଏ ଅମଙ୍ଗଳ?
କଟୁଆଳ-ଏ ପରଦେଶୀ ଶୃଗାଳ ନନ୍ଦ ଆସିବା ଦିନୁ ହିଁ ହେଟାବାଘମାନେ କାନ୍ଦୁଛନ୍ତି । ସୁତରାଂ ଶୃଗାଳ ନନ୍ଦ ଆମ ରାଜ୍ୟ ପାଇଁ ଅମଙ୍ଗଳ ।
ମହାରାଜ-ମହାମନ୍ତ୍ରୀ…!
ମହାମନ୍ତ୍ରୀ-ଆଦେଶ କରନ୍ତୁ ମଣିମା… ।
ମହାରାଜ-ଏ ପରଦେଶୀ ଶୃଗାଳ ନନ୍ଦଙ୍କୁ ମୁଁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲି ।
ଶୃଗାଳ ନନ୍ଦ -ଏହା ସତ୍ୟ ନୁହଁ ମହାରାଜ, ଏହା ସତ୍ୟ ନୁହଁ । ମୁଁ ନିର୍ଦୋଷ… । ମୁଁ ତ କେବଳ ଆପଣଙ୍କ ରାଜ୍ୟର ଅତିଥି ।
ମହାରାଜ-ସେ ସବୁକୁ ମୁଁ କିଛି ବୁଝେନା । ମୋର ବିଚାର ଅତି କଠୋର । ସେ ଯେ କେହି ବି ହଉନା କାହିଁକି ଦୋଷୀ ନିଶ୍ଚୟ ଦଣ୍ଡ ପାଇବ । ଏଥିପାଇଁ ମୁଁ ସାମାନ୍ୟତମ ଦୟା ବି କରିବିନି । ତୁମେ ଏଥର ଫାଶୀ ପାଇବ ଶୃଗାଳ ନନ୍ଦ । ପରଦେଶୀ ବୋଲି ମୁଁ ତୁମକୁ ଦୁଇଦିନ ସମୟ ଦେଲି । ଏଇ ଦୁଇଦିନରେ ଯଦି ତୁମେ ନିଜକୁ ନିର୍ଦୋଷ ବୋଲି ପ୍ରମାଣିତ କରିପାରିବ, ତେବେ ଦଣ୍ଡାଦେଶ କେତେ କୋହଳ ହବ, ତାହା ମୋ ବିଚାର ଉପରେ ନିର୍ଭର କରେ ।
ଶୃଗାଳ ନନ୍ଦ -ଆଦେଶ ଶିରୋଧାର୍ଯ୍ୟ ମଣିମା । ଦୁଇଦିନ ମଧ୍ୟରେ ମୁଁ ହେଟାବାଘମାନଙ୍କ ସହିତ ସଂପର୍କ ସ୍ଥାପନକରି ଶ୍ରୀଛାମୁରେ ଜଣାଇବି ସେମାନେ କାହିଁକି କାନ୍ଦୁଥିଲେ?
ମହାରାଜ-ଠିକ୍ କଥା । ମୁଁ ବି ପ୍ରକୃତ ସତ୍ୟ ଜାଣିବାକୁ ଚାହେଁ । ଏବେ ତୁମେ ମୁକ୍ତ । କିନ୍ତୁ ରାଜ୍ୟ ଛାଡି ଚାଲିଯିବାକୁ ଚେଷ୍ଟାକଲେ ପରିଣତି ଖୁବ୍ ଭୟାବହ ହବ । ଯାଅ ଶୃଗାଳ ନନ୍ଦ, ହେଟାବାଘମାନଙ୍କ ସହିତ କଥାବାର୍ତ୍ତା କରି ଫେରିଆସ ।
ଏତକ ଶୁଣି ସେ ଶୃଗାଳ ନନ୍ଦଙ୍କ ପିଣ୍ଡରେ ଟିକେ ପ୍ରାଣ ପଶିଲା । ହେ ଈଶ୍ୱର, ମଣିଷ ବଂଚିଗଲା । ତା’ପରେ ଅତିଥିଶାଳାରେ ସେ ଶୃଗାଳ ନନ୍ଦ ଚୁପ୍ଚାପ୍ ବସି ଚିନ୍ତାକଲେ-କ’ଣ କହିଲେ ରାଜା ବିଶ୍ୱାସ କରିବେ ତଥା ତାଙ୍କୁ ସବୁଦିନ ପାଇଁ ମୁକ୍ତି ମିଳିବ ।
ଦୁଇଦିନ ପରେ ସିପାହୀ ଆସି ଶୃଗାଳ ନନ୍ଦଙ୍କୁ ଜଣାଇଲା ଦରବାର ସମୟ ହୋଇଯିବା ଉପରେ । ମଣିମାଙ୍କ ହୁକୁମ୍ ଦରବାରରେ ହାଜିର୍ ହବାପାଇଁ ।
ଶୃଗାଳ ନନ୍ଦ -ଚାଲ ଭାଇ ମୁଁ ପ୍ରସ୍ତୁତ ।
ରାଜଦରବାର । ମହାରାଜ ଚିତାକଟା ସିଂହ ସମେତ ସମସ୍ତ ଦରବାରୀ ଖୁବ୍ ଗମ୍ଭୀର ଭାବରେ ବସିଥିଲେ । କାରଣ ଶୃଗାଳ ନନ୍ଦ ନିର୍ଦୋଷ ବୋଲି ଉପଯୁକ୍ତ ପ୍ରମାଣ ଦେଇ ନ ପାରିଲେ ଫାଶୀ ଦଣ୍ଡରେ ଦଣ୍ଡିତ ହେବେ । ଶୃଗାଳ ନନ୍ଦଙ୍କୁ ଦେଖି ମହାରାଜ ଚିତାକଟା ସିଂହ କହିଲେ-କ’ଣ ଶୃଗାଳ ନନ୍ଦ ସନ୍ଧାନ ମିଳିଲା? ହେଟାବାଘମାନେ କାହିଁକି କାନ୍ଦୁଥିଲେ?
ଶୃଗାଳ ନନ୍ଦ -ହଁ ମଣିମା ! ଗତକାଲି ରାତିରେ ହେଟାବାଘମାନଙ୍କର ଗୋଟାଏ ସଭା ବସିଥିଲା । ସେତେବେଳେ ସେମାନେ ସଭାରେ ଖୁବ୍ ଜୋର୍ରେ କାନ୍ଦୁଥିଲେ ।
ମହାରାଜ-ତା’ପରେ?
ଶୃଗାଳ ନନ୍ଦ -ମୁଁ ସେମାନଙ୍କୁ କାନ୍ଦିବାର କାରଣ ପଚାରିଲି ।
ମହାରାଜ-କ’ଣ ସେମାନେ କହିଲେ?
ଶୃଗାଳ ନନ୍ଦ -ସେମାନଙ୍କ ସର୍ଦ୍ଦାର କହିଲା କି, ଥଣ୍ଡା ସର୍ଦ୍ଦି ଯୋଗୁଂ ସେମାନେ ରାତିରେ ମୋଟେ ଶୋଇପାରୁ ନାହାନ୍ତି, ତେଣୁ କାନ୍ଦୁଛନ୍ତି ।
ମହାରାଜ-ମହାମନ୍ତ୍ରୀ ! ଏହା କ’ଣ ସତ୍ୟ? ମୋ ରାଜ୍ୟରେ ଥଣ୍ଡା ସର୍ଦ୍ଦିପାଇଁ ହେଟାବାଘମାନେ କାନ୍ଦୁଛନ୍ତି?
ମହାମନ୍ତ୍ରୀ-ଏହା ସମ୍ଭବ ମହାରାଜ… ଏହା ସତ୍ୟ… ।
ମହାରାଜ- ଶୃଗାଳ ନନ୍ଦ, ଏହି ସମସ୍ୟାପାଇଁ ସେମାନେ କାହାକୁ ଦୋଷୀ ବୋଲି ସାବ୍ୟସ୍ତ କରୁଛନ୍ତି?
ଶୃଗାଳ ନନ୍ଦ -ହେଟାବାଘଙ୍କ ନେତାଙ୍କର କହିବାନୁଯାୟୀ ମହାମନ୍ତ୍ରୀ ଓ କଟୁଆଳ ଦାୟୀ ।
ମହାରାଜ-କିପରି?
ଶୃଗାଳ ନନ୍ଦ -ପ୍ରଜାମାନଙ୍କ ଦୁଃଖସୁଖ ସମ୍ପର୍କରେ ଏ ଦୁହେଁ ତ ମଣିମାଙ୍କୁ ଅବଗତ କରାଇବା କଥା । ମାତ୍ର ଏମାନେ ତାଙ୍କର ଦାୟିତ୍ୱରେ ଖିଲାପ୍ କରିଛନ୍ତି । ତେଣୁ ମହାରାଜ ଜାଣିପାରି ନାହାଁନ୍ତି ।