ମହାମନ୍ତ୍ରୀ-କ’ଣ ତମେ ଫାଶୀ ପାଇବାକୁ ଚାହୁଁଚ? ବୁଝିଲ କଟୁଆଳ, ଏହା ନିଶ୍ଚୟ ଶୃଗାଳ ନନ୍ଦର ଏକ ଚାଲ୍ ।
କଟୁଆଳ-ଆମକୁ କିଛି କରିବାକୁ ହବ ।
ମହାମନ୍ତ୍ରୀ-ଯେ ପର୍ଯ୍ୟନ୍ତ ଏ ଶୃଗାଳ ନନ୍ଦ ବଂଚିଚି, ସେପର୍ଯ୍ୟନ୍ତ କିଛି ବି କରିହବନି ।
କଟୁଆଳ-ଆଉ ମାତ୍ର ଛ’ଦିନ ଅପେକ୍ଷା କରନ୍ତୁ ମହାମନ୍ତ୍ରୀ । ତା’ପରେ ବାଉଁଶ ଥିବ ନା ବଇଁଶୀ ବାଜିବ । ଆମକୁ ଏଇ ଛ’ଦିନ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ହବ । ତା’ପରେ ପୁଣି ଗରମ ବସ୍ତ୍ର ତିଆରି ହବ, ନିର୍ମାଣ କାର୍ଯ୍ୟ ବି ଚାଲିବ । ଆଉ ଆମର ରୋଜଗାରର ବାଟ ଏକଦମ୍ ଖୋଲିଯିବ ।
ମହାମନ୍ତ୍ରୀ-ତମେ ଠିକ୍ କହିଚ କଟୁଆଳ । ଆମକୁ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ହବ ।
ଏହାପରେ ମହାମନ୍ତ୍ରୀ ଚତୁରତାର ସହିତ ରାଜ୍ୟସାରା ଜଣେଇ ଦେଲେ କି ଆଉ ଛ’ଦିନ ପରେ ରାତିରେ ସୂର୍ଯ୍ୟ ଉଦୟ ହେବେ । ଏକଥା ଶୁଣି ପ୍ରଜାମାନେ ଖୁବ୍ ଆଶ୍ଚର୍ଯ୍ୟ ହେଲେ ।
ଏମିତି ଦିନପରେ ଦିନ ଯାଇ ଛ’ଦିନ ବିତିଗଲା । ଆଜି ରାତିରେ ସୂର୍ଯ୍ୟ ଉଦୟ ହେବେ । କଟୁଆଳ ମହାମନ୍ତ୍ରୀଙ୍କୁ କହିଲେ-ମହାମନ୍ତ୍ରୀ! ମୁଁ ଗତକାଲି ରାତିରେ ଶୃଗାଳ ନନ୍ଦଜୀଙ୍କୁ ଭେଟିଥିଲି । ବିଚରା ସେ ସେତେବେଳକୁ ଶୁଖି କଳାକାଠ ପଡିଗଲେଣି । ତଥାପି ବି ସେ ଜୋର୍ ଦେଇ କହିଲେ, ଆସନ୍ତାକାଲି ରାତିରେ ସୂର୍ଯ୍ୟ ନିଶ୍ଚୟ ଉଦୟ ହେବେ ।
ମହାମନ୍ତ୍ରୀ-ନା କଟୁଆଳ, ଏହା କେବେବି ସମ୍ଭବ ନୁହଁ ।
କଟୁଆଳ-ଦେଖାଯାଉ ଆଜି ରାତିରେ କ’ଣ ହଉଚି ।
ମହାମନ୍ତ୍ରୀ-କିଛି ବି ହବନି । ଆସନ୍ତାକାଲି ଶୃଗାଳ ନନ୍ଦଜୀ ନିଶ୍ଚୟ ଫାଶୀ ପାଇବେ ।
ରାଜନଅର ଉପରେ ମହାରାଜ, ମହାମନ୍ତ୍ରୀ, କଟୁଆଳ ତଥା ଅନ୍ୟାନ୍ୟ ପାରିଷଦ ଅପେକ୍ଷା କଲେ, କେତେବେଳେ ସୂର୍ଯ୍ୟ ଉଦୟ ହେବେ? ଦେଖୁ ଦେଖୁ ରାତି ପାହିଗଲା, ଅଥଚ ସୂର୍ଯ୍ୟ ଉଦୟ ହେଲେନି, ଏଣେ ମହାରାଜ ରାଗି ପଂଚବାଣ ହେଇଗଲେ ।
ଦରବାର ଆରମ୍ଭ ହେଲା । ସମସ୍ତ ପାରିଷଦଙ୍କ ସହିତ ସମସ୍ୟାମନ୍ତ୍ରୀ ଶୃଗାଳ ନନ୍ଦ ବି ସେଠାରେ ଉପସ୍ଥିତ ଥିଲେ । ମହାରାଜ କହିଲେ, ସମସ୍ୟାମନ୍ତ୍ରୀ ଶୃଗାଳ ନନ୍ଦ! ଗତକାଲି ରାତିରେ ସୂର୍ଯ୍ୟ ଉଦୟ ହେଲେନି କାହିଁକି?
ସମସ୍ୟାମନ୍ତ୍ରୀ ଶୃଗାଳ ନନ୍ଦ-ମଣିମା, ତାଙ୍କର ଜରୁରୀ କାମ ଥିବାରୁ ସେ ଠିକ୍ ଶେଷ ମୁହୂର୍ତ୍ତରେ ମନା କରିଦେଲେ ।
ମହାମନ୍ତ୍ରୀ-ଏହା ତ ଅସମ୍ଭବ ମହାରାଜ ! ସମସ୍ୟାମନ୍ତ୍ରୀ ଆପଣଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି ।
ମହାରାଜ-ଠିକ୍ ମହାମନ୍ତ୍ରୀ ! ଶୃଗାଳ ନନ୍ଦ ଗୋଟାଏ ଧୋକାବାଜ୍ !
ଏଥର କୁହ ଶୃଗାଳ ନନ୍ଦ, ତୁମେ କୋଉ ଦଣ୍ଡରେ ଦଣ୍ଡିତ ହବା ଉଚିତ?
ଶୃଗାଳ ନନ୍ଦ-ମୃତ୍ୟୁଦଣ୍ଡ! ମୁଁ କେବଳ ମୃତ୍ୟୁଦଣ୍ଡ ହିଁ ଚାହେଁ ମଣିମା ।
ମହାରାଜ-ମହାମନ୍ତ୍ରୀ ! ଶୃଗାଳ ନନ୍ଦ ନିଜେ ମୃତ୍ୟୁଦଣ୍ଡ ଚାହୁଁଛନ୍ତି, ଏହାର କାରଣ କ’ଣ ହୋଇପାରେ?
ମହାମନ୍ତ୍ରୀ-ଏହା ନିଶ୍ଚୟ ଶୃଗାଳ ନନ୍ଦଙ୍କର ଆଉ ଗୋଟାଏ ଚାଲାକି ।
ମହାରାଜ-ତୁମେ ଦି’ଜଣ କଣ ଫୁସ୍ଫାସ୍ ହଉଚ ମନ୍ତ୍ରୀ-କଟୁଆଳ? ଶୀଘ୍ର କୁହ କ’ଣ କଥାବାର୍ତ୍ତା ହଉଥିଲ?
ଏକଥା ଶୁଣି ଥଙ୍ଗେଇ ଥଙ୍ଗେଇ ମହାମନ୍ତ୍ରୀ କହିଲେ-ମହାରାଜ, ମୋର ଅନୁମାନ ଯଦି ସତ୍ୟହୁଏ, ତେବେ ଏହା ଶୃଗାଳ ନନ୍ଦର ଆଉ ଗୋଟାଏ ଚାଲ୍ । ନ ହେଲେ କେହି କ’ଣ କେବେ ମୃତ୍ୟୁଦଣ୍ଡକୁ ଚାହେଁ?
ମହାରାଜ-ଠିକ୍ କଥା ମହାମନ୍ତ୍ରୀ । ଆଚ୍ଛା ଶୃଗାଳ ନନ୍ଦ ତୁମେ କୁହ, ମୃତ୍ୟୁଦଣ୍ଡକୁ ସ୍ୱୀକାର କରିବାରେ ତୁମର ଲାଭ?
ଶୃଗାଳ ନନ୍ଦ-ମୁଁ ସ୍ୱର୍ଗକୁ ଯିବାକୁ ଚାହେଁ ମଣିମା ।
ଶୃଗାଳ ନନ୍ଦଙ୍କ ଏ ପ୍ରକାର ଉତ୍ତରରେ ସମସ୍ତ ପାରିଷଦ ଚକିତ ହେଲେ, ଏ ଶୃଗାଳ ନନ୍ଦ ସ୍ୱର୍ଗକୁ ଯିବାକୁ ଚାହୁଁଚି କାହିଁକି? କ’ଣ ଏହାର କାରଣ ହୋଇପାରେ?
ମହାରାଜ କହିଲେ- ଶୃଗାଳ ନନ୍ଦ! ତୁମପକ୍ଷେ ସ୍ୱର୍ଗ ଯିବା କ’ଣ ନିହାତି ଜରୁରୀ?
ଶୃଗାଳ ନନ୍ଦ -ହଁ ମହାରାଜ, ନିହାତି ଜରୁରୀ । କଥା କ’ଣ କି ମହାରାଜ, ସୂର୍ଯ୍ୟଙ୍କ ସହିତ ମୋର କଥାବାର୍ତ୍ତା ଇନ୍ଦ୍ରଙ୍କ ସମ୍ମୁଖରେ ହେଇଥିଲା । ସେତେବେଳେ ଦେବରାଜ କହିଥିଲେ ଯେ, ଯଦି ସୂର୍ଯ୍ୟ ତାଙ୍କ ଜବାବ୍ରେ ଖିଲାପ୍ କରି ରାତିରେ ଉଦୟ ନ ହୁଅନ୍ତି, ତେବେ ମୁଁ ତମକୁ ଗୋଟାଏ ବର ଦେବି ।
ଏବେଠୁ କୁହ ତୁମେ କି ବର ଚାହଁ? ସେତେବେଳେ ମୁଁ କହିଥିଲି ମୋତେ ସ୍ୱର୍ଗକୁ ନେଇ ଆସିବାକୁ । ସୂର୍ଯ୍ୟ ତ ମତେ ଧୋକ୍କା ଦେଲେ, ତେଣୁ ମୁଁ ମୃତ୍ୟୁଦଣ୍ଡ ଚାହିଁଲି ।
ମହାରାଜ-ସୂର୍ଯ୍ୟ ତୁମକୁ ଧୋକ୍କା ଦେଲେ; ତୁମେ ସ୍ୱର୍ଗବାସୀ ହବ । ମୋତେ ବି ସୂର୍ଯ୍ୟ ଧୋକ୍କା ଦେଇଛନ୍ତି, ମୋତେ ଇନ୍ଦ୍ରଙ୍କ ପାଖକୁ ନେଇଚାଲ ଶୃଗାଳ ନନ୍ଦ, ମୁଁ ବି ଇନ୍ଦ୍ରଙ୍କୁ ବର ମାଗିବି ।
ଶୃଗାଳ ନନ୍ଦ -ହେଲେ ଏ ତ ବଡ କଠିନ କାର୍ଯ୍ୟ ମହାରାଜ!
ମହାରାଜ-କଠିନ କାର୍ଯ୍ୟ? କ’ଣ ରାସ୍ତା ଅଧିକ ନା ଖରାପ? ଠିକ୍ଅଛି, ଆମ୍ଭେ ଘୋଡାଗାଡି ନେଇ ଯିବା ।
ଶୃଗାଳ ନନ୍ଦ -ମହାରାଜ, କିଛି ବର୍ଷପାଇଁ ଇନ୍ଦ୍ରଦେବ ସ୍ୱର୍ଗପୁରୀକୁ ଗସ୍ତରେ ଯିବେ ।
ମହାରାଜ-ଠିକ୍ଅଛି, ଆମେ ବି ସ୍ୱର୍ଗପୁରୀ ଯାଇ ତାଙ୍କୁ ସାକ୍ଷାତ କରିବା ।
ଶୃଗାଳ ନନ୍ଦ -କିନ୍ତୁ ମହାରାଜ, ସ୍ୱର୍ଗକୁ ତ ଆଉ ସଶରୀରେ ଯାଇ ହବନି । ଶରୀର ଏଇଠି ରହିଯିବ, କେବଳ ଆତ୍ମା ହିଁ ସେଠାକୁ ଯିବ ।