ଏହାଶୁଣି ଶେଠ୍ କହିଲେ, “ବେଶ୍ ଭଲକଥା । ଏହା ନିଶ୍ଚୟ ଏକ ପ୍ରଶଂସନୀୟ କାର୍ଯ୍ୟ । ଏହାଦ୍ୱାରା ମାନବ ସମାଜର ଆସ୍ଥା ଓ ବିଶ୍ୱାସ ବଢିପାରିବ ଓ ତୁମେ ମହାନ୍ ବ୍ୟକ୍ତିରେ ମଧ୍ୟ ଗଣାଯାଇ ପାରିବ ।”
ଏହାପରେ ଦ୍ୱିତୀୟ ପୁତ୍ର ଶଚୀନ୍ଦ୍ର କହିଲା, “ପିତାଜୀ! କିଛିଦିନ ତଳେ ମୁଁ ଡଙ୍ଗାରେ ବସି ନଦୀ ପାର ହେଉଥିଲି । ଅଚାନକ ପବନ କାହୁଁ ମାଡିଆସିଲା । ଡଙ୍ଗାଟି ଟଳମଳ ହେବାରୁ ସେଥିରେ ଥିବା ଗୋଟିଏ ଛୋଟିଆ ପିଲା ନଈଭିତରେ ଛିଟକି ପଡିଲା । ଜଙ୍ଗଲରେ ଥିବା ଅନ୍ୟ ଲୋକମାନେ ପିଲାଟିକୁ ଉଦ୍ଧାର କରିବା ପାଇଁ କୌଣସି ଉଦ୍ୟମ କରି ନଥିବା ବେଳେ ମୁଁ ମୋର ଜୀବନକୁ ବିପନ୍ନ କରି ହଠାତ୍ ପାଣିଭିତରକୁ ଡେଇଁ ପଡିଲି ଓ ପିଲାଟିକୁ ଉଦ୍ଧାର କଲି ।”
ଏହା ଶୁଣି ଶେଠ୍ କହିଲେ, “ତୁମେ ଏ କାର୍ଯ୍ୟକରି ବେଶ୍ ବାହାଦୁରୀର ପରିଚୟ ଦେଇଛ । ଠିକ୍ ଏହିଭଳି ଜଣେ ବିପନ୍ନ ପ୍ରତି ଆପଣା କର୍ତ୍ତବ୍ୟ ସଂପାଦନ କରିବା ଉଚିତ୍ ।”
ଏବେ ତୃତୀୟ ପୁତ୍ର ଯତୀନ୍ଦ୍ରର ପାଳି । ସେ କହିଲା, “ପିତାଜୀ! ଗତ କିଛି ଦିନ ତଳେ ଜଣେ ବ୍ୟକ୍ତି ମୋ ସହିତ ଶତ୍ରୁତା ଆଚରଣ କଲା । ସୁତରାଂ ସେହିଦିନଠାରୁ ତା’ ସହିତ ମୋର ସଂପର୍କ ଛିନ୍ନ ହୋଇଗଲା । ମାତ୍ର ଗତକାଲି ମୁଁ ମୋର କ୍ଷେତର କାମ ସାରି ଆସିଲା ବେଳକୁ ଦେଖିଲି ସେହି ଶତ୍ରୁ ଜଣକ ତା’ର କ୍ଷେତ ମୁଣ୍ଡରେ ଶୋଇରହିଛି । ଏକ ବିଷାକ୍ତ ସର୍ପ ବି ତା’ପାଖରେ ଫଣାଟେକି ରହିଛି । ଟିକିଏ ଡେରି ହୋଇଥିଲେ ହୁଏତ ସେ ସର୍ପାଘାତରେ ପ୍ରାଣ ହରାଇଥାନ୍ତା । ଅକାରଣରେ ପ୍ରାଣଟି ଚାଲିଯିବ ଓ ତା’ ପରିବାର ଉଚ୍ଛନ୍ନ ହୋଇଯିବେ ଭାବି ମନରେ ଚିନ୍ତାକଲି । ଶେଷରେ ଠିକ୍ କଲିଯେ, ସେ ଶତ୍ରୁ ହେଉ ପଛକେ ତା’ର ପ୍ରାଣ ବଂଚାଇବି । ଏହା ମନରେ ଭାବି ଧରିଥିବା ହାତରେ ଲାଠି ସାହାଯ୍ୟରେ ସାପଟିକୁ ସେଠାରୁ ଘଉଡାଇ ଦେଲି । ଠିକ୍ ଏତିକିବେଳେ ଶୋଇଥିବା ଲୋକଟି ନିଦରୁ ଉଠିବସିଲା । ମୋ’ଠାରୁ ସବୁ ଶୁଣିବା ପରେ ମୋର ଏଭଳି ମହତ କାର୍ଯ୍ୟ ଦେଖି ସେହି ଶତ୍ରୁର ହୃଦୟରେ ବିରାଟ ପରିବର୍ତ୍ତନ ଦେଖାଦେଲା । ତତ୍ କ୍ଷଣାତ୍ ସେ ମୋତେ କ୍ଷମା ମାଗିଲା । ଏହିଭଳି ଭାବରେ ମୁଁ ଶତ୍ରୁର ହୃଦୟ ତରଳାଇ ଦେଇ ପାରିଛି ।”
ଏହାଶୁଣି ଶେଠ୍ କହିଲେ, “ସର୍ବଦା ଉତ୍ତମ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସହିତ ସମସ୍ତେ ଉତ୍ତମ ବ୍ୟବହାର ଦେଖାଇଥାନ୍ତି । ସୁତରାଂ ସେଭଳି ବ୍ୟକ୍ତିର ଜଣେହେଲେ ଶତ୍ରୁ ଦେଖାଯାଆନ୍ତି ନାହିଁ । ତୁମର ଏଭଳି କର୍ମହିଁ ନିଶ୍ଚୟ ସର୍ବୋତ୍ତମ । ସୁତରାଂ ଏହି ହୀରା ମୁଦିଟିର ତୁମେ ହିଁ ଉତ୍ତରାଧିକାରୀ ।”