ସେପଟେ ଅତ୍ୟନ୍ତ ଭୋଗବିଳାସରେ ସେ ଯୋଗାନନ୍ଦବେଶୀ ଇନ୍ଦ୍ରଦତ ତ ଖାଲି ରାତିଦିନ ବୁଡିରହିଲେ । ଏହି ପ୍ରକାରେ ତାଙ୍କର ରାଜ୍ୟ ଓ ଶାସନ ପ୍ରତି ଆଦୌ ମନ ରହିଲା ନାହିଁ । ବରୁରୁଚି ବନ୍ଧୁ ଭାବରେ ପଦେ ପଦେ ବାଧା ଦେଉଥିଲେ ଅଥବା ଟିକେ ସାବଧାନ କରିଦେଉଥିଲେ । ଏଥିରେ କିନ୍ତୁ ସେ ରାଜା ଖୁବ୍ ଭୟଙ୍କର ଭାବରେ ତାତି ଉଠିଲେ । ସେ ଭାବିଲେ, ବୋଧହୁଏ ମନ୍ତ୍ରୀ ହେବାରୁ ଏ ବରୁରୁଚିର ଅହଙ୍କାର ଦିନକୁ ଦିନ ଖାଲି ବଢିଯାଉଛି । ତେଣୁ ତାକୁ ତୁରନ୍ତ ଉଚିତ୍ ଶାସ୍ତି ଦେବାକୁ ହେବ ।
ଏପରି ବିଚାରି ରାଜା ଗୋପନରେ ମନ୍ତ୍ରୀ ସକଟାରଙ୍କୁ ଡକାଇ ପଠାଇଲେ ଏବଂ ତାଙ୍କୁ ଆଦେଶ ଦେଲେ ଯେ, “ତୁମେ ଏ ବରୁରୁଚିକୁ ଗୋପନରେ ହତ୍ୟା କର । ଯେପରି କେହି କିଛି ବି ଜାଣିପାରିବେ ନାହିଁ ।”
ବରୁରୁଚିଙ୍କ ପ୍ରତି ମନ୍ତ୍ରୀ ସକଟାର ଥିଲେ ଅତ୍ୟନ୍ତ କୃତଜ୍ଞ । କାହିଁକିନା କେବଳ ତାଙ୍କରି ଚେଷ୍ଟାରେ ହିଁ ସେ ବନ୍ଦୀଶାଳର ମରଣ ଯନ୍ତ୍ରଣାରୁ ଉଦ୍ଧାର ପାଇଛନ୍ତି । ତେଣୁ ବରୁରୁଚିକୁ ସବୁକଥା କହି ତାଙ୍କୁ ନିଜ ଘରେ ଆତ୍ମଗୋପାନ କରି ରହିବାର ସମସ୍ତ ବ୍ୟବସ୍ଥା କରିଦେଲେ ମନ୍ତ୍ରୀ ସକଟାର । ତାପରେ ମନ୍ତ୍ରୀ ସକଟାର ଯାଇ ରାଜାଙ୍କୁ ବୁଝାଇ ଦେଲେ ଯେ ରାଜାଦେଶ ଠିକ୍ ଭାବରେ ପାଳନ କରାଯାଉଛି ।
ଏଇମିତି କିଛିଦିନ ଚାଲିଗଲା । ଦିନେ ରାଜାଙ୍କର ଜଣେ ପୁଅ ହିରଣ୍ୟଗୁପ୍ତ ବଣକୁ ଯାଇଥିଲେ ଶିକାର କରିବା ପାଇଁ । ମାତ୍ର ସେଠୁ ସେ ଫେରିଆସିଲେ ପାଗଳ ହୋଇ । ସେ ରାଜ୍ୟର କେତେଯେ କବିରାଜ ହିରଣ୍ୟଗୁପ୍ତଙ୍କୁ ଚିକିତ୍ସା କଲେ । ହେଲେ କିଛି ବି ଉପକାର ମିଳିଲା ନାହିଁ ।
ତେଣୁ ସେ ରାଜା ଦିନେ ଖୁବ୍ ଅନୁତାପ କରି କହିଲେ, “କେଉଁ କୁକ୍ଷଣରେ କାହିଁକି ମୁଁ ସେ ବରୁରୁଚିଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେଲି । ସେ ବଂଚିଥିଲେ ପୁଅକୁ ମୋର ନିଶ୍ଚୟ ଭଲ କରି ଦେଇଥାଆନ୍ତେ ।”
ଏହି ସମୟରେ ସକଟାର ଅତି ବିନୀତ ଭାବରେ କହିଲେ, “ମହାରାଜ ! ଯଦି ଆପଣଙ୍କ ଆଦେଶ ପାଳନ ନ କରି ବରୁରୁଚିଙ୍କୁ ମୁଁ ଜୀବିତ ରଖିଥାଆନ୍ତି, ତେବେ ଆପଣ କ’ଣ ମୋତେ କେବେ କ୍ଷମା ଦେଇଥାଆନ୍ତେ?”
ଏସବୁ ଶୁଣି ସେ ରାଜା କହିଲେ, “ନା, ନା ! ତା’ ନୁହେଁ । ମୋର ସେତେବେଳେ ଦୁର୍ବୁଦ୍ଧି ଘଟିଥିଲା । ବରୁରୁଚି ବଂଚିଥିଲେ ମୁଁ ତୁମକୁ ନିଶ୍ଚୟ ପୁରସ୍କାର ବ୍ୟବସ୍ଥା କରିଥାଆନ୍ତି ।”
ରାଜାଙ୍କ ଠାରୁ ଏପ୍ରକାର ମନ୍ତବ୍ୟ ଶୁଣି ଏଥର ମନ୍ତ୍ରୀ ସକଟାର କହିଲେ, “ତେବେ ମହାରାଜ ! ମୋତେ କ୍ଷମା କରନ୍ତୁ । ମୁଁ ଆପଣଙ୍କର ଆଦେଶ ଆଦୌ ପାଳନ କରିନାହିଁ । କାହିଁକିନା ମୁଁ ଠିକ୍ ଜାଣିଥିଲି ଯେ, ବରୁରୁଚିଙ୍କୁ ନିଧନ କରିବାର ଆଦେଶ ଆପଣଙ୍କର ଅନ୍ତରର ବାଣୀ ନ ଥିଲା ।”
ଏହି ସମ୍ବାଦ ପାଇ ମହାରାଜା ହଠାତ୍ ଏତେ ଖୁସି ହୋଇଗଲେ ଯେ, ମନ୍ତ୍ରୀ ସକଟାରଙ୍କୁ ସେ କୁଣ୍ଢାଇ ପକାଇଲେ ଅତ୍ୟନ୍ତ ସ୍ନେହରେ । ତାପରେ ରାଜା ତାଙ୍କ ମନ୍ତ୍ରୀଙ୍କୁ କହିଲେ, “ଯାଅ ବନ୍ଧୁ ବରୁରୁଚିଙ୍କୁ ସସମ୍ମାନ ସହିତ ଏଠାକୁ ନେଇଆସ ।”
ବରୁରୁଚି ଆସି ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେବାମାତ୍ରକେ ରାଜାରୂପୀ ଇନ୍ଦ୍ରଦତ ତାଙ୍କୁ କ୍ଷମା ମାଗିଲେ । ତାପରେ ସେ ରାଜା ଅତ୍ୟନ୍ତ ବିକଳ ହୋଇ କହିଲେ, “ବନ୍ଧୁ ! ମୋର ପୁତ୍ରକୁ ଆରୋଗ୍ୟ କରିଦିଅ ।”