ସବୁ ଶୁଣି ବରୁରୁଚି କହିଲେ, “ମନ୍ତ୍ର ବଳରେ ମୁଁ ଠିକ୍ ଠିକ୍ ଜାଣିପାରୁଛି ଯେ, ପୁତ୍ର ହିରଣ୍ୟଗୁପ୍ତ ତା’ର ବନ୍ଧୁ ପ୍ରତି ବିଶ୍ୱାସଘାତକତା କରି ତାର ଶାପ୍ୟ ଯୋଗୁଁ ଆଜି ତୁମ ପୁତ୍ରର ଏପରି ଅବସ୍ଥା ହୋଇଛି । ମୋର ମନ୍ତ୍ରଶକ୍ତି ବଳରେ ସେ ତ ଅର୍ଦ୍ଧାଧିକ ଆରୋଗ୍ୟ ହୋଇଗଲାଣି । ଏଣିକି ସେ ତାର ବନ୍ଧୁ ପ୍ରତି କରିଥିବା ଅବିଶ୍ୱାସ ଆଚରଣର ସମସ୍ତ କାହାଣୀ କହିଲେ ଯାଇ ସେ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ହୋଇଯିବ ।”
ତାପରେ ହିରଣ୍ୟଗୁପ୍ତର ସବୁକଥା ଆସ୍ତେ ଆସ୍ତେ ମନେ ପଡିଗଲା । ସେ କହିବାକୁ ଲାଗିଲା – “ହଁ ଦିନେ ବଣରେ ମୁଁ ଶିକାର କରି ବୁଲୁଥିଲି । ହଠାତ୍ ଗୋଟେ ସିଂହ ମୋଆଡକୁ ମାଡି ଆସବାରୁ ଅତ୍ୟନ୍ତ ଭୟରେ ମୁଁ ଯାଇ ଗୋଟିଏ ଗଛ ଡାଳରେ ଆଶ୍ରୟ ନେଲି । ଠିକ୍ ସେତିକିବେଳେ ଭାଲୁଟାଏ ମଧ୍ୟ ତା ଜୀବନରକ୍ଷା ପାଇଁ ସେଇ ଗଛରେ ଚଢି ମୋରି ପାଖରେ ଆସି ବସିଲା । ଯାହାକୁ କୁହାଯାଏ ମହରଗରୁ ଯାଇ କାନ୍ତାରରେ ପଡିବା କଥା । ସିଂହ ହାବୁଡରୁ ଯାଇ ମୁଁ ଭାଲୁ କବଳରେ ପଡିଲି । ତେଣୁ ସେତେବେଳେ ମୁଁ ଖାଲି ଭୟରେ ଥରୁଥାଏ । ଏହିପରି ସମୟରେ ଭାଲୁ ମୋତେ କହିଲା, “ରାଜପୁତ୍ର ! ତୁମେ ଆଦୌ ଡର ନାହିଁ । ଆମ ଉଭୟଙ୍କୁ ସମାନ ବିପଦ । ବର୍ତ୍ତମାନ ଆମେ ପରସ୍ପରର ବନ୍ଧୁ ହେଲେ । ତେଣୁ ତୁମେ ଏବେ ନିର୍ଭୟରେ ମୋ ପାଖରେ ବସିରହ ।”
ଠିକ୍ ରାତି ଅଧବେଳକୁ ମୋତେ ନିଦ ଲାଗିଲା । କିନ୍ତୁ ଏବେ ମୁଁ କ’ଣ କରିବି ! ତଳେ ତ ସେ ସିଂହ ଖାଲି ଅପେକ୍ଷା କରି ବସିଛି । ନିଦ ବାଉଳାରେ ପଡିଗଲେ ତ ମୋର ପ୍ରାଣଯିବ, ନଚେତ୍ ସେ ସିଂହର ମୁଁ ଖାଦ୍ୟ ହେବି । ମୋର ଦୁଃଖ ଜାଣି ଭାଲୁ ମୋତେ କହିଲା, “ବନ୍ଧୁ, ତୁମେ ଏବେ ନିଶ୍ଚିନ୍ତରେ ମୋର କୋଳରେ ମୁଣ୍ଡରଖି ଶୋଇଯାଅ । ମୁଁ ତୁମକୁ ଜଗିଛି ।”
ବାସ୍ ! ତାପରେ ମୁଁ ଶୋଇଗଲି । ପରେ ଶୁଣିଲି, ସିଂହ କୁଆଡେ ଭାଲୁକୁ ପରାମର୍ଶ ଦେଲା, ମୋତେ ତଳକୁ ପେଲିଦେବା ପାଇଁ । ସିଂହ କହିଲା – “ଏ ମଣିଷକୁ ଖାଇ ମୁଁ ଚାଲିଯିବି । ତାପରେ ତୁ ପଛେ ନିଶ୍ଚିନ୍ତରେ ସକାଳୁ ଗଛରୁ ଓହ୍ଲାଇ ଏଠାରୁ ଚାଲିଯିବୁ ।”
ବନ୍ଧୁ ପ୍ରତି ଅବିଶ୍ୱାସ କରିବ ନାହିଁ ବୋଲି ଭାଲୁ ସେ ସିଂହ କଥାରେ ଆଦୌ ରାଜି ହେଲାନାହିଁ ।
କେତେ ସମୟ ପରେ ମୋର ନିଦ ଭାଙ୍ଗିଗଲା । ଭାଲୁ କହିଲା, “ବନ୍ଧୁ ! ଏଥର ମୋର ପାଳି । ମୁଁ ଟିକିଏ ଶୋଇପଡୁଛି । ଏବେ ମୋତେ ତୁମେ ଜଗିକରି ବସ ।” ଭାଲୁର ତ ବଡ ବଡ ନଖ । ତେଣୁ ସେ ଭାଲୁ ଗଛଡାଳରେ ନଖ ପୋତି ଶୋଇଗଲା ।
ଏହି ସମୟରେ ଗଛ ତଳୁ ସେ ସିଂହ ମୋତେ କହିଲା, “ହେ ମଣିଷ ! ଭାଲୁକୁ ଆଦୌ ବିଶ୍ୱାସ ନାହିଁ । ତାକୁ ତୁ ପେଲିଦେଲେ ମୁଁ ତାକୁ ଖାଇକରି ଏଠାରୁ ଚାଲିଯିବି । ନଚେତ୍ ମୁଁ ଏଠୁ ଚାଲିଗଲେ ସେ ତୋତେ ହିଁ ଖାଇବ ।”
କାହିଁକି କେଜାଣି ସିଂହ କଥାକୁ ମୁଁ ସେହି ସମୟରେ ହଠାତ୍ ଅନ୍ଧଭାବରେ ବିଶ୍ୱାସ କରିଗଲି । ତେଣୁ ସେହି କ୍ଷଣି ମୁଁ ଭାଲୁକୁ ପେଲିଦେଲି । ମାତ୍ର ଗଛଡାଳରେ ନଖ ଫୁଟାଇ ରଖିଥିବାରୁ ସେ ଭାଲୁ ଆଦୌ ପଡିଲା ନାହିଁ । କିନ୍ତୁ ସେ ଭାଲୁ ମୋତେ ଅଭିଶାପ ଦେଇ ସେଠାରୁ ଚାଲିଗଲା । ସେ ଅଭିଶାପ ଥିଲା – “ବନ୍ଧୁ ପ୍ରତି ଅବିଶ୍ୱାସ ଆଚରଣ କରିବାରୁ ତୁ ପାଗଳ ହୋଇଯିବୁ । ଯେତେବେଳେ ଯାଇ ତୁ ତୋର ଏ ଅବିଶ୍ୱାସର କାହାଣୀ ଅନ୍ୟମାନଙ୍କ ଆଗରେ କହିବୁ, ସେତେବେଳେ ହିଁ ତୁ ଭଲ ହୋଇଯିବୁ ।”