ମନ୍ତ୍ରୀ କହିଲେ “କିନ୍ତୁ ଏହା ତ ସମ୍ପୂର୍ଣ୍ଣ ଅସମ୍ଭବ ।”
ତାନ୍ତ୍ରିକ ପ୍ରଶ୍ନ କଲା “ଅସମ୍ଭବ କିଛି ନୁହେଁ । ଏପରି କଥା ତାଙ୍କ ମନରେ କେବେବି ମଧ୍ୟ ଆସେ ନାହିଁ । ଏଥିରେ ହୁଏତ କିଛି ସତ୍ୟତା ଥିବ । ଆଚ୍ଛା ଏସବୁ ବିଷୟରେ ତୁମେ ତୁମ ସ୍ତ୍ରୀଙ୍କୁ ବା ଅନ୍ୟ କାହାକୁ କୌଣସି ସୂଚନା ଦେଇଛ କି?”
ମନ୍ତ୍ରୀ କହିଲେ “ନା ତ? ଆଦୌ ନୁହେଁ ।”
ତାନ୍ତ୍ରିକ କହିଲା “ସେ ଯାହାହେଉ ତୁମେ ନଗର ଚାରିପାଖରେ କଡା ପହରା ରଖ ଯେପରି ବାହାରୁ କେହି ଲୋକ ଆସି ରାଜାଙ୍କ ସହ ଦେଖା ନ କରେ । କିନ୍ତୁ ତୁମ ପ୍ରହରୀମାନେ ମଧ୍ୟ ତୁମ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ରୂପେ ଅନଭିଜ୍ଞ ରହିବେ ।”
ମନ୍ତ୍ରୀ କହିଲେ “ତାହାହିଁ ହେବ । ରାଜନଅରର ଅନେକ ପ୍ରହରୀ ଓ କର୍ମଚାରୀ ଏବେ ମୋ ହାତରେ ଅଛନ୍ତି ।”
ସମୀରକୁ ଯେତେବେଳେ ରାଜାଙ୍କ ପାଖକୁ ଛାଡିଲେ ନାହିଁ ସେତେବେଳେ ଅପୂର୍ବ ଜାଣିଲା ଯେ ପରିସ୍ଥିତି ବଡ ବିପଜ୍ଜନକ । ଏବେ ଆଉ ମାତ୍ର ଦିନଟିଏ ପରେ ରାଜକୁମାରୀଙ୍କ ଜନ୍ମଦିନ । ଅପୂର୍ବ ଜାଣିଥିଲା ଯେ ସୂର୍ଯ୍ୟାସ୍ତ ସମୟରେ ରାଜା ଛାତ ଉପରେ ବୁଲିବାକୁ ଆସନ୍ତି ଓ କିଛି ସମୟ କଟାନ୍ତି । ସେତିକିବେଳେ ସେ ଗୋଟାଏ ଚିଠିରେ ସବୁ ଲେଖି ନିଜର ଅଲୌକିକ ଶକ୍ତି ବଳରେ ଚିଲଟିଏ ଡାକିଆଣି ତା’ ଦ୍ୱାରା ସେ ଚିଠିଟିକୁ ପଠାଇଲା । କିନ୍ତୁ ସେ ଚିଲ ଯେତେବେଳେ ରାଜମହଲ ଉପରେ ଉଡୁଥିଲା, ମହଲର ଜଣେ କର୍ମଚାରୀର ଭାରି ଇଚ୍ଛାହେଲା ସେ ସେହି ଚିଲକୁ ମାରିବ । ତେଣୁ ସେ ତୀରଟିଏ ଛାଡିଲା । ତୀର ତା’ ଦେହରେ ବାଜିଲା ନାହିଁ; କିନ୍ତୁ ସେ ଡରିଗଲା ଓ ଭୟରେ ଚିତ୍କାର କରିବାରୁ ଚିଠିଟି ସେହିକ୍ଷଣି ତଳେ ପଡିଗଲା । ଅପୂର୍ବ ତ ଆଉ ଏସବୁ ଘଟଣା ବିଷୟରେ କିଛି ହେଲେବି ଜାଣିନାହିଁ । ତେଣୁ ତା’ର ବିଶ୍ୱାସ ଥାଏ ଯେ ଚିଠି ରାଜାଙ୍କ ପାଖରେ ପହଁଚିଥିବ ଓ ସେ ଯଥେଷ୍ଟ ସାବଧାନ ହୋଇ କାମ କରିବେ ।
ରାଜକୁମାରୀଙ୍କ ଜନ୍ମଦିନ-ସକାଳ ହେବାଠାରୁ ରାଜପ୍ରାସାଦ ଉତ୍ସବମୁଖର ହୋଇ ଉଠିଲା । ପଡୋଶୀ ରାଜ୍ୟରୁ ଆସିଥିବା ରାଜପ୍ରତିନିଧିମାନେ ରାଜକୁମାରୀଙ୍କୁ ନାନା ଉପହାର ସବୁ ଦେଲେ । ସେ ଅଳ୍ପ ଅଳ୍ପ ହସୁଥିଲେ ଓ ମଧୁର କଥା କହି ସମସ୍ତିଙ୍କ ହୃଦୟକୁ ଜୟ କରୁଥିଲେ । ସେ ଆଜି ବହୁତ ସୁନ୍ଦର ମଧ୍ୟ ଦେଖାଯାଉଥା’ନ୍ତି ।
ଏଣେ ଅପୂର୍ବ ଓ ସମୀର ଦୁହେଁ ଆଲୋଚନା କଲେ । ସମୀର କହିଲା ରାଜା ବା ରାଜକୁମାରୀଙ୍କ ମନରେ ସନ୍ଦେହର ଛାପ ନାହିଁ କିମ୍ବା କୌଣସି ସାବଧାନତା ମଧ୍ୟ ଅବଲମ୍ବନ କରା ଯାଉନାହିଁ । ଏଥିରୁ ସେ ଅପୂର୍ବ ଜାଣିପାରିଲା ଯେ କୌଣସି କାରଣରୁ ରାଜାଙ୍କୁ ତା’ ଚିଠିଟି ମିଳିନାହିଁ ।
ଇତିମଧ୍ୟରେ ଉତ୍ସବମୁଖର ଦଳ ରାଜକୁମାରୀଙ୍କୁ ଧରି ମନ୍ଦିର ଆଡେ ଯିବାକୁ ବାହାରିଲେଣି । ରାଜା, ରାଜକୁମାରୀ ଓ ରାଜପରିବାରର ଲୋକଙ୍କ ବ୍ୟତୀତ, ପ୍ରାୟ ଦୁଇ ହଜାର ଲୋକ ସେହି ମନ୍ଦିର ସାମନାରେ ଏକତ୍ରିତ ହୋଇଥା’ନ୍ତି । ସେ ମନ୍ଦିର ଭିତରେ ଅନେକ ଦୀପ ଜଳୁଥିଲେ ମଧ୍ୟ ସବୁକିଛି ଅସ୍ପଷ୍ଟ ଥିଲା ।
ରାଜକୁମାରୀ ତାଙ୍କର ସଖୀମାନଙ୍କ ସହିତ ଠାକୁରଙ୍କ ସମ୍ମୁଖରେ ହାତଯୋଡି ଠିଆ ହୋଇଥିଲେ । ଏଣେ ପୂଜକ ଶ୍ଳୋକ ପରେ ଶ୍ଳୋକ ପଢି ଯାଉଛି । କହିବା ବାହୁଲ୍ୟ ଯେ ପ୍ରକୃତ ପୂଜକକୁ ଇତିମଧ୍ୟରେ ଅପହରଣ କରି ନିଆ ଯାଇଛି ଓ ତାଙ୍କ ସ୍ଥାନରେ ଏକ ଠକ ପୂଜକ ରହିଛି । ଆଉ ସେହି ନକଲି ପୂଜକ ଜଣକ ହେଉଛନ୍ତି ନିଜେ ତାନ୍ତ୍ରିକ ।
ତାନ୍ତ୍ରିକ କହିଲା “ଆସନ୍ତୁ, ରାଜକୁମାରୀ, ଏଥର ଦେବତାଙ୍କୁ ତିନିଥର ପରିକ୍ରମା କରିବେ । ମୋ ପଛେ ପଛେ ଆସନ୍ତୁ ।”
ରାଜକୁମାରୀ ତାହାହିଁ କଲେ ।
ପୂଜକ ଘୋଷଣା କଲା “ରାଜକୁମାରୀଙ୍କ ସହିତ ଅନ୍ୟ ମାନଙ୍କର ଆସିବା କିଛି ହେଲେବି ଦରକାର ନାହିଁ । ମୁଁ ତାଙ୍କର ସୁରକ୍ଷା ପାଇଁ ଏକ ବିଶେଷ ପ୍ରକାର ଅନୁଷ୍ଠାନ କରୁଛି । ଏହା ବହୁତ ପବିତ୍ର ।”
ପୂଜକଙ୍କର ଦୁଇଜଣ ସହଚର ଆହୁରି ଜୋର୍ରେ ଶ୍ଳୋକ ବୋଲିଲେ । ସେତେବେଳେ ରାଜକୁମାରୀ ତାଙ୍କ ସଖୀମାନଙ୍କ ଦୃଷ୍ଟିର ଅନ୍ତରାଳକୁ ଯାଉଥିଲେ । ଶ୍ଳୋକର ଉଚ୍ଚ ଶବ୍ଦ ମଧ୍ୟରେ ରାଜକୁମାରୀଙ୍କର ଧୀର ଚିତ୍କାର କୁଆଡେ ମିଳାଇ ଗଲା । ତାନ୍ତ୍ରିକ ତାଙ୍କୁ ଧକ୍କା ଦେଇ ସେ ସୁଡଙ୍ଗ ମଧ୍ୟରେ ପ୍ରବେଶ କରାଇଲା ଓ ସେ ନିଜେ ମଧ୍ୟ ତା’ଭିତରେ ପଶିଲା ।
ରାଜା ମନ୍ଦିର ବାହାରେ ଏବେ ମଧ୍ୟ ଅପେକ୍ଷା କରି ରହିଥା’ନ୍ତି ।
ସମୀର ରାଜାଙ୍କ ପାଖରେ ପହଁଚି ଚିତ୍କାର କରି କହିଲା “ମହାରାଜ, ରାଜକୁମାରୀଙ୍କୁ ଅପହରଣ କରାଯାଇଛି!”
ରାଜା ପଚାରିଲେ “କିଏ ଏ ପାଗଳଟା?”
ଉତ୍ତର ଆସିଲା “ମହାରାଜ, ମୁଁ ପାଗଳ ନୁହେଁ । ମୋତେ କ’ଣ ଆପଣ ଚିହ୍ନିପାରୁ ନାହାଁନ୍ତି? ମୁଁ ପରା ସମୀର । ମୁଁ ଓ ମୋର ସାଙ୍ଗମାନେ ଜଳଦସ୍ୟୁମାନଙ୍କୁ ଧରିବାରେ ଆପଣଙ୍କୁ ସାହାଯ୍ୟ କରିଥିଲୁ । ରାଜକୁମାରୀଙ୍କୁ ତ ଅପହରଣ କରାଯାଇ ସାରିଲାଣି ।”
ରାଜା କହିଲେ “କିନ୍ତୁ ସେ ତ ଏବେ ମନ୍ଦିର ଭିତରେ ଅଛି ।”
ସମୀର କହିଲା “ସେ ଆଉ ସେଠାରେ ନାହାଁନ୍ତି । ଆପଣ ନିଜେ ଯାଇ ଦେଖନ୍ତୁ ।”
“ଏକଥା, କ’ଣ ଠିକ୍?” ଏହାପରେ ରାଜା ଜଣେ ଦାସୀକୁ ରାଜକୁମାରୀଙ୍କୁ ଡାକି ଆଣିବାକୁ କହିଲେ । କିନ୍ତୁ ତତ୍କ୍ଷଣାତ୍ ରାଜକୁମାରୀଙ୍କ ସଖୀମାନେ ଓ ଦାସୀମାନେ ଦୌଡିଆସି ଚିତ୍କାର କରି ରାଜାଙ୍କୁ କହିଲେ କି ରାଜକୁମାରୀ ମିଳୁ ନାହାଁନ୍ତି । ଠିକ୍ ସେତିକିବେଳେ ନକଲି ପୂଜକର ଦୁଇଜଣ ସହାୟକ ସେଠାରୁ ପଳାଇ ଯିବାକୁ ଚେଷ୍ଟା କରୁଥା’ନ୍ତି ।