ଏହା ଶୁଣି ସଦାନନ୍ଦ କହିଲେ, “ହଁ ସୋହମ୍ । ତୁମେ ଠିକ୍ କହିଛ; ଆମ ଯଜ୍ଞର ଅନ୍ତିମ ଆହୁତି ଦେବାର ମୁହୂର୍ତ୍ତ ପ୍ରାୟ ଆସିଗଲା ।” ତା’ପରେ ଗୁରୁ ଓ ଶିଷ୍ୟ ଦୁହେଁ ବିଶାଳ ଗୁମ୍ଫା ଭିତରକୁ ଚାଲିଗଲେ । ସେ ଗୁମ୍ଫାର ଦୁଇପଟ ଖୋଲା, ମଝିରେ ଅଗ୍ନି ଜଳୁଛି । ଅଗ୍ନି ନିକଟରେ ହିଁ ସଦାନନ୍ଦ ବସିଗଲେ । ତା’ପରେ ସେ ତାଙ୍କ ଶିଷ୍ୟକୁ ଚାହିଁ କହିଲେ, “ଏବେ ମୋତେ ଜଗିରହ ସୋହମ୍ ଏବଂ ଅଗ୍ନିଶିଖା ଉପରେ ଦୃଷ୍ଟି ରଖ । ଏହା ଅଧିକରୁ ଅଧିକ ପ୍ରଜ୍ଜ୍ୱଳିତ ହେବ – ଦେଖାଯାଉ ତାହା ସଫଳତା ଆଣୁଛି ନା ନାହିଁ । ଶିଷ୍ୟ ଗୁରୁଙ୍କ ପଛରେ ଠିଆ ହୋଇଥା’ନ୍ତି । ସାଧୁ ଏକଘଂଟା ଧରି ଧ୍ୟାନରେ ବସିଲେ । ତା’ପରେ ଏକଘଂଟା ଧରି ସେ ଏକ ମନ୍ତ୍ର ବାରମ୍ବାର ଉଚ୍ଚାରଣ କଲେ ଏବଂ ଯଜ୍ଞ ଅଗ୍ନିରେ ଘୃତ, ପୁଷ୍ପ ଓ ପତ୍ର ଆହୁତି ଦେଲେ ।”
ସେହି ଅଗ୍ନିଶିଖା ମଧ୍ୟରେ ଏକ ଛୋଟ ଆକୃତିର ମଣିଷ ଦେଖାଦେଲା । ଅଚାନକ ଭାବେ ତାକୁ ଦେଖି ସାଧୁଙ୍କ ମୁଖ ଉଜ୍ଜ୍ୱଳ ହୋଇ ଉଠିଲା । ସେ ଅଗ୍ନି ମଧ୍ୟରୁ ବାହାରକୁ ଆସି ସାଧୁଙ୍କୁ ପ୍ରଣାମ କଲା । ତା’ର ଦେହ ଏକବାର ମଣିଷ ପରି ନିଖୁଣ । କିନ୍ତୁ ତା’ର ଆକୃତିଟି ଗୋଟିଏ ଛୋଟ ପିତୁଳା ପରି ।
ସେ ନବ ଆଗନ୍ତୁକଟି ପଚାରିଲା “ମୁଁ କିଏ?”
ସାଧୁ କହିଲେ “ତମେ ଏକ ମଣିଷ । କିନ୍ତୁ ସାଧାରଣଙ୍କ ଠାରୁ ଟିକିଏ ଭିନ୍ନ । ତମେ ପ୍ରକୃତିର ପଂଚମହାଭୂତ ମଧ୍ୟରୁ ସିଧା ଉତ୍ପନ୍ନ ହୋଇଛ । ମୁଁ କରିଥିବା ଯଜ୍ଞର ଶକ୍ତି ଯୋଗୁଁ ଏହା କେବଳ ସମ୍ଭବ ହୋଇ ପାରିଛି । ତମେ ଅନ୍ୟ ମଣିଷଠାରୁ ଗୁଣରେ ଭିନ୍ନ । କାରଣ ତମେ ବାକ୍ଶକ୍ତି ଓ ଜ୍ଞାନ ନେଇହିଁ ସୃଷ୍ଟି ହୋଇଛ । ପୁଣି ତୁମ ମଧ୍ୟରେ ଯେତେବେଳେ ଭଲ ଓ ମନ୍ଦ, ଦୟା ଓ ନିଷ୍ଠୁରତା, ସତ୍ୟ ଓ ମିଥ୍ୟାଚାର ବିଷୟରେ ଜ୍ଞାନ ହେବ, ତୁମେ ସର୍ବଦା ଭଲଗୁଣ, ଦୟା ଓ ସତ୍ୟ ଦିଗକୁହିଁ ଶ୍ରେୟ ମନେ କରିବ । ସାଧାରଣ ମାନବ ନିଜର ଉଚ୍ଚକାଂକ୍ଷା ଦ୍ୱାରା ପରିଚାଳିତ ହୁଅନ୍ତି । ମାତ୍ର ତୁମେ ପରିଚାଳିତ ହେବ ତୁମର ଅନ୍ତରପ୍ରେରଣା ଦ୍ୱାରା–ସେହି ପ୍ରେରଣା, ଯାହା ସର୍ବଦା ନ୍ୟାୟ ଦିଗରେ ଯିବ ଓ ଅନ୍ୟାୟର ବିରୁଦ୍ଧରେ ଯିବ । ତୁମ ବିଷୟରେ ମୋର ଯାହା ସବୁ ସ୍ୱପ୍ନ ଓ କଳ୍ପନା ଅଛି ସେସବୁ ଯଦି ସମ୍ପୂର୍ଣ୍ଣ ହୁଏ ବା ବାସ୍ତବ ରୂପ ନିଏ, ତେବେ ତୁମେହିଁ ଏକ ନୂତନ ମାନବଜାତିର ପ୍ରଥମ ବ୍ୟକ୍ତି ହେବ ।” ସାଧୁଙ୍କ ସବୁକଥା ଶୁଣି ସେହି ବ୍ୟକ୍ତି ପଚାରିଲା “କିନ୍ତୁ ମୋ ମଧ୍ୟରେ ଥିବା ଜ୍ଞାନ ମୋତେ କହୁଛି ଯେ ସାଧାରଣ ମଣିଷଙ୍କଠାରୁ ଆକୃତିରେ ମୁଁ ବହୁତ ସାନ । ଏପରି କାହିଁକି ହେଲା ।”
ସାଧୁ ପଚାରିଲେ “ତମେ ଅନେକ ଦିଗରୁ ଅସାଧାରଣ; ନୁହଁ କି? ତୁମ ମସ୍ତିଷ୍କ ସେମାନଙ୍କଠାରୁ ବହୁ ଶକ୍ତିଶାଳୀ । ତୁମ ହୃଦୟ ସେମାନଙ୍କ ହୃଦୟ ଅପେକ୍ଷା ଅଧିକ ଉଦାର ଓ ସଂବେଦନଶୀଳ; ପ୍ରକୃତିର ନିୟମ ଏପରି ଅଛି ଯେ ଯଦି ତମେ ଗୋଟିଏ ଆଡେ ଶକ୍ତିଶାଳୀ, ତେବେ ଅନ୍ୟ ଆଡେ ଟିକିଏ କମ୍ ହେବ । ତୁମର ଶରୀର ଛୋଟ ହେଲେ କ’ଣ ହେବ, ତାହା ସୁନ୍ଦର ଓ ଶକ୍ତିଶାଳୀ । ତମେ ପୃଥିବୀର ମଙ୍ଗଳ ପାଇଁ କିଛି କାର୍ଯ୍ୟ କରିବ, ସେଥିଲାଗି ତମେ ପ୍ରସ୍ତୁତ ତ?”
ସେ କହିଲା “ହଁ ନିଶ୍ଚୟ ମୁଁ ତାହା କରିବି ।”
ଏଥର ସେ ସାଧୁ ତାକୁ ବୁଝାଇ କହିଲେ “ତୁମେ ଯେପରି ବି ଶରୀର ପାଇଛ ତାହା ତୁମ କାର୍ଯ୍ୟ ପାଇଁ ଯଥେଷ୍ଟ ଶକ୍ତିଶାଳୀ ପ୍ରମାଣିତ ହେବ ।” ପୁଣି ଟିକିଏ ଚୁପ୍ ରହି ସେ କହିଲେ, “ତୁମେ ଏହି ଶରୀର ନେଇ ଚିରଦିନ ପାଇଁ ଅବଶ୍ୟ ରହିବ ନାହିଁ । ତୁମକୁ ଜୀବନର ପ୍ରଥମ ପର୍ଯ୍ୟାୟରେ ବହୁ ସଂଗ୍ରାମ ମଧ୍ୟ ଦେଇ ଯିବାକୁ ହେବ । ମଣିଷ ଜାତିର ସମସ୍ତ ପ୍ରକାର ଶତ୍ରୁଙ୍କୁ ତମେ ନିପାତ କରିବ । ଯଥେଷ୍ଟ କାର୍ଯ୍ୟ କରିସାରିବା ପରେ ତମେ ଶାନ୍ତି ଓ ଆନନ୍ଦରେ ଜୀବନ କଟାଇବ । ତା’ପରେ ତୁମର ଶରୀର ସାଧାରଣ ମଣିଷଙ୍କ ପରି ହୋଇଯିବ । ଠିକ୍ କରି କେବେ ଏସବୁ ଘଟିବ ସେକଥା ସମୟହିଁ ଜଣାଇ ଦେବ ।”
ସାଧୁ ଚକ୍ଷୁ ବନ୍ଦ କରି କିଛି ସମୟ ଧ୍ୟାନସ୍ଥ ରହିଲେ ତା’ପରେ ଚକ୍ଷୁ ଖୋଲି ଅଳ୍ପ ହସି ସେ କହିଲେ, “ଶୁଣ, ତୁମର ନାମ ହେଲା ଅପୂର୍ବ, ଯାହାର ଅର୍ଥ ହେଲା ତୁମ ପୂର୍ବରୁ ତୁମପରି ଆଉ କେହି ବି ନଥିଲେ ।”