ଶିଆଳ ମଣିଷ ଭଳି କଥା କହିବାର ଦେଖି ଅଟାଙ୍ଗର ଆଶ୍ଚର୍ଯ୍ୟର ଆଉ କୌଣସି ସୀମା ରହିଲା ନାହିଁ । ଶିଆଳ ପୁଣି କହିଲା, “ଏଥର ବୁଝି ପାରୁଛ ତ? ମୁଁ କୌଣସି ସାଧାରଣ ଶିଆଳ ନୁହେଁ । ବରଂ ମୁଁ ଜଣେ ଯାଦୁକର । ଅଭିଶାପ ପାଇ ଗୋଟାଏ ଜନ୍ମ ମୁଁ ଏହି ଶିଆଳ ରୂପେ ଜୀବନ କଟାଉଛି ।”
ଅଟାଙ୍ଗ ପଚାରିଲା “ଯେତେହେଲେ ତୁମେ ଶିଆଳ ହୋଇ ରହିଛ । ସେଥିରେ ପୁଣି ତୁମେ ମୋର କେଉଁ ଉପକାର କରି ପାରିବ?”
ଶିଆଳ କହିଲା “କ’ଣ କରି ନପାରିବି କୁହ? ଇଚ୍ଛା କଲେ ଏ ରାଜ୍ୟର ରାଜକନ୍ୟା ସହ ମୁଁ ତୁମ ବିବାହ ମଧ୍ୟ କରାଇଦେଇ ପାରିବି!”
“ସତେ? ଦେଖିବା, ସେ ବ୍ୟବସ୍ଥା କଲ!” ଏହା କହି ଅଟାଙ୍ଗ ଶିଆଳକୁ ସେ ଅଠାରୁ ଉଠାଇ ଆଣି ତେଲ ଦ୍ୱାରା ତା’ ଦେହରେ ଲାଗିଥିବା ଅଠା ସବୁ ଛଡାଇ ଦେଲା ।
ସେ ଶିଆଳ ଠିକ୍ ଭୋର ବେଳକୁ ନଈ ପାରି ହୋଇ ରାଜାଙ୍କ ଉଆସରେ ଯାଇ ପହଁଚିଗଲା । ରାଜାଙ୍କୁ ସେ କହିଲା, “ଶୁଣିଛି, ଆପଣଙ୍କ ପାଖରେ ଏମିତି ଗୋଟାଏ ଚାଲୁଣି ଅଛି, ଯାହା ଦ୍ୱାରା ଭଲ ହୀରା ବା ମୋତି ମାଣିକ ନିକୃଷ୍ଟ ରତ୍ନମାନଙ୍କଠାରୁ ଅଲଗା କରିହୁଏ । ଆପଣ ମୋତେ ଦୁଇଦିନ ପାଇଁ ସେ ଚାଲୁଣି ଦିଅନ୍ତେ ନାହିଁ?”
ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ, “ତମେ ଶିଆଳ ହୋଇ ଯେ କଥା କହିପାରୁଛ, ଏହା ବିସ୍ମୟକର ବ୍ୟାପାର । ତମେ ଚାଲୁଣି କାହିଁକି ମାଗୁଛ, ତାହା ବି ଆହୁରି ବିସ୍ମୟକର ।”
ତା’ପରେ ସେ ଶିଆଳ କହିଲା “କଥା କ’ଣ କି, ମହାରାଜ ଅଟାଙ୍ଗ ଗଦାଏ ହୀରା ନୀଳା ପାଇଛନ୍ତି । ଏଠାକୁ ମୁଁ ତାଙ୍କର ଦୂତ ହିସାବରେ ଆସିଛି । ସେ ଭଲ ରତ୍ନ ସବୁ ବାହାର କରିନେଇ ବାକିତକ ଫିଙ୍ଗିଦେବେ ।”
ରାଜା ପଚାରିଲେ, “ମହାରାଜା ଅଟାଙ୍ଗ? ସେ କିଏ? ମୁଁ ବାସ୍ତବିକ ତାଙ୍କ ନାମ ଧାମ ଜାଣି ନଥିଲି!”
ଏହାପରେ ସେ ଶିଆଳ ବୁଝାଇ କହିଲା “ଜାଣନ୍ତେ ବା କିପରି? ସେ ତ ଝୁଂ ବଣ ଭିତରେ ବିରାଟ ପ୍ରାସାଦ ଅଧିକାର କରି ରହିଛନ୍ତି! ବାହାର ଜଗତ ସହ ତାଙ୍କର ବିଶେଷ କିଛି ସମ୍ପର୍କ ନାହିଁ ।”
ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ “କିନ୍ତୁ ଝୁଁ ବଣ ତ ରାକ୍ଷସର ରାଜ୍ୟ!”
ଶିଆଳ କହିଲା “ତାହା ରାକ୍ଷସର ରାଜ୍ୟ ଥିଲା । କିନ୍ତୁ ମହାରାଜା ଅଟାଙ୍ଗ ମହାନ୍ ଯାଦୁକର । ସେ ତାଙ୍କ ଯାଦୁ ଦ୍ୱାରା ରାକ୍ଷସକୁ ବଶ କରି ତା’ ଦୁର୍ଗ ଅକ୍ଳେଶରେ ଅଧିକାର କରିଛନ୍ତି ।”
“ଅବଶ୍ୟ ସେ ଜଣେ ଯାଦୁକର ହୋଇଥିବେ । ନହେଲେ ତମ ଭଳି ଶିଆଳକୁ ସେ କ’ଣ କଥା କୁହାଇ ପାରନ୍ତେ?” ଏହା କହି ରାଜା ଚାଲୁଣି ଦେଇଦେଲେ । ଦୁଇଦିନ ପରେ ଶିଆଳ ଯେତେବେଳେ ଚାଲୁଣି ଆଣି ଫେରାଇଲା, ସେତେବେଳେ ସେଥିରେ କିଛି ରଙ୍ଗ ବେରଙ୍ଗର ପଥର କଣା ଲାଗିଥିଲା । ରାଜକୁମାରୀ ତାହା ଦେଖି କହିଲେ, “ଆରେ! ସତରେ ତ ଏଥିରେ ହୀରା ନୀଳା ପରୀକ୍ଷା ହୋଇଥିଲା ।”
ଶିଆଳ କହିଲା “ରାଜକୁମାରୀ! ଆମ ମହାରାଜାଙ୍କ ପ୍ରାସାଦରେ ଯେତେ ରତ୍ନରାଶି, ତାହା କଳ୍ପନା କରିହେବ ନାହିଁ । ତୁମ ଭଳି ଜଣେ ସୁନ୍ଦରୀ ରାଜକନ୍ୟା ଆମର ମହାରାଣୀ ହେଲେ କେଡେ ଭଲ ହୁଅନ୍ତା!”
ଏହିକଥାରେ ସେ ରାଜକୁମାରୀ ହଠାତ୍ ଲାଜେଇଯାଇ ରାଜାଙ୍କ ଆଡେ ଅନାଇଲେ । ରାଜା କହିଲେ, “ଶିଆଳ ମହାଶୟ! ପ୍ରସ୍ତାବ ପକାଅ!”
“ମହାରାଜ, ପ୍ରସ୍ତାବ ପକାଇବା ଓ ପକ୍କା କରିବା ଦାଇତ୍ତ୍ଵ ମୋର । ଆପଣଙ୍କ କନ୍ୟା ଆମର ରାଣୀ ହେବାର ଯୋଗ୍ୟ! ମୁଁ ଏ ବିଷୟରେ ନିଃସନ୍ଦେହ । ମୁଁ ଯେଉଁ କନ୍ୟା ବାଛିବି, ଆମ ରାଜା କେବଳ ସେହି କନ୍ୟାଙ୍କୁହିଁ ବିଭା ହେବେ । ବର୍ତ୍ତମାନ ତାରିଖ ସ୍ଥିର କରାଯାଉ । ଡେରି କାହିଁକି?” ଏକଥା ସେ ଶିଆଳ କହିଲା
ଶିଆଳ ସେଇଠାରେ ପ୍ରସ୍ତାବ ପକ୍କା କଲା । ଦିନ ଠିକ୍ ହୋଇଗଲା ।
ଶିଆଳ ଯାଇ ଅଟାଙ୍ଗକୁ ଧରି ଆସିଲା । ମଝି ନଈରେ ତାକୁ ଠିଆ କରାଇ ପ୍ରାସାଦରେ ପହଁଚି ସେ କହିଲା, “ରାଜା! ବର ପାଂଚସହ ସୈନିକ ସହ ନଈ ପାରି ହେବା ବେଳେ ବନ୍ୟା ଆସିଲା । ସବୁ ସୈନ୍ୟ ଭାସିଗଲେ । କିନ୍ତୁ ରାଜକନ୍ୟାଙ୍କ ଭାଗ୍ୟ ଦେଖନ୍ତୁ । ତାଙ୍କ ବର ବଂଚିଗଲେ । ଖାଲି ଯାହା ଟିକେ ତାଙ୍କ ରାଜକୀୟ ପୋଷାକ କାଦୁଆ ମାଦୁଆ ହୋଇଯିବା ଫଳରେ ସେ ତାକୁ କାଢି ଭସାଇ ଦେଇ ଜଳରେ ଠିଆ ହୋଇଛନ୍ତି ।”