କେଶବ ରାମଗିରିର ଜମିଦାରଙ୍କ ପାଖରେ ପହଁଚି ଚାକିରୀ କରିବା ପାଇଁ ଆବେଦନ କଲା । ଜମିଦାର ତାକୁ ପଚାରିଲେ, “କୁହ, ତମେ କେତେ ଦରମା ଆଶା କରୁଛ?”
କେଶବ କହିଲା, “ଆଜ୍ଞା, ଆପଣ ଯାହା ସ୍ଥିର କରିବେ!”
ଜମିଦାର କହିଲେ “ନା, ନା, ସେମିତି କହିଲେ ହେବ ନାହିଁ ।”
କେଶବ ଟିକିଏ ଚିନ୍ତା କରି କହିଲା, “ଆଜ୍ଞା, ଦୁଇଶହ ଟଙ୍କା ମିଳିଲେ ଚଳିବ ।”
ଜମିଦାର କହିଲେ “ବେଶ୍ । ତେବେ କାଲିଠାରୁ ଆସି କାମରେ ଯୋଗ ଦିଅ?”
କେଶବ ପ୍ରଥମେ ଖୁସି ହୋଇଗଲା । କାରଣ ଜମିଦାର ଏତେ ଟଙ୍କା ଦେବାକୁ ରାଜି ହେବେ ବୋଲି ସେ ଜାଣି ନଥିଲା । କିନ୍ତୁ ଟିକିଏ ପରେ ତା’ମନକୁ ଅନ୍ୟ ଏକ ଚିନ୍ତା ଆସିଲା । “ଜମିଦାର ଯଦି ବିନା ଦ୍ୱିଧାରେ ଦୁଇଶହ ଦେବାକୁ ରାଜି ହେଲେ, ମୁଁ ତିନିଶହ କହିଥିଲେ ବି ସେ ରାଜି ହୋଇଥାନ୍ତେ! ହାୟ, ମୁଁ କେଡେ ବଡ ଭୁଲ୍ କଲି!” ସେ ଏହି ଅନୁଶୋଚନା ଯୋଗୁଁ ରାତିଯାକ ଆଉ ଠିକ୍ସେ ଶୋଇପାରିଲା ନାହିଁ ।
ପରଦିନ ସେ ଯାଇ କାମରେ ଯୋଗ ଦେଲା । କିନ୍ତୁ ମନରେ ତା’ର ସେ ଅନୁଶୋଚନା ରହିଥାଏ । ସଞ୍ଜବେଳକୁ ଜମିଦାର ତାକୁ ଡାକି କହିଲେ, “ଶୁଣ କେଶବ, ଏ ଦଶଟଙ୍କା ନିଅ । କାଲିଠୁ ଆଉ କାମକୁ ଆସିବ ନାହିଁ । କାରଣ ମୋ ପୁରୁଣା ଗୁମାସ୍ତା ଆସି କନ୍ଦାକଟା କରି ପୁଣି କାମରେ ରହିବ ବୋଲି ଜିଗର ଲଗାଇଛି ।”
“ଧନ୍ୟବାଦ!” କେଶବ ମୁଣ୍ଡରୁ ଗୋଟାଏ ବୋଝ ଓହ୍ଲାଇଗଲା ।
ଜମିଦାରଙ୍କୁ ନମସ୍କାର କରି ବିଦାୟ ନେଇଗଲା ବେଳେ ସେ ପୁଣି କହିଲା, “ବାବୁ! ମୋର ଗୋଟାଏ ଅନୁରୋଧ ରଖିବେ । ଭବିଷ୍ୟତରେ ଯାହାକୁ ଚାକିରୀ ଦେବେ, ତା’ ଯୋଗ୍ୟତା ଓ କାମକୁ ଚାହିଁ ଆପଣ ତା’ ପାଇଁ ଦରମା ଠିକ୍ କରିଦେବେ । ଦରମା କେତେ ହେବା ଲୋଡା ସେକଥା ତାକୁ ପଚାରିବେ ନାହିଁ ।”
ଜମିଦାର ଯେତେ ଭାବିଲେ ବି ତା’ ଉପଦେଶର ମର୍ମ ଆଦୌ ବୁଝିପାରିଲେ ନାହିଁ!