ମହାରାଜ-ଠିକ୍…ଠିକ୍ ମହାମନ୍ତ୍ରୀ । ଏତେଦିନ ପରେ ଆପଣ ଗୋଟାଏ ଦାମିକିଆ କଥା କହିଛନ୍ତି ।
ମହାମନ୍ତ୍ରୀ-ମଣିମା, ସମସ୍ୟା ହେଲା-ରାତିରେ ସୂର୍ଯ୍ୟ କାହିଁକି ଆତଯାତ କରୁନାହାଁନ୍ତି? ଏହାର କାରଣ କେବଳ ସମସ୍ୟାମନ୍ତ୍ରୀଙ୍କ ହିଁ ପାଖରେ ଥିବ ।
ମହାରାଜ-ସମସ୍ୟାମନ୍ତ୍ରୀ ଶୃଗାଳ ନନ୍ଦଜୀ! ରାତିରେ ସୂର୍ଯ୍ୟ କାହିଁକି ଆତଯାତ ହଉନାହାଁନ୍ତି, ଯଦ୍ଦ୍ୱାରା ଏତେ ଥଣ୍ଡା ହଉଚି ।
ସମସ୍ୟାମନ୍ତ୍ରୀ ଶୃଗାଳ ନନ୍ଦଜୀ-ମହାରାଜ ! ଏହା ତ ପ୍ରକୃତିର ନିୟମ । ତା’ ବ୍ୟତୀତ ଦିନସାରା ସୂର୍ଯ୍ୟ କାମ କରିକରି ଥକ୍କି ଯାଉଛନ୍ତି । ଆମେ ଯେପରି ରାତିରେ ବିଶ୍ରାମ ନଉଚେ, ସେ ମଧ୍ୟ ଠିକ୍ ସେମିତି ରାତିରେ ବିଶ୍ରାମ ନଉଛନ୍ତି ।
ମହାରାଜ-ହଁ ହଁ…ଠିକ୍ କଥା, ସୂର୍ଯ୍ୟଙ୍କୁ ମଧ୍ୟ ବିଶ୍ରାମ ଦରକାର ।
ଏହାପରେ ମହାମନ୍ତ୍ରୀ ମନେମନେ ଖୁବ୍ ଲଜ୍ଜିତ ହେଲେ । ତଥାପି ବି ସେ ସାହସ ବାନ୍ଧି କହିଲେ- ମହାରାଜ! ସମସ୍ୟା ଏବେ ତେଲଠି ରହିଲା । ଯଦି ସୂର୍ଯ୍ୟ ଏମିତି ବିଶ୍ରାମ ନେବେ, ତେବେ ଆମ ରାଜ୍ୟରୁ ଜାଳିବା ତେଲ ତ ଶେଷ ହୋଇଯିବ । ଏହାର ନିରାକରଣ ନିମନ୍ତେ ସୂର୍ଯ୍ୟଙ୍କୁ ଅଧିକ ସମୟ କାମ କରିବାକୁ ପଡିବ । ତେଣୁ ଅନ୍ଧାର ରାତିରେ ସୂର୍ଯ୍ୟଙ୍କୁ ଆସିବାକୁ ହିଁ ହବ ।
ମହାରାଜ-ଆପଣ ଠିକ୍ କହିଛନ୍ତି ମହାମନ୍ତ୍ରୀ ।
ତା’ପରେ ସେ ରାଜା ସଙ୍ଗେ ସଙ୍ଗେ ଆଦେଶ ଦେଲେ- ଶୃଗାଳ ନନ୍ଦଜୀ! ଦୁଇଦିନ ମଧ୍ୟରେ କଟୁଆଳକୁ ଗରମବସ୍ତ୍ର ବାଂଟିବାର ଦାୟିତ୍ୱ ହସ୍ତାନ୍ତର କରି ସୂର୍ଯ୍ୟଙ୍କ ସହିତ କଥାବାର୍ତ୍ତା କରନ୍ତୁ ।
ଏଥର ସେ ଶୃଗାଳ ନନ୍ଦଜୀ ମହାଚିନ୍ତାରେ ପଡିଗଲେ । ଏ ମୂର୍ଖ ରାଜାଙ୍କୁ କେମିତି ବା ବୁଝେଇବେ? ମହାମନ୍ତ୍ରୀ ତ ତାଙ୍କୁ ପୁଣି ଫାନ୍ଦରେ ପକେଇ ଦେଲେ । ହଉ ଦେଖିବା କୋଉ ପାଣି କୁଆଡେ ଯାଉଛି ।
ସମସ୍ୟାମନ୍ତ୍ରୀ ଶୃଗାଳ ନନ୍ଦଜୀ-ମହାମନ୍ତ୍ରୀ, ଶେଷରେ ଆପଣ ମତେ ଠିକ୍ ବୁଦ୍ଧି ଶିଖେଇ ଦେଲେ!
ମହାମନ୍ତ୍ରୀ-ଏଥିରେ ବୁଦ୍ଧି ଶିଖେଇବାର କ’ଣ ଅଛି । ଯଦି କାମ କରିବାକୁ କଷ୍ଟ ହଉଚି, ତେବେ ମହାରାଜଙ୍କୁ ସଫା ସଫା ମନା କରି ଦଉନାହାଁନ୍ତି ।
ସମସ୍ୟାମନ୍ତ୍ରୀ ଶୃଗାଳ ନନ୍ଦଜୀ -ମହାରାଜଙ୍କୁ ତ ନିଶ୍ଚୟ କହିବି; କିନ୍ତୁ ଏମିତି କହିବି ଯେ ଆପଣଙ୍କ ବିଛଣା ଆଉ କେବେବି ଖୋଲା ହବନି ।
ସେଦିନ ରାତିରେ ଶୃଗାଳ ନନ୍ଦ ଶାନ୍ତିରେ ମୋଟେ ଶୋଇ ପାରିଲେନି । ଶେଷରେ ସେ ଶପଥ ନେଲେ, ମହାମନ୍ତ୍ରୀ ଓ କଟୁଆଳଙ୍କୁ ପାନେ ଚଖେଇବେ । ସେଇ ଦି’ଜଣ ହିଁ ନାଟର ଗୋବର୍ଦ୍ଧନ ।
ତା’ପରଦିନ ଦରବାର ବସିଲା । ଜାଣି ଶୁଣି ପଣ୍ଡିତ ବିଳମ୍ବରେ ଯାଇ ପହଁଚିଲେ । ମହାରାଜ କହିଲେ- ଶୃଗାଳ ନନ୍ଦଜୀ! ଆପଣଙ୍କର ଏତେ ବିଳମ୍ବ କାହିଁକି?
ଶୃଗାଳ ନନ୍ଦଜୀ -ମହାରାଜ ! ସୂର୍ଯ୍ୟଙ୍କ ସହିତ କାଲି ରାତିରେ କଥାବାର୍ତ୍ତା କରୁ କରୁ ବିଳମ୍ବ ହୋଇଗଲା ।
ମହାରାଜ-ଓହୋ…ଏତ ଖୁସିର କଥା । ତେବେ କୁହନ୍ତୁ ଶୃଗାଳ ନନ୍ଦଜୀ, ସୂର୍ଯ୍ୟଙ୍କ ସହିତ କ’ଣ କଥାବାର୍ତ୍ତା କଲ?
ଶୃଗାଳ ନନ୍ଦଜୀ-ମହାରାଜ ! ସୂର୍ଯ୍ୟ ରାତିରେ ଆତଯାତ କରିବାକୁ ରାଜି ହେଲେ; ମାତ୍ର ବେତନ ଦ୍ୱିଗୁଣ ନେବେ ।
ମହାରାଜ-ତାହେଲେ ଠିକ୍ ଅଛି, ଯଦି କାମ ଦ୍ୱିଗୁଣ କରିବେ, ତେବେ ବେତନ ଦ୍ୱିଗୁଣ ଦବାରେ ତ କୁଣ୍ଠାବୋଧ ହବାର ପ୍ରଶ୍ନ ହିଁ ଉଠୁନି । ଶୃଗାଳ ନନ୍ଦଜୀ, ଦ୍ୱିଗୁଣ କ’ଣ ସେ ଯାହା ଚାହିଁବେ ତାହା ପାଇବେ ।
ଶୃଗାଳ ନନ୍ଦଜୀ -ମଣିମା ! ସେ ଆଠଦିନ ସମୟ ମାଗିଛନ୍ତି । ତାଙ୍କର କିଛିଟା ଘରୋଇ କାମ ଅଛି, ସେ ସବୁକୁ ଶେଷ କରିଦେଇ ସେ ଆସିବେ ।
ଏଣେ ମହାମନ୍ତ୍ରୀ ଭାବିଲେ, ଶୃଗାଳ ନନ୍ଦଜୀ କିଛି ଚକ୍କରରେ ନିଶ୍ଚୟ ଅଛନ୍ତି । ତେଣୁ ସେ ମହାମନ୍ତ୍ରୀ ଶୃଗାଳ ନନ୍ଦଜୀଙ୍କୁ ପଚାରିଲେ- ଶୃଗାଳ ନନ୍ଦଜୀ ! ସୂର୍ଯ୍ୟ ଗୋଟିଏ ଦିନ କାମ କରିବାକୁ କେତେ ମଜୁରୀ ନେବେ?
ଶୃଗାଳ ନନ୍ଦଜୀ -ଦିନକୁ ଏକହଜାର ସ୍ୱର୍ଣ୍ଣମୁଦ୍ରା ।
ଏକଥା ଶୁଣି ମହାମନ୍ତ୍ରୀ କଟୁଆଳ ପୁଣି ମନ୍ତ୍ରଣା କଲେ । ଶୃଗାଳ ନନ୍ଦଜୀ ଆଠଦିନ ସମୟ କାହିଁକି ନେଲେ? ଏତ ବଡ ଆଶ୍ଚର୍ଯ୍ୟର କଥା ।
କଟୁଆଳ-ଏହା ତ ଆଶ୍ଚର୍ଯ୍ୟର କଥା ନୁହେଁ । ବରଂ ଆଠଦିନ ପରେ ଏ ଶୃଗାଳ ନନ୍ଦ ନିଶ୍ଚୟ ଫାଶୀ ପାଇବେ । ଆଚ୍ଛା ମହାମନ୍ତ୍ରୀ ଏହି ଆଠଦିନ ମଧ୍ୟରେ ସେ କୌଶଳ କରି ରାଜ୍ୟ ଛାଡି ଆଉ ଚାଲି ଯିବେନି ତ?
ମହାମନ୍ତ୍ରୀ-ଅବଶ୍ୟ ଠିକ୍ କଥା । ଆଚ୍ଛା, ରାଜ୍ୟର ଚାରି ସୀମାନ୍ତରେ ଗୁପ୍ତଚରମାନଙ୍କୁ ସଜାଗ କରାଇ ଦିଅ ।
କଟୁଆଳ-ଆଚ୍ଛା ମହାମନ୍ତ୍ରୀ, ହେଟାବାଘ ଅଂଚଳର କାମ କଥା?
ମହାମନ୍ତ୍ରୀ-ଆସନ୍ତା କାଲିଠୁ ଅଧାଲୋକ କମାଇ ଦିଅ । କିନ୍ତୁ ହିସାବ ଦିଅ ଯେ, ପୂରା ଲୋକ । ବଳକା ମୁଦ୍ରା ତମର ଅଧେ, ମୋର ଅଧେ ।
ନିଶାର୍ଦ୍ଧରେ ଶୃଗାଳ ନନ୍ଦଜୀ ରାଜାଙ୍କୁ ସାକ୍ଷାତ କଲେ ।
ରାଜା-କୁହନ୍ତୁ ଶୃଗାଳ ନନ୍ଦଜୀ ! କ’ଣ କହିବାର ଅଛି?
ଶୃଗାଳ ନନ୍ଦଜୀ -ମଣିମା, ଏଇ କିଛି ସମୟ ପୂର୍ବରୁ ହେଟାବାଘ ଅଂଚଳର ମୁଖିଆ ଠାରୁ ଏକ ଖବର ଆସି ପହଁଚିଲା ।
ରାଜା-କ’ଣ ଖବର?
ଶୃଗାଳ ନନ୍ଦଜୀ -ମଣିମା ! ସେ ଖବର ପଠାଇଛନ୍ତି ଯେ, ଏବେ ଗରମ ବସ୍ତ୍ର ତଥା ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ । ଏଇଥିରେ ତାଙ୍କର ସମସ୍ୟା ସମାଧାନ ହେଇଯାଇଚି ।
ରାଜା-ଠିକ୍ ଅଛି ଶୃଗାଳ ନନ୍ଦ । ମୁଁ ଏବେ ଆଦେଶ ଦଉଚି, ଗରମ ବସ୍ତ୍ର ତଥା ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯିବ ।
ଶୃଗାଳ ନନ୍ଦଜୀ -ମହାରାଜା ! ଆପଣ ମହାନୁଭବ ।
ଦୁତ ସଙ୍ଗେ ସଙ୍ଗେ ଏହି ଆଦେଶ ନେଇ ମହାମନ୍ତ୍ରୀଙ୍କୁ ଜଣାଇ ଦେଲେ ।
ଦୁତ-ମହାମନ୍ତ୍ରୀଜୀ, ମହାରାଜଙ୍କ ହୁକୁମ୍-ଆସନ୍ତାକାଲି ଠାରୁ ହେଟାବାଘ ଅଂଚଳ ପାଇଁ ଗରମ ବସ୍ତ୍ର ତଥା ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ।
ମହାମନ୍ତ୍ରୀ-ହଠାତ୍ ଏମିତି ହୁକୁମ୍ । ଆଜି ତ ରୋଜଗାର କରିବାର ରାସ୍ତା ଖୋଲିଥିଲା, ଅଥଚ ସାଙ୍ଗେ ସାଙ୍ଗେ ବନ୍ଦ୍ । କ’ଣ ଏହାର କାରଣ ହେଇପାରେ?
କଟୁଆଳ-କ’ଣ କହିଲେ ମହାମନ୍ତ୍ରୀ ! ମହାରାଜଙ୍କ ହୁକୁମ୍! ଆରେ ଭାଇ ଦି’ଚାରିଦିନ ରୋଜଗାର କରିବାର ତ ସୁଯୋଗ ଦିଅ ।