ତଥାପି ବି ସେ ତିନିବନ୍ଧୁ ଆଦୌ ଆଶା ଛାଡି ନଥାନ୍ତି । କୌଣସି ଏକ ଜନପଦରେ ସେମାନେ ଶୁଣିବାକୁ ପାଇଲେ ଯେ, ମହାରାଜା ଯୋଗାନନ୍ଦ ଜଣେ ଅତ୍ୟନ୍ତ ଦାନୀ ରାଜପୁରୁଷ । ସେ ହୁଏତ ତାଙ୍କର ଅଭିଳାଷ ନିଶ୍ଚୟ ପୂରଣ କରିପାରିବେ । ତେଣୁ ତିନିବନ୍ଧୁ ରାଜଧାନୀ ଅଯୋଧ୍ୟା ଅଭିମୁଖେ ଚାଲିଲେ ।
ତିନିବନ୍ଧୁ ଅଯୋଧ୍ୟାର ରାଜଦାଣ୍ଡରେ ଚାଲୁ ଚାଲୁ ହଠାତ୍ ଦେଖିଲେ, ସେଠାକାର ପ୍ରଜାମାନଙ୍କ ମନରେ ଆଦୌ ସରାଗ ନାହିଁ । ସମସ୍ତେ ଖାଲି ନୀରବରେ ଲୁହ ଗଡାଉଛନ୍ତି । ସେ ରାଇଜଯାକ କେବଳ ହାହାକାର ପଡି ଯାଇଛି । କାରଣ ସେହି ଦିନ ହିଁ ତାଙ୍କର ପ୍ରିୟ ରାଜା ମୃତ୍ୟୁବରଣ କରିଅଛନ୍ତି ।
ଏପରି କଥା ଶୁଣି ସେ ତିନିବନ୍ଧୁଙ୍କ ମୁଣ୍ଡରେ ଯେମିତି ଚଡକ ପଡିଲା । ଏବେ ଆଉ ସେମାନେ କି ଉପାୟରେ ଗୁରୁ ଋଣ ପରିଶୋଧ କରିବେ !
ସେ ସହର ବାହାରେ ଗୋଟିଏ ଭଙ୍ଗା ଦେଉଳ ଥାଏ । ସେଠାକୁ ସାଧାରଣତଃ କେହି ବି ଯାଆନ୍ତି ନାହିଁ । ସେହିଠାରେ ଯାଇ ଏ ତିନିବନ୍ଧୁ ଆଶ୍ରୟ ନେଲେ ।
ଇନ୍ଦ୍ରଦତ କହିଲା, “ମୋତେ ଏକ ଗୁପ୍ତ ବିଦ୍ୟା ଜଣାଅଛି । ମୁଁ ମନ୍ତ୍ରବଳରେ କାୟା ପ୍ରବେଶ କରିପାରିବି । ଏଇ ମୃତ ରାଜାଙ୍କର ଶରୀର ସତ୍କାର ପୂର୍ବରୁ ମୁଁ ମୋ ମନ୍ତ୍ରବଳରେ ତାଙ୍କ ଦେହରେ ପ୍ରବେଶ କଲେ ସେ ନିଶ୍ଚୟ ବଂଚି ଉଠିବେ । ତହୁଁ ବରୁରୁଚି ଅର୍ଥଭିକ୍ଷା କଲେ ମୁଁ ଅର୍ଥଦାନ କରିବା ପାଇଁ ଆଦେଶ ଦେଇ ପୁନର୍ବାର ମୋ ଶରୀରକୁ ମୁଁ ଚାଲିଆସିବି । ତାପରେ ରାଜା ପୁଣି ମରିଶୋଇବେ । ତେବେ ସେ ପର୍ଯ୍ୟନ୍ତ ମୋର ମୃତ ଶରୀରକୁ ଅତ୍ୟନ୍ତ ସାବଧାନତାର ସହିତ ରକ୍ଷା କରିବାକୁ ହିଁ ହେବ ।”
ତାଙ୍କର ଅନ୍ୟ ଦୁଇବନ୍ଧୁ ବି ଏହି ପ୍ରସ୍ତାବରେ ଏକମତ ହେଲେ ।
ଏହାପରେ ଇନ୍ଦ୍ରଦତ ସେହି ଭଙ୍ଗା ମନ୍ଦିର ମଧ୍ୟରେ ସମାଧି ଗ୍ରହଣ କଲେ । ତାଙ୍କ ଦେହରୁ ପ୍ରାଣ ଚାଲିଯାଇ ତେଣେ ରାଜପ୍ରାସାଦରେ ରାଜାଙ୍କ ମୃତ ଶରୀର ମଧ୍ୟରେ ପ୍ରବେଶ କଲା ।
ରାଣୀମାନେ ତ ଖାଲି କାନ୍ଦୁଥାଆନ୍ତି । ମନ୍ତ୍ରୀ, ବିରାଦର ଏବଂ ପାରିଷଦଗଣ ଅତ୍ୟନ୍ତ ମନ ଦୁଃଖରେ ଆଲୋଚନା କରୁଥାଆନ୍ତି ଶବ ସତ୍କାର ବିଷୟରେ । ଠିକ୍ ଏତିକିବେଳେ ସେ ରାଜା ଜୀଇଁ ଉଠିଲେ । ରାଜାଙ୍କର ଶବ ଜୀବନ ପାଇ ହଠାତ୍ ଉଠିବସିବାରୁ ସମସ୍ତେ ଖୁବ୍ ଚମକି ପଡିଲେ ।
ରାଜା ନିଦରୁ ଉଠିଲା ପରି ପଚାରିଲେ, “ଏ କ’ଣ ! ମୋତେ ଘେରି କରି ସମସ୍ତେ କାନ୍ଦୁଛ କାହିଁକି?”
ତହୁଁ ମନ୍ତ୍ରୀ ଅତ୍ୟନ୍ତ ସଙ୍କୋଚ ପ୍ରକାଶ କରି କହିଲେ, “ମଣିମା ! ଆପଣ ମୃତ୍ୟୁବରଣ କରିଥିଲେ । ଦରବାରକୁ ଯିବା ବାଟରେ ଆପଣ ମୂର୍ଚ୍ଛାଯାଇ ହଠାତ୍ ଟଳିପଡିଲେ । ତାପରେ କେତେ ଚିକିତ୍ସା କରାଗଲା ଆପଣଙ୍କର । ଶେଷରେ ଯାଇ ରାଜବୈଦ୍ୟ ଘୋଷଣା କଲେ ଯେ, ଆପଣଙ୍କର ଆତ୍ମାପୁରୁଷ ଚିରଦିନ ପାଇଁ ଉଡିଯାଇଛି ।”