ଚୀନ୍ ଦେଶର ଏକ ରାଜ୍ୟର ରାଜାମାନେ ବହୁ ପୁରୁଷ ଧରି ଗୋଟାଏ ଅଦ୍ଭୁତ ଟୋପି ପିନ୍ଧୁଥିଲେ । ସେ ଟୋପି ଗୋଟାଏ ଶିଆଳ ଛାଲରେ ତିଆରି । କାହିଁକି? ତା’ର କାରଣ ଜାଣିବାକୁ ହେଲେ ପୁରା କାହାଣୀଟିଏ ଶୁଣିବାକୁ ହେବ:
ବହୁ ପ୍ରାଚୀନ କାଳର କଥା । ଚୀନ୍ ଦେଶର ଗୋଟାଏ ଗାଁରେ ଅଟାଙ୍ଗ ନାମକ ଗରିବ ଯୁବକଟିଏ ବାସ କରୁଥାଏ । କୁଡିଆଟି ଛଡା ତା’ର ନାମକୁ ମାତ୍ର ଖଣ୍ଡିଏ ଜମିଥାଏ । କିନ୍ତୁ ସେ ଜମିରେ ଏମିତି ଗୋଟାଏ ସମ୍ପତ୍ତି ଥାଏ, ଯାହା ଯୋଗୁଁ ସେ ବେଶ୍ ସ୍ୱଚ୍ଛନ୍ଦରେ ଚଳୁଥାଏ ।
ତା’ର ସେ ସମ୍ପତ୍ତି ହେଲା ଗୋଟାଏ ଡାଳିମ୍ବ ଗଛ । ସେ ଗଛର ଡାଳିମ୍ବ ଥରେ ଯିଏ ଖାଇଛି, ସେ କେବେ ବି ତାହାର ସ୍ୱାଦ ଭୁଲିପାରିବ ନାହିଁ । ତେଣୁ ଅଟାଙ୍ଗର ଡାଳିମ୍ବ ବହୁତ ମୂଲ୍ୟରେ ବିକ୍ରି ହୁଏ । ଏହିପରି ଭାବେ ସେ ଅଟାଙ୍ଗ ବେଶ ଖୁସିରେ ଚଳୁଥାଏ । ଏତେ ବଡ ସଂସାରରେ ତା’ର ନିଜର ବୋଲି ଆଉ କେହି ବି ନଥାନ୍ତି ।
ସେ ଡାଳିମ୍ବ ଗଛକୁ ଚୋର ଖଂଟଙ୍କ କବଳରୁ ରକ୍ଷା କରିବା ନିମନ୍ତେ ଅଟାଙ୍ଗ ତା’ ଚାରିକଡେ ପଥର ପାଚେରୀ ତୋଳିଥାଏ । ଖାଲି ସେତିକି ନୁହେଁ, ଯେତେବେଳେ ଡାଳିମ୍ବ ପାରିବା ସମୟ, ସେତେବେଳେ ସେ ସେହି ଡାଳିମ୍ବ ଗଛ ତଳେ ସେସବୁକୁ ଜଗି ଶୋଇଥାଏ ।
ଦିନେ ସକାଳେ ଉଠି ସେ ଦେଖିଲା, କେତୋଟି ଡାଳିମ୍ବ କିଏ ଚୋରି କରିନେଇ ଯାଇଛି । ଏସବୁ ଦେଖି ସେ ଭାରି ଆଶ୍ଚର୍ଯ୍ୟ ହେଲା । କାରଣ କେଉଁଠାରେ ହେଲେ ମଣିଷଙ୍କ ପାଦଚିହ୍ନ ପଡି ନଥାଏ ।
ପରଦିନ ରାତିରେ ପୁଣି ଆଉ କେତୋଟି ଡାଳିମ୍ବ ଚୋରି ଗଲା । ଏଥିରେ ସେ ଅଟାଙ୍ଗ ଯେତିକି ଆଶ୍ଚର୍ଯ୍ୟ ହେଲା, ସେତିକି ଦୁଃଖିତ ମଧ୍ୟ ହେଲା । ମାତ୍ର ତୃତୀୟ ରାତିରେ ସେ ସମ୍ପୂର୍ଣ୍ଣ ଭାବେ ଚେଇଁ କରି ରହିଲା । ଦେଖିଲା ଗୋଟାଏ ଶିଆଳ ପାଚେରୀ ଡେଇଁ ଆସି ଡାଳିମ୍ବ ଗଛ ଚଢିଲା । ଅଟାଙ୍ଗ ଉଠିପଡି ଚଟାପଟ ଯାଇ ସେ ଶିଆଳର ଲାଞ୍ଜ ଧରି ପକାଇଲା । କିନ୍ତୁ ଶିଆଳ ତଡିତ୍ ଗତିରେ ସେଠାରୁ ଖସି ପଳାଇଲା ।
ଅଟାଙ୍ଗ ଲକ୍ଷ୍ୟ କରି ଦେଖିଲା, ଯିବା ବେଳକୁ ଶିଆଳ କାନ୍ଥ ଦେହରେ ଥିବା ଗୋଟାଏ ସୁଡଙ୍ଗ ଭିତର ଦେଇ ପଳାଇଗଲା । ପରଦିନ ଅଟାଙ୍ଗ ସେ ସୁଡଙ୍ଗ ଭିତରେ ପୁଳାଏ ଅଠା ରଖିଦେଲା । ସେ ଅଠାରେ ଥରେ ପଡିଲେ ସେଥିରୁ ଖସିଯିବା ଅସମ୍ଭବ । ଅଟାଙ୍ଗର ଯୋଜନା କାମ ଦେଲା । ରାତିରେ ପାଚେରୀ ଡେଇଁ ସେ ଶିଆଳ ଆସିଲା । କିନ୍ତୁ ଅଟାଙ୍ଗ ତାକୁ ଧରିବାକୁ ଚେଷ୍ଟା କରିବାରୁ ସେ ସୁଡଙ୍ଗ ଦେଇ ତରତରରେ ପଳାଇ ଯାଉ ଯାଉ ଅଠାରେ ଅଟକିଗଲା । ଯେତେ ଚେଷ୍ଟା କଲେ ବି ସେ ଆଉ ଖସି ଯାଇ ପାରିଲା ନାହିଁ ।
ଅଟାଙ୍ଗ ତା’ ପାଖକୁ ଯାଇ କହିଲା, “ଏଥର?”
ଶିଆଳ କହିଲା, “ଅଟାଙ୍ଗ୍! ମୁଁ ତମର ବହୁତ ଉପକାର କରିବି । ମୋତେ ଏବେ ଏଥିରୁ ମୁକ୍ତ କର ।”