ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଫିମିଆର ସାକ୍ଷ୍ୟଦାନ

ଜଣେ ବ୍ୟବସାୟୀ କୌଣସି ଏକ କାମ ପାଇଁ ଘୋଡାରେ ବସି ଅନ୍ୟ ସହରକୁ ଯାଉଥିଲେ । ବାଟରେ ଗୋଟିଏ ଗ୍ରାମ ନିକଟରେ ସଂଧ୍ୟା ହୋଇଯିବାରୁ ସେ ସେହିଠାରେ ରାତି ବିତାଇବାକୁ ମନସ୍ଥ କଲେ । ସେ ଘୋଡାରୁ ଓହ୍ଲାଇବା ମାତ୍ରେ ଦେଖିଲେ ଜଣେ ବ୍ୟକ୍ତି ଗଣଗଣିଆ କଣ୍ଠରେ କହୁଛି, “ବାବୁ, ମୁଁ ଅଫିମ ଖାଏ, ଦୁଇଦିନ ହେବ କିଛି ଖାଇ ନାହିଁ । କିଛି ପଇସା ଦିଅନ୍ତୁ ମୋ ଆତ୍ମା ଶାନ୍ତ ହୋଇଯିବ ।” ସେ ତାକୁ ଚାରଣା ପଇସା ଦେଇ ଗୋଟିଏ ଘର ଖୋଜି ସେଠାରେ ରହିଲେ । ଘର ଆଗରେ ଖୁଂଟଟିଏ ଥିଲା, ସେଥିରେ ସେ ତା’ ଘୋଡାଟିକୁ ବାନ୍ଧି ଦେଇ ଥିଲେ ।

ସକାଳୁ ଉଠି ସେ ଯିବାକୁ ବାହାରିଲେ । ଘର ବାହାରକୁ ଆସି ସେ ଦେଖିଲେ ଘର ମାଲିକ ତାଙ୍କ ଘୋଡାଟିକୁ ନେଇଯାଉଛନ୍ତି । ସେ ପାଟି କରି କହିଲେ, “ଆପଣ ମୋ ଘୋଡାଟିକୁ କୁଆଡେ ନେଇ ଯାଉଛନ୍ତି? ମୁଁ ତ ଏବେହିଁ ଏଠାରୁ ଯିବି ।”

କିନ୍ତୁ ଘର ମାଲିକ କହିଲେ, “ଏ ଘୋଡା ତ ମୋର । ପ୍ରତିଦିନ ମୋ ଘର ଆଗରେ ଥିବା ଏହି ଖୁଂଟ, ଗୋଟିଏ ଲେଖାଏଁ ଘୋଡା ଜନ୍ମ ଦିଏ ।”

ଏପରି ଅଜବ କଥା ଶୁଣି ବ୍ୟବସାୟୀ ରାଗି ଯାଇ କହିଲେ, “ଆପଣ ମୋ ଘୋଡାକୁ ନେଇଯିବାକୁ ଚେଷ୍ଟା କରୁଛନ୍ତି ।” କିନ୍ତୁ ଘରର ମାଲିକ କହିଲେ, “ମୋ କଥାରେ ତୁମର ବିଶ୍ୱାସ ହେଉ ନାହିଁ ତ ଗ୍ରାମର ଯେ କୌଣସି ଲୋକକୁ ପଚାରିପାର । ମୋ ଖୁଂଟ ପ୍ରତ୍ୟେକ ଦିନ ଘୋଡାଟିଏ ଜନ୍ମ ଦେବା କଥା ଏ ଗ୍ରାମର ପ୍ରାୟ ସମସ୍ତେ ଜାଣନ୍ତି ।”

ସେହି ଗ୍ରାମର ଅନ୍ୟ ଲୋକମାନେ ମଧ୍ୟ ଧୂର୍ତ୍ତ ଥିଲେ ଓ ଏହି ଧୂର୍ତ୍ତ ଲୋକର ଅଜବ ମିଥ୍ୟା ସହିତ ସେମାନେ ବି ସହଯୋଗ କରିଥିଲେ, ଏହିଭଳି ଭାବରେ ବହୁ ଆଗନ୍ତୁକ ଓ ନୂଆ ଲୋକଙ୍କୁ ସେମାନେ ମିଳିମିଶି ଠକୁଥିଲେ ।

ବ୍ୟବସାୟୀ ଜଣକ ଶେଷରେ ନିରୂପାୟ ହୋଇ ଗ୍ରାମର ମୁଖିଆଙ୍କ ପାଖକୁ ଗଲେ ଓ ତାଙ୍କ ପାଖରେ ଫେରାଦ୍ ହେଲେ । ମୁଖିଆ ଘର ମାଲିକଙ୍କୁ ଡାକି ତାଙ୍କୁ ସବୁକଥା ପଚାରିଲେ ।

ଘରମାଲିକ କହିଲେ, “ହଜୁର୍, ମୋ ଘର ସାମ୍ନାରେ ଥିବା ଖୁଂଟ ପ୍ରତିଦିନ ଘୋଡାଟିଏ ଜନ୍ମଦିଏ । ଆପଣ ଚାହିଁଲେ ଆପଣଙ୍କ ଘର ପାଖର କେତେକ ଲୋକଙ୍କୁ ମୁଁ ସାକ୍ଷୀ ଭାବରେ ନେଇ ଆସିପାରେ । ଶେଷକୁ ମୁଖିଆ ବ୍ୟବସାୟୀଙ୍କୁ କହିଲେ, “ତୁମର କ’ଣ କେହିବି ସାକ୍ଷୀ ନାହାଁନ୍ତି? ସାକ୍ଷୀ ଥିଲେ ମୁଁ କିଛି ବା କରିପାରନ୍ତି ।”

ତା’ପରେ ସେ ଘରମାଲିକ ସାକ୍ଷୀ ଆଣିବାକୁ ଗଲେ । ବ୍ୟବସାୟୀଙ୍କର ହଠାତ୍ ମନେ ପଡିଲା ସଂଧ୍ୟାରେ ଭେଟିଥିବା ଅଫିମଖିଆ ଲୋକ କଥା । ସେ ଯାଇ ତାକୁ ଖୋଜିଲେ ଓ ଶେଷକୁ ପାଇଲେ । ତାକୁ ସବୁକଥା କହିବାରୁ ସେ କହିଲା, “ମୁଁ ଏବେ ଆସୁଛି, ଭୟ କରିବାର କିଛି କାରଣ ନାହିଁ । ଆପଣଙ୍କ ଘୋଡା ଆପଣ ପାଇପାରିବେ ।” ତା’ପରେ ଦୁହେଁ ଯାଇ ମୁଖିଆଙ୍କ ପାଖରେ ପହଁଚିଲେ । ସେତେବେଳକୁ ଘରମାଲିକ ମଧ୍ୟ ନିଜର ସାକ୍ଷୀ ମାନଙ୍କୁ ଧରି ସେଠାରେ ପହଁଚି ଥିଲେ । ସେତେବେଳକୁ ସେମାନେ ମୁଖିଆଙ୍କୁ କହିଲେ କି ତାଙ୍କ ଖୁଂଟ ପ୍ରତିଦିନ ଗୋଟିଏ ଲେଖାଏଁ ଘୋଡା ଜନ୍ମ ଦିଏ ।

ବ୍ୟବସାୟୀ ସହିତ ଅଫିମିଆକୁ ଦେଖି ସମସ୍ତେ ହସି ଉଡାଇ କହିଲେ, “ତମେ ଶେଷକୁ ଏହି ସାକ୍ଷୀକୁ ନେଇ ଆସିଛ? ଏପରି ଅଫିମିଆ ଉପରେ କିଏ ବିଶ୍ୱାସ କରିବ । ମୁଖିଆ ମଧ୍ୟ କହିଲେ, “ମନେହୁଏ ଏବେ ମଧ୍ୟ ତୁମେ ଅଫିମ ନିଶାରେ ଅଛ । ତୁମ ପରି ଲୋକକୁ ମୁଁ କିପରି ସାକ୍ଷୀ ଭାବରେ ଗ୍ରହଣ କରିବି?” ତତ୍କ୍ଷଣାତ୍ ଅଫିମିଆ କହିଲା, “ହଜୁର୍, ସେପରି କିଛି ନୁହେଁ ମୁଁ ନିଶାର ପ୍ରଭାବରେ ନାହିଁ । ମୁଁ ତ ସାରାରାତି ଜାଗିରହି ପୋଖରୀ ଭିତରେ ମାଛ ଧରି ଭାଜୁ ଥିଲି । ସାରା ରାତି ନ ଶୋଇବାରୁ ମୋର ଏଦଶା ତା’ କଥା ଶୁଣି ମୁଖିଆ କହିଲେ, “ତୁମେ ଏବେ ମଧ୍ୟ ସଚେତନ ନୁହଁ । ତୁମ କଥାରେ କିଏ ବିଶ୍ୱାସ କରିବ? ମୁଁ କିପରି ଭାବେ ବିଶ୍ୱାସ କରିବି ଯେ ସାରାରାତି ତମେ ପୋଖରୀରେ ପଶି ମାଛ ଭାଜୁଥିଲ ବୋଲି?”

ସେ ସଙ୍ଗେସଙ୍ଗେ ଉତ୍ତର ଦେଲା, “ଆପଣ ଯଦି ବିଶ୍ୱାସ କରିବେ ଖୁଂଟ ଘୋଡାକୁ ଜନ୍ମ ଦେଇପାରେ । ତେବେ ମୁଁ ପୋଖରୀରେ ପଶି ମାଛ ଭାଜିବାଟା ବିଶ୍ୱାସ କରିବାରେ ଏତେ କଷ୍ଟ କାହିଁକି? ତାଛଡା ଆପଣ ମୋତେ ନିଶାଗ୍ରସ୍ଥ ବୋଲି କିପରି କହିପାରୁଛନ୍ତି?”

ଅଫିମିଆର କଥା ଶୁଣି ମୁଖିଆ ଏଥର ସବୁକିଛି ବୁଝିଗଲେ । କାରଣ ତା’ର ପ୍ରଶ୍ନର ଉତ୍ତର ସେ କିଛିବି ଦେଇ ପାରିଲେ ନାହିଁ । ନିଜେ ଲଜ୍ଜିତ ହେଲେ ଓ ଘର ମାଲିକକୁ ଗାଳିଦେଇ ସେଠାରୁ ବିଦାକଲେ । ବ୍ୟବସାୟୀଙ୍କ ଘୋଡା ତାଙ୍କୁ ଫେରାଇ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ