ମହାରାଜ-ସତ୍ୟ…ଅବସ୍ୟ ସତ୍ୟ । ମୁଁ ବୁଝିଲି, ଶୁଣ ସଭାସଦ୍ଗଣ । ମୋ ରାଜ୍ୟରେ ହେଟାବାଘମାନେ ଥଣ୍ଡା ସର୍ଦ୍ଦିରେ ଛଟପଟ ହଉଛନ୍ତି, ଅଥଚ ତୁମେ ଦୁହେଁ ଆରାମରେ ରହି ପାଉଁରୁଟି ଭଳି ଫୁଲିବାରେ ଲାଗିଚ? ଶୃଗାଳ ନନ୍ଦ ନ ଥିଲେ, ଏହା ମୋର ଅଗୋଚରେ ରହିଯାଇଥାନ୍ତା । ଏଣୁ ମନ୍ତ୍ରୀ ଓ କଟୁଆଳ ଦୁହିଁଙ୍କୁ ମୁଁ ପାଚବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲି । ସିପାହୀ…?
ସିପାହୀ-ଆଦେଶ କରନ୍ତୁ ମଣିମା !
ମହାରାଜ-ଏ ଦୁଇଟାଙ୍କୁ ନେଇ କଏଦୀଖାନାରେ ଛାଡିଦିଅ । ହଁ ମନେରଖ, ଦିନକୁ ଥରେ ମାତ୍ର ସେମାନଙ୍କୁ ଖାଇବାକୁ ଦିଆଯିବ । ଆଉ ଆଜିଠାରୁ ଶୃଗାଳ ନନ୍ଦ ହିଁ ମୋ ରାଜ୍ୟର ମହାମନ୍ତ୍ରୀ ରୂପେ ନିଯୁକ୍ତି ପାଇଲେ । ଏହିଠାରୁ ସଭା ଭଙ୍ଗ କରାଗଲା ।
ଯାହାହେଉ ଶୃଗାଳ ନନ୍ଦଜୀଙ୍କ ବୁଦ୍ଧିଟା ଠିକ୍ ଖାପ ଖାଇଚି । ଏଥର ଶୃଗାଳ ନନ୍ଦଜୀ ଚିନ୍ତାକଲେ, ଚତୁରତାର ସହିତ କାମ ନ କଲେ ଏ ମୁର୍ଖ ରାଜା କେଉଁଦିନ ତାଙ୍କୁ ବି ଫାଶୀ ଖୁଂଟରେ ଝୁଲେଇଦବ, ତା’ର କିଛିବି ଠିକ୍ ଠିକଣା ନାହିଁ । ତା’ପରେ ସେ କଏଦୀଖାନା ଆଡକୁ ମୁହାଁଇଲେ ।
ସେତେବେଳେ କଏଦୀଖାନାରେ ମହାମନ୍ତ୍ରୀ ଓ କଟୁଆଳ ଛଟପଟ ହଉଥିଲେ, ସେମାନେ ଶୃଗାଳ ନନ୍ଦଙ୍କ ବୁଦ୍ଧିକୁ ଖାଲି ତାରିଫ୍ କରୁଥିଲେ ଓ ନିଜ ଭାଗ୍ୟକୁ ନିନ୍ଦୁଥିଲେ । ଶୃଗାଳ ନନ୍ଦଙ୍କୁ ଦେଖି ମହାମନ୍ତ୍ରୀ କହିଲେ- ଶୃଗାଳ ନନ୍ଦଜୀ ମୋତେ ବଂଚେଇ ଦିଅନ୍ତୁ । ମୁଁ ଆପଣଙ୍କ ପାଦତଳେ ପଡୁଚି । ମୋତେ ଏଇ ଥରକ ପାଇଁ ବଂଚେଇ ଦିଅନ୍ତୁ ।
କଟୁଆଳ- ଶୃଗାଳ ନନ୍ଦ, ମୋ ସଂସାର ଭାସିଯିବ । ଦୟା କରନ୍ତୁ ଶୃଗାଳ ନନ୍ଦଜୀ! ଈଶ୍ୱର ସାଜି ମୋତେ ରକ୍ଷା କରନ୍ତୁ । ନ ହେଲେ ମୋ ପିଲାଛୁଆ ଭାସିଯିବେ ।
ଶୃଗାଳ ନନ୍ଦ -ତୁମ ଦି’ଜଣଙ୍କୁ ରକ୍ଷାକରିବା ମାନେ ମହାପାପ ଅର୍ଜ୍ଜିବା, ତୁମେ ଦି’ଜଣ ମୁର୍ଖ, ଅନେକ ନିର୍ଦୋଷ ପ୍ରଜାଙ୍କୁ ଫାଶୀ ଖୁଂଟରେ ଝୁଲେଇଚ । ଏବେ ତା’ର ପରିଣାମ ଭୋଗକର ।
ମହାମନ୍ତ୍ରୀ-ଭାଇ ! ଏତେ ଗୁହାରୀ କଲୁ, ତଥାପି ବି ଆପଣଙ୍କ ହୃଦୟ ତରଳୁନି? ଶପଥ କରୁଚି, ଆପଣ ଯାହା କହିବେ ମୁଁ ତାହା ହିଁ କରିବି । ପିଲାଛୁଆଙ୍କ ରାଣ, ଏମିତି ଭୁଲ୍ ମୁଁ ଆଉ କେବେବି କରିବିନି ।
ଶୃଗାଳ ନନ୍ଦ -ଠିକ୍ ଅଛି । ତୁମେ ଦି’ଜଣ ଆଜି ରାତିଟା ଏଇଠି କଟାଅ । ମୁଁ ରାତିରେ ଚିନ୍ତାକରି ନିଶ୍ଚୟ ଗୋଟାଏ ଉପାୟ ବାହାର କରିବି । କିନ୍ତୁ ମନେରଖ, ଭବିଷ୍ୟତରେ ଯଦି କୌଣସି ନିର୍ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଇବ, ତେବେ ମୁଁ ପୁଣି ତମ ଦି’ଜଣଙ୍କ ପାଇଁ ଫାଶୀର ବ୍ୟବସ୍ଥା କରିବି ।
ମହାମନ୍ତ୍ରୀ-ମୁଁ ବଚନ ଦଉଚି ଶୃଗାଳ ନନ୍ଦଜୀ… ।
କଟୁଆଳ-ମୁଁ ଈଶ୍ୱରଙ୍କ ନାମରେ ଶପଥ କରୁଚି ।
ତା’ପରଦିନ ଦରବାର ଆରମ୍ଭ ହେଲା । ମନ୍ତ୍ରୀ ଶୃଗାଳ ନନ୍ଦଙ୍କ ନିର୍ଦ୍ଧେଶରେ ପୂର୍ବତ୍ତନ ମହାମନ୍ତ୍ରୀ ଓ କଟୁଆଳକୁ ସେଠାରେ ହାଜର କରାଗଲା । ମହାରାଜା ଚିତାକଟା ସିଂହ ସେ ଦୁହିଁଙ୍କୁ ଦେଖି ହଠାତ୍ ଚିତ୍କାର କରି ଉଠିଲେ-ଏ ଦି’ଟାଙ୍କୁ ଏପର୍ଯ୍ୟନ୍ତ ଫାଶୀ ଦିଆଯାଇ ନାହିଁ କାହିଁକି?
ଶୃଗାଳ ନନ୍ଦ -ମହାରାଜ ! ଗତକାଲି ରାତିରେ ମୁଁ ହେଟାବାଘମାନଙ୍କ ସଭାକୁ ଯାଇ ବୁଝିବାକୁ ଚେଷ୍ଟାକଲି ଯେ; ସେମାନେ ମହାରାଜଙ୍କ ବିଚାରରେ ସନ୍ତୁଷ୍ଟ ହେଇ ତାଙ୍କର ଜୟଜୟକାର କରୁଛନ୍ତି କି ନାହିଁ?
ମହାରାଜ-ବାଃ…ଚମତ୍କାର… । ମନ୍ତ୍ରୀ ତୁମେ ବଡ ଚତୁର । ବହୁତ ଖୁସି ହେଲି ଯେ ସେମାନେ ମୋ ବିଚାରରେ ସନ୍ତୁଷ୍ଟ । ସେମାନେ ମୋର ଜୟଜୟକାର କରୁଛନ୍ତି ତ?
ତା’ପରେ ମହାରାଜଙ୍କ କାନ ପାଖରେ ମନ୍ତ୍ରୀ ଚୁପ୍ଚାପ୍ ଯାଇ କହିଲେ, ମହାରାଜ ! ସେମାନେ ଆପଣଙ୍କୁ ଖାଲି ଗାଳିଗୁଲଜ କରୁଛନ୍ତି । ଛାତିରେ ହାତ ପିଟି କେବଳ ଆପଣଙ୍କ ମୃତ୍ୟୁ ପାଇଁ ଅଭିଶାପ ଦଉଛନ୍ତି ।
ମହାରାଜ-କାହିଁକି, ମନ୍ତ୍ରୀ କାହିଁକି?
ମନ୍ତ୍ରୀ-ସେମାନଙ୍କର ନେତା କହିବା ଅନୁଯାୟୀ, ଆମ୍ଭେମାନେ ବସବାସ କରୁଥିବା ଅଂଚଳରେ ପାଣି ନିଷ୍କାସନ ପାଇଁ ନାଳୀର ସୁବିଧା ନାହିଁ । ପିଇବା ପାଣିର ବି କୌଣସି ସୁବିଧା ନାହିଁ । ଆମ ଅଂଚଳକୁ ବୈଦ୍ୟମାନେ ମୋଟେ ଆସୁ ନାହାଁନ୍ତି । ଏତେସବୁ ଅସୁବିଧା ଭିତରେ ଆମ୍ଭେମାନେ ଥଣ୍ଡାଜର, ଝାଡାବାନ୍ତି ଇତ୍ୟାଦି ରୋଗରେ ଘାଂଟି ହଉଚୁ । ସେଥିପାଇଁ ଦାୟୀ କେବଳ ମହାରାଜ । ମନ୍ତ୍ରୀ କି କଟୁଆଳ ନୁହଁନ୍ତି ।
ମହାରାଜ-ଏ କଥା ତ ତୁମେ ମୋତେ ଅନେକ ଆଗରୁ ବି କହି ପାରିଥାନ୍ତ? ମୁଁ ଏତେ ଗାଳି ଖାଇଲି କାହିଁକି? ଏଣୁ ତୁମକୁ ମହାମନ୍ତ୍ରୀ ପଦରୁ ହଟେଇ ଦିଆଗଲା ।
ମନ୍ତ୍ରୀ-ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ ମଣିମା ।
ଏଥୁଅନ୍ତେ ମହାରାଜା ଚିତାକଟା ସିଂହ ଏକ ନୂଆ ଆଦେଶ ଦେଲେ । ମହାମନ୍ତ୍ରୀ ତଥା କଟୁଆଳ ଥଣ୍ଡାଜ୍ୱର, ଝାଡା ନ ହେବାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଯାହା ମୁଦ୍ରା ଖର୍ଚ୍ଚ ହବ ତା’ ତୁରନ୍ତ କରାଯାଉ । ହଁ, ତାପରେ ସେମାନଙ୍କଠାରୁ ଲିଖିତଭାବେ ଆଣିବାକୁ ହବ ଯେ, ସେମାନେ ଭବିଷ୍ୟତରେ ମତେ ଯେପରି ଗାଳି ନ ଦିଅନ୍ତି ।
ଏଣେ ମହାମନ୍ତ୍ରୀ ଓ କଟୁଆଳ ଚିନ୍ତାକଲେ, ଶୃଗାଳ ନନ୍ଦଙ୍କ ପାଇଁ ତ ଆମ୍ଭେ ଦି’ଜଣ ନୂଆ ଜୀବନ ଫେରି ପାଇଚେ । ତେଣୁ ଆମର ତ ପୁଣି ତାଙ୍କ ପ୍ରତି କିଛିଟା କର୍ତ୍ତବ୍ୟ ଅଛି ।
କଟୁଆଳ-କଣ କରିବାକୁ ହବ କୁହନ୍ତୁ ମହାମନ୍ତ୍ରୀ ।
ମହାମନ୍ତ୍ରୀ- ଶୃଗାଳ ନନ୍ଦ ତ ବହୁତ ଚତୁର । ଯଦି ତାଙ୍କୁ ମନ୍ତ୍ରୀ ପଦରେ ରଖା ନ ଯାଏ, ତେବେ ସେ କେତେବେଳେ କିପ୍ରକାର ବିପଦ ସୃଷ୍ଟି କରିବେ, ତାହା କହିବା ଅତ୍ୟନ୍ତ କଷ୍ଟକର ହବ । ତେଣୁ ମହାରାଜଙ୍କୁ କହି ତାଙ୍କପାଇଁ ଗୋଟାଏ ସ୍ୱତନ୍ତ୍ର ମନ୍ତ୍ରୀପଦ ସୃଷ୍ଟି କରିବାକୁ ହବ ।
କଟୁଆଳ-ଠିକ୍ କହିଛନ୍ତି ମହାମନ୍ତ୍ରୀ… । ଏହି ମୁହୂର୍ତ୍ତରେ ଯାଇ ମହାରାଜାଙ୍କ ପରାମର୍ଶ ନିଅନ୍ତୁ ଏବଂ ସ୍ୱତନ୍ତ୍ର ମନ୍ତ୍ରୀପଦଟିଏ ସୃଷ୍ଟି କରାନ୍ତୁ ।
ମହାମନ୍ତ୍ରୀ-ଠିକ୍ ଅଛି, ତାହେଲେ ମୁଁ ଚାଲିଲି ।
ମହାରାଜାଙ୍କ ପ୍ରମୋଦ କକ୍ଷରେ-
ମହାମନ୍ତ୍ରୀ-ମହାରାଜ!
ମହାରାଜ-ମହାମନ୍ତ୍ରୀ ! ଆସନ୍ତୁ…ବସନ୍ତୁ… । କୁହନ୍ତୁ, କ’ଣ କିଛି ଗୁପ୍ତ ପରାମର୍ଶ ଅଛି?
ମହାମନ୍ତ୍ରୀ-ହଁ ମଣିମା… ।
ମହାରାଜ-ତେବେ ପ୍ରକାଶ କରନ୍ତୁ ।
ମହାମନ୍ତ୍ରୀ-ମଣିମା! ଶୃଗାଳ ନନ୍ଦ ତ ବହୁତ ଚତୁର ତଥା ବୁଦ୍ଧିମାନ୍!
ମହାରାଜ-ମୋର ବି ସେଇଆ ମନେହୁଏ ।
ମହାମନ୍ତ୍ରୀ-ଏପରି ଜ୍ଞାନୀ ଲୋକକୁ ଆମେ ହାତଛଡା କରିବା ଆଦୌ ଉଚିତ୍ ହବନି ।
ମହାରାଜ-ତେବେ କ’ଣ କରାଯାଇ ପାରିବ?
ମହାମନ୍ତ୍ରୀ-ମଣିମା! ପ୍ରତ୍ୟେକ ରାଜ୍ୟରେ ପ୍ରଜାମାନଙ୍କର ବିଭିନ୍ନ ସମସ୍ୟା ରହି ଆସିଚି । ମଣିମା! ସମୟ ସମୟରେ ଏହି ସମସ୍ୟା ପାଇଁ ପ୍ରଜାଆନ୍ଦୋଳନ ବି ସୃଷ୍ଟି ହୁଏ । ତେଣୁ ମଣିମା, ମୁଁ କ’ଣ କହୁଥିଲି କି…