ପୂର୍ବକାଳର କଥା । ସୁବୋଧ ନାମକ ଗୁରୁଙ୍କ ପାଖରେ ବତ୍ସଳ ନାମରେ ଜଣେ ଶିଷ୍ୟ ଥାଏ । ତା’ର ଶିକ୍ଷା ସମାପ୍ତ ହୋଇଥିଲେ ମଧ୍ୟ ସେ ଗୁରୁଙ୍କ ପାଖରେ ରହି ସେବା କରିବା ପାଇଁ ଇଚ୍ଛା ପ୍ରକଟ କଲା । ବତ୍ସଳର ଏଭଳି ଗୁରୁଭକ୍ତି ଦେଖି ଗୁରୁ ତାକୁ ଦଶଜଣ ବିଦ୍ୟାର୍ଥିଙ୍କୁ ଶିକ୍ଷା ଦେବାର ଭାର ଦେଲେ । ଗୁରୁଙ୍କଠାରୁ ପ୍ରଶଂସା ପାଇବା ଇଚ୍ଛାରେ ସେ ଛାତ୍ରଙ୍କୁ ବଡ ଶ୍ରଦ୍ଧା ସହକାରେ ଶିକ୍ଷା ଦେଲା । ଅଳ୍ପ ସମୟ ମଧ୍ୟରେ ସେମାନେ ଶିକ୍ଷା ସମାପ୍ତ କଲେ । ଅନ୍ୟ କେତେକ ଛାତ୍ର ଏସବୁ ଦେଖି ଗୁରୁଙ୍କୁ କହିଲେ ଯେ ସେମାନେ ମଧ୍ୟ ବତ୍ସଳଙ୍କ ପାଖରେ ଶିକ୍ଷାଲାଭ କରିବେ ।
ଏକଥା ଶୁଣି ଗୁରୁ ହସି ହସି କହିଲେ, “ବତ୍ସଳ ପ୍ରଥମ କରି ଶିକ୍ଷକତା କରୁଛି ବୋଲି ମୁଁ ବାଛି ବାଛି ଭଲ ଛାତ୍ରମାନଙ୍କୁ ତା’ହାତରେ ଦେଇଥିଲି । ତେଣୁ ସେମାନେ ଅତି ଶିଘ୍ର ଶିକ୍ଷା ସମାପ୍ତ କଲେ । ବତ୍ସଳ ମୋର ଶିଷ୍ୟ । ମୁଁ ତାକୁ ଯେତିକି ବିଦ୍ୟାଦାନ କରିଛି ସେତିକିରେ ସେ ଗୁରୁ ହୋଇଛି । କିନ୍ତୁ ମୋର ଶିଷ୍ୟ କମଳ ମୋଠାରୁ ମଧ୍ୟ ଉତ୍ତମ ଗୁରୁ ହୋଇପାରେ । ସେ ଲକ୍ଷଣ ତା’ ମଧ୍ୟରେ ଅଛି । ଏବେ ସେ ରାଜଦରବାରରେ କାମ ପାଇଛି ।”
ଏସବୁ କଥା ବତ୍ସଳର କାନରେ ପଡିଲା । ସେ ଟିକିଏ ଦୁଃଖିତ ହୋଇ ଗୁରୁଙ୍କୁ କହିଲା, “ଗୁରୁଦେବ ଶିଷ୍ୟର ଭଲଗୁଣ ପାଇଁ ଗୁରୁ ଗର୍ବ କରିବା କଥା, ଇର୍ଷା କରିବା କଥା ନୁହେଁ । ଆପଣ ସର୍ବଦା ମୋ ପାଇଁ ମହାନ୍; ଯାହା କିଛି ବିଦ୍ୟା ମୁଁ ପ୍ରାପ୍ତ କରିଛି ତାହା କେବଳ ଆପଣଙ୍କଠାରୁ ହିଁ ପ୍ରାପ୍ତ କରିଛି । ମୁଁ ଯଦି ବିଦ୍ୟାର୍ଥୀଙ୍କୁ ଆପଣଙ୍କଠାରୁ ଅଧିକ ଭଲ ଭାବରେ ଶିକ୍ଷାଦାନ କରିଥାଏ ତେବେ, ଆପଣ ବରଂ ମୋତେ ପ୍ରଶଂସା କରନ୍ତେ; କିନ୍ତୁ ଦେଖୁଛି ଆପଣ ତାକୁ ଅନ୍ୟ ଭାବରେ ନେଉଛନ୍ତି । ମୁଁ କ’ଣ କିଛି ଅପରାଧ କରିଛି?”