ରାଜା ଯୋଗାନନ୍ଦଙ୍କ ଶରୀରରେ ବନ୍ଦୀ ଇନ୍ଦ୍ରଦତଙ୍କର କିନ୍ତୁ ସବୁ ରାଗ ସେ ପୂର୍ବତନ ମନ୍ତ୍ରୀ ସକଟାର ଉପରେ । ତେଣୁ ସେ ଏପରି ବ୍ୟବସ୍ଥା କଲେ, ଯେପରି ସକଟାର ଏବଂ ତାଙ୍କର ଶହେପୁଅ ଧୀରେ ଧୀରେ ସେ ଜେଲ୍ ଭିତରେ ମୃତ୍ୟୁବରଣ କରିବେ ।
କିନ୍ତୁ ସକଟାର ଥିଲେ ଅତ୍ୟନ୍ତ ବୁଦ୍ଧିମାନ । ପୁଅମାନେ ତାଙ୍କୁ ବୁଝାଇଲେ, “ବାବା ! ସେ ଦୁଷ୍ଟବୁଦ୍ଧି ରାଜା ଆମ୍ଭମାନଙ୍କୁ ସବଂଶ ମାରିବାକୁ ବସିଛି । ହେଲେ ଆପଣ ବଂଚିରହନ୍ତୁ ଏବଂ ଏପରି ଅନ୍ୟାୟର ନିଶ୍ଚୟ ପ୍ରତିଶୋଧ ନିଅନ୍ତୁ ।”
ଏଣିକି ପିଲାମାନେ ଆଉ କେହି କିଛି ଖାଦ୍ୟ ନ ଖାଇ କେବଳ ତାଙ୍କ ବାବାଙ୍କ ବଂଚିବା ପାଇଁ ଖାଦ୍ୟତକ ସାଇତି ରଖିଲେ ।
ଯୋଗାନନ୍ଦରୂପୀ ଇନ୍ଦ୍ରଦତ ତେଣେ ଭୋଗବିଳାସରେ ସର୍ବଦା ମାତିରହିଲେ । ମନ୍ତ୍ରୀ ବରୁରୁଚି ବି ତାଙ୍କ ବନ୍ଧୁ ତଥା ଇନ୍ଦ୍ରଦତଙ୍କୁ ସୁଧାରିବା ପାଇଁ କୌଣସି ଉପାୟ ଖୋଜି ପାଇଲେ ନାହିଁ । ଦିନେ ବରୁରୁଚି ରାଜାଙ୍କୁ କହିଲେ, “ବନ୍ଧୁ ଇନ୍ଦ୍ରଦତ ! ତୁମର ଆଜି ଏ ସୌଭାଗ୍ୟ ପାଇଁ କେବଳ ସେ ସକଟାର ହିଁ ଦାୟୀ । ଅଥଚ ତୁମେ ତାର ହିଁ ସନ୍ତାନମାନଙ୍କୁ ଅତି ନିଷ୍ଠୁର ଭାବରେ ହତ୍ୟା କଲ । ଆଉ ସେ ସକଟାର ନିଜେ ମଧ୍ୟ ବନ୍ଦୀଶାଳରେ ରହି ସଢୁଛନ୍ତି । ତାଙ୍କୁ ହିଁ ଏ ରାଜ୍ୟର ସବୁ ହାଲ୍ଚାଲ୍ ଜଣାଅଛି । ମୋ ବିଚାରରେ ତୁମେ ତାଙ୍କୁ ଅନ୍ୟାୟରେ ଦଣ୍ଡ ଦେଇଛ । ତାଙ୍କୁ ବନ୍ଦୀଶାଳରୁ ଯଥାଶୀଘ୍ର ମୁକୁଳେଇ ମନ୍ତ୍ରୀ ପଦରେ ନିଯୁକ୍ତ କରିଦିଅ । ତାହାହେଲେ ଯାଇ ଏ ରାଜ୍ୟର ନିଶ୍ଚୟ ମଙ୍ଗଳ ହେବ ।
ସବୁ କଥା ଶୁଣି ସେ ରାଜା କହିଲେ, “ତୁମେ ଯାହା ଭଲ ଭାବୁଛ ତାହା କର ।”
ତାପରେ ସେ ବରୁରୁଚି ମନ୍ତ୍ରୀ ସକଟାରଙ୍କୁ ବନ୍ଦୀଶାଳରୁ ତୁରନ୍ତ ଖଲାସ କରିଆଣିଲେ । ପରେ ପରେ ତାଙ୍କୁ ପୁଣି ସସମ୍ମାନ ମନ୍ତ୍ରୀପଦରେ ବି ନିଯୁକ୍ତ କରାଗଲା ।
ସକଟାର ଏଥର ଅନୁଭବ କଲେ ଯେ, ଏହା ନିଶ୍ଚୟ ବରୁରୁଚିଙ୍କର କୁଟବୁଦ୍ଧି । ତେଣୁ ସେ ତାଙ୍କ ମନରେ କୌଣସି ପ୍ରକାର ଅସନ୍ତୋଷ ପ୍ରକାଶ ନ କରି କେବଳ ନୀରବରେ ନିଜ କାମ କରିବାକୁ ଲାଗିଲେ । କାହିଁକିନା ସେ ଠିକ୍ ଜାଣିଥିଲେ ଯେ, ବରୁରୁଚି ଥିବାଯାଏଁ ଏ ରାଜାଙ୍କର କେହି କୌଣସି କ୍ଷତି ଆଦୌ କରିପାରିବେ ନାହିଁ ।