ତେଣୁ ସେ ଲାବଣ୍ୟପୁରୀର ରାଜାଙ୍କୁ ଭେଟି କହିଲା କୃଷ୍ଣାକୁମାରୀଙ୍କର ଏବେ ଖରାପ ସମୟ ପଡିଛି । ଦୁଷ୍ଟ ଗ୍ରହମାନେ ତାଙ୍କୁ ଅତ୍ୟନ୍ତ ହଇରାଣ କରିବେ । ଯଦି ଚନ୍ଦ୍ରକାନ୍ତ ମଣି ଥାଇ କୌଣସି ହାର ସେ ପିନ୍ଧନ୍ତି ତେବେ ବିପଦ କଟିଯିବ । ସେ ହାର ସର୍ବଦା ତାଙ୍କ ଗଳାରେ ରହିବା ଏକାନ୍ତ ଆବଶ୍ୟକ । ଭାଣିଜୀ ପ୍ରତି ଗଭୀର ମମତା ଯୋଗୁଁ ରାଜା ତାନ୍ତ୍ରିକର କଥା ରକ୍ଷା କରି ହାରଟି ଭାଣିଜୀକୁ ଦେଲେ ।
ତାନ୍ତ୍ରିକ ପ୍ରଧାନମନ୍ତ୍ରୀଙ୍କୁ ରାଜା ଯଶବର୍ମାଙ୍କ ମନ ମନ୍ତ୍ରଦ୍ୱାରା ପରିବର୍ତ୍ତନ କରିବା କଥା ମିଛ । କିନ୍ତୁ ପ୍ରଧାନମନ୍ତ୍ରୀ ସେସବୁ ବିଶ୍ୱାସ କରୁଥା’ନ୍ତି । କାରଣ ତାଙ୍କର ସ୍ୱପ୍ନ ହେଉଛି ତାନ୍ତ୍ରିକର ମନ୍ତ୍ର ପ୍ରଭାବରେ ଚନ୍ଦ୍ରକାନ୍ତ ମଣି ଥିବା ହାର ନେଇ ଆସିଲେ ସ୍ୱତନ୍ତ୍ର ଭାବରେ ଯଜ୍ଞ, ଓ ପୂଜା ଇତ୍ୟାଦି କରିବା ପରେ ସେ ଦିନେ ସମ୍ରାଟ ହୋଇ ପାରିବେ । ଲୋକଙ୍କୁ ଦେଖି ଦେଇ ଅପୂର୍ବ ସେମାନଙ୍କ ମନକଥା ଠିକ୍ ଜାଣି ପାରୁଥିଲା । ଅପୂର୍ବ ତାନ୍ତ୍ରିକର ସମସ୍ତ ଦୂରଭିସନ୍ଧି ବୁଝି ପାରିଲା । ସେ ଜାଣି ପାରିଥିଲା ଯେ ଚନ୍ଦ୍ରକାନ୍ତ ମଣିଟି ହାତରେ ପାଇବା ମାତ୍ରେ ତାନ୍ତ୍ରିକ ସେଇଟି ନେଇ ଚମ୍ପଟ ଦେବ । ତା’ପରେ ସେ ନିଜେ ତ ଜାଣିଛି, ମହାମହିମ ସମ୍ରାଟ ହେବା ପାଇଁ କି ପ୍ରକାର ଯଜ୍ଞ ଲୋଡା । ତେଣୁ ସମ୍ରାଟ ହୋଇ ନିଜେ ନିଜର ଇଚ୍ଛା ପୂର୍ଣ୍ଣ କରିବ ଓ ବୋକା ମୁଖ୍ୟମନ୍ତ୍ରୀ ଲୋକଙ୍କ ଆଗରେ ଧରା ପଡି ତା’ର ପଂଚତ୍ୱ ପ୍ରାପ୍ତି ହେବ । ଆଉ ଭାବିବାର କିଛି ନାହିଁ । କେହି ଜାଣିପାରିବେ ନାହିଁ କେଉଁଠି କିପରି ସବୁ ଘଟଣା ଘଟି ଯାଉଛି ।
ପ୍ରଧାନମନ୍ତ୍ରୀ ଥିଲେ ମୂର୍ଖ, ତାନ୍ତ୍ରିକ ଥିଲା ଠକ, ବଦମାସ ଓ ସ୍ୱାର୍ଥପର । ନିଜ ସ୍ୱାର୍ଥ ପାଇଁ ସେ ଯେକୌଣସି ପାପ କାର୍ଯ୍ୟ କରିବାକୁ ପଛାଇବ ନାହିଁ । ଏସବୁ ଅପୂର୍ବ ଜାଣି ପାରିଲା । ଏପରି ଦୁଷ୍ଟମାନେ ଯଦି ସମ୍ରାଟ ହେବେ, ତେବେ ମାନବଜାତିର ଭାଗ୍ୟ କ’ଣ ହେବ? ଏସବୁ ବିଷୟ ଉପରେ ସେ ଗଭୀର ଚିନ୍ତା କଲା । (କ୍ରମଶଃ)