ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅପୂର୍ବଙ୍କ ପରାକ୍ରମ

      ଏହାପରେ ସେ ସାଧୁଙ୍କ ଇଙ୍ଗିତରେ ସୋହମ୍ ଅପୂର୍ବ ପାଇଁ କିଛି ଫଳ ଆଣିଦେଲେ । ସେ ସେଥିରୁ କିଛିଟା ଖାଇଲା – ସାଧୁ କହିଲେ, “ବତ୍ସ, ଏ ଫଳଗୁଡିକ ପ୍ରାଣଶକ୍ତିରେ ପୂର୍ଣ୍ଣ । ଥରେ ତୁମେ ସେଗୁଡିକ ଖାଇଲେ, ଦୀର୍ଘଦିନ ଧରି ଆଉ ତୁମେ କ୍ଷୁଧା ଅନୁଭବ କରିବ ନାହିଁ ।”

      ଅପୂର୍ବ ପଚାରିଲା “ଧନ୍ୟବାଦ, ଏବେ ମୁଁ ଗୁମ୍ଫା ବାହାରକୁ ଯାଇପାରେ କି?”

      ସାଧୁ କହିଲେ “ହଁ, ଖାଲି ଗୁମ୍ଫା ବାହାରକୁ ନୁହେଁ, ବରଂ ଖୋଲା ପୃଥିବୀ ମଧ୍ୟକୁ ବି ତୁମେ ଚାଲିଯାଅ ।”

      ଅପୂର୍ବ ସାଧୁଙ୍କୁ ପ୍ରଣାମ କରି ସେଠାରୁ ବାହାରିଗଲା । ସାଧୁ ଓ ତାଙ୍କ ଶିଷ୍ୟ ତା’ପଛେ ପଛେ ଗଲେ । ଉଷୁମ୍ ଖରାରେ ଠିଆ ହୋଇ ଅପୂର୍ବ ସ୍ମିତହାସ୍ୟ କଲା ଓ କହିଲା, “ଆହା କି ସୁନ୍ଦର ସୂର୍ଯ୍ୟାଲୋକ, କି ଚମତ୍କାର ସବୁଜ ଗଛଲତା,  ରଙ୍ଗ ବେରଙ୍ଗର ଫୁଲ ଫଳ, ଅଗଣିତ ପକ୍ଷୀ ନୀଳ ଆକାଶରେ ଡେଣାପିଟି ଉଡିଯାଉଛନ୍ତି ଏଠାରେ ସବୁକିଛି ସୁନ୍ଦର ।”

      ସାଧୁ କହିଲେ “ବତ୍ସ, ତୁମର ଅନୁଭୂତି ସତ୍ୟ । ପ୍ରକୃତରେ ସବୁକିଛି ସୁନ୍ଦର । କିନ୍ତୁ ମଣିଷହିଁ ପୃଥିବୀର ସବୁକିଛିରେ ମିଶାଇ ଦେଇଛି ତିକ୍ତଭାବ । ସେହି ତିକ୍ତଭାବକୁ ଦୂରେଇବା ପାଇଁ ତୁମେ ତୁମର ପ୍ରଥମ କାର୍ଯ୍ୟ ଆରମ୍ଭ କର ।”

      ଏପରି କଥା ଶୁଣି ହଠାତ୍ ଅପୂର୍ବ ଭ୍ରୁକୁଂଚନ କରି କହିଲା, “ଏ ମୁଁ କ’ଣ ଶୁଣୁଛି? ଏହା ତ ଯନ୍ତ୍ରଣାର ଚିତ୍କାର । ଆଉ ମୁଁ ଦେଖୁଛି ଏ କ’ଣ? ଘରଦ୍ୱାର ସବୁ ଅଗ୍ନିର ଲେଲିହାନ ଶିଖାରେ ଭସ୍ମୀଭୂତ ହେଉଛି ।” ଏହି କଥା କହିବା ବେଳେ ତା’ କଣ୍ଠରେ ଭାରି ବ୍ୟସ୍ତତା ଥିଲା ।

      ଅପୂର୍ବର କଥା ଶୁଣି ସୋହମ୍ କହିଲା “କିନ୍ତୁ ଆମେ ତ କାହିଁ ସେପରି କିଛି ବି ଶୁଣିପାରୁ ନାହୁଁ ବା ଦେଖିବି ପାରୁ ନାହୁଁ?”

      ସାଧୁ କହିଲେ “ଆମେ ତାହା ପାରିବା ନାହିଁ । ଅପୂର୍ବର ଅନୁଭୂତି ଆମ ଅପେକ୍ଷା ବହୁଗୁଣରେ ଅଧିକ ତୀକ୍ଷ୍ଣ ଓ ତୀବ୍ର ମଧ୍ୟ । ବହୁ ଦୂରରୁ ସେ ମଧ୍ୟ ଜିନିଷ ସବୁ ଦେଖିପାରିବ ଓ ଶବ୍ଦ ସବୁ ଶୁଣିପାରିବ । ଏମିତିକି ସେ ଯେକୌଣସି ମଣିଷଠାରୁ ବି ଅଧିକ ତୀବ୍ର ଗତିରେ ଦୌଡି ପାରିବ ।”

      ଅପୂର୍ବ କହିଲା “ପିତା, ମୋତେ ଏଥର ଯିବାକୁ ଦିଅନ୍ତୁ । ମୁଁ ଯାଇ ଦେଖେ ଘଟଣା କ’ଣ ।”

      ସାଧୁ କହିଲେ “ଯାଅ ବତ୍ସ । ଭଗବାନ୍ ନିଶ୍ଚୟ ତୁମର ସହାୟକ ହେବେ ।”

      ତା’ପରେ ସେ ଅପୂର୍ବ ତୀବ୍ର ଗତିରେ ଦୌଡିବାକୁ ଲାଗିଲା । ଶେଷରେ ସେ ଦିଗ୍ବଳୟରେ ବିନ୍ଦୁଟିଏ ଭଳି ହୋଇ ଅଦୃଶ୍ୟ ହୋଇଗଲା । ଏସବୁ ଦେଖି ସୋହମ୍ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଗୁରୁଙ୍କୁ ପଚାରିଲେ “ଏ କ’ଣ ଅପୂର୍ବ ତ କାହିଁ କେଉଁଠି ହେଲେ ବି ଆଉ ଦେଖାଯାଉ ନାହିଁ ।”

      ତହୁଁ ସେ ସାଧୁ କହିଲେ “ଗତିର ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ତା’ର ଶରୀର ତେଜ ଓ ମରୁତ୍ ସହିତ ଏକ ହୋଇଯିବ । ତେଣୁ ତୁମେ ତାକୁ ଆଉ ଯମା ବି ଦେଖିପାରିବ ନାହିଁ ।”

      “ଜମିଦାରଙ୍କ ପାଇଁ ଏକ ନୂତନ ଅଟ୍ଟାଳିକା ନିର୍ମାଣର କାର୍ଯ୍ୟରେ ଯଦି ତୁମେମାନେ ସହଯୋଗ ନ କରିବ ତେବେ ତୁମମାନଙ୍କ ନିଜ ଘରେ ବି ରହିବାର କୌଣସି ଅଧିକାର ନାହିଁ ।” ଜମିଦାରର ପିଆଦାମାନେ ଏପରି କହି ଚିତ୍କାର କରୁଥିଲେ ଓ ଅତି ଆନନ୍ଦରେ ଗରୀବମାନଙ୍କ ଘର ଗୁଡିକରେ ଅଗ୍ନି ସଂଯୋଗ କରୁଥିଲେ । ଗ୍ରାମୀଣ ଲୋକମାନେ ତ ଅତ୍ୟନ୍ତ ସରଳ ଓ ନିରୀହ । ତେଣୁ ଏ ବଦମାସ୍ ପିଆଦାମାନଙ୍କର ଅମାନୁଷିକ କାର୍ଯ୍ୟ ଓ ଗୁଣ୍ଡାମୀକୁ ରୋକିବା ପାଇଁ ତାଙ୍କ ପାଖରେ ଯଥେଷ୍ଟ ସାହସ ଓ ବଳ ନଥିଲା । ତେଣୁ ସେମାନେ କରୁଣ ଭାବରେ ମାତ୍ର ଏତିକି କହୁଥିଲେ, “ଆମେ କ’ଣ ଅଟ୍ଟାଳିକା ନିର୍ମାଣ ପାଇଁ ଯଥେଷ୍ଟ ପରିଶ୍ରମ କରିନାହୁଁ? ଆମେ ସବୁଦିନେ କିପରି ଏଠାରେ କାମ କରିବୁ? ତେଣେ ଆମ ଜମି ପଡିଆ ପଡିବ । ପୁଣି ଆମେ ଜୀବିକାର୍ଜ୍ଜନ କିପରି କରିବୁ?”

      ନିଷ୍ଠୁର ପିଆଦାମାନେ ସେମାନଙ୍କ କଥାକୁ ତିଳେହେଲେ ବି କର୍ଣ୍ଣପାତ କଲେନାହିଁ ଓ ସେମାନଙ୍କ ଗୃହମାନଙ୍କରେ କେବଳ ଅଗ୍ନିସଂଯୋଗ କରି ଚାଲିଲେ ।

      ହଠାତ୍ କେଉଁଠୁ ପାଣି ସବୁ ବର୍ଷିଗଲା ଓ ଅଗ୍ନି ନିର୍ବାପିତ ହେଲା । ଏସବୁ ଦେଖି ସେ ନିଷ୍ଠୁର ପିଆଦାମାନେ ଆକାଶକୁ ଚାହିଁଲେ, ଦେଖିଲେ ବାଦଲ ତ ନାହିଁ, ପୁଣି ବର୍ଷା କିପରି ହେଉଛି? ଏହାର ଉତ୍ତର ପାଇବା ପୂର୍ବରୁ ସେମାନେ ଏକ ଭୟଙ୍କର ଶବ୍ଦ ଶୁଣି ପାରିଲେ । ଦେଖିଲେ ଅଦୂରରେ ଗ୍ରାମସୀମାକୁ ସ୍ପର୍ଶ କରି ବହିଯାଉଥିବା ନଦୀ ଜଳରେ ଏକ ଦଳ ହାତୀ ଠିଆ ହୋଇଛନ୍ତି । ସେଇମାନେହିଁ ଶୁଣ୍ଢରେ ପାଣି ଆଣି ଅଗ୍ନି ନିର୍ବାପିତ କଲେ । ତା’ପରେ ସେମାନେ ପିଆଦାମାନଙ୍କୁ ଗୋଡାଇଲେ ଓ ଏଣେ ପାଣି ମଧ୍ୟ ଶୁଣ୍ଢରୁ ବର୍ଷି ଚାଲିଥାଏ । ପିଆଦାମାନେ ପ୍ରାଣ ବିକଳରେ ଦୌଡି ପଳାଉଥା’ନ୍ତି । ଯାଉ ଯାଉ ସେମାନେ କାହାର ଅଟ୍ଟହାସ୍ୟ ଶୁଣିପାରିଲେ । ବୁଲି ଚାହିଁ ଦେଖିଲେ ହାତୀ ଦଳଙ୍କୁ ଅଡେଇ ଯିଏ ଆଣିଛି ଓ ହସୁଛି ସେ ଦେଖିବାକୁ ଠିକ୍ ମଣିଷ ଭଳି, ମାତ୍ର ତା’ ଆକୃତିଟି ଠିକ୍ କଣ୍ଢେଇ ପରି । ସେ କ’ଣ ଭୂତଟିଏ ନା ଦେବଦୂତଟିଏ । ଆଉ ବେଶି କିଛି ସେ ବିଷୟରେ ଚିନ୍ତା ନକରି ସେମାନେ ସେଠାରୁ ତୁରନ୍ତ ଦୌଡି ପଳାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ