ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅନ୍ଧ ରାଇଜ

ମହାରାଜ-ହଁ, ନିର୍ଭୟରେ ପ୍ରକାଶ କର ।

ମହାମନ୍ତ୍ରୀ- ଶୃଗାଳ ନନ୍ଦଙ୍କୁ ଆମ ରାଜ୍ୟର ସମସ୍ୟା ମନ୍ତ୍ରୀ ରୂପେ ନିଯୁକ୍ତି ଦେଲେ-

ମହାରାଜ-ଖୁବ୍ ଭଲ ହୁଅନ୍ତା । ବାଃ, ଚମତ୍କାର ପ୍ରସ୍ତାବଟିଏ । ଧନ୍ୟ ମହାମନ୍ତ୍ରୀ ଧନ୍ୟ! ଏହି ମୁହୂର୍ତ୍ତରେ ମୁଁ ଶୃଗାଳ ନନ୍ଦଙ୍କୁ ସମସ୍ୟା ମନ୍ତ୍ରୀ ରୂପେ ନିଯୁକ୍ତି ଦେଲି । ନିଯୁକ୍ତିନାମାରେ ମୋର ମୋହର ମାରି ଶୃଗାଳ ନନ୍ଦଙ୍କ ପାଖକୁ ପଠେଇ ଦିଅନ୍ତୁ ।

ମହାମନ୍ତ୍ରୀ-ଧନ୍ୟ ମଣିମା ଧନ୍ୟ, ଆପଣ ମହାନୁଭବ… ।

ତା’ ପରଦିନ ମହାରାଜ ଶୃଗାଳ ନନ୍ଦଙ୍କୁ କହିଲେ- ଶୃଗାଳ ନନ୍ଦ! ଆପଣଙ୍କ ଚତୁରତା ଓ ବୁଦ୍ଧିମତାର ପ୍ରମାଣପାଇଁ ମୁଁ ଆପଣଙ୍କୁ ସମସ୍ୟାମନ୍ତ୍ରୀ ରୂପେ ନିଯୁକ୍ତି ଦେଇଚି । ଏଥିରେ ଆପଣ ଖୁସି ତ?

ଶୃଗାଳ ନନ୍ଦ -ଯାହା ମଣିମାଙ୍କ ଇଚ୍ଛା ।

ମହାରାଜ-ଏଥର କୁହନ୍ତୁ-ଗତ କାଲିଠାରୁ ଆଜି ପର୍ଯ୍ୟନ୍ତ ଆପଣ ରାଜ୍ୟର କୋଉ ସବୁ ସମସ୍ୟା ସମ୍ପର୍କରେ ଚିନ୍ତା କରିଛନ୍ତି?

ସମସ୍ୟା ମନ୍ତ୍ରୀ-ମଣିମା! ଅନୁସନ୍ଧାନରୁ ଯାହା ଜାଣିଲି ଯେ, ଆମ ରାଜ୍ୟର ମୁଖ୍ୟ ସମସ୍ୟା ହେଉଚି ସେହି ହେଟାବାଘ ଅଂଚଳ । ମଣିମା, ଯଦି ମୋତେ ସମ୍ପୂର୍ଣ୍ଣ ଦାୟିତ୍ୱ ସହ ଅଧିକାର ଦିଆଯାଏ, ତେବେ ଖୁବ୍ କମ୍ ଦିନ ମଧ୍ୟରେ ସେ ଅଂଚଳର ଦ୍ରୁତ ଉନ୍ନତି ସାଧିତ ହବ ।

ମହାରାଜ-ମୁଁ ଆପଣଙ୍କ ମତରେ ଏକମତ । ଯାହା ମୁଦ୍ରା ଖର୍ଚ୍ଚ ହବ ହଉ, ନିଜେ ମୋହର ମାରି ନେଇଯିବେ ।

ଏତିକି କଥା ଶୁଣି ଅତ୍ୟନ୍ତ ଖୁସିହେଲେ ଶୃଗାଳ ନନ୍ଦ । ତା’ପରେ ସେ ଫେରିଗଲେ ଅତିଥିଶାଳାକୁ । ସେ ବଦ୍ଧପରିକର ହେଲେ ଯେ, ହେଟାବାଘ ବସ୍ତିକୁ ଉନ୍ନତ କରାଇବେ । ଲୋକମାନଙ୍କ ମନରେ ଶିକ୍ଷାର ଚେତନା ସୃଷ୍ଟି କରିବେ । ମଣିଷ ଜନ୍ମନେଇ ଯଦି ସେମାନଙ୍କୁ ହେଟାବାଘ ସହିତ ତୁଳନା ନ କରାଯାଏ, ତେବେ ସେମାନେ ନିଶ୍ଚୟ ଶିକ୍ଷାଲାଭ କରିବେ, ଚତୁର ହେବେ, ବୁଦ୍ଧିମାନ ହେବେ । ରାଜ୍ୟର ଆଗ ଧାଡିର ନାଗରିକ ରୂପେ ନିଶ୍ଚୟ ଗଣ୍ୟ ହେବେ ।

ଏଣେ ଅତିଥିଶାଳାରେ ଅନେକବେଳୁ ମହାମନ୍ତ୍ରୀ ଓ କଟୁଆଳ ଶୃଗାଳ ନନ୍ଦଙ୍କୁ ଅପେକ୍ଷା କରିଥିଲେ ।

ଶୃଗାଳ ନନ୍ଦ -ମହାମନ୍ତ୍ରୀ, କଟୁଆଳ…! ଆପଣମାନେ କେତେବେଳେ?

ମହାମନ୍ତ୍ରୀ-ଏଇତ, ଆମେ ଦି’ଜଣ ଆପଣଙ୍କୁ ଅପେକ୍ଷା କରିଚୁ ।

ଶୃଗାଳ ନନ୍ଦ -ଏବେ କୁହନ୍ତୁ ।

ମହାମନ୍ତ୍ରୀ-ସମସ୍ୟା ସମ୍ପର୍କରେ ଆପଣ କ’ଣ ଚିନ୍ତାକଲେ?

ଶୃଗାଳ ନନ୍ଦ -ଆମ ରାଜ୍ୟର ଗୋଟିଏ ମୁଖ୍ୟ ସମସ୍ୟା ହେଲା ହେଟାବାଘ ଅଂଚଳ । ମହାରାଜଙ୍କ ଆଦେଶ, ପ୍ରଥମେ ସେ ଅଂଚଳରେ ଗୋଟାଏ ନାଳୀ ଖୋଳିବାକୁ ପଡିବ । ପ୍ରତ୍ୟେକ ଲୋକଙ୍କୁ ଗୋଟାଏ ମୋଟା ରେଜେଇ ଓ ଗଦି ବଂଟନ କରାଯିବ । ଯାହାଫଳରେ କି ସେମାନେ ଆଉ ଥଂଡା ରୋଗରେ ପୀଡିତ ହେବେନି ।

ମହାମନ୍ତ୍ରୀ-ଠିକ୍ କହିଛନ୍ତି ଶୃଗାଳ ନନ୍ଦ… ।

ତା’ପରଠୁ ରାଜ୍ୟର ପ୍ରତ୍ୟେକ ଦରଜୀ, ଗଦିବାଲା ରେଜେଇ ଗଦି ତିଆରି କରିବାରେ ଲାଗି ପଡିଲେ । ବେକାରୀମାନେ ନାଳୀ ଖୋଳାରେ ଲାଗିପଡିଲେ । ତେଣୁ ସେ ହେଟାବାଘ ଅଂଚଳରେ ଶୃଗାଳ ନନ୍ଦଙ୍କର ଖାଲି ଜୟ ଜୟକାର… ।

ଏଣେ ଏ ମହାମନ୍ତ୍ରୀ ଓ କଟୁଆଳଙ୍କୁ ଏସବୁ ଖୁବ୍ ଅସହ୍ୟବୋଧ ହେଲା । ତେଣୁ ସେମାନେ ଭାବିଲେ ପ୍ରତ୍ୟେକ ଦିନ ରାଜକୋଷରୁ ହଜାର ହଜାର ସ୍ୱର୍ଣ୍ଣମୁଦ୍ରା ଯାଇ ହେଟାବାଘ ଅଂଚଳରେ ଖର୍ଚ୍ଚ ହଉଚି, ଏମିତି ହେଲେ ତ ଦିନେ ସମୟ ଆସିବ ରାଜକୋଷ ଶୂନ୍ୟ କରିଦେଇ ଶୃଗାଳ ନନ୍ଦଜୀ ତାଙ୍କ ରାଜ୍ୟକୁ ଚାଲିଯିବେ । ଯେତେ ଚେଷ୍ଟାକଲେ ମଧ୍ୟ ରାଜ୍ୟର ସବୁ ସମସ୍ୟା କେବେବି ଦୂର ହେଇ ପାରିବନି ।

ପ୍ରତ୍ୟେକ ରାଜ୍ୟରେ ତ ଗରିବ ରହିବେ, ସମସ୍ୟା ବି ରହିବ । ଏସବୁ ବନ୍ଦ କରିବାକୁ ହବ । ନ ହେଲେ ଶେଷରେ ଆମକୁ ହିଁ ଭିକ୍ଷା ଝୁଲି ଧରିବାକୁ ହବ ।

କଟୁଆଳ-ମହାମନ୍ତ୍ରୀ ! ରାଜା କାଙ୍ଗାଳ ହୁଅନ୍ତୁ କି କ’ଣ କରନ୍ତୁ, ସେଥିରେ ଆମର କିଛି ବି ଯାଏ ଆସେ ନାହିଁ । ପ୍ରଜାମାନଙ୍କ ଧନ, ପ୍ରଜାମାନଙ୍କ ପାଇଁ ହିଁ ଖର୍ଚ୍ଚ ହଉଚି, ହଉ… । ହେଲେ ସେଥିରେ ଆମର କି ଲାଭ? ମୋ ମତରେ ଆମେ ଯଦି ଗଦି, ରେଜେଇର ଦାୟିତ୍ୱ ନିଅନ୍ତେ, ତେବେ ଆମେ ଆରାମରେ କିଛି ହାତସଫେଇ କରିପାରନ୍ତେ ।

ମହାମନ୍ତ୍ରୀ-ଠିକ୍ …ଠିକ୍ କଟୁଆଳ । ମୁଁ ଏହାର ବିହିତ ପ୍ରତିକାର କରୁଚି ।

ତା’ପରେ ଏକ ଜରୁରୀକାଳୀନ ବୈଠକର ବନ୍ଦୋବସ୍ତ କରାଗଲା । ଉକ୍ତ ବୈଠକରେ କେବଳ ହେଟାବାଘ ଅଂଚଳର ଉନ୍ନତି ସମୀକ୍ଷା ହବାର ଧାର୍ଯ୍ୟ କରାଗଲା ।

ମହାରାଜ-ସମସ୍ୟାମନ୍ତ୍ରୀ ଶୃଗାଳ ନନ୍ଦଜୀ! ସବୁ ଠିକ୍ଠାକ୍ ଚାଲିଚି ତ?

ସମସ୍ୟାମନ୍ତ୍ରୀ ଶୃଗାଳ ନନ୍ଦଜୀ-ମହାରାଜ, ଆପଣଙ୍କ ଅସୀମ ଦୟାରୁ ସବୁ ଠିକ୍ଠାକ୍ ଚାଲିଚି । ହେଟାବାଘମାନେ ଖାଲି ମଣିମାଙ୍କର ଭୁରିଭୁରି ପ୍ରଶଂସା କରୁଛନ୍ତି ।

ଏତିକି କଥା ଶୁଣି ମନଖୋଲା ହସଟା ହସିଲେ ରାଜା । ଏହି ସମୟରେ ମହାମନ୍ତ୍ରୀ ଚିତାକଟା ରାଜାଙ୍କ କାନ ପାଖରେ ଫୁସ୍ଫୁସ୍କରି କହିଲେ-ମଣିମା! ମୋ ମତରେ ଶୃଗାଳ ନନ୍ଦଜୀ ଥକ୍କି ଗଲେଣି । ଗରମ ବସ୍ତ୍ର ବିତରଣ କାର୍ଯ୍ୟଟା କଟୁଆଳ ବି ତୁଲେଇ ପାରିବେ । ଶୃଗାଳ ନନ୍ଦଜୀ କିଛିଦିନ ବିଶ୍ରାମ ନେଇ ଆଉ ଗୋଟାଏ ସମସ୍ୟା ସମ୍ପର୍କରେ ଚିନ୍ତାକରିବା ଉଚିତ୍ ।

ମହାରାଜ-ଠିକ୍ କହିଚ ମହାମନ୍ତ୍ରୀ; ହେଲେ ଆମର ଆଉ ସବୁ ସମସ୍ୟା କ’ଣ?

ମହାମନ୍ତ୍ରୀ-ମଣିମା! ଦିନରେ ସୂର୍ଯ୍ୟ ଆତଯାତ କରିବା ଯୋଗୁଁ ଗରମ ହଉଚି; ମାତ୍ର ରାତିରେ ସୂର୍ଯ୍ୟ ନ ଥିବାରୁ ଥଣ୍ଡା ହଉଚି । ଫଳରେ ହେଟାବାଘମାନେ ଥଣ୍ଡା ସର୍ଦ୍ଦିରେ ପୀଡିତ ହଉଛନ୍ତି । ସେମାନଙ୍କର ଗରମବସ୍ତ୍ର ପାଇଁ ହଜାର ହଜାର ସ୍ୱର୍ଣ୍ଣମୁଦ୍ରା ଖର୍ଚ୍ଚ ହଉଚି । ଯଦି ସୂର୍ଯ୍ୟ ରାତିରେ ଆତଯାତ ହୁଅନ୍ତେ, ତେବେ ଆଉ ଥଣ୍ଡା ହୁଅନ୍ତାନି କି ହେଟାବାଘମାନେ ଥଣ୍ଡାରେ ଆକ୍ରାନ୍ତ ହୁଅନ୍ତେନି କି ସେମାନଙ୍କୁ ଗରମ ବସ୍ତ୍ର ଯୋଗାଇବାରେ ଏତେଗୁଡାଏ ସ୍ୱର୍ଣ୍ଣମୁଦ୍ରା ବି ଖର୍ଚ୍ଚ ହୁଅନ୍ତାନି ।


ଗପ ସାରଣୀ

ତାଲିକାଭୁକ୍ତ ଗପ