ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅପୂର୍ବଙ୍କ ପରାକ୍ରମ

ମୁଖିଆଙ୍କ ଏଭଳି କଥା ଶୁଣି ସମୀର କହିଲା “ମହାଶୟ! ଆପଣ ଯେଉଁ ସବୁ ସମସ୍ୟା କଥା କହିଲେ ସେ ବିଷୟରେ ମୁଁ ବି ଯଥେଷ୍ଟ ଚିନ୍ତା କରିଛି । କିନ୍ତୁ ଏବେ ଡାକୁମାନେ ଆମ ହାତରେ । କାରଣ ସେମାନେ ସମସ୍ତେ ନିଦ୍ରାରେ ଅଚେତନ ହୋଇ ପଡିଛନ୍ତି । ତେଣୁ ତାଙ୍କୁ କାବୁ କରିବା ଖୁବ୍ ସହଜ ହେବ ।”

ସମୀର କଥା ଶୁଣି ସେନାନାୟକ ଖୁବ୍ ଖୁସି ହୋଇଗଲେ । ତା’ପରେ ସେ ତାଙ୍କ ସେନାଦଳଙ୍କୁ ଆଦେଶ ଦେଲେ ସମୀରର ପଛେ ପଛେ ଯିବାକୁ । ଗାଁ ଲୋକ ମଧ୍ୟ କେହି କେହି ସେମାନଙ୍କ ସାଥିରେ ଗଲେ ।

ସମୀରର ମା’ କହିଲେ, “ପୁଅ, ଭୋକ ଉପାସରେ ଖଟି ଖଟି ମୃତ୍ୟୁ ମୁଖରୁ ଫେରି ଆସିଛୁ । ଟିକିଏ କିଛି ଖାଇଦେଇ ଯା’ । ପୁଣି ସେହି ବିପଦ ମୁହଁକୁ ଯିବୁ?”

ସମୀର କହିଲା “ମା’, ପ୍ରକୃତରେ ମୋତେ ବି ବହୁତ ଭୋକ ଲାଗୁଛି । କିନ୍ତୁ ମୁଁ କିଛି ଖାଇ ପାରୁନାହିଁ ବା ପିଇ ପାରୁନାହିଁ । ଯେତେବେଳ ପର୍ଯ୍ୟନ୍ତ ସବୁ କାମ ଠିକ୍ ନ ହୋଇଛି ମୁଁ କିଛି କରିପାରିବି ନାହିଁ । ଡେରି ହେଲେ  ଏପରି ସୁଯୋଗ ହୁଏତ ମୋତେ ଆଉ ମିଳି ନପାରେ । ତେଣୁ ସେଠାକୁ ମୋତେ ତୁରନ୍ତ ଯିବାକୁ ହେବ ।” ତା’ପରେ ସମୀର ସେହି ପାହାଡ ଆଡକୁ ଚାଲିଲା । ତା’ ପଛେ ପଛେ ସେନାଦଳ ଓ ଗ୍ରାମବାସୀମାନେ ମଧ୍ୟ ଚାଲିଥା’ନ୍ତି । ସେହି ସମୟରେ ସମସ୍ତିଙ୍କ ହାତରେ କିଛିନା କିଛି ଅସ୍ତ୍ରଶସ୍ତ୍ର ଥାଏ ।

ଅଳ୍ପ ବାଟ ବାକି ଥାଏ ସମୀର ସମସ୍ତିଙ୍କୁ ସେଠାରେ ଠିଆ କରାଇ ଦେଖାଇ ଦେଲା ଏବେ ପର୍ଯ୍ୟନ୍ତ ମଧ୍ୟ ଡାକୁମାନେ ଆରାମରେ ଶୋଇଛନ୍ତି । ତା’ପରେ ସେନାଦଳ ଓ ଗ୍ରାମବାସୀମାନେ ସେଠାକୁ ଓହ୍ଲାଇ ଗଲେ । ହାତରେ ତ ସେମାନେ କିଛି ନା କିଛି ଅସ୍ତ୍ରଶସ୍ତ୍ର ଓ ଖଣ୍ଡେ ଖଣ୍ଡେ ଦଉଡି ଧରିଥିଲେ ।

ପ୍ରଥମେ ଭୈରବ ସର୍ଦ୍ଦାର ଆଖିରେ ପଡିଲା । ସେ ଆଖି ମଳି ମଳି ଚାହିଁଲା । ସ୍ୱପ୍ନ ନା ସତ୍ୟ ବିଶ୍ୱାସ କରିପାରିଲା ନାହିଁ । ସେ ପାଟି କରିବା ପୂର୍ବରୁ ସେନାଦଳ ସମସ୍ତିଙ୍କୁ ବାନ୍ଧି ପକାଇଲେ । ସେନାନାୟକ କହିଲେ, “କୌଣସି ଗୋଳମାଳ ନକରି ଚାଲ । ଗୋଳମାଳ କଲେ ରାଜାଙ୍କ ପାଖକୁ ତୁମ ମୁଣ୍ଡମାନ ଯିବ ।”

ତା’ପରେ ଭୈରବ ଚେଷ୍ଟା କରୁଥିଲା ଦାନ୍ତରେ ଦଉଡି କାଟି ପକାଇବାକୁ । ସେନାନାୟକ ଗୋଟିଏ ଥାପଡ ଦେଇ ତାକୁ ବସାଇ ଦେଲେ । ସେ କହିଲେ, “ସମସ୍ତେ ଶୁଣି ନିଅ । ତୁମପାଇଁ ସାରା ରାଜ୍ୟ କେତେ କଷ୍ଟ ଯନ୍ତ୍ରଣା ପାଇଛି । କେତେ ଲୋକଙ୍କ ଧନ ଲୁଟିଛ । ଛୁଆପିଲାକୁ ମାରିଛ । ଏବେ ତୁମମାନଙ୍କୁ ଦୟା ଦେଖାଇବାକୁ କେହି ଜଣେ ହେଲେ ବି ମିଳିବେ ନାହିଁ । କୌଣସି ଗୋଳମାଳ ନ କରି ଚୁପ୍ଚାପ୍ ଚାଲ ।”

ଇତିମଧ୍ୟରେ ଅନ୍ୟ ଡାକୁମାନେ ନିଦରୁ ଉଠି ଦେଖିଲେ ସେମାନଙ୍କ ହାତ ଦୁଇଟି ପଛପଟରେ ବନ୍ଧା, କିଂକର୍ତ୍ତବ୍ୟବିମୁଢ । ସମସ୍ତେ ଚୁପ୍ଚାପ୍ ସମୀରର ଗ୍ରାମ ଆଡେ ଚାଲିଥା’ନ୍ତି । ଆଗରେ ସେନାଦଳ, ପଛରେ ସେନାଦଳ, ଗ୍ରାମବାସୀ ଓ ସମୀର ସମସ୍ତେ ବଡ ବିଜୟଦର୍ପରେ ଡାକୁଦଳ ଧରି ଫେରୁଥା’ନ୍ତି ।

କ୍ରମେ କ୍ରମେ ସମସ୍ତେ ପାହାଡ ସବୁ ପାର ହୋଇ ସମତଳ ଭୂମିକୁ ଆସିଲେ । ଅନ୍ୟ ଗାଁର ଲୋକମାନେ ଏ ନାଟକ ଦେଖିବାକୁ ଦଳ ଦଳ ହୋଇ ଆସୁଥା’ନ୍ତି । କାରଣ ଏମାନଙ୍କଠାରୁ କେତେ ଅତ୍ୟାଚାର ସେମାନେ ବି ସହିଛନ୍ତି । ଏବେ ସେମାନେ କେବଳ ପ୍ରତିଶୋଧ ନେବାକୁ ଚାହାଁନ୍ତି । କେହି କେହି ଆସି ପାହାରେ ପାହାରେ ପକାଇଲେଣି । ଶେଷକୁ ସମୀର ସେମାନଙ୍କୁ ଅଟକାଇ କହିଲା, “ଏମାନଙ୍କୁ ରାଜାଙ୍କ ପାଖକୁ ନେଇଯିବା, ପରେ ଆଇନ୍ ଅନୁସାରେ ଯେପରି ଦଣ୍ଡ ମିଳିବ ଏମାନେ ପାଇବେ । ଆମେ କାହିଁକି ତାଙ୍କୁ ପିଟିବା? ଦେଖନ୍ତୁ ସେମାନେ କିପରି ମୁଣ୍ଡ ତଳକୁ କରି ଚାଲିଛନ୍ତି । ସେମାନେ ଆମ ହାତ ମୁଠାରେ । ମୋର ମନେହୁଏ, ଏବେ ଆମେ ସେମାନଙ୍କୁ ଦୟା ଦେଖାଇବା ଉଚିତ୍ ।”

ତା’କଥା ଶୁଣି ଗ୍ରାମବାସୀମାନେ ଆନନ୍ଦରେ ସମୀରର ମୁଣ୍ଡକୁ ଉପରକୁ ଉଠାଇ ଧରିଲେ । ତା’ପରେ ଡାକୁମାନେ ଧରା ପଡିଛନ୍ତି ବୋଲି ସମସ୍ତେ ବହୁତ ଉତ୍ସବ କଲେ । ସମୀର ଗୋଟିଏ ଗଛ ପାଖରେ ଠିଆ ହୋଇଥାଏ, ହଠାତ୍ କେଉଁଠୁ ଗୋଟାଏ ସୁସୁରି ବଜାଇବାର ଶବ୍ଦ ହେଲା । ସେଇ ଶବ୍ଦଟା ତାକୁ ଲାଗିଲା ଖୁବ୍ ପରିଚିତ । ସେ ସବୁ ଛାଡି ସେଇ ଆଡକୁ ଦୌଡିଗଲା । କିଛି ଦୂର ଯାଇ ସେ ଦେଖିଲା ଅପୂର୍ବ ଗୋଟିଏ ବୁଦା ମୂଳରେ ଠିଆ ହୋଇଛି । ସେ ଅପୂର୍ବ ପାଖରେ ପହଁଚି କହିଲା, “ମୁଁ ଆଜି ବହୁତ ଖୁସି ।”

ଅପୂର୍ବ ସମୀରକୁ କହିଲା “ଏପରି ଏକ ଭୟଙ୍କର ଡାକୁଦଳକୁ ବନ୍ଦୀ କରାଗଲା ବୋଲି ମୁଁ ମଧ୍ୟ ବହୁତ ଖୁସି । କିନ୍ତୁ ସେମାନଙ୍କର ମଧ୍ୟ ଆମମାନଙ୍କ ପରି କ୍ଷୁଧାପିପାସା ଅଛି । ତୁମେ ତୁମର ଗ୍ରାମର ମୁଖିଆଙ୍କୁ କୁହ ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତୁ ।”

ସମୀର କହିଲା “ହେ ମହାପୁରୁଷ, ତୁମ କଥା ଶିରୋଧାର୍ଯ୍ୟ” ।

ଅପୂର୍ବ ଉତ୍ତର ଦେଲା “ମୋତେ ବନ୍ଧୁ ବା ମିତ୍ର ବୋଲି କହିବ । ମୁଁ କୌଣସି ମହାପୁରୁଷ ବା ଦେବଦୂତ ନୁହେଁ ।”

ଡାକୁମାନେ କାରାଗାରରେ ବନ୍ଦୀ ଥା’ନ୍ତି । କେବଳ ହାତ ନୁହେଁ ସେମାନଙ୍କ ପାଦ ମଧ୍ୟ ବନ୍ଧା ହୋଇଥାଏ । ସେମାନଙ୍କୁ ଅଳ୍ପ କିଛି ଖାଦ୍ୟ ଦିଆଯାଉଥାଏ । ଯେପରିକି କେବଳ ଫାଶୀ ପାଇବା ପର୍ଯ୍ୟନ୍ତ ସେମାନେ ଜୀବିତ ରହିବେ । ରାଜାଙ୍କର ଆଦେଶ ଥିଲା ଯେ ସମଗ୍ର ଦଳଟିକୁ ମୃତ୍ୟୁଦଣ୍ଡ ଦିଆଯିବ ।

ଜଣେ ଡାକୁ ଭୈରବକୁ କହିଲା, “ଭୈରବ, କେବଳ ତୋରି ପାପ ପାଇଁ ଆଜି ଆମ ସମସ୍ତିଙ୍କୁ ପ୍ରାଣ ଦେବାକୁ ହେଉଛି ।”

ମାତ୍ର ଭୈରବ ତା’କଥାରେ ରାଗିଯାଇ କହିଲା “କ’ଣ ହେଲା? ତୁ ମୋତେ ଭୈରବ ବୋଲି ଡାକିଲୁ? କେଡେ ସାହସ ତୋର! ତୁ ଭୁଲିଗଲୁ କି ମୁଁ ତୋର ସର୍ଦ୍ଦାର ବୋଲି? ମୋ ସହିତ କଥା କହିବାବେଳେ ତୁ ପରା ଥରୁଥିଲୁ ଏବେ ପୁଣି କ’ଣ ହେଲା ଯେ ତୁ ପୁଣି ମୋର ନା ଧରି ଡାକୁଛୁ?”

ଜଣେ ଡାକୁ କହିଲା “ଯାହା କହିଲୁ ମୂର୍ଖ, ସେକଥା ସତ୍ୟ । ତେବେ ମରିବାକୁ ଅଳ୍ପ ସମୟ ବାକି । ସେତିକିବେଳେ ସର୍ଦ୍ଦାରକୁ ସମ୍ମାନ ଦେବା କଥା କହୁଛ? ସବୁ ହେଲା ତୋରି ଯୋଗୁଁ । ଆରେ ନିର୍ଲଜ୍ଜ ଏପରି ଅବସ୍ଥାରେ ତୋତେ ସମ୍ମାନ ନ ଦେଖାଇଲେ ହେଉନାହିଁ?”

ସେମାନଙ୍କର ଏଭଳି କଥା ଶୁଣି ଭୈରବ ସେମାନଙ୍କୁ ଧମକାଇଲା “ବକ୍ ବକ୍ କରନା, ବେଶି ପାଟିକଲେ ତୁମମାନଙ୍କ ବେକରେ ମୁଁ ଛୁରି ବସାଇଦେବି ।”

ଡାକୁ କହିଲା “ମୋତେ ମାରିବା ପାଇଁ ତୁ ଏତେ କଷ୍ଟ କରିବା ଆଦୌ ଦରକାର ନାହିଁ । ତୁ ଓ ଆମେ ସମସ୍ତେ ଏକାଠି ତ ମରିବାକୁ ହିଁ ଯାଉଛେ ।” ଅନ୍ୟ ଡାକୁ ମଧ୍ୟ ଭୈରବ ଉପରେ ଗାଳିବର୍ଷଣ କଲେ ।

ଏହି ସମୟରେ ହଠାତ୍ କାହାର କଥା ଶୁଣାଗଲା “ତୁମେମାନେ କ’ଣ ମୃତ୍ୟୁମୁଖରୁ ଉଦ୍ଧାର ପାଇବାକୁ ଚାହୁଁଛ?”

ଏକଥା ଶୁଣି ଭୈରବ ପଚାରିଲା “ଏ ପ୍ରଶ୍ନ କିଏ କଲା? କଣ୍ଠଟି କେଡେ ମଧୁର! କଥାଟି ଶୁଣିବା ମାତ୍ରେ ଆଶାଭରସାରେ ମନପ୍ରାଣ ଭରିଯାଉଛି । କିଏ ସେ ଲୋକ?”

କଣ୍ଠସ୍ୱରରୁ ଶୁଭିଲା “ମୁଁ ହେଉଛି ସେହି ବ୍ୟକ୍ତି ଯିଏ କି ତୁମକୁ ଧରାଇ ଦେଇଥିଲା ।”

ଭୈରବ ପ୍ରଶ୍ନ କଲା “ତାହେଲେ ତୁମେ ହିଁ ଆମକୁ ଧରାଇ ଦେଇଛ? ତେବେ ପୁଣି ପ୍ରାଣଦଣ୍ଡରୁ ମୁକ୍ତି ଦେବା କଥା କାହିଁକି କହୁଛ? ତୁମର ଉଦ୍ଧେଶ୍ୟ କ’ଣ? କିଏ ତମେ?”

“କୌଣସି ଅପରାଧିର ମୃତ୍ୟୁରେ ମୁଁ ଖୁସି ନୁହେଁ, ବରଂ ଅପରାଧିମାନେ କିପରି ନବଜନ୍ମ ପାଇବେ ତାହା ହିଁ ମୋର ଅସଲ ଉଦ୍ଧେଶ୍ୟ । ତୁମମାନଙ୍କୁ ଧରିବା ଅତ୍ୟନ୍ତ ଜରୁରୀ ଥିଲା । କାହିଁକିନା ଯେଉଁପରି ଜୀବନ ତୁମେ ବିତାଉଥିଲ ତାହା ପାପରେ ପୂର୍ଣ୍ଣ ଥିଲା । ତୁମେ ତଦ୍ୱାରା ଅନ୍ୟମାନଙ୍କୁ ଦୁଃଖ ଦେଉଥିଲ, ଓ ନିଜେ ମଧ୍ୟ କୁପ୍ରବୃତି ଦ୍ୱାରା ଚଳୁଥିଲ । ତମେ ଜାଣିନଥିଲ ଯେ ତୁମ ପାପ ତୁମକୁ ଭୀଷଣ ନର୍କକୁ ନେବ । ଏମିତି ଜୀବନ ନେଇ ବଂଚିବା ଅପେକ୍ଷା ବରଂ ମରିଯିବା ଶତଗୁଣରେ ଶ୍ରେୟସ୍କର ।” ପୁଣି ସୁନ୍ଦର ସୁସୁରି ବଜାଇ ଦେଇ କିଏ ଚାଲିଗଲା ଓ ପୁଣି ଫେରି ଆସିଲା । କହିବା ବାହୁଲ୍ୟ ସେ ଥିଲା ଅପୂର୍ବ । ଡାକୁ କିଛି ସମୟ ପର୍ଯ୍ୟନ୍ତ ନୀରବ ରହିଲା; ତା’ପରେ ସେ କହିଲା, “ଆମ ଉପରେ ଦୟା କର । ଆପଣ ଆମକୁ ବଂଚି ରହିବାକୁ ଦିଅନ୍ତୁ । ଆମେ ଆମର ଜୀବନ ଭଲ ଭାବରେ ବିତାଇବୁ । ଆପଣ ଯାହା କହିବେ ଆମେ ସେପରି କାମ କରିବୁ । ଭବିଷ୍ୟତରେ ଏପରି କାମ ଆମେ ଆଉ କେବେ ମଧ୍ୟ କରିବୁ ନାହିଁ । ଆମେ ସବୁଦିନେ ଆପଣଙ୍କ କଥାରେହିଁ ଚଳିବୁ । ଆମେ ଏକଥା ଶପଥ କରୁଛୁ ।”

ସ୍ୱରଟି ପଚାରିଲା “ଆଚ୍ଛା ଭୈରବ ସର୍ଦ୍ଦାର ଏ ବିଷୟରେ କ’ଣ କହୁଛି?”

ଦେଖାଗଲା ଭୈରବ ବସି ବସି କାନ୍ଦୁଛି । କାନ୍ଦି କାନ୍ଦି ସେ କହିଲା, “ବହୁତ ପୂର୍ବରୁ ମୁଁ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ଚାହିଁଥିଲି । କିନ୍ତୁ ପରିସ୍ଥିତି ଶେଷକୁ ଏପରି ହେଲା ଯେ ଧୀରେ ଧୀରେ ମୁଁ ଏହି ଅପରାଧ

ଓ ପାପରେପୂର୍ଣ୍ଣ ଜୀବନ ଭିତରକୁ ଓହ୍ଲାଇ ଆସିଲି । ଯଦି ଆପଣ ମୋତେ ବଂଚାଇ ରଖିବେ ତେବେ ମୋର ଜୀବନ ମୁଁ ଆପଣଙ୍କ ପାଦତଳେ ସମର୍ପଣ କରିଦେବି ।”

ଅପୂର୍ବ କହିଲା “ନିଜ ଜୀବନ ନିଜ ଆତ୍ମାକୁ ଅର୍ପଣ କର । ତାହାହିଁ ଯଥେଷ୍ଟ; ତୁମ ଆତ୍ମା ହେଉଛି ଭଗବାନଙ୍କର ଅଂଶ । ଥରେ ଯଦି ତୁମେ ତାକୁ ଦେଖିପାରିବ ତେବେ ସେ ତୁମକୁ ଆଉ କେବେବି ଭୁଲ୍ ଦିଗରେ ଯିବାକୁ ଛାଡିବ ନାହିଁ ।”

ଡାକୁ ଭୈରବ ସର୍ଦ୍ଦାର ଖୁବ୍ ଆନ୍ତରିକତାର ସହିତ କହିଲା “ମୋର ତ ନିଜର ବୋଲି କୌଣସି ଚିନ୍ତା ନାହିଁ । ଯଦି ରାଜା ମୋର ଦଳ ଲୋକଙ୍କୁ ଛାଡିଦିଅନ୍ତି ତ ତେବେ ମୁଁ ନିଜେ ଫାଶୀରେ ଲଟକିବାକୁ ମଧ୍ୟ କେବେବି ପଛଘୁଂଚା ଦେବିନାହିଁ ।”

ଅପୂର୍ବ ବୁଝାଇଲେ “ଏହା ତୁମର ଅନ୍ତର ପରିବର୍ତ୍ତନର ପ୍ରଥମ ସଙ୍କେତ । ଏବେ ମୋ କଥା ମନଦେଇ ଶୁଣ । ମୁଁ ତୁମ ପଟରୁ ରାଜାଙ୍କୁ ତୁମମାନଙ୍କର ଜୀବନ ରକ୍ଷା କରିବା ପାଇଁ ଅନୁରୋଧ କରିବି । ପରିଣାମ କ’ଣ ହେବ ମୁଁ ଜାଣେନାହିଁ । ଇତିମଧ୍ୟରେ ତୁମେମାନେ ଭଗବାନଙ୍କୁ ପ୍ରାର୍ଥନା କରୁଥାଅ । ତାଙ୍କ ପାଖରେ କ୍ଷମା ମାଗ । ତାଙ୍କ ପାଖରେ ଅନୁତାପ କର । ତାଙ୍କରି ପାଖରେ ଶପଥ କର ଯେ ଏପରି ଆଉ କେବେବି କରିବ ନାହିଁ । ଅଧୁନା କେବଳ ସେ ହିଁ ଚାହିଁଲେ ତୁମକୁ ଜୀବନଦାନ ଦେଇ ପାରିବେ ।”

                ତା’ପରେ ଅପୂର୍ବ ସମୀରକୁ ଦେଖାକରି ତାକୁ ଅନୁରୋଧ କରି କହିଲା ସେ ଯେପରି ଡାକୁମାନଙ୍କୁ ଜୀବନଦାନ ଦେବାକୁ ରାଜାଙ୍କୁ ଅନୁରୋଧ କରେ । ସମୀର ସେପରି କଲା, ହେଲେ କେହି ବି ସେ କଥାରେ ମୋଟେ କର୍ଣ୍ଣପାତ କଲେ ନାହିଁ ।

ରାଜା କହିଲେ, “ଏମାନେ ଅନେକ ଲୋକଙ୍କୁ ମାରିଛନ୍ତି, ତେଣୁ ତାଙ୍କୁ ମଧ୍ୟ ମାରି ଦିଆଯିବ ।” ତଥାପି ସମୀର ସେମାନଙ୍କୁ ଧରାଇ ଦେଇଛି ବୋଲି ରାଜା ତା’ କଥାର ମୂଲ୍ୟ ବି ଦେଉଥା’ନ୍ତି ।

ସମୀର କହିଲା, “ମହାରାଜ, ମୋର କାହିଁ ମନେହୁଏ ଯେ, ଇଶ୍ୱର ସେମାନଙ୍କୁ କ୍ଷମା କରି ଦେଇଛନ୍ତି । ତେଣୁ ଏକ ନୂତନ ଜୀବନ ଆରମ୍ଭ କରିବା ସକାଶେ ସେମାନଙ୍କୁ ଏକ ସୁଯୋଗ ଦିଆଯାଉ ।”

ସମୀର କଥା ଶୁଣି ରାଜା ଥଟ୍ଟାକରି କହିଲେ “ତୁମେ କ’ଣ ଇଶ୍ୱରଙ୍କ ପକ୍ଷରୁ ଏକଥା କହୁଛ?”

ସମୀର କହିଲା, “ମହାରାଜ, ମୁଁ ଏକଥା କହୁନାହିଁ । କିନ୍ତୁ ମୋତେ ଯିଏ ଡାକୁମାନଙ୍କ କବଳରୁ ଉଦ୍ଧାର କରିଛନ୍ତି ସେହି ଦେବଦୂତ ହିଁ ଏକଥା କହୁଛନ୍ତି ।”

ରାଜା କହିଲେ “ଦେଖ, ଯଦି ଇଶ୍ୱର ଚାହାଁନ୍ତି ସେମାନଙ୍କୁ ଜୀବନଦାନ କରିବାକୁ, ତେବେ ତାଙ୍କଦେଇ କିଛି ଚମତ୍କାର ଘଟଣା ଅବଶ୍ୟ ଘଟିବ ।”

ରାଜାଙ୍କର ଏଭଳି କଥା ଶୁଣି ସମୀର କହିଲା, “ଡାକୁମାନେ ଅନୁତାପ କରୁଛନ୍ତି । ସେମାନଙ୍କ ହୃଦୟ ପରିବର୍ତ୍ତନ ହୋଇ ସାରିଲାଣି । ଏକଥା କ’ଣ ଯଥେଷ୍ଟ ଚମତ୍କାର ଘଟଣା ନୁହେଁ?”

“ହୋଇପାରେ । କିନ୍ତୁ ମୁଁ ଏସବୁ କିଛିବି ବୁଝିପାରୁନାହିଁ । ଏମିତି ବି ହୋଇପାରେ ଯେ ଯେଉଁ ଦଉଡିରେ ଭୈରବକୁ ଫାଶୀ ଦିଆଯିବ ହୁଏତ ସେଠାରେ ବଜ୍ରପାତ ହୋଇ ସେ ଦଉଡି ଛିଡି ଯାଇପାରେ ।” ଏମିତି କହି ରାଜା ଜୋର୍ରେ ହସିଲେ ଓ ସମୀରର ପିଠି ଥାପୁଡାଇ ଦେଇ ତାକୁ ଧୈର୍ଯ୍ୟ ଧରିବାକୁ କହିଲେ ।

ମାତ୍ର ସମୀର ସେପର୍ଯ୍ୟନ୍ତ ନିରାଶ ହୋଇ ନଥିଲା । ସେ ଅପୂର୍ବକୁ ସବୁକଥା କହିଲା । ଅପୂର୍ବ ସେସବୁ କଥା ଶୁଣିଲା ଓ କ’ଣ କରାଯିବ ସେ ବିଷୟରେ ଚିନ୍ତାକରି କହିଲା, “ରାଜା ଯେଉଁ ଭାବରେ ଚାହୁଁଛନ୍ତି ସେହି ଭାବରେହିଁ ହୁଏତ ଘଟଣା ଘଟିପାରେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ