ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅପୂର୍ବଙ୍କ ପରାକ୍ରମ

                ସମୀର କହିଲା “ମହାରାଜ, ଏ ଦୁଇଜଣଙ୍କୁ ଧରି ରଖନ୍ତୁ । ଆପଣ ଦୟାକରି ମୋ ସହିତ ସୁଡଙ୍ଗର ଅନ୍ୟ ମୁହଁ ପଟକୁ ଶୀଘ୍ର ଚାଲନ୍ତୁ । ଜଣେ ଦୁଷ୍ଟ ତାନ୍ତ୍ରିକ ରାଜକୁମାରୀଙ୍କୁ ସୁଡଙ୍ଗ ବାଟ ଦେଇ ଅପହରଣ କରି ନେଇ ଯାଉଛି ।”

                ରାଜାଙ୍କ ଅଙ୍ଗରକ୍ଷକମାନେ ପୂଜକର ସେହି ଦୁଇ ସହଚରଙ୍କୁ ଧରିଲେ । ଆଉ ରାଜା, ତାଙ୍କର ସେନାପତି ଓ କେତେକ ସୈନ୍ୟ ଧରି ସୁଡଙ୍ଗର ମୁହଁ ପାଖକୁ ଚାଲିଲେ । ସମୀର ସେନାପତିଙ୍କ ସହ ଘୋଡାରେ ବସିଥାଏ । ଅପୂର୍ବ ସମସ୍ତିଙ୍କ ଦୃଷ୍ଟିର ଅନ୍ତରାଳରେ ବିଜୁଳି ଗତିରେ ଚାଲିଥାଏ ।

ସୁଡଙ୍ଗର ମୁହଁ ପାଖରେ ସେମାନେ ଯାଇ ଶୀଘ୍ର ପହଁଚିଗଲେ । ସମୀର କହିଲା “ମହାରାଜ, ଏହି ଡାହାଣୀକୁ ଶୀଘ୍ର ଧରି ରଖନ୍ତୁ । ସେ ରାଜକୁମାରୀଙ୍କ ଜୀବନୀଶକ୍ତି ଶୋଷି ଖାଇବାକୁ ଆତୁର ହୋଇ ବସିଛି ।”

“ହାଃ, ହାଃ, ତୁମେ ସବୁ ଏଠାରେ ପହଁଚିବା ଭଳି ସାହସ କଲ କିପରି? ମୁଁ ତୁମ ସମସ୍ତିଙ୍କୁ ଜାଳି ଭସ୍ମ କରିଦେବି ।” ଏହିପରି ଭାବେ ସେ ଡାହାଣୀ ଅନେକ ଭୟ ଦେଖାଇଲା । ସେ ବରଗଛର ଶୁଖିଲା ଡାଳ ଉପରେ ବସିଥାଏ ।

“ସେଇଠି ବସିଥାଅ; ଟିକିଏ ହଲିଲେ ତମେ ନିଜେ ଭସ୍ମ ହୋଇଯିବ ।” ଜଣେ ତେଜସ୍ମାନ ତପସ୍ୱୀ ଏକଥା କହିଲେ । ରାଜା ଓ ସମୀର ତାଙ୍କୁ ଚାହିଁ ଦେଖିଲେ ।

ରାଜା ପଚାରିଲେ “କିଏ ଆପଣ?”

ସମୀର ସଙ୍ଗେ ସଙ୍ଗେ ଘୋଡାରୁ ଓହ୍ଲାଇ ସେ ମୁନିଙ୍କୁ ପ୍ରଣାମ କଲା ଓ କହିଲା, “ଆପଣଙ୍କୁ ମୁଁ ଜାଣେ । ଆପଣ ଅପୂର୍ବର ପିତା ନା? ତାକୁ ଆପଣ କହିଥିଲେ ଯେତେବେଳେ ବହୁତ ବିପଦ ପଡିବ, ସେତେବେଳେ ଆପଣଙ୍କୁ ସେ ସ୍ମରଣ କରିବ । ଆଜି ଏ ବିପଦରେ ବୋଧହୁଏ ଆପଣ ଆମକୁ ସହାୟତା କରିବାକୁ ଆସିଛନ୍ତି ।”

ଏହାଶୁଣି ସେ ମୁନି ଅଳ୍ପ ହସି କହିଲେ, “ତୁମେ ଠିକ୍ କହିଛ । ମୁଁ ଗଭୀର ସମାଧିରେ ଥିଲି । ସେତେବେଳେ ଅପୂର୍ବର ଆହ୍ୱାନ ମୋ ପାଖରେ ଆସି ପହଁଚିଲା । ଇଏ ଏକ ସାଧାରଣ ଡାହାଣୀ ନୁହେଁ, ଏହା ପାଖରେ ବହୁତ ଶକ୍ତି ଅଛି । ତମେ ଜାଣ ଶକ୍ତିକୁ ଯିଏ ଯେମିତି ବ୍ୟବହାର କରିବାକୁ ଚାହିଁବ ତାହା ସେମିତି କରିବ । ଅଲୌକିକ ଶକ୍ତି ମଧ୍ୟ ଠିକ୍ ସେହିପରି ଦୁଇ ପ୍ରକାରର କାମ କରିପାରେ । ଏହି ଡାହାଣୀ କେତେ ଶତାଦ୍ଦୀ ଧରି ନିଜ ଭିତରକୁ ଯୁବତୀ ଝିଅମାନଙ୍କର ଯୌବନ ଶୋଷି ନିଏ ଓ କିଛିଦିନ ସେ ପୁଣି ଯୁବତୀ ହୋଇ ରହେ । ଏଥରକ ରାଜକୁମାରୀଙ୍କର ପାଳି ପଡିଥିଲା, କିନ୍ତୁ ମୁଁ ତା’ର ସେ ଶକ୍ତି ପୁରାପୁରି ନଷ୍ଟ କରି ଦେଇଛି ।”

ଡାହାଣୀ ବିକଟାଳ ଭାବରେ ଅଟ୍ଟହାସ କରି କହିଲା, “ସାଧୁ, ତୁ ମୋର ସମଗ୍ର ଶକ୍ତି ଏଯାଏଁ ନଷ୍ଟ କରିପାରୁ ନାହୁଁ । ଆହୁରି କିଛି ଶକ୍ତି ଏବେ ମଧ୍ୟ ମୋ ପାଖରେ ଅଛି । ଦେଖ ମୁଁ ସେ ଶକ୍ତିକୁ ନେଇ କ’ଣ କରୁଛି ।” ତା’ପରେ ଦେଖାଗଲା ସେ ଡାହାଣୀ ନିଜେ ଜଳି ଯାଉଛି । ମୁହୂର୍ତ୍ତକ ମଧ୍ୟରେ ସେ ଭସ୍ମସାତ୍ ହୋଇଗଲା ।

ମୁନି କହିଲେ “ନିଜକୁ ଧ୍ୱଂସ କରିବା ପାଇଁ କିଛି ଶକ୍ତି ସେ ବୁଢୀ ପାଖରେ ଥିଲା ।”

ରାଜା ମୁନିଙ୍କୁ ପ୍ରଣାମ କରି କହିଲେ, “ହେ ପବିତ୍ର ଆତ୍ମା, ମୋ ଝିଅ କାହିଁ?”

ସମୀର ପଚାରିଲା “ଆଉ ଅପୂର୍ବ କାହିଁ?”

“ଯେତେବେଳେ ଡାହାଣୀ ମରିଗଲା, ସେତେବେଳେ ତାନ୍ତ୍ରିକକୁ ସେ ଏକ ସଂକେତ ଦେଲା । ଉଭୟ ତାନ୍ତ୍ରିକ ଓ ରାଜକୁମାରୀ ବର୍ତ୍ତମାନ ସେ ସୁଡଙ୍ଗ ଭିତରେ । ବୁଢୀର ଯୋଜନା ରାଜକୁମାରୀଙ୍କର ତରୁଣ ବୟସକୁ ଶୋଷିନେବା ଥିଲା ଓ ସେ ଚନ୍ଦ୍ରପ୍ରକାଶ ହୀରାକୁ ପାଇବା ତାନ୍ତ୍ରିକର ଇଚ୍ଛାଥିଲା । କିନ୍ତୁ ଏବେ ସେସବୁ ଯୋଜନା ବିଫଳ ହୋଇଗଲା । ଅପୂର୍ବ ମଧ୍ୟ ସୁଡଙ୍ଗରେ ରହିଛି । ସେ ତାନ୍ତ୍ରିକକୁ ବନ୍ଦୀ କରି ରାଜକୁମାରୀଙ୍କୁ ନେଇ ଏଠାରେ ଆସି ପହଁଚିବ । ସୁଡଙ୍ଗର ଦ୍ୱାର ଏଇ ପାଖରେ ଅଛି । ଅପୂର୍ବ ସେଇଟିକୁ ଖୋଲି ଯଥାଶୀଘ୍ର ବାହାରକୁ ଆସିବ ।”

ମୁନିଙ୍କ କଥା ସରିଛି କି ନାହିଁ, ବରଗଛ ପଛରେ ଥିବା ଖୋଲ ଭିତରୁ କିଛି ଗୋଟେ ଶବ୍ଦ ଶୁଭିଲା । ଦେବତା ପରି ଏକ ସୁନ୍ଦର ଯୁବକ ସେ ତାନ୍ତ୍ରିକକୁ ବନ୍ଦୀ କରି ଘୋଷାରି ଆଣୁଛି । ତାନ୍ତ୍ରିକର ମୁହଁ କଳା ପଡିଯାଇଛି । ତାଙ୍କ ପଛରେ ରାଜକୁମାରୀ ବାହାରି ଆସିଲେ । ସେ ଅଳ୍ପ ହସୁଥିଲେ ଓ ଖୁବ୍ ଆଶ୍ଚର୍ଯ୍ୟ ମଧ୍ୟ ହେଉଥିଲେ । ରାଜକୁମାରୀ ଯାଇ ରାଜାଙ୍କୁ କୁଣ୍ଢାଇ ପକାଇଲେ । ଯୁବକଟି ଯାଇ ମୁନିଙ୍କ ପାଦତଳେ ପ୍ରଣାମ କଲେ, ମୁନି ତାକୁ ଉଠାଇ ନେଇ ଆଲିଙ୍ଗନ କଲେ ।

ମୁନି କହିଲେ “ବତ୍ସ, ଏବେ ସମୟ କ୍ରମେ ନିଜର ପୂର୍ବ ରୂପ ଛାଡି ଏବେ ତୋର ସାଧାରଣ ମଣିଷ ପରି ରୂପ ନେବାକୁ ହେଲା । ସେଥିଯୋଗୁଁ ତୁ ସେ ତାନ୍ତ୍ରିକ ସହିତ ଲଢାଇ କରି ପାରିଲୁ । ଏବେ ତୁ ସର୍ବଦା ଏହି ରୂପରେହିଁ ରହିବୁ ।”

ରାଜକୁମାରୀ ଅପୂର୍ବକୁ ଓ ସେ ତାନ୍ତ୍ରିକକୁ ଦେଖାଇ କହିଲେ “ବାବା, ଏହି ଯୁବକ ମୋତେ ସେହି ଦୁଷ୍ଟ ତାନ୍ତ୍ରିକଠାରୁ ରକ୍ଷା କଲେ ।”

ରାଜା କହିଲେ “ମୁଁ ତୁମ ପାଖରେ ଚିର କୃତଜ୍ଞ ।”

ମୁନି କହିଲେ “ଏବେ ସମୟ ହୋଇଗଲା; ମୁଁ ଆପଣମାନଙ୍କଠାରୁ ବିଦାୟ ନେବି ।”

ଅପୂର୍ବ କହିଲା “ମୁଁ ବି ଆପଣଙ୍କ ସହ ଯିବି ।”

ମୁନି ଅଳ୍ପ ହସି କହିଲେ, “କ’ଣ ସେଇଥିପାଇଁ ମୁଁ ତୋତେ ମଣିଷର ରୂପ ଦେଲି? ପୁଣି ତୁ ମୋ ସହିତ ଲେଉଟିଯିବୁ ବୋଲି? ଆଜି ପର୍ଯ୍ୟନ୍ତ ତୁ ଲୁଚି ଲୁଚି ଅନ୍ୟର ଭଲ କରୁଥିଲୁ । ଏଣିକି ତୁ ଖୋଲା ଭାବରେ ସବୁ କରିବୁ ।”

“କିନ୍ତୁ…” ଅପୂର୍ବ ସେତିକି କହି ରହିଲା ।

ରାଜା କହିଲେ “ତମେ ଭାବୁଛ କି ଏସବୁ କିପରି କରିବ? ମୋର ରାଜ୍ୟ ତୁମ ନିର୍ଦେଶରେ ଚଳିବ । ଆଉ ଯଦି ମୁନି ଆଜ୍ଞା ଦିଅନ୍ତି ତେବେ ମୁଁ ଚାହେଁ ମୋ ପରେ ତୁମେହିଁ ସିଂହାସନରେ ବସିବ । ଆଉ ଯଦି ମୋ ଝିଅ ଓ ତୁମ ମଧ୍ୟରେ କୌଣସି ଆପତ୍ତି ନଥାଏ ତେବେ ତୁମ ଦୁଇଜଣଙ୍କର ବିବାହ ବି ହେବ । ମୋ ଝିଅର ମାମୁଘରର ମଧ୍ୟ କେହି ହେଲେ ଉତ୍ତରାଧିକାରୀ ନାହିଁ । ସୁତରାଂ ମୋ ଝିଅହିଁ ସବୁ । ତେଣୁ ସେ ସବୁର ଉତ୍ତରାଧିକାରୀ ହୋଇ ତୁମେ ଏଇଠାରେ ଅବସ୍ଥାନ କରିବ ।” ଏହା ଶୁଣି ରାଜକୁମାରୀ ଲଜ୍ଜାରେ ତାଙ୍କ ମୁହଁ ତଳକୁ କଲେ । ମୁନି ସେ ଦୁଇଜଣଙ୍କୁ ପାଖକୁ ଡାକି ଦୁହିଁଙ୍କୁ ଆଶିର୍ବାଦ କରି କହିଲେ, “ତୁମେ ଦୁଇଜଣ ଏକ ଆଦର୍ଶ ଦମ୍ପତି ହୋଇ ରହିବ । ତୁମେ ସଦା ସୁଖୀ ରହିବ । ତୁମେ ଦୁହେଁ ପ୍ରଜାଜନଙ୍କର ମଙ୍ଗଳ କରିବ । ଅନେକ ଲୋକହିତକର କାର୍ଯ୍ୟ କରି ଦୁଃଖୀଙ୍କର ଦୁଃଖ ଦୂର କରିବ ।” ଏତିକି କହି ସେ ହଠାତ୍ ଅଦୃଶ୍ୟ ହୋଇଗଲେ ।

ତା’ପରେ ସମସ୍ତେ ଆନନ୍ଦରେ ଉତ୍ସବ କରିଲେ । ସେ ଉତ୍ସବ ବହୁଦିନ ପର୍ଯ୍ୟନ୍ତ ଚାଲିଲା । ଅପୂର୍ବ ଓ ରାଜକୁମାରୀଙ୍କ ବିବାହ ମହା ଆଡମ୍ବରରେ ହେଲା । ଦୁଷ୍ଟ ତାନ୍ତ୍ରିକ ଓ ମୁଖ୍ୟମନ୍ତ୍ରୀଙ୍କୁ କାରାଗାରରେ ବନ୍ଦୀ କରି ରଖାଗଲା । ରାଜା ଏବେ ରାଜକାର୍ଯ୍ୟରୁ ନିଷ୍କୃତି ପାଇଲେ । ସେ ସମସ୍ତ ରାଜ୍ୟଭାର ଅପୂର୍ବକୁ ସମର୍ପଣ କଲେ । ଆଉ ସମୀର ବର୍ତ୍ତମାନର ନୂଆ ମନ୍ତ୍ରୀ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ