ଶ୍ରାବସ୍ତିର ରାଜା ସୁକେତୁ ରାଜ୍ୟକାର୍ଯ୍ୟ ମଧ୍ୟରେ ଅବସର ପାଇବା ମାତ୍ରେ ଶିକାର କରିବାକୁ ସେ ଚାଲିଯାଉଥିଲେ । ଦିନେ ଶିକାର କରୁ କରୁ ସେ ରାଜା ନିଜ ପରିଜନ ଓ ଦେହରକ୍ଷୀମାନଙ୍କଠାରୁ ବହୁ ଦୂରକୁ ଚାଲି ଯାଇଥିଲେ । ଯାଉ ଯାଉ ସେ ଦେଖିଲେ ଗଛ ଛାଇରେ ଅତି ଗଭୀର ନିଦ୍ରାରେ ଗାଈଆଳ ପିଲାଟିଏ ଶୋଇଛି ଆଉ ତା’ର ଚିତ୍ର, ନିକଟରେ ଜଣେ ଚିତ୍ରକର ବସି ଆଙ୍କୁଛନ୍ତି ।
ରାଜା ନୀରବରେ ଯାଇ ସେ ଚିତ୍ରକର ପାଖରେ ପହଁଚି ତା’ ଚିତ୍ରଟିକୁ ଦେଖି ତାକୁ ଅତି ପ୍ରଶଂସା କଲେ । ଚିତ୍ରକାର ମଧ୍ୟ ସେ ରାଜାଙ୍କୁ ଚିହ୍ନି ପକାଇ ତାଙ୍କୁ ଅଭିନନ୍ଦନ କରି କହିଲେ, “ମହାରାଜ, ମୋ ନାମ ଅନନ୍ତ । ଦେଖନ୍ତୁ କି ଆଶ୍ଚର୍ଯ୍ୟ କଥା । ଏ ଜଙ୍ଗଲ ବାଘଭାଲୁରେ ପୂର୍ଣ୍ଣ । ତଥାପି ମଧ୍ୟ କୌଣସି ଭୟ ମନରେ ନ ରଖି ଅତି ନିଶ୍ଚିନ୍ତରେ ସେ କିପରି ଶୋଇ ଯାଇଛି । ମୋତେ ଏକଥା ଦେଖି ଏତେ ଖୁସି ଲାଗିଲା ଯେ ମୁଁ ତା’ର ଚିତ୍ରଟି ଆଙ୍କି ବସିଲି ।”
ସେ ରାଜା ମଧ୍ୟ ଏଭଳି କଥା ଶୁଣି ଖୁବ୍ ବିସ୍ମିତ ହେଲେ ଓ କହିଲେ, “ଅନନ୍ତ, ତୁମର ଏ ଚିତ୍ର ମୁଁ ନେଇ ଯାଉଛି । ଏହାର ମୂଲ୍ୟ ସ୍ୱରୂପ ମୁଁ ମୋର ରତ୍ନହାର ତୁମକୁ ଦେଲି ।”
ଅନନ୍ତ ସେ ପିଲାକୁ ଉଠାଇ ହାରଟିକୁ ତାକୁହିଁ ଦେଇ ଦେଇ ରାଜାଙ୍କୁ କହିଲେ, “ମହାରାଜ, ମୁଁ ଜଣେ ପ୍ରବୀଣ ଚିତ୍ରକାର ହୋଇ ପାରିଥାଏ । କିନ୍ତୁ ମୋ ଚିତ୍ର କେବଳ ଏ ପିଲାଟିର ସରଳପଣିଆ ଯୋଗୁଁ ହିଁ ସୁନ୍ଦର ହୋଇଛି ।”
ରାଜା ନିଜ ଆଙ୍ଗୁଠିରୁ ହୀରକ ଅଙ୍ଗୁରୀୟଟି ବାହାର କରି ଅନନ୍ତଙ୍କୁ ପ୍ରଦାନ କରି ତାକୁ କହିଲେ, “ଅନନ୍ତ, ଏଇଟି ତୁମେ ସ୍ମୃତି ସ୍ୱରୂପ ରଖ । ତମେ ଅନ୍ୟ ଏକ ଛବି ମୋ ପାଇଁ ତିଆରି କରିଦେବ, ଯାହା କି କୌଣସି ବାସ୍ତବତାକୁ ପ୍ରକାଶ କରୁଥିବ ।”
ଇତିମଧ୍ୟରେ ରାଜାଙ୍କୁ ଖୋଜି ଖୋଜି ତାଙ୍କର ପରିଜନମାନେ ସେଠାରେ ଆସି ପହଁଚିଗଲେ । ତା’ପରେ ସେ ରାଜା ସମସ୍ତଙ୍କୁ ନେଇ ରାଜପ୍ରାସାଦକୁ ବାହୁଡି ଆସିଲେ ।
ପ୍ରାୟ ପଚିଶ ବର୍ଷ ପରେ ଦିନେ ଅନନ୍ତ ରାଜାଙ୍କ ଦରବାରରେ ଯାଇ ପହଁଚିଲେ । ସେତେବେଳେ ତ ସେ ରାଜା ଏକ ଭୟାନକ ଡାକୁର ବିଚାର କରି ତା’ଲାଗି ମୃତ୍ୟୁଦଣ୍ଡର ଆଦେଶ ଦେଉଥିଲେ । ତେଣୁ ସେ ରାଜା କହିଲେ, “ପାଂଚଦିନ ପରେ ଏହି ଡାକୁର ଯେପରି ଶିରଚ୍ଛେଦ ହୁଏ ।”
ସେତେବେଳେ ତ ଅନନ୍ତ ସେ ଡାକୁକୁ ଏକ କଳାକାରର ଦୃଷ୍ଟିରେ ଦେଖୁଥା’ନ୍ତି । ଇତିମଧ୍ୟରେ ରାଜା ତାଙ୍କୁ ଚିହ୍ନି ପାରି କହିଲେ, “ଚିତ୍ରକାରଙ୍କୁ ସ୍ୱାଗତ କରୁଛି । କିଛି ସଜୀବ ଓ ପ୍ରାକୃତିକ ଚିତ୍ର ଆଙ୍କି କରି ଆଣିଛ?” ସେତେବେଳେ ବନ୍ଦୀଶାଳାର ପ୍ରହରୀମାନେ ସେ ଡାକୁକୁ ଟାଣି ଟାଣି ନେଇ ଯାଉଥା’ନ୍ତି । ଅନନ୍ତ ରାଜାଙ୍କ ସ୍ୱାଗତ ବାକ୍ୟ ଶୁଣି କହିଲେ, “ମହାରାଜ, କ୍ରୁରତା ଓ ପାଶବିକତା କିପରି ଚରମ ରୂପ ଧାରଣ କରିପାରେ ଏହି ଡାକୁର ଚେହେରା ହିଁ ତା’ର ଜ୍ୱଳନ୍ତ ଉଦାହରଣ । ମଣିଷର ଏହି ରୂପ ମଧ୍ୟ ମୁଁ ଆଙ୍କିବାକୁ ଚାହୁଁଛି । ଆପଣ ଅନୁମତି ଦେଲେ ମୁଁ ଏଥର ମୋ କାର୍ଯ୍ୟ ଆରମ୍ଭ କରିବି ।”