ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅପୂର୍ବଙ୍କ ପରାକ୍ରମ

                ସଦାନନ୍ଦ – “ଏସବୁ ତୁମେ ନିଜେ ଖୋଜି ଦେଖ । ମୁଁ ଥରେ ମାନବଜାତିର ଭବିଷ୍ୟତ ବିଷୟରେ ଭାବୁଥିଲି ଏବଂ ଧ୍ୟାନମଗ୍ନ ହେଲି । ଧ୍ୟାନାବସ୍ଥାରେ ଏକ ଦୃଶ୍ୟ ମୁଁ ଦେଖିଲି । ଦୁଇଜଣ ବଡ ମଣିଷ କୌଣସି ଅପବିତ୍ର କାର୍ଯ୍ୟ ପାଇଁ ଗୁପ୍ତମନ୍ତ୍ରଣା କରୁଥିବାର ମୁଁ ଦେଖିବାକୁ ପାଇଲି । ସେ ଦୁଇଜଣଙ୍କ ମଧ୍ୟରୁ ଜଣକୁ ତ ମୁଁ ଜାଣେ; ସେ ରୁଦ୍ରପୁରୀର ପ୍ରଧାନମନ୍ତ୍ରୀ । ମୁଁ ଜାଣିପାରିଲି ସେମାନେ ଏହି ମନ୍ତ୍ରଣା ପୁଣି କାଲି କରିବେ । କିନ୍ତୁ କେଉଁ ବିଷୟରେ ସେମାନେ ଗୁପ୍ତମନ୍ତ୍ରଣା କରୁଛନ୍ତି ବା ଷଡଯନ୍ତ୍ର କରୁଛନ୍ତି ସେସବୁ ମୁଁ କିଛି ବି ଜାଣେନାହିଁ, ତେଣୁ ତୁମେ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଘରକୁ ଯାଇ ସବୁ ବିଷୟ ଗୁପ୍ତଭାବରେ ବୁଝିଆସ । ସେମାନଙ୍କ ଷଡଯନ୍ତ୍ର ବିଷୟରେ ଶୀଘ୍ର ଖବର ସଂଗ୍ରହ କରି ଆସ ।” ଏତିକି କହି ସଦାନନ୍ଦ ଅପୂର୍ବକୁ ଆଶୀର୍ବାଦ ଦେଇ ସେଠାରୁ ପଠାଇଲେ ।

                ସଂଧ୍ୟା ହେଲା । ରୁଦ୍ରପୁରୀର ମନ୍ଦିରମାନଙ୍କରେ ଶଙ୍ଖ ଘଂଟ ବାଜି ଉଠିଲା । ରାଜଭବନ ଓ ପ୍ରଧାନମନ୍ତ୍ରୀଙ୍କ ଘର ମଝିରେ ଥିଲା ଏକ ବିଶାଳ ବରଗଛ । ସେହି ଗଛର ଶାଖାରେ ବସିଥାଏ ଅପୂର୍ବ; ପ୍ରଧାନମନ୍ତ୍ରୀଙ୍କ ଘରେ ପ୍ରବେଶ କରିବାର ସୁଯୋଗରେ ଥାଏ ।

ରାଜଭବନ ସମ୍ମୁଖରେ କେତେକ ଲୋକ ଆନନ୍ଦରେ କଥାବାର୍ତ୍ତା କରୁଥାନ୍ତି । ସମସ୍ତେ ବ୍ୟସ୍ତ ଥିବାର ଲାଗୁଥାଏ । ଜଣେ ବ୍ୟକ୍ତି ଅନ୍ୟ ପଟରୁ ଆସି ଜଣେ ରାଜକର୍ମଚାରୀଙ୍କୁ ପଚାରିଲା, “ଆଜି ସମସ୍ତେ ଏତେ କାର୍ଯ୍ୟବ୍ୟସ୍ତ କ’ଣ ପାଇଁ?”

ତା’ପରେ ସେ ରାଜକର୍ମଚାରୀ କହିଲେ,“ଆଜି ରାଜକୁମାରୀ ତାଙ୍କ ମାମୁଁଘର ଲାବଣ୍ୟପୁରୀରୁ ଛମାସ ପରେ ଘରକୁ ଫେରୁଛନ୍ତି ତ, କେବଳ ସେଇଥିପାଇଁ ଏ ବିଶେଷ ଆୟୋଜନ ।”

                କିଛି ସମୟ ପରେ ହାତୀ ଘୋଡା ଓ ପାଲିଙ୍କି ପ୍ରଭୂତି ଥାଇ ଏକ ଶୋଭାଯାତ୍ରା ଆସିଲା ସେଥିରେ ହାତୀ ଉପରେ ସୁବର୍ଣ୍ଣ ଆସନରେ ରାଜକୁମାରୀ ବସିଥା’ନ୍ତି । ତାଙ୍କର ଦକ୍ଷିଣ ପାଶ୍ୱର୍ରେ ଓ ବାମ ପାଶ୍ୱର୍ରେ ଘୋଡା ଉପରେ ଓ ପାଲିଙ୍କିରେ ରାଜକୁମାରୀଙ୍କ ସଖୀଗଣ ଓ ଦେହରକ୍ଷୀ ସୈନ୍ୟଦଳ ମଧ୍ୟ ଚାଲିଥା’ନ୍ତି । ରାଜଭବନ ପାଖରେ ପହଁଚି ଦେଖାଗଲା ପ୍ରଥମେ ସଖୀମାନେ ଓହ୍ଲାଇଲେ । ତା’ପରେ ହାତୀର ମାହୁନ୍ତ ରାଜକୁମାରୀ ବସିଥିବା ହାତୀକୁ ବସାଇଲା ଓ ରାଜକୁମାରୀ ମଧ୍ୟ ଓହ୍ଲାଇଲେ ।

                ସେତେବେଳକୁ ତ ରାଜା ସ୍ୱୟଂ ଆସି ସେଠାରେ ପହଁଚି ଯାଇଥିଲେ । ଝିଅକୁ ଦେଖି ରାଜା ଅତି ସ୍ନେହରେ ତାକୁ ଆଲିଙ୍ଗନ କରି ଘରକୁ ନେଲେ ଓ କୁଶଳ ପ୍ରଶ୍ନ କଲେ ।

                କୃଷ୍ଣାକୁମାରୀ ଥିଲେ ରାଜାଙ୍କର ଏକମାତ୍ର ସନ୍ତାନ, ତାଙ୍କର ଶିଶୁ ଅବସ୍ଥାରେହିଁ ସେ ମା’ଙ୍କୁ ହରାଇଛନ୍ତି । ରାଜା ମଧ୍ୟ ଆଉ ଦ୍ୱିତୀୟ ବିବାହ କଲେ ନାହିଁ । ପଡୋଶୀ ରାଜ୍ୟ ଲାବଣ୍ୟପୁରୀ ହେଉଛି ରାଜକୁମାରୀଙ୍କ ମାମୁଁଘର । ମାମୁଁ ଯଶବର୍ମାଙ୍କର ମଧ୍ୟ କେହି ପିଲାପିଲି ନାହିଁ । ତେଣୁ ସେ ବି କୃଷ୍ଣାକୁମାରୀଙ୍କୁ ଖୁବ୍ ଭଲ ପାଉଥା’ନ୍ତି । ବିଶେଷତଃ ନିଜ ଭଉଣୀର ସ୍ମୃତିରୂପରେ ସେ ତାଙ୍କୁ ଦେଖନ୍ତି । ତେଣୁ ଦୁଇ ରାଜ୍ୟର ସେ ହେବେ ଏକମାତ୍ର ଉତ୍ତରାଧିକାରୀ । କୃଷ୍ଣାକୁମାରୀ ମଧ୍ୟ ନିଜ ମାମୁଁଙ୍କୁ ଖୁବ୍ ସମ୍ମାନ କରନ୍ତି । ମାମୁଁଙ୍କର ଆଦର ଯତ୍ନ ଏଡି ନପାରି ସେଠାରେ ସେ ବହୁଦିନ ରହିଯାଇଥିଲେ । ଏଣେ ବାବାଙ୍କ କଥା ମନେ ପଡିବାରୁ ସେ ଆସିବା ପାଇଁ ଉଚ୍ଛନ୍ନ ହେଲେ । ଯଥାସମୟରେ ହାତୀଘୋଡା, ପାଲିଙ୍କି ଓ ସୈନ୍ୟସାମନ୍ତ ସଜ୍ଜିତ ହେବା ପରେ ରାଜା ଯଶବର୍ମା କୃଷ୍ଣାକୁମାରୀଙ୍କୁ ତାଙ୍କ ନିଜ ରାଜ୍ୟକୁ ପଠାଇ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ