ମେହେନ୍ତର ଝିଅ ଶୋଇ ଗଲା । କିନ୍ତୁ ଅହମ୍ମଦକୁ ନିଦ ହେଉ ନଥାଏ । ସେ ଭାବିବାକୁ ଲାଗିଲା, ଏ ମୁଁ କ’ଣ କଲି । କ୍ଷଣିକ ସୁଖ ପାଇଁ ମୁଁ ଗୋଟାଏ ମେହେନ୍ତର ଝିଅକୁ ବାହା ହୋଇ ଗଲି । ମୋ ବାପା – ମା’ ଏକଥା ଶୁଣିଲେ କ’ଣ କହିବେ?
ସତେ ଯେମିତି ତା ମୁଣ୍ଡରେ ପିଶାଚ ସବାର ହୋଇଗଲା । ସେ ଛୁରୀ ବାହାର କରି ମେହେନ୍ତର ଝିଅର ଗଳା କାଟି ଦେଲା ଓ କୂଅରେ ଗଳାଇ ଦେଲା । ସବୁ ଟଙ୍କା ପଇସା ସୁନା ରୂପା ଧରି ନିଜ ଘରକୁ ଫେରି ଆସିଲା । ଘରେ ମା’ ବାପ, ପୁଅ ଫେରି ଆସିଥିବା ଦେଖି ବହୁତ ଖୁସି ହେଲେ ।
ଶାରୀ କହିଲା – ଆରେ ଶୁଆ, ଏବେ ଏଇଠି କଥା ବନ୍ଦ କରି ସେଇ ଝିଅର କଥା ଶୁଣାଉଛି ଶୁଣ – କିଛି ସମୟ କୂଅରେ ପଡି ରହିବା ଫଳରେ ଥଣ୍ଡା ପାଣି ଲାଗି ମେହେନ୍ତର ଝିଅର ଚେତା ଆସିଲା । ସାହାଯ୍ୟ ପାଇଁ ଚିତ୍କାର କଲା । ସେଇ ବାଟ ଦେଇ ଜଣେ ଯାଉଥିଲା । ସେ ଝିଅଟି ଠାରୁ ଘର ଦ୍ୱାର ଠିକଣା ପଚାରିଲା । ତାପରେ ତାକୁ ନେଇ ତା ଘରେ ପହଁଚାଇ ଦେଲା ।
ମେହେନ୍ତର ଝିଅ ନିଜ ବାପ ଘରେ ପହଁଚି ବାପ ଓ ମା’ଙ୍କୁ କହିଲା – ମୋ ସ୍ୱାମୀକୁ ବାଟରେ ଚୋର ମାନେ ଧରି ବହୁତ ବାଡେଇଲେ, ସବୁ ଜିନିଷ ପତ୍ର ଛଡାଇ ନେଲେ, ତାଙ୍କୁ ମଧ୍ୟ ସାଥିରେ ଧରି ନେଇଛନ୍ତି । ମୋତେ ଛୁରୀ ଭୁଷି କୂଅରେ ପକାଇ ଦେଇଥିଲେ ।
ହଠାତ୍ ଏ ବାଟୋଇ ପାଣି ପିଇବା ପାଇଁ କୂଅ ପାଖକୁ ଆସିଥିଲେ, ସେ ମୋ ପ୍ରାଣ ବଂଚାଇ ତୁମ ପାଖରେ ପହଁଚାଇ ଦେଇଛନ୍ତି । ଝିଅର କଥା ଶୁଣି ବାପା ମା’ ବହୁତ ବୁଝାଇଲେ । କହିଲେ – ଝିଅ, ଚିନ୍ତା କରନି । ଭଗବାନ ତୋତେ ନିଶ୍ଚୟ ସାହାଯ୍ୟ କରିବେ । ଯେଉଁ ପ୍ରଭୁ ତୋ ପ୍ରାଣ ଦେଲେ ସେ ଦିନେନା ଦିନେ ତୋ ସ୍ୱାମୀକୁ ବଂଚାଇ କରି ତୋ ପାଖକୁ ଫେରାଇ ଆଣିବେ । ତୁ କୌଣସି ଚିନ୍ତା କରନି ।