ଯେଉଁ ପର୍ବତ ଉପରେ ମୁନି ସଦାନନ୍ଦ ଠିଆ ହୋଇଥିଲେ ସେଠାରୁ ସୂର୍ଯ୍ୟୋଦୟ ଅତି ଚମତ୍କାର ଦିଶୁଥାଏ । ଉଦୟ ସୂର୍ଯ୍ୟଙ୍କର କିରଣଜାଲ ବରଫାବୃତ ପର୍ବତ ଶିଖର ଉପରେ ପ୍ରତିବିମ୍ବିତ ହେବାରୁ ତାହା ଅତୀବ ରମଣୀୟ ହୋଇ ଉଠିଥାଏ । ପର୍ବତ ତଳକୁ ସୁନ୍ଦର ନଦୀ ବହି ଯାଉଥାଏ । ମୁନି ସଦାନନ୍ଦ ପ୍ରକୃତିର ଏହି ଅପୂର୍ବ ଶୋଭାକୁ ନିରୀକ୍ଷଣ କରୁ କରୁ ଅତ୍ୟନ୍ତ ଭାବବିହ୍ୱଳ ହୋଇ ଉଠିଲେ ।
ଏସବୁ ଦେଖି ତା’ପରେ ସେ ନିଜକୁ କହିଲେ, “ଇଶ୍ୱରଙ୍କର ସୃଷ୍ଟି କି ଅପୂର୍ବ, ସୁନ୍ଦର ପୃଥିବୀ, ଜାତିଜାତିକା ପଶୁପକ୍ଷୀ ଓ ମଣିଷ । ମଣିଷକୁ ତା’ ଜୀବନରେ ପ୍ରଗତି କରିବା ପାଇଁ ଭଗବାନ ତାକୁ କେତେ ଯେ ବୁଦ୍ଧି ଦେଇଛନ୍ତି । କାରଣ ଇଶ୍ୱର ଚାହାଁନ୍ତି ନାନା ପ୍ରକାର ଆବିଷ୍କାର ଉଦ୍ଭାବନ କରି ମଣିଷ ଅତ୍ୟନ୍ତ ଖୁସିରେ ସେ ତା’ ଜୀବନ ବିତାଉ । ସେଥିପାଇଁ ମଣିଷକୁ ସେ ବୁଦ୍ଧି ଦେଇଛନ୍ତି ଯେପରିକି ସେ ଭଲ ମନ୍ଦ ମଧ୍ୟରେ ପ୍ରଭେଦ ବାରିପାରିବ ଓ ବାଂଛିତ ଅବାଂଛିତକୁ ଭଲ ଭାବରେ ସେ ବୁଝି ପାରିବ । ବାସ୍ତବିକ୍ ଏ ପୃଥିବୀ ଏକ ସୁନ୍ଦର ସ୍ଥାନ ହୋଇ ପାରିଥା’ନ୍ତା । ଯଦି ଜଣେ ଅନ୍ୟ ଜଣଙ୍କର ଖୁସିରେ ବାଧା ନ ଦେଇଥା’ନ୍ତା ବା ଅନ୍ୟ ଜଣକ ଜିନିଷ ଚୋରେଇ ନ ନିଅନ୍ତା । ଏପରି କ’ଣ ଏକ ମଣିଷ ତିଆରି କରାଯାଇ ପାରିବ ନାହିଁ ଯାହାର କି ସବୁ କିଛି ଭଲଗୁଣ ଥା’ନ୍ତା ଖରାପଗୁଣ ଜନ୍ମରୁ ସେ କିଛି ବି ଶିଖି ନଥା’ନ୍ତା?”
“ସଦାନନ୍ଦ ଜଣେ ମହାନ୍ ଯୋଗୀ ଥିଲେ ଠିକ୍ ଋଷିମାନଙ୍କ ପରି । ପ୍ରକୃତିର ଅନେକ ରହସ୍ୟ ସେ ଜାଣିପାରିଥିଲେ । ତା’ଛଡା ତାଙ୍କର ଅନେକ ଅଲୌକିକ ଶକ୍ତି ସବୁ ଥିଲା ଯାହାକୁ କି ସେ ଭଲ କାର୍ଯ୍ୟରେ ପ୍ରୟୋଗ କରିପାରୁଥିଲେ । ଥରେ ସେ ଏକ ଯଜ୍ଞ କରୁଥିଲେ ଓ ଏକ ଶୁଭମୁହୂର୍ତ୍ତ ପାଇଁ ଅପେକ୍ଷା କରୁଥିଲେ । ହଠାତ୍ ଦିନେ ତାଙ୍କ ପ୍ରିୟ ଶିଷ୍ୟ ସୋହମ୍ ନିଜ କୁଟୀରରୁ ବାହାରି ଆସି କହିଲେ, “ଗୁରୁଦେବ, ଆପଣଙ୍କର ଇପ୍ସିତ ମୁହୂର୍ତ୍ତ ଏବେ ଆଗତପ୍ରାୟ, ଯାହା ଅନୁଷ୍ଠାନ କରିବାର ଅଛି କରନ୍ତୁ । ଆଉ ମୋଟେ କାଳବିଳମ୍ବ କରନ୍ତୁ ନାହିଁ ।”