ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅପରାଧୀ କିଏ?

 ଅତି ପ୍ରାଚୀନ କାଳର କଥା । ଚେଦୀ ରାଜ୍ୟରେ ‘ଧର୍ମଦତ’ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ସେ ହୃଷ୍ଟପୁଷ୍ଟ ଥିଲେ ସତ, ହେଲେ ଦେଖିବାକୁ ଖୁବ୍ ଅସୁନ୍ଦର ଥିଲେ । ସେଥିପାଇଁ ତାଙ୍କୁ କେହି ବିବାହ କରିବାକୁ ଇଚ୍ଛା କରୁନଥିଲେ । ଏଥିପାଇଁ ବ୍ରାହ୍ମଣ ମନେ ମନେ ଭାରି କଷ୍ଟ ପାଉଥାଆନ୍ତି । ଶେଷରେ ତାଙ୍କର ଏପରି ଅବସ୍ଥା ହେଲା ଯେ ଧର୍ମୀୟ କାଣ୍ଡରେ ମଧ୍ୟ ତାଙ୍କର ମନ ଲାଗିଲା ନାହିଁ । କେମିତି କାହାକୁ ସେ ବିବାହ କରିବେ ସବୁ ସମୟରେ ଖାଲି ସେହି କଥା ଚିନ୍ତା କରୁଥାଆନ୍ତି । ଦିନେ ବ୍ରାହ୍ମଣଙ୍କୁ ଏକ ବିବାହକାର୍ଯ୍ୟ ସଂପର୍ଣ୍ଣ କରିବାପାଇଁ ଡାକରା ଆସିଲା । ନିର୍ଦ୍ଧାରିତ ଦିନ ନାଗର ଧର୍ମଦତ ଯାଇ କନ୍ୟା ଗୃହରେ ଉପସ୍ଥିତ ହେଲେ । ଠିକ୍ ଯେତେବେଳେ କନ୍ୟା ବରକୁ ବରଣମାଳା ଦେବ, ସେହି ସମୟରେ ଧର୍ମଦତ ଉକ୍ତ କନ୍ୟାକୁ ଦେଖି ତାର ରୂପରେ ବିମୋହିତ ହୋଇଗଲେ । ମନେ ମନେ କିପରି ସେହି କନ୍ୟାକୁ ଏକାନ୍ତରେ ପାଇ ଉପଭୋଗ କରିବେ ଚିନ୍ତା କଲେ ।

        ମନେ ମନେ ବ୍ରାହ୍ମଣ ଧର୍ମଦତ ଏକ ଉପାୟ ପାଂଚିଲେ । କନ୍ୟାର ପିତାମାତାଙ୍କୁ କହିଲେ, “ମହାଶୟ! ତୁମ କନ୍ୟାର ମଙ୍ଗଳ ଦୋଷ ଅଛି । ମୁଁ ଯଦି ତାର ପୂଜା ପାଠ ନକରିବି ତା’ହେଲେ ତା’ର ବୈବାହିକ ଜୀବନ ସୁଖମୟ ହେବ ନାହିଁ ।” ବ୍ରାହ୍ମଣର ବିଶ୍ୱାସଭରା କଥାରେ କନ୍ୟାର ପିତାମାତା ସଂଗେ ସଂଗେ ରାଜି ହୋଇଗଲେ । ପୁଣି ଧର୍ମଦତ କହିଲେ ଏହି ପୂଜାପାଠ ନିସ୍ତବ୍ଦ ରାତିରେ ଗୋଟିଏ ଘରେ ଏକାକୀ କନ୍ୟା ସହିତ କରାଯିବ । ସଂଗେ ସଂଗେ କନ୍ୟାପିତା ପୂଜା ପାଠର ଆୟୋଜନ କଲେ । କନ୍ୟାକୁ ପୂଜା ଗୃହରେ ଉପସ୍ଥିତ କରାଗଲା । ନାଗର ଧର୍ମଦତ ତ’ ଏହି ସୁଯୋଗର ଅପେକ୍ଷାରେ ଥିଲେ । ସେ କନ୍ୟାକୁ ଏକାକୀ ପାଇ ସାରାରାତି ମନଭରି ଉପଭୋଗ କଲେ । ବିଚରା କନ୍ୟାଟି ବ୍ରାହ୍ମଣଙ୍କର ଏତାଦୃଶ କାର୍ଯ୍ୟକଳାପକୁ ବୁଝିନପାରି ନୀରବ ରହିଲେ । ଏହାପରଦିନ କନ୍ୟାକୁ ତା’ର ପତି ସହିତ ବିଦା କରାଗଲା ।

        କିଛି ଦିନ ପରେ ସେହି କନ୍ୟାଟି ଗର୍ଭବତୀ ହେଲା ଓ ନିର୍ଦ୍ଦାରିତ ସମୟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲା । ପୁତ୍ରଟି ଅବିକଳ ସେହି ବ୍ରାହ୍ମଣଙ୍କ ପରି ହୋଇଥାଏ । ସେମିତି କଳା, ଅସୁନ୍ଦର ଦେଖାଯାଉଥାଏ । ଏହା ଦେଖି ସେହି କନ୍ୟାର ସ୍ୱାମୀ ଯେତେବେଳେ ଏପରି ଅସୁନ୍ଦର ପୁତ୍ର ଜନ୍ମ ହେଲା କିପରି ବୋଲି ପଚାରିଲେ, ସ୍ତ୍ରୀ ଡରିଯାଇ ସମସ୍ତ ଘଟଣା କହିଦେଲେ । ସ୍ତ୍ରୀର କଥା ଶୁଣିବାପରେ ତା’ର ସ୍ୱାମୀ ରାଗିଯାଇ ସ୍ତ୍ରୀକୁ ଶିଶୁପୁତ୍ର ସହିତ ବାହାର କରିଦେଲେ । ଏବେ ରାଜା ବିକ୍ରମ ତୁମେ କୁହ, “ଏଥିରେ ଦୋଷ କାହାର? ସ୍ୱାମୀର ନା ବ୍ରାହ୍ମଣ ଧର୍ମଦତର ନା କନ୍ୟାର ପିତାମାତାଙ୍କର?” କିଛି ସମୟ ଚିନ୍ତା କରିବା ପରେ ରାଜା କହିଲେ, ‘ଏଥିରେ ନା ଦୋଷ କନ୍ୟାର ନା ବ୍ରାହ୍ମଣ ଧର୍ମଦତର’ । ବିଚରା ନିରୀହ କନ୍ୟାଟି ତ ପ୍ରଥମେ ଏସବୁ ବିଷୟରେ ଅଜ୍ଞ ଥିଲା ଏବଂ ବ୍ରାହ୍ମଣ ଧର୍ମଦତ ଉପଭୋଗ ସର୍ବସ୍ୱ ହୋଇ କନ୍ୟାକୁ ଉପଭୋଗ କଲା । ପ୍ରଥମ ଦୋଷ ହେଉଛି କନ୍ୟାର ପିତା-ମାତାଙ୍କର ପରେ ବ୍ରାହ୍ମଣ ଧର୍ମଦତର । ସେମାନେ କାହିଁକି କନ୍ୟାକୁ ରାତିରେ ନିବୁଜ୍ ଘରେ ବ୍ରାହ୍ମଣ ସହିତ ପୂଜା ପାଠ କରିବାପାଇଁ ଛାଡୁଥିଲେ । ପୂଜା ପାଠର ଆୟୋଜନ ତ’ ଘରଦ୍ୱାର ଖୋଲାଯାଇ କରାଯାଇ ପାରିଥାଆନ୍ତା । ତେଣୁ ମୋ ମତରେ ପ୍ରଥମେ କନ୍ୟାର ପିତାମାତା ହିଁ ଏସବୁ ପରିସ୍ଥିତି ପାଇଁ ଦାୟୀ । ରାଜାଙ୍କ ନ୍ୟାୟ ଶୁଣି ବେତାଳ ମନେ ମନେ ଖୁସି ହୋଇଗଲା । ବେତାଳର ଖୁସି ହେବା ଦେଖି ରାଜା ବିକ୍ରମ ମଧ୍ୟ ଖୁସି ହୋଇଗଲେ ଏବଂ ଶୀଘ୍ର ଶୀଘ୍ର କେମିତି ଯାଇ ଶ୍ମଶାନରେ ଥିବା ସନ୍ନ୍ୟାସୀଙ୍କ ନିକଟରେ ପହଁଚିବେ, ସେ କଥା ଚିନ୍ତା କରୁଥାଆନ୍ତି । ବେତାଳ ଖୁସି ମନରେ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ